Unknown

 

 

 

 

 

 

 

 

 

 

 

ଭିନ୍ନ ଦୃଷ୍ଟି

ଶ୍ରୀ ବିଚିତ୍ରାନନ୍ଦ କର

 

 

 

 

 

 

ଯାହାଙ୍କ ପ୍ରେରଣାରେ କଲମ ଧରି ମୁଁ କିଛି ଲେଖିପାରୁଛି

ଏବଂ ଆଜି ଜଣେ ସାମ୍ବାଦିକ ହୋଇପାରିଛି

ମୋର ସେହି ପରମ ପୂଜ୍ୟ ପିତା ସ୍ଵର୍ଗତ

ଶ୍ରୀଯୁକ୍ତ ବାଳକୃଷ୍ଣ କର

ଙ୍କୁ

ଭକ୍ତିଅର୍ଘ୍ୟ

 

ଆଦ୍ୟକଥନ

 

ଆରମ୍ଭରେ କିଛି ଆଭାଷ ବା ସୂଚନା ଦେବା ଗୋଟାଏ ବିଧି ବା ପରମ୍ପରା । ମୁଁ ଭାବୁଥିଲି, ଗୁଳାରୁ ଟିକିଏ ଖସିଗଲେ କ୍ଷତି କଣ ? ଗୁଳାରୁ ନ ଗଡ଼ିଲେ, ପରମ୍ପରାରୁ ନ ଖସିଲେ, ସବୁବେଳେ ସେଇ ଗତାନୁଗତିକତା କଣ ଗ୍ରାହ୍ୟ ହେବ ? ସ୍ଵାଦ୍ୟ ହେବ ?

 

କିନ୍ତୁ ମୁଁ ଗୁଳାରୁ ଖସିପାରିଲି ନାହିଁ, କାରଣ ଭୟ ହେଲା—“ମହାଜନ ଯେନ ଗତଃ ସ ପନ୍ଥାଃ’’ କୁ ମୁଁ କିପରି ଭାଙ୍ଗିଦେବି ? ମୁଁ ତ ମହାଜନ ନୁହେଁ, ଅକିଞ୍ଚନ ମାତ୍ର ।

 

ଏହି ପୁସ୍ତକରେ ଯେଉଁ କେତୋଟି ଲେଖା ସ୍ଥାନ ପାଇଛି, ତାହା ମୋର ଆଜିର ସୃଷ୍ଟି ନୁହେଁ, ସମୟର ସୃଷ୍ଟି । ‘ମାତୃଭୂମି’, ‘ଡଗର’, ‘ସୌରଭ’, ‘ଯୁବବାଣୀ’, ‘ସମ୍ବାଦବାହିକା’ ଇତ୍ୟାଦି ବିଭିନ୍ନ ପତ୍ରିକାରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ମୋର କେତେକ ଲେଖାକୁ ଗୋଟେଇ, ସାଉଁଟି ଏକାଠି କରିଛି । ବିକ୍ଷିପ୍ତ ଭାବନାରେ ଯେଉଁ ସାମୟିକ ସୃଷ୍ଟି ହୋଇଥିଲା, ତାହାର ଏକ ସମାବେଶ ।

 

ପାଠକଙ୍କ ସୁବିଧା ନିମନ୍ତେ ଏହି ଲେଖାଗୁଡ଼ିକୁ ମୁଁ ତିନୋଟି ପର୍ଯାୟରେ ବାଢ଼ିଛି—(୧) ସଂସ୍କୃତି ଓ ଚେତନା (୨) ସମ୍ବାଦପତ୍ର ଓ ସମାଜ (୩) ଚଳନ୍ତିକା । ଏ ସମସ୍ତକୁ ମିଶାଇ ବହିଟିର ନାମ ରଖିଛି ‘ଭିନ୍ନଦୃଷ୍ଟି’ ପାଠକେ କିନ୍ତୁ କେଉଁ ଦୃଷ୍ଟିରେ ଏହାକୁ ଦେଖିବେ, ତାହା ସେମାନଙ୍କର ବିଚାର୍ଯ୍ୟର ବିଷୟ ।

 

ମୋର ନିଜର କୌଣସି ବହି ପ୍ରକାଶ ପାଇବା ଏହା ପ୍ରଥମ, ଯଦିଓ ଏଥିପୂର୍ବରୁ ମୋ ସଂପାଦନାରେ କେତୋଟି ସଂକଳନ ପ୍ରକାଶ ପାଇସାରିଛି । ଏ ବହି ପ୍ରକାଶ ପାଇବା ଏତେ ଶୀଘ୍ର ମଧ୍ୟ ସମ୍ଭବ ହୋଇନଥାନ୍ତା ଯଦି ମୋର ଶ୍ରଦ୍ଧେୟ ଅନୁଜପ୍ରତିମ କବି ଶ୍ରୀ ପ୍ରବୋଧକୁମାର ମିଶ୍ର ଏକାନ୍ତଭାବରେ ଉତ୍ସାହିତ କରି ବହିର ରୂପରେଖକୁ ସଜାଡ଼ି ଦେଇନଥାନ୍ତେ ଏବଂ ଶ୍ରଦ୍ଧେୟ ବନ୍ଧୁ କବି ଶ୍ରୀ ରବିନ୍ଦ୍ର ନାଥ ସିଂହ ମୋତେ ବାରମ୍ବାର ଚୁମୁଟି ନଥାନ୍ତେ ଓ ଶିଶୁ—ସାହିତ୍ୟ ଲେଖକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପୋଥାଳ ସହଯୋଗ ନ କରିଥାନ୍ତେ ।

 

ସମ୍ମାନାସ୍ପଦ ସାହିତ୍ୟିକ ‘ପଦ୍ମଭୂଷଣ’ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ମୋ’ ବହି ସମ୍ପର୍କରେ ମତ ଦେଇଥିବାରୁ ଏବଂ ଆର୍ଟିଷ୍ଟ ଶ୍ରଦ୍ଧେୟ ଶ୍ରୀ ଶିବ ପାଣିଗ୍ରାହୀ ସ୍ୱପରିକଳ୍ପନା ପ୍ରସୂତ ପ୍ରଚ୍ଛଦପଟ୍ଟର ଅଙ୍କନ କରି ଦେଇଥିବାରୁ ମୁଁ ଏ ଉଭୟଙ୍କ ନିକଟରେ କୃତଜ୍ଞ ।

 

‘ଓଡ଼ିଶା ବୁକ ଷ୍ଟୋର’ର ସ୍ଵତ୍ତ୍ଵାଧିକାରୀ ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏ ବହିର ପ୍ରକାଶନ ଦାୟିତ୍ଵ ନେଇ ଏହାକୁ ଆଲୋକକୁ ଆଣିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ।

 

ଗଣେଶ ଚତୁର୍ଥୀ, ୧୯୭୧

‘ମାତୃଭୂମି’ ଅଫିସ, କଟକ

Image

 

।। ଗ୍ରନ୍ଥ ସୂଚୀ ।।

 

।। ସଂସ୍କୃତି ଓ ଚେତନା ।।

 

ସଂସ୍କୃତି ଓ ଜାତୀୟ ଐକ୍ୟ

 

ଆମ ସଂସ୍କୃତିରେ ଜଗନ୍ନାଥ

 

ସତ୍ୟ ଓ ଅହିଂସାର ସୌରଭ

 

ଅସଫଳ ଶିକ୍ଷା ପ୍ରଣାଳୀ

 

ମନ୍ଦିର ସ୍ଥାପତ୍ୟରେ ଓଡ଼ିଶାର ସ୍ଥାନ

 

ଚନ୍ଦ୍ର ବିଜୟ

 

ଆଜିର ଯୁବବାଣୀ

 

ତସ୍ମୈ ଶ୍ରୀ ଗୁରୁବେ ନମଃ

 

ଜୀବନର ରଙ୍ଗ

 

କଟକ : ଗତକାଲି ଓ ଆଜି

।। ସମ୍ବାଦପତ୍ର ଓ ସମାଜ ।।

 

ସମ୍ବାଦପତ୍ର ଓ ଆମ ସମାଜ

 

ଆମ ପତ୍ରପତ୍ରିକାର ପରିଚୟ

 

ଆମ ପତ୍ରିକାର ଅକାଳ ମୃତ୍ୟୁ

 

ଆମ ପତ୍ରପତ୍ରିକାର ଆଭିମୁଖ୍ୟ ବଦଳୁ

 

ଭାରତର ଜାତୀୟ ପାଠାଗାର

 

ଭାରତରେ ଗ୍ରନ୍ଥାଗାର ଆନ୍ଦୋଳନ

 

ପାଠକ ଓ ପାଠାଗାର

 

ଓଡ଼ିଆ ବହି ମୁଁ କାହିଁକି କିଣିବି ?

।। ଚଳନ୍ତିକା ।।

 

ଅବଧାନକୁ ଆସୁ

 

ବାଳ ଓ ବାଳା ଉପାଖ୍ୟାନ

 

ଆପଣା ହସ୍ତେ ଜିହ୍ଵା ଛେଦି

 

ନାୟମାତ୍ମା ବଳହୀନେନ ଲଭ୍ୟଃ

 

ଦରବୃଦ୍ଧି ଓ ଜନ ଆନ୍ଦୋଳନ

Image

 

 

 

 

 

 

 

 

 

 

 

 

 

ସଂସ୍କୃତି ଓ ଚେତନା

 

ଆମ ସଂସ୍କୃତି ଓ ଜାତୀୟ ଐକ୍ୟ

 

ଗାଁମୁଣ୍ଡର ସେଇ ପାକଳ ବୁଢ଼ା ବରଗଛଟି । କେତେକାଳୁ ରହିଆସିଛି । ଶାଖା ପ୍ରଶାଖା କେତେ ମେଲିଛି । ଝଡ଼ଝଞ୍ଜାରେ ହୁଏତ କେଉଁଠି କେତେଟା ପୁରୁଣା ପାମ୍ପରା ଡାଳ ଭାଙ୍ଗି ପଡ଼ିଛି; କିନ୍ତୁ ସେଇ ବୁଢ଼ା ଗଛଟି କେତେ ଧକ୍କା ସହି ପଡ଼ି ରହିଛି । ତା’ ଚେର କାହିଁ କେତେ ମଟାଳକୁ ମାଡ଼ିଯାଇଛି । ଅବଶ୍ୟ କେବେ ଯଦି ସେମିତି କିଛି ଅସମ୍ଭବ ଧରଣର ଧକ୍କା ଆସିବ, ତେବେ ହୁଏତ ଗୋଟାଏ ବିରାଟ ହଲଚଲ ହୋଇଯାଇପାରେ । ନ ହେଲେ, ନୁହେଁ ।

 

ସେମିତି କେତେକାଳର ପୁରୁଣା ଏଇ ଭାରତବର୍ଷ । ଆମର ପ୍ରିୟ ମାତୃଭୂମି । ଆମ ଦେଶ । ଆମେ ସମସ୍ତେ ସେଇ ଏକ ରାଷ୍ଟ୍ରର, ଏକ ଜାତିର । କେତେ ପ୍ରାଚୀନ ତା’ର ଐତିହ୍ୟ, ସଂସ୍କୃତି, ସଭ୍ୟତା । ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିୟାନ ଇହୁଦି, ପାର୍ସି—ଆମେ ସମସ୍ତେ ତା’ର ସନ୍ତାନ—ଆମେ ସମସ୍ତେ ଭାରତୀୟ । ଆମ ଭିତରେ ଭିନ୍ନ ଭାଷା, ଭିନ୍ନ ଧର୍ମ, ଭିନ୍ନ ବର୍ଣ୍ଣ ଅଛି । ତଥାପି ଏଇ ବିଭିନ୍ନତା ଓ ଅନୈକ୍ୟ ଭିତରେ ଐକ୍ୟ ହିଁ ଆମର ପରମ୍ପରା ଓ ପ୍ରତିଷ୍ଠା । ଯୁଗ ଯୁଗ ଧରି ଏହା ରହି ଆସିଛି ।

 

ଆମ ଭିତରେ ଜାତିଧର୍ମର ଭେଦ ନଥିଲା । ଦେଶକୁ ଖଣ୍ଡ ଖଣ୍ଡ କରିବାର ମନୋଭାବ ଭାରତୀୟ ପରମ୍ପରାରେ ନ ଥିଲା । ଭାରତ ଏକ ଓ ଅଖଣ୍ଡ ଆର୍ଯ୍ୟଭୂମି ବା ଆର୍ଯ୍ୟାବର୍ତ୍ତ ରୂପେ ପରିଚିତ ଥିଲା । ସେତେବେଳେ ସେଇ ଅଖଣ୍ଡ ଆର୍ଯ୍ୟଭୂମିର ଅଧିବାସୀ ପରସ୍ପରକୁ ‘ଆର୍ଯ୍ୟ’ ବୋଲି ସମ୍ବୋଧନ କରୁଥିଲେ । ଏହା ହିଁ ଜାତୀୟ ଐକ୍ୟର ସାର୍ଥକ ସଂକେତ । ମହାନ ଓ ଗରୀୟାନ ଥିଲା ଆମର ସଭ୍ୟତା ଓ ସଂସ୍କୃତି ।

 

ଆମର ବେଦ, ଉପନିଷଦ, ସ୍ମୃତିଶାସ୍ତ୍ର, ଗୀତା, ଭାଗବତ, ମହାଭାରତ ଓ ପୁରାଣ ଇତ୍ୟାଦି, ସମଗ୍ର ଭାରତର ତଥା ଭାରତୀୟଙ୍କ ସମୂହ କଲ୍ୟାଣ କାମନାରେ ଭରପୂର । ଉପନିଷଦ ଯେତେବେଳେ ଉଚ୍ଚାରଣ କରିଛି—

 

‘‘ସହନାଭବତୁ ସହନୌଭୁନକ୍ତୁ, ସହବୀର୍ଯମ୍‍ କରବାବହୈ ତେଜସ୍ଵିନାବଧୀତମସ୍ତୁ ମା ବିଦ୍ଵିଷା ବହୈ । ଓ ଶାନ୍ତିଃ! ଶାନ୍ତିଃ! ଶାନ୍ତିଃ !’’

 

ସେତେବେଳେ ସେ ସ୍ପଷ୍ଟଭାବରେ ସମସ୍ତଙ୍କର ତେଜ, ବୀର୍ଯ୍ୟ ସହନଶୀଳତା ଓ ଦ୍ଵେଷହୀନତା କାମନା କରିଛି ।

 

ପୁଣି ସେଇ ଉପନିଷଦର ଉଚ୍ଚାରଣ—

 

‘‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିଦ୍‍ ଦୁଃଖଭାଗ୍‍ଭବେତ୍‍ ।’’

 

ସମସ୍ତଙ୍କର ସୁଖ, ଆନନ୍ଦ, ନିରୋଗ ଓ କୁଶଳ କାମନା ହିଁ ଭାରତୀୟ ପରମ୍ପରା । ଭାରତୀୟ କେବଳ ନିଜପାଇଁ ବା ନିଜ ପରିବାର ପାଇଁ କିମ୍ବା ନିଜ ଜ୍ଞାତି କୁଟୁମ୍ବ ଜାତିପାଇଁ ମଙ୍ଗଳକାମନା କରୁନାହିଁ, ସେ ସମସ୍ତଙ୍କର ମଙ୍ଗଳ କାମନା କରୁଛି । ଯେହେତୁ ସେ ଆତ୍ମକୈନ୍ଦ୍ରିକ ନୁହେଁ ବା ସ୍ଵାର୍ଥସର୍ବସ୍ଵ ନୁହେଁ । ସମସ୍ତଙ୍କୁ ସେ ଅମୃତର ସନ୍ତାନ ତଥା ଅମୃତର ସନ୍ଧାନୀ ବୋଲି କହିଛି—(ଶୃଣ୍ଵନ୍ତୁ ସର୍ବେ ଅମୃତସ୍ୟ ପୂତ୍ର) ଏଥିରେ ଜାତି ଧର୍ମ ବର୍ଣ୍ଣର ବାଛବିଚାର ନାହିଁ । ସମସ୍ତଙ୍କର କଲ୍ୟାଣରେ ହିଁ ଦେଶର କଲ୍ୟାଣ; ଏହା ହିଁ ଏଥିରେ ସୂଚିତ ।

 

ଆକୁମାରୀ ହିମାଚଳ ଆମେ ସମସ୍ତେ ଗୋଟିଏ ଦେଶର ବୋଲି ମନେକରୁ । ସେଥିପାଇଁ ପ୍ରତ୍ୟେକ ସନାତନୀ ସଂକଳ୍ପ କଲାବେଳେ ଉଚ୍ଚାରଣ କରେ—

 

‘‘ଗଙ୍ଗେଚ ଯମୁନେଚୈବ ଗୋଦାବରି ସରସ୍ଵତି

ନର୍ମଦେ ସିନ୍ଧୁ କାବେରି, ଜଳେଽସ୍ମିନ୍‍ ସନ୍ନିଧିଂକୁରୁ ।

ପୁଣ୍ୟଦେଶ-କୁରୁକ୍ଷେତ୍ର-ପ୍ରଭାସ-ପୁଷ୍କରାଣିଚ

ଏତାନି ପୁଣ୍ୟ-ତୀର୍ଥାନି ସଂକଳ୍ପେଽସ୍ମିନ୍‍ ଭବନ୍ତ୍ୱିହ ।’’

 

ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ଵତୀ, ନର୍ମଦା, ସିନ୍ଧୁ, କାବେରୀ ଇତ୍ୟାଦି ସମଗ୍ର ଭାରତର ନଦନଦୀ ଏବଂ ପ୍ରଭାସ, କୁରୁକ୍ଷେତ୍ର, ପୁଷ୍କର ଇତ୍ୟାଦି ପୁଣ୍ୟତୀର୍ଥମାନଙ୍କୁ ଆମେ ଶ୍ଳୋକରେ ଏକାଠି ଗୁନ୍ଥି ଦେଇଛୁ ଯେହେତୁ ଆମ ଭିତରେ ନ ଥିଲା ସଂକୀର୍ଣ୍ଣତା କିମ୍ବା ‘ପାରୋକିଆଲିଜିମ ।’ ଜାତୀୟ ଐକ୍ୟର ଏ ନିଦର୍ଶନ ସମଗ୍ର ବିଶ୍ଵରେ ଅଦ୍ଵିତୀୟ ଓ ଅଲୌକିକ । ଗଣ୍ଡୁଷ ଜଳରେ ସମଗ୍ର ଭାରତବର୍ଷର ଚିତ୍ର ଆମେ ଦେଖୁ ।

 

ଆଜି ଏହାର ରୂପାନ୍ତର ନେଇଛି ଆମର ଜାତୀୟ-ସଂଗୀତ—

 

‘‘ଜନ-ଗଣ-ମନ-ଅଧିନାୟକ ଜୟ ହେ, ଭାରତ-ଭାଗ୍ୟ-ବିଧାତା

ପଞ୍ଜାବ ସିନ୍ଧୁ, ଗୁଜୁରାଟ, ମରାଠା, ଦ୍ରାବିଡ଼ ଉତ୍କଳ ବଙ୍ଗ

ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳ ଜଳଧିତ ରଙ୍ଗ

ତବ ଶୁଭ ନାମେ ଜାଗେ

ତବ ଶୁଭ ଆଶିଷ ମାଗେ

ଗାହେ ତବ ଜୟ ଗାଥା ।’’

 

ପଞ୍ଜାବ, ଗୁଜୁରାଟ, ମହାରାଷ୍ଟ୍ର, ଉତ୍କଳ, ଆନ୍ଧ୍ର, ବଙ୍ଗ ଇତ୍ୟାଦି ପ୍ରଦେଶଗୁଡ଼ିକ ଏବଂ ଗଙ୍ଗା ଯମୁନା ଇତ୍ୟାଦି ନଦନଦୀ ଓ ବିନ୍ଧ୍ୟ, ହିମାଚଳ ଆଦି ଗିରିରାଜି ଏଇ ଭାରତରେ ।

 

ଅତୀତର ସେଇ ଏକା ଚିନ୍ତା, ଏକା କଳ୍ପନା—ସମଗ୍ର ଭାରତର ସବୁ ଅଞ୍ଚଳ ଓ ନଦନଦୀ ଗିରିରାଜିକୁ ଏକାଠି ବାନ୍ଧି ରଖି ସ୍ମରଣ କରିବାର ଏକ ସୁସଜ୍ଜିତ ସୂତ୍ର ।

 

ଜାତୀୟ ଐକ୍ୟର ଏ ପରମ୍ପରା ଆଜି ମଧ୍ୟ ଲୋପ ପାଇନାହିଁ । ତେବେ ଏଥିରେ ଟିକିଏ ଆଲୋଡ଼ନ ସୃଷ୍ଟିହୋଇଛି—ନିଥର ପାଣିରେ ଟେକାଟିଏ ପଡ଼ିଲେ ତାହା ଯେପରି ଆଲୋଡ଼ିତ ହୁଏ-। ଏଇ ଆଲୋଡ଼ନର ସୃଷ୍ଟି ବ୍ରିଟିଶ ରାଜତ୍ଵର । ତା ପୂର୍ବରୁ ଏ ଐକ୍ୟ ଥିଲା ଅଭୂତପୂର୍ବ । ଭାରତର କୌଣସି ଅଞ୍ଚଳ ବିପଦର ବା ଶତ୍ରୁ ଆକ୍ରମଣର ସମ୍ମୁଖୀନ ହେଲେ କୁମାରୀଠାରୁ କାମରୂପ ଯାଏ, ସୀମାଚଳଠାରୁ ହିମାଞ୍ଚଳ ଯାଏ ପ୍ରତିଧ୍ଵନିତ ହେଉଥିଲା ଜବାବ ଦେବାପାଇଁ ।

 

କିନ୍ତୁ ପ୍ରଭୁତ୍ଵ ଓ କ୍ଷମତାବିସ୍ତାର ପାଇଁ ବ୍ରିଟିଶ ଶାସକମାନେ ଭାରତର ଜାତୀୟ ଐକ୍ୟକୁ ଖଣ୍ଡ ଖଣ୍ଡ କରିଦେଲେ । ଦେଶୀୟ ରାଜ୍ୟ ସୃଷ୍ଟି କଲେ । ହିନ୍ଦୁ-ମୁସଲମାନ ସାଂପ୍ରଦାୟିକ ବିଷ, ଭାରତୀୟଙ୍କ ମନରେ ପୂରାଇଲେ । ତଥାପି ଭାରତବାସୀ ସମସ୍ତେ ଜାତୀୟ ଐକ୍ୟରେ ଉଦ୍‍ବୁଦ୍ଧ ହୋଇଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ତତ୍କାଳୀନ ନେତାମାନଙ୍କ ଆହ୍ଵାନରେ । ଦେଶର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗୋରା ସରକାରର ନିର୍ଯାତନା ନିପୀଡ଼ନ ସହିଲେ; ମାଡ଼ ଖାଇଲେ, ଜେଲ ଗଲେ, ଫାଶିକାଠକୁ ହସି ହସି ବରଣକଲେ । ସେତେବେଳେ ନ ଥିଲା ସଂପ୍ରଦାୟର ବାଛବିଚାର ।

 

ଭାରତୀୟଙ୍କ ସୌଭାଗ୍ୟ ଯେ, ଗୋରା ଶାସକମାନେ ଭାରତ ଛାଡ଼ିଲେ । ଦୁର୍ଭାଗ୍ୟ ଯେ, ଅଖଣ୍ଡ ଭାରତକୁ ଦ୍ଵିଖଣ୍ଡ କରିଦେଇ ଗଲେ ସେମାନେ । ସୃଷ୍ଟି ହେଲା—ଭାରତ ଓ ପାକିସ୍ତାନ-

 

ଏହା ସତ୍ତ୍ୱେ ଏହି ଭାରତରେ ଆମେ ଯେଉଁମାନେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିୟାନ, ଇହୁଦି, ପାର୍ସି ଇତ୍ୟାଦି ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ରହିଲେ, ଆମେ ସମସ୍ତେ ନିଜକୁ ଭାରତୀୟ ମନେକଲୁ ଏବଂ ଭାରତର ଜାତୀୟ ପତାକା, ଜାତୀୟ ସଂଗୀତ ଓ ରାଷ୍ଟ୍ରୀୟ-ସଂହତିକୁ ସମ୍ମାନ ଦେଲୁ । ଏହାର ପ୍ରମାଣ ମିଳିଲା ଚୀନ ଓ ପାକିସ୍ଥାନର ଆକ୍ରମଣ କାଳରେ । ସମଗ୍ର ଭାରତବାସୀ ଏକ ମନ ଏକପ୍ରାଣ ହେଇ ଜବାବ ଦେଲେ ଏ ଆକ୍ରମଣର ।

 

ହିନ୍ଦୁ ଘରେ ନବଜାତ ପୁତ୍ରର ନାମକରଣ ଉତ୍ସବରେ ‘ସତ୍ୟପୀର’ଙ୍କ ପୂଜା ହୁଏ । ବୋଖାରି ସାହେବଙ୍କ ପାଖରେ ହିନ୍ଦୁ ବି ଯାଚନା ଓ ମାନସିକ କରେ । ମହରମ ଇତ୍ୟାଦି ଉତ୍ସବରେ ହିନ୍ଦୁ ମଧ୍ୟ ନିଜକୁ ମିଶାଇଦିଏ । ଠିକ୍‍ ସେମିତି ହୋଲି, ଦଶହରା ଓ ଦିଆଲି ଉତ୍ସବରେ ହିନ୍ଦୁ ମୁସଲମାନ ଓ ଅନ୍ୟମାନେ ମାତିଯାନ୍ତି ଆନନ୍ଦ ଉଲ୍ଲାସରେ ।

 

ଆଜକୁ ଶହେଦୁଇବର୍ଷ ତଳେ ଓଡ଼ିଶାର ଏକ ଖ୍ୟାତନାମା ସାପ୍ତାହିକ ପତ୍ରିକା ‘‘ଉତ୍କଳ ଦୀପିକା’’ର ୧୮୬୯ ଏପ୍ରିଲ ୨୪ ତାରିଖ ସଂଖ୍ୟାରେ ମହରମ ସମ୍ପର୍କରେ ଲେଖାଥିଲା–‘‘ଗତକାଲି ଏହି ଉତ୍ସବଟି ଅନ୍ୟାନ୍ୟ ବର୍ଷ ଭଳି ଅନୁଷ୍ଠିତ ହୋଇଥିଲା ଏବଂ ଏଥିସଙ୍ଗେ ସଙ୍ଗେ କଟକର ଏକ ପ୍ରଧାନ ପର୍ବ ଶେଷ ହେଲା । ପ୍ରକୃତରେ କହିବାକୁ ଗଲେ, ମହରମ ଯଦିଓ ମୁସଲମାନମାନଙ୍କର ପର୍ବ, ଏହା କିନ୍ତୁ ସର୍ବସାଧାରଣଙ୍କ ପର୍ବ ହୋଇଗଲାଣି । କାରଣ ହିନ୍ଦୁ ଓ ମୁସଲମାନ ଏକାଠି ମିଶି କୌଣସି ସାଂପ୍ରଦାୟିକ ଭାବ ନ ରଖି ଏ ପର୍ବ ପାଳି ଅଛନ୍ତି ।’’

 

୧୯୨୦ ମସିହାରେ ନାଗପୁର କଂଗ୍ରେସ ଅଧିବେଶନରେ ସ୍ଵର୍ଗତ ନେହେରୁ ମୁକ୍ତିକାମୀ ଭାରତବାସୀଙ୍କୁ ଆହ୍ଵାନ ଦେଇଥିଲେ ଯେ ‘‘ଏହି ଗୌରବାବହ ଜାତୀୟ ସଂଗ୍ରାମରେ କେହି ନୀରବ ଦ୍ରଷ୍ଟା ହୋଇ ରହି ନ ପାରେ । ଆଗରେ ସଂଗ୍ରାମ ଭୂମି ଓ ଅଦୂରରେ ବିଜୟ-ବୈଜୟନ୍ତୀ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ଵାନ କରୁଛି । ପ୍ରତ୍ୟେକ ଜାଣିବା ଉଚିତ ଯେ ଭାରତବର୍ଷର ମୃତ୍ୟୁ ଘଟିଲେ କିଏ ବଞ୍ଚିବ ? ନା, ଭାରତ ବଞ୍ଚି ରହିଲେ, କିଏ ମରି ପାରିବ ? ପ୍ରତ୍ୟେକ ଦଳ, ଧର୍ମ, ସଂପ୍ରଦାୟର ଲୋକେ ଭେଦାଭେଦ ଭୁଲି ନବଭାରତ ଗଠନ ଦିଗରେ ଜୀବନ ଉତ୍ସର୍ଗ କରିବା ଦରକାର ।’’

 

ଆଜି ଦେଶର ଜାତୀୟ ଐକ୍ୟ ସଂହତିରେ ସାମାନ୍ୟ ହଲଚଲ ସୃଷ୍ଟି ହୋଇଛି । ନାଗାଭୂମି ଆସାମରୁ ଅଲଗା ହୋଇଛି । ପଞ୍ଜାବ ଓ ହରିଆନା ଦୁଇଟି ସ୍ଵତନ୍ତ୍ର ରାଜ୍ୟ ହୋଇଛନ୍ତି । ଆନ୍ଧ୍ରରୁ ଅଲଗା ହେବାକୁ ଆନ୍ଦୋଳନ କରୁଛି ତେଲେଙ୍ଗାନା । ଆସାମର କଚାର ଇତ୍ୟାଦି ଅଞ୍ଚଳର ଅଧିବାସୀ ସ୍ଵତନ୍ତ୍ର ମେଘାଳୟ ଗଠନ କରି ସାରିଲେଣି । ଛୋଟନାଗପୁର ଇତ୍ୟାଦି ଅଞ୍ଚଳର ଅଧିବାସୀ ମଧ୍ୟ ସ୍ଵତନ୍ତ୍ର ସ୍ଵର ଉଠାଇଲେଣି ।ଫଳରେ ଜାତୀୟସଂହତି ବିପନ୍ନ ହେବାର ଆଶଙ୍କା ବେଶି । ଅବଶ୍ୟ ଏଥିପାଇଁ ଭାଷାଗତ, ପ୍ରାଦେଶିକ ଓ ଆଞ୍ଚଳିକ ମନୋଭାବ ଇତ୍ୟାଦି ବିଭିନ୍ନ କାରଣ ଦାୟୀ । ତେଣୁ ଜାତୀୟ ଐକ୍ୟ, ରାଷ୍ଟ୍ରୀୟ ସଂହତି ଓ ମାନବୀୟ ସଂପ୍ରୀତିର ପୁନଃପ୍ରତିଷ୍ଠା ପାଇଁ ଦେଶର ନେତା ଓ ଚିନ୍ତାଶୀଳ ଶୁବେଚ୍ଛୁମାନେ ଆଜି ଆକୁଳ ଆହ୍ଵାନ ଦେଉଛନ୍ତି । ଲୁଟତରାଜ, ଅଗ୍ନିଦାହ, ହାଣକାଟ ବା ବୋମାର ଧମକରେ ଜାତୀୟ ସଂହତି ଓ ସଂପ୍ରୀତି ସମ୍ଭବ ନୁହେଁ ଏବଂ ଜାତୀୟ ସଂହତି ଓ ସଂପ୍ରୀତି ବିନା ଆମର ସୁସ୍ଥସ୍ଥିତି ମଧ୍ୟ ସମ୍ଭବ ନୁହେଁ । ପରମ୍ପରା-ପରିପୁଷ୍ଟ ଏଇ ଜାତୀୟ ଐକ୍ୟହିଁ କେବଳ ଆମ ସମସ୍ତଙ୍କୁ ବନ୍ଧୁତାର ବନ୍ଧନରେ ବାନ୍ଧି ରଖିବାରେ ସମର୍ଥ ହେବ ।

Image

 

ଆମ ସଂସ୍କୃତିରେ ଜଗନ୍ନାଥ

 

ଇତିହାସ ଓ ପୁରାଣପ୍ରଷିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଏହା ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ପରିଚିତ । ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଗହଣରେ ରଥାରୂଢ଼ ହୋଇ ବିଜେ କରନ୍ତି ଶ୍ରୀଗୁଣ୍ଡିଚା ମନ୍ଦିରକୁ । ଦାଣ୍ଡରେ ରଥଟଣା ହୁଏ । ରଥ ଟାଣିବା, ରଥରସି ଛୁଇଁବା ଓ ରଥରେ ଠାକୁରଙ୍କୁ ଦର୍ଶନ କରିବାପାଇଁ ଭକ୍ତଜନଙ୍କର ଆତୁରତା ଓ ବ୍ୟାକୁଳତା ।

 

ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତ ଭକ୍ତଜନଙ୍କୁ ଦର୍ଶନ ଦେବାପାଇଁ ପ୍ରଭୁ ଜଗନ୍ନାଥ ବର୍ଷକେ ଥରେ ସ୍ଵ ଆସ୍ଥାନରୁ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ । ରଥାରୂଢ଼ ସେଇ ମହାପ୍ରଭୁଙ୍କୁ ଦେଖି ନୟନମନ ସାର୍ଥକ କରନ୍ତି ଅଗଣିତ ଭକ୍ତଜନ ।

 

ଭାରତର ବିଭିନ୍ନାଞ୍ଚଳରେ ରଥଯାତ୍ରା ହୁଏ । ଜଗନ୍ନାଥ ମନ୍ଦିରର ଅବସ୍ଥିତିରେ ରଥଯାତ୍ରାର ଅନୁଷ୍ଠାନ ଅବଶ୍ୟମ୍ଭାବୀ । ଏପରିକି, ଭାରତର ବାହାରେ ସିଂହଳ ଓ ଜାପାନରେ ମଧ୍ୟ ରଥଯାତ୍ରା ହେଉଥିବା ଜଣାପଡ଼େ । ଏହା ହିଁ ସିଂହଳ ଓ ଜାପାନ ସହିତ ଆମର ଅଚ୍ଛେଦ୍ୟ ସଂସ୍କୃତିଗତ ସମ୍ପର୍କର ପ୍ରମାଣ । ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଓଡ଼ିଶାରେ ବିଶେଷତଃ ପୁରୀରେ ରଥଯାତ୍ରାର ମାହାତ୍ମ୍ୟ ଓ ଗାମ୍ଭୀର୍ଯ୍ୟ ଅଧିକ । ଯେହେତୁ ପୁରୀ ନୀଳାଚଳ କ୍ଷେତ୍ର ଓ ଜଗନ୍ନାଥଧାମ ରୂପେ ଖ୍ୟାତ ଓ ପ୍ରସିଦ୍ଧ । ଆଜିକାଲି ତ ବିଲାତ ଓ ଆମେରିକାରେ ରଥ ଟଣା ହେଲାଣି ।

 

ଆଜି ଯେଉଁ ଜଗନ୍ନାଥ ଆର୍ଯ୍ୟ ଓ ଅନାର୍ଯ୍ୟର ବନ୍ଦିତ ଓ ପୂଜିତ, ପୁରାଣ କହେ ଯେ, ଆରମ୍ଭରେ ସେ ଥିଲେ ଶବରଦେବତା ନୀଳମାଧବ । ପୁଣି ବୌଦ୍ଧ, ବୈଷ୍ଣବ, ଶୈବ ଆଦି ବହୁଧର୍ମ-ଧ୍ଵଜାଧାରୀମାନେ ନୀଳାଚଳଧାମକୁ ଆସିଛନ୍ତି ଏବଂ ଜଗନ୍ନାଥଙ୍କୁ ନିଜ ନିଜର ଦେବତା ରୂପେ ଦାବୀ କରିଛନ୍ତି । ଜଗନ୍ନାଥ କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ଧର୍ମସଂପ୍ରଦାୟର ସୀମିତ ପରିସରକୁ ଯାଉନାହାନ୍ତି । ସେ ସମଗ୍ର ହିନ୍ଦୁ ଜଗତର ଆରାଧ୍ୟ ଦେବତା ଓ ସର୍ବଧର୍ମ ସମନ୍ଵୟର ପ୍ରତୀକ ସମଗ୍ର ପୃଥିବୀରେ ଏହା ବିରଳ । ଏହାହିଁ ଜଗନ୍ନାଥ ଧର୍ମ ଓ ସଂସ୍କୃତିର ବୈଭବ, ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟ ।

 

ଏଇ ଠାକୁରଙ୍କ ମୂର୍ତ୍ତି ଗଠନ କଳ୍ପନା ଅତି ବିଚିତ୍ର । ମଣିଷଭଳି ତାଙ୍କର ମୁଣ୍ଡ, କପାଳ, ମୁହଁ, ଆଖି, ନାକ, ଛାତି, ବାହୁ ଓ ଉଦର ରହିଛି; କିନ୍ତୁ ହାତ ନାହିଁ, ଗୋଡ଼ ଓ ପାଦ ନାହିଁ, କାନ ନାହିଁ; ମାଦଳଟିଏ । ତାଙ୍କର ପୁଣି ଭୋଜନ, ଶୟନ, ଗାତ୍ରମାର୍ଜନ, ମନୋରଞ୍ଜନ ଓ ଆମୋଦପ୍ରମୋଦର ବ୍ୟବସ୍ଥା ରହିଛି । ଶ୍ରୀଜଗନ୍ନାଥଙ୍କୁ ମଣିଷରୂପେ କଳ୍ପନା କରାଯାଇଛି, ସେ ପୁରୁଷୋତ୍ତମ । ସେଇ ନୀଳାଚଳବାସୀ ନୀଳାଦ୍ରି ବିହାରୀ ଜଗନ୍ନାଥ ପୁଣି ‘ପତିତପାବନ’ । ପତିତ-ତାପିତ-ଜନଙ୍କୁ ଉଦ୍ଧାରିବା ପାଇଁ ତାଙ୍କ ପ୍ରାଣରେ ବ୍ୟାକୁଳତା ।

 

କବିଙ୍କ ଭାଷାରେ—

 

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉଅଛ ପତାକା

ବାହୁ ଟେକି ତୁମେ ବସି ଚାହୁଁ ଚାହୁଁ ବିପତ୍ତି କରୁଛି ଡକା ମହାପ୍ରଭୁ ହେ ।

 

ସେଇ ପତିତପାବନଙ୍କର ଅପୂର୍ବ ଶ୍ରୀମଣ୍ଡିତ, ଲାବଣ୍ୟ ଝଟକିତ କାନ୍ତି ଓ ବପୁ ବେଶ୍‍ ଆକର୍ଷଣୀୟ ଓ ବରଣୀୟ । ତାହା ହିଁ କାନ୍ତ, ଶାନ୍ତ, କମନୀୟ । ଆଖିଯୋଡ଼ିକ ଚମତ୍କାର । ଚକାଡ଼ୋଳା । ସେଇ ଚକାଡ଼ୋଳାକୁ ଦେଖିବା ପାଇଁ ଭକ୍ତଜନ ବ୍ୟାକୁଳ । ତାଙ୍କୁ ଦେଖିଲେ ଆଖି ଲାଖି ରହେ । କବି ଯଦୁମଣିଙ୍କ ଭାଷାରେ—

 

ପ୍ରାଣ ମିତଣିରେ, ଦେଖିଲେ ରହୁଚି ଲାଖି

ଭାଲୁଣୀ ପରାଏ କାଳିଆ ମୁହଁକୁ ଚାଲୁଣି ପରାୟେ ଆଖି ।

 

ସେଇ ଚକାଡ଼ୋଳା, ଚକାନୟନକୁ ଡାକି ଡାକି କେତେ ଭକ୍ତ, କବି ବେଦନା ବିଧୁର ପ୍ରାଣରେ ଉଦବେଳିତ ହୋଇ ଉଠିଛନ୍ତି ଓ ଅତି ଶରଧାରେ ଏବଂ ଅଭିମାନରେ ଭଗବାନଙ୍କୁ ଗାଳି ଦେଇଛନ୍ତି । କବିସୂର୍ଯ୍ୟ ବଳଦେବରଥଙ୍କ ଭାଷାରେ—

 

‘ବାଧିଲା ଜାଣି କ୍ଷମା କର ନୋହିଲେ ରାମ-ରମଣ ଦଣ୍ଡେ ଦିଅ ଟାଳି

ତୁମ୍ଭଙ୍କୁ ଜଗନ୍ନାଥ, ଆଜ ମୋ ମନୋରଥ

ପୂର୍ଣ୍ଣ କରିବି ଦେଇ ଗାଳି

କାଳସର୍ପ ଆପଣ କବଳ କର ପ୍ରାଣ-ପବନମାନଙ୍କୁ ସବୁରି ହେ ।’’

 

ପୁଣି କେହି ଭକ୍ତ ଲେଖିଛନ୍ତି—

 

ଚକାଡ଼ୋଳା କିମ୍ପା ଡକା ନ ଶୁଣ

ଡାକି ଡାକି ମୁଁ ଯେ ଥକା ହେଲିଣି.... ।

ଆଉ ଜଣେ କବି ଲେଖିଲେ—

 

‘ଥକା ମନ ଚାଲ ଯିବା,

ଚକା ନୟନ ଦେଖିବା । ଇତ୍ୟାଦି

ନିଖିଳ-ଜନବନ୍ଦ୍ୟ ଏଇ ଠାକୁରଙ୍କ ମୂର୍ତ୍ତି ମଧ୍ୟ ମୂଲ୍ୟବାନ ଧାତୁରେ ନୁହେଁ; ତାହା କାଠରେ ଗଢ଼ା । ସେ ଦାରୁ ଦେବତା; ତଥାପି ତାହା ସୁନ୍ଦର । ଅବୟବ ଦୃଷ୍ଟିରୁ ସେ ଅସମ୍ପୂର୍ଣ୍ଣ ମନେ ହେଉଥିଲେହେଁ ଗୁଣ ଓ ମହିମା ଦୁଷ୍ଟିରୁ ସେ ସ୍ଵୟଂସଂପୂର୍ଣ୍ଣ । ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରା ତିନିହେଁ ଭାଇ ଭଉଣୀ । ଅନ୍ୟାନ୍ୟ ଦେବଦେବୀମାନେ ପତିପତ୍ନୀ (ରାଧାକୃଷ୍ଣ, ରାମସୀତା, ହରପାର୍ବତୀ, ଲକ୍ଷ୍ମୀନାରାୟଣ) ରୂପେ ପ୍ରତିଭାତ ହେବାବେଳେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଭ୍ରାତୃତ୍ୱର ପ୍ରତୀକରୂପେ ଯେଉଁ ମହାନ ଆଦର୍ଶର ପ୍ରଚାର କରୁଛନ୍ତି, ତାହା ବାସ୍ତବରେ ବିରଳ । ସମଗ୍ର ଜଗତରେ ଏଭଳି ଭ୍ରାତୃତ୍ୱ ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠାପାଇଁ ଏ ତ୍ରିମୂର୍ତ୍ତିଙ୍କର ଆହ୍ଵାନ ।

 

ଜଗନ୍ନାଥଙ୍କଠାରେ ଭେଦାଭେଦ, ଉଚ୍ଚନୀଚ ଓ ଜାତିଧର୍ମର ବାଛବିଚାର ନାହିଁ । ଜଗନ୍ନାଥ ସାମ୍ୟମୈତ୍ରୀର ପ୍ରତୀକ । ତାଙ୍କର ପ୍ରସାଦ ମହାପ୍ରସାଦ ଓ କୈବଲ୍ୟ ନାମରେ ପ୍ରସିଦ୍ଧ । ଏହି କୈବଲ୍ୟକଣିକା ପରକୁ ଆପଣାର କରିପାରେ, ଶତ୍ରୁକୁ ମିତ୍ର କରିପାରେ, ମଣିଷର ମନରେ ଶାନ୍ତି ଓ ବିଶ୍ଵାସ ଆଣିପାରେ ।

 

ସେ ପୁଣି ନିଜେ ବଡ଼ଠାକୁର । ତାଙ୍କ ଦେଉଳ ବଡ଼ ଦେଉଳ । ତାଙ୍କ ଦାଣ୍ଡ ପୁଣି ବଡ଼ଦାଣ୍ଡ । ତାଙ୍କ ପ୍ରସାଦ ମହାପ୍ରସାଦ । ସେ ପୁଣି ପୁରୁଷୋତ୍ତମ । ତାଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ଓ ଏହି ପୁଣ୍ୟକ୍ଷେତ୍ର ସଂଲଗ୍ନ ସମୁଦ୍ର ‘ମହଦୋଧି’ ନାମରେ ପରିଚିତ । ସେଠାରେ ଜାତିଧର୍ମର ଭେଦ ନାହିଁ, ଉଚ୍ଚନୀଚର ବା ଘୃଣା-ଦର୍ପ ଅହଙ୍କାରର ବିଚାର ନାହିଁ । ଆଚଣ୍ଡାଳ ବ୍ରାହ୍ମଣ ସମସ୍ତେ ଶ୍ରୀମନ୍ଦିର ବେଢ଼ାରେ ମହାପ୍ରସାଦ କଣିକାଏ ପାଇବା ପାଇଁ ବ୍ୟାକୁଳ । ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଓ ଠାକୁରରାଜା ରୂପେ ବିଦିତ ଲକ୍ଷେ ରାଜଙ୍କର ମଉଡ଼ମଣି, ପୁରୀ ଗଜପତି ‘ଉତ୍କଳର ନବକୋଟି କର୍ଣ୍ଣାଟ ବର୍ଗେଶ୍ଵର ବୀରାଧିବୀରବର’ ମଧ୍ୟ ନିଜର ଅଭିଜାତ୍ୟ ଓ କୌଳିନ୍ୟକୁ ଜଗନ୍ନାଥଙ୍କ ପାଦ ତଳେ ଲୋଟାଇ ଦେଇ ରଥଯାତ୍ରାବେଳେ ସର୍ବସମକ୍ଷରେ ଚାଣ୍ଡାଳବେଶରେ ଝାଡ଼ୁଧରି ରଥ ଓଳାନ୍ତି-। ଯାହାକି ଛେରା ପହଁରା ନାମରେ ବିଦିତ । ଠାକୁରରାଜା ଛେରାପହଁରା ନକରିବା ଯାଏଁ ରଥ ଚାଲେନି । ଏହାହିଁ ବିଧି । ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଅନ୍ୟ କୌଣସି ଠାକୁରଙ୍କ ପାଖରେ ଏଭଳି ବିଧିବିଧାନ ଅଛି ଅଛି କି ନାହିଁ, ଜଣା ନାହିଁ ।

 

ଓଡ଼ିଶା କହିଲେ ଏବେ ତ ଭାରତର ଅନ୍ୟଅଞ୍ଚଳର ଲୋକେ ବୁଝିଲେଣି । କିଛି ବର୍ଷ ତଳେ ସମସ୍ତେ କିନ୍ତୁ ଓଡ଼ିଶାକୁ ଜାଣୁନଥିଲେ । ‘ଜଗନ୍ନାଥଙ୍କ ଦେଶ’ କହିଲେ ଜାଣୁଥିଲେ ଓ ମୁଣ୍ଡରେ ହାତଲଗାଇ ପ୍ରଣାମ କରୁଥିଲେ । ଏହା ମୋର ବ୍ୟକ୍ତିଗତ ଅନୁଭୂତି । ପ୍ରାୟ ୨୦ ବର୍ଷର ତଳର ଘଟଣା । ଉପାଧ୍ୟୁତ୍ତର ଛାତ୍ର ଭାବେ ଆମେ କେତେଜଣ ଯାଇଥିଲୁ ଉତ୍ତରଭାରତ ପର୍ଯ୍ୟଟନରେ । ହାଓଡ଼ା ପରେ ଟ୍ରେନରେ ଅସମ୍ଭବ ଭିଡ଼ । ଆମ ଡବାରେ ଥାନ୍ତି ବହୁସଂଖ୍ୟକ ପଶ୍ଚିମା ଯାତ୍ରୀ (ବିହାର, ୟୁପିଆଡ଼ର ଲୋକଙ୍କୁ ପଶ୍ଚିମା ଯାତ୍ରୀ ବୋଲି ପୁରୀରେ କହନ୍ତି) । ଡବାରେ ଆଦୌ ସ୍ଥାନ ନଥାଏ । ଡବା ଛାତର ଗୋଟିଏ ଲୁହା ହୁକ ଧରି ତଳେ ବେଡ଼ିଂର ପାହାଡ଼ ଉପରେ ଗୋଡ଼ ଦେଇ ମୁଁ ଝୁଲୁଥାଏ । ଆଉ କେତେକଙ୍କ ଅବସ୍ଥା ବି ତଦ୍ରୁପ । ଆମେ ଜଗନ୍ନାଥ ଦେଶରୁ ଆସିଛୁ ବୋଲି ଜାଣିବା ପରେ ଆମ ସହଯାତ୍ରୀମାନେ ହଠାତ୍‍ ଆମ ପ୍ରତି ସଦୟ ହୋଇ ଉଠିଲେ । ଏଇତ ଜଗନ୍ନାଥ ଧାମର ମହତ୍ତ୍ଵ ! ସହସ୍ରାଧିକ ଲୋକ ଅପ୍ରତ୍ୟାଶିତ ଅତିଥି ହେଲେବି, ଜଗନ୍ନାଥଙ୍କ ଦେଉଳରେ କେହି ଉପବାସ ରହେ ନାହିଁ ।

 

ଆଜି ଦୁନିଆରେ ଅବିଶ୍ଵାସ, ସନ୍ଦେହ, ହିଂସା ଅନ୍ୟାୟ, ଅବିଚାର, ଅଶାନ୍ତି, ଲାଞ୍ଚ, ମିଛ, ସନ୍ଦେହ, ଅସୂୟ ବିଶ୍ଵାସଘାତକତା, ଈର୍ଷା, ଦ୍ଵେଷ, ସ୍ଵାର୍ଥପରତା, କ୍ଷମତାଲୋଭ, ଅର୍ଥଲାଳସା ବୃଦ୍ଧି ପାଇଥିବାବେଳେ ଏବଂ ମଣିଷ ଟିକିଏ ଶାନ୍ତି ଓ ସନ୍ତୋଷ ପାଇଁ ବ୍ୟାକୁଳ ହେଉ ଥିବାବେଳେ ଜନଗଣମନର ପ୍ରକୃତ ପ୍ରତିନିଧି ଗଣଦେବତା ଶ୍ରୀ ଜଗନ୍ନାଥ ସନ୍ନାର୍ଗ ଦେଖନ୍ତୁ । ଇତିହାସ ଓ କିମ୍ବଦନ୍ତୀ କହେ, ଗଜପତି ଶ୍ରୀ ପୁରୁଷୋତ୍ତମଦେବଙ୍କ କାଞ୍ଚି ଅଭିଯାନ ବେଳେ ଜଗନ୍ନାଥ, ବଳଭଦ୍ର କଳା-ଧଳା ଘୋଡ଼ାରେ ଯାଇଁ ଆପଣା ଭକ୍ତଙ୍କ ସହାୟ ହୋଇଥିଲେ । ଆଜି ମଧ୍ୟ ସେ ଦୁହେଁ ମଣିଷ ସମାଜକୁ ସଂକଟରୁ ରକ୍ଷା କରନ୍ତୁ । ସିଦ୍ଧାଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ପ୍ରିୟ ଜଗନ୍ନାଥ ବନ୍ଦନା ଆମର ଧ୍ୟେୟ ହେଉ—

 

‘‘ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ

ବସନ ପ୍ରସାଦାନ୍ତେ ସହଜେ-ବଳଭଦ୍ରେଣ ବଳିନା ।

ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁରସେବା ବସରଦୋ

ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ।’’

 

(ମହାସମୁଦ୍ରର ତୀରରେ ସୁବର୍ଣ୍ଣଭଳି ସୁନ୍ଦର ନୀଳାଚଳ ମନ୍ଦିରରେ ବଳବାନ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ବାସକରି ସେ ସମସ୍ତ ଦେବଦେବୀଙ୍କୁ ସେବାକରି ସୁଖ ଦେଉଛନ୍ତି, ସେହି ଜଗନ୍ନାଥ ମହାପ୍ରଭୁ ମୋର ନେତ୍ରଗୋଚର ହୁଅନ୍ତୁ) ।

 

ଏଇ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୁଣି ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ବା ଦର୍ପଦଳନ ରଥ ଉପରେ ବିଜେ ହୁଅନ୍ତି । ଏତିକିବେଳେ ତଦଗତ ଭକ୍ତ, ପ୍ରଭୁଙ୍କ ବିଜେ ହେବାରେ ଟିକିଏ ବିଳମ୍ବ ଦେଖିଲେ, ବ୍ୟସ୍ତହୋଇ ଗାଇଉଠେ—

 

‘‘କାଳିଆ କାହ୍ନା ! ଆଉ ବିଳମ୍ବ କାହିଁକି,

ବରଷକେ ଥରେ ବିଜୟେ ରଥରେ

ପତିତ ତାରିବା ପାଇଁକି ।

ତାଳଧ୍ଵଜ ରଥେ ବିଜୟ କରନ୍ତୁ

କହିଦିଅ ବଡ଼ ଭାଇଙ୍କି,

ଦେବୀ ରଥ ବଡ଼ ସୁନ୍ଦର ଦିଶିବ

ଭଉଣୀ ହଳଦୀ ମୁହିଁକି ।’’

 

ଜଗତର ନାଥଙ୍କୁ ପାଖରେ ଦେଖିଲେ, ଭକ୍ତ ଆହୁରି ତନ୍ମୟ ହୋଇ ଗାଇଉଠେ—

 

‘‘ଜଗନ୍ନାଥ ହୋ ! କିଛି ମାଗୁନାହିଁ ତତେ,

ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧାବାଲିରୁ ହାତେ ।’’

 

ବାସ୍ତବରେ ଭାବପ୍ରବଣ ଭକ୍ତର ଏଇ ତନ୍ମୟ ଭାବ ଓ ତାଦାତ୍ମ୍ୟ ଭିତରେ ଜଗନ୍ନାଥଙ୍କ ବିଶ୍ଵପ୍ରସାରୀ ମହିମା ଉଦଭାସିତ ହୋଇ ଉଠେ ସିନା !

 

ଜଗନ୍ନାଥ ଏ ଜାତିର ପ୍ରାଣପୀଠ । ଯୁଗଯୁଗ ଧରି ଏ ଜାତିର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସଂଗୀତ, ସାହିତ୍ୟ ଓ ବିବିଧ ଚିନ୍ତା ଚେତନା ଜଗନ୍ନାଥଙ୍କୁ କେନ୍ଦ୍ରକରି ଆଧାରିତ । ପ୍ରଗତି ଯେକୌଣସି ଜାତିର କାମ୍ୟ । ପ୍ରଗତି ବିନା ସ୍ଥାଣୁତ୍ୟ ଆସେ । ଜାତି ନିଜର ବର୍ତ୍ତମାନ ସ୍ଥିତି ଓ ସିଦ୍ଧିରେ ସନ୍ତୁଷ୍ଟ ନ ହୋଇ ଆହୁରି ଅଗ୍ରସର ହେବା ହିଁ ପ୍ରଗତି । ଆଜିର କାମନା, ଏ ଜାତିର ଉନ୍ନତି ଓ ପ୍ରଗତିର ନନ୍ଦିଘୋଷ ଗଡ଼ି ଚାଲୁ, ଏ ଜାତିର ବଳବୀର୍ଯ୍ୟର ତାଳଧ୍ଵଜ ମାଡ଼ିଚାଲୁ । ଅନ୍ୟାୟ-ଅନୀତିର ଦର୍ପ ଓ ଦମ୍ଭକୁ ଦଳି ଏ ଜାତିର ଦର୍ପଦଳନ ରଥ ଆଗକୁ ବଢ଼ିଚାଲୁ ।

Image

 

ସତ୍ୟ ଓ ଅହିଂସାର ସୌରଭ

 

ସତ୍ୟର ଅନ୍ୱେଷଣ, ଆଉ ଅହିଂସାର ଆଚରଣ ଯୋଗୁ ଆମେ ହେଲୁ ସ୍ଵାଧୀନ । ସ୍ଵାଧୀନତା ପ୍ରାପ୍ତିରୁ ଆମେ ବିଶ୍ଵାସ କଲୁ (ସଂପୂର୍ଣ୍ଣ ନୁହେଁ, ସାମାନ୍ୟ) ସତ୍ୟର ଶ୍ରେଷ୍ଠତ୍ଵ, ଆଉ ଅହିଂସାର ମହତ୍ଵ । ଆମେ ପରାଧୀନତାରୁ ମୁକ୍ତ ହେଲୁ । ଆମେ ଚାହିଁଲୁ ମୁକ୍ତିର ମହିମାରେ ମହିମାନ୍ଵିତ ହେବାକୁ । ସ୍ଵାଧୀନତାର ସ୍ଵାଦୁ ସଗର୍ବେ ଉପଭୋଗ କରିବା ପାଇଁ ଆମେ ହେଲୁ ଆକୁଳ ।

 

କିଏ ନ ଚାହେଁ ମୁକ୍ତି ? ମୁକ୍ତି-ପିପାସା ପ୍ରାଣୀର ସହଜ ପ୍ରବୃତ୍ତି । ପକ୍ଷୀଟିଏ ହେଲେ ବି, ସେ ଚାହେଁ ମୁକ୍ତ ଆକାଶରେ ଇଗଲ ହେବ, ସେ ଚାହେଁନା ପିଞ୍ଜରାବଦ୍ଧ ପୋଷା ଶୁଆ ହୋଇ ରହିବାକୁ । ପଶୁର କାମ୍ୟ ଅରଣ୍ୟର ନିବିଡ଼ତା । ଲୁହାର ଶିକୁଳି ତା’ ପ୍ରାଣର ପ୍ରତିବନ୍ଧକ । ମଣିଷ ପକ୍ଷରେ, ଜାତି ପକ୍ଷରେ ଏଇ ମୁକ୍ତି ସ୍ଵାଧୀନତାର ବାସନା ଓ କାମନା କେତେ ପ୍ରବଳ, କେଡ଼େ ତୀବ୍ର, ତାହା ଅକଳ୍ପ ଅମାପ । ତଥାପି ଗୋଟିଏ ଜାତି ହିସାବରେ ଭାରତବାସୀଙ୍କ ପାଇଁ ଦିନେ ଏଇ ସ୍ଵାଧୀନତାର ସ୍ଵାଦୁ ଥିଲା ସୁଦୂର । କିନ୍ତୁ ସୁଦିନ ଆସିଲା, ଯେତେବେଳେ ମୋହନ ଦାସ ବୁଝିଲେ ଏଇ ମୁକ୍ତିର ମୋହନମନ୍ତ୍ର କେଡ଼େ ମହାନ, କେଡ଼େ ପବିତ୍ର ଏବଂ ଏ ସାଧନ କିଭଳି କଠୋର ।

 

ସେ ବୁଝିଥିଲେ ବୋଲି ଏ ଜାତି ପାଇଁ, ପ୍ରିୟ ଭାରତ ଭୂମି ପାଇଁ ନିଜର ପ୍ରିୟତମ ପ୍ରାଣକୁ ସୁଦ୍ଧା ଉତ୍ସର୍ଗ କରିଗଲେ ଅକୁଣ୍ଠ ଚିତ୍ତରେ, ଅକୁତୋଭୟରେ । ସେ ଚାଲିଗଲେ, ଆଉ ଫେରିବେ ନାହିଁ । ଯିଏ ପଥପ୍ରଦର୍ଶକ, ଜମାଟ ଅନ୍ଧାର ଭିତରେ ଯିଏ ଦିହୁଡ଼ି ଧାରୀ, ସେ ଆଗରେ ଚାଲେ—ଆଗକୁ ଚାଲିଯାଏ । ସେ ପଛକୁ ଫେରେନା । ସେମିତି, ଜାତିର ଜନକ ଗାନ୍ଧିଜୀ ଆଉ ଫେରିନାହାନ୍ତି—ଯିଏ ଦେଲେ ଏ ମୂକ ଜନତା ମୁହଁରେ ଭାଷା, ସୁପ୍ତକୁ କଲେ ସଚେତନ, ଅନ୍ୟାୟର ପ୍ରତିରୋଧ କରିବାକୁ ହୃଦୟରେ ଦେଲେ ଦମ୍ଭ ଓ ସାହାସ, ଯିଏ ଆଣିଦେଲେ ଆମ ପାଇଁ ସ୍ଵାଧୀନତା, ଯାହାପାଇଁ ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖରେ ମହାସମାରୋହରେ ପାଳିତ ହୋଇଥିଲା ଏ ଦେଶର ପ୍ରଥମ ସ୍ଵାଧୀନତା ଉତ୍ସବ ।

 

ସ୍ଵାଧୀନତା ଆଣିବାରେ ତାଙ୍କର ମାର୍ଗ ଥିଲା ସଂପୂର୍ଣ୍ଣ ସ୍ଵତନ୍ତ୍ର । ତାହା ତାଙ୍କର ନିଜସ୍ଵ, ଅଭିନବ ଓ ଅନ୍ୟନ୍ୟସାଧାରଣ । ଏକ ସୁସଂଗଠିତ ସମରପରାକ୍ରାନ୍ତ ଅମିତ ଶକ୍ତି ବିରୁଦ୍ଧରେ ସାମାନ୍ୟ ଅସି ଉତ୍ତୋଳନ ସୁଦ୍ଧା ସେ କରି ନାହାନ୍ତି କିମ୍ବା ଏ ମାର୍ଗରେ ଜାତିକୁ ପ୍ରବର୍ତ୍ତାଇ ନାହନ୍ତି । ଏ କ୍ଷେତ୍ରରେ, ଏ ଯୁଗର ମହାତ୍ମା ଗାନ୍ଧୀ, ସେ ଯୁଗର ମହାପୁରୁଷ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଟପିଗଲେ ବୋଲି କୁହାଯାଇପାରେ । ଯୁଦ୍ଧ କ୍ଷେତ୍ରରେ ବ୍ୟସ୍ତ ବ୍ୟଥିତ ଓ ଅନୁତପ୍ତ ଅର୍ଜୁନଙ୍କୁ ସାରଥି ଶ୍ରୀକୃଷ୍ଣ ଶ୍ରୀମଦ୍‍ ଭାଗବତ ଗୀତାରେ ‘‘ତସ୍ମାଦୁତ୍ତଷ୍ଠ କୌନ୍ତେୟ ! ଯୁଦ୍ଧାୟ କୃତନିଶ୍ଚୟ’’ ବୋଲି କହି ଶତ୍ରୁ ବିରୁଦ୍ଧରେ ଅସ୍ତ୍ରୋତ୍ତୋଳନ କରି ଯୁଦ୍ଧରେ ଲିପ୍ତ ହେବାକୁ ଉପଦେଶ ଦେଇଛନ୍ତି, ଉଦବୋଧନୀ ଶୁଣାଇଛନ୍ତି । କିନ୍ତୁ ଅସ୍ତ୍ରର ଝନତ୍କାର ନାହିଁ, ଶସ୍ତ୍ରର ଫୁତ୍କକାର ନାହିଁ; କେବଳ ସତ୍ୟ ଓ ଅହିଂସାକୁ ଆୟୁଧ କରି ଶତ୍ରୁ ବିରୁଦ୍ଧରେ ସଂଗ୍ରାମ ଚଳାଇବାକୁ ପରାମର୍ଶ ଦେଇଗଲେ ମହାତ୍ମା ଗାନ୍ଧୀ ।

 

ସତ୍ୟ ଅହିଂସାର ଶ୍ରେଷ୍ଠତ୍ଵ ସେ ଉପଲବ୍ଧି କରିଥିଲେ । ସତ୍ୟର ଅର୍ଥ ନୁହେଁ ସ୍ଵାର୍ଥସିଦ୍ଧି ପାଇଁ ବିବେକର ବେକ ମୋଡ଼ିବା । ସତ୍ୟ ସାମୟିକ ନୁହେଁ, ଏହା ଶାଶ୍ଵତ । ଯିଏ କେବଳ ଏହାକୁ ଜୀବନର ବ୍ରତ ରୂପେ ସାଧନା କରିପାରେ, ସିଦ୍ଧିଲାଭର ଅଧିକାରୀ ସେ ହୋଇପାରେ । ଏଇ ସତ୍ୟ, ଅହିଂସାର ସ୍ୱରୂପ ଗାନ୍ଧିଜୀଙ୍କ ନିକଟରେ ଥିଲା ସ୍ଵତନ୍ତ୍ର । ଅହିଂସାର ଅନୁସରଣ ଓ ସତ୍ୟର ସାଧନରେ ସେ ଥିଲେ ସତତ ସଚେଷ୍ଟ । ସେଇଥିପାଇଁ ସେ ପାଇଲେ ‘ମହାତ୍ମା’ର ସମ୍ମାନ । ସମସ୍ତଙ୍କର ସେ ହେଲେ ଶ୍ରଦ୍ଧେୟ ଓ ସମ୍ମାନନୀୟ ।

ପ୍ରତ୍ୟେକ ମନୁଷ୍ୟର ସ୍ଵଧର୍ମକୁ ମର୍ଯ୍ୟାଦା ଦେବା ପ୍ରସଙ୍ଗରେ ପ୍ରଶ୍ନ ଉଠିପାରେ । ତେବେ କଣ ଆମେ ଯାହାକୁ ଯାହାକୁ ସତ୍ୟ ବୋଲି ଉପଲବ୍ଧି କରିଛୁ, ତାହା ଅନ୍ୟକୁ ବୁଝାଇ ପାରିବା ନାହିଁ-? ସତ୍ୟର ପ୍ରସାର ପାଇଁ କଣ କୌଣସି ପ୍ରୟୋଜନ ନାହିଁ ? ପ୍ରତ୍ୟେକ ତେବେ କଣ ଆପଣା ଖଣ୍ଡସତ୍ୟକୁ ଘେନି ଚଳୁଥିବେ ? ଏଇ ପ୍ରଶ୍ନ ପଚାରିଥିଲେ ଗାନ୍ଧିଜୀଙ୍କୁ ତାଙ୍କର ଅନ୍ୟତମ ସେକ୍ରେଟେରୀ ଅଧ୍ୟାପକ ନିର୍ମଳ କୁମାର ବସୁ । ଉତ୍ତରରେ ଗାନ୍ଧିଜୀ କହିଲେ ‘‘ସତ୍ୟର ପ୍ରଚାରକୁ ବିରୋଧ କରିବା ଚେଷ୍ଟା କଲେ ସୁଦ୍ଧା ସଫଳ ହେବ ନାହିଁ । ଆମମାନଙ୍କ ଜୀବନ ଅନ୍ତର୍ନିହିତ ସତ୍ୟ ଦ୍ଵାରା ଶାସିତ ହେବ ଏବଂ ତାହାହେଲେ, ସେଇ ଜୀବନରୁ ସତ୍ୟ ବିକୀର୍ଣ୍ଣ ହେବ । ସତ୍ୟ ସ୍ଵଭାବତଃ ବ୍ୟପ୍ତିଶୀଳ । ସୂର୍ଯ୍ୟ ଯେପରି ଆପଣ ଆଲୁଅକୁ ଲୁଚାଇ ରଖିପାରେ ନାହିଁ, ସତ୍ୟର ଆଲୁଅ ମଧ୍ୟ ସେହିପରି ଚାରିଆଡ଼କୁ ବିଛୁଡ଼ି ହୋଇ ପଡ଼େ ।’’

‘‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ।’’ ଆମ ପିଲାଏ ତାଙ୍କ ବହିରେ ଏ କଥା ପଢ଼ନ୍ତି, ଆମେ ଶୁଣୁ । ଆମେ ବି ‘‘ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମତେ’’ ବୋଲି ପାଟିକରି ପଢ଼ିଥିବୁ ଓ ଈଶ୍ଵରଙ୍କୁ ପାର୍ଥନା ଜଣାଇଥିବୁ । କିନ୍ତୁ କାର୍ଯ୍ୟରେ ଆମେ ତା କରିପାରୁନା । ସେ ପଥର ପଥୁକୀ ଆମେ ସହଜରେ ହୋଇ ପାରୁନା । ଆମେ ବରଂ ପାରଙ୍ଗମ ଅନ୍ୟକୁ ଠକିବାରେ । ଆମେ ଚିନ୍ତା କରୁ ଲୋକଙ୍କୁ କିପରି ଭଣ୍ଡାଇ, ଭୁଲାଇ, ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଇ ଭୋଟ ଜିଣିବୁ । କଳେ ବଳେ କଉଶଳେ କ୍ଷମତାର ଡୋର ଧରିବୁ । ଓରଉଣ୍ଡି କେତୁଟା ଶସ୍ତା କଥା କହି ବା ଲେଖି ତଥାକଥିକ ଜନନାୟକ ହେବା ଆମର ପରମ କାମ୍ୟ । ଏହାହିଁ ଆମ ପାଖରେ ଆଜି ସତ୍ୟ ସ୍ୱରୂପ । ମାତ୍ର ଗାନ୍ଧିଜୀ ଥିଲେ ନିଷ୍ଠୁର ସତ୍ୟର ଉପାସକ, ନିଛକ ସତ୍ୟର ଶ୍ରେଷ୍ଠ ସନ୍ଧାନୀ ।

ସତ୍ୟ-ସନ୍ଧାନୀ ଗାନ୍ଧିଜୀ ସ୍ପଷ୍ଟ ଭାବେ ବ୍ୟକ୍ତ କରିଛନ୍ତି—,‘‘କେବଳ ସତ୍ୟ ଅହିଂସା ଦୁଇଟି ଚିରନ୍ତନ ନୀତି । ଆଉ ପାଦେ ଅଗ୍ରସର ହୋଇ ମୁଁ କହିପାରେ ଯେ, ସତ୍ୟହିଁ ଏକମାତ୍ର ଚିରନ୍ତନ ନୀତି । କାରଣ ଯଦିଓ ସତ୍ୟ ଓ ଅହିଂସା ଏକ ଓ ଅଭିନ୍ନ, ମୋତେ କିନ୍ତୁ ଅବସ୍ଥା ଚକ୍ରରେ ଏ ଦୁଇଟିରୁ ଗୋଟିକୁ ବାଛିବାକୁ ପଡ଼ିଲେ, ସତ୍ୟକୁ ଗ୍ରହଣ କରି ଅହିଂସାକୁ ଫିଙ୍ଗି ଦେବାକୁ ମୁଁ ପଛଘୁଞ୍ଚା ଦେବିନାହିଁ । ମୋ ମତରେ ସତ୍ୟହିଁ ସାର୍ବଭୌମ ନୀତି ।’’

ଗାନ୍ଧିଜୀଙ୍କ ମତରେ ‘‘ସତ୍ୟହିଁ ଭଗବାନ ଓ ଭଗବାନ ହିଁ ସତ୍ୟ ।’’ ସତ୍ୟର ଅନ୍ୟ ନାମ ସତ୍‍ । ପୃଥିବୀରେ ସତ୍ୟହିଁ ଶାଶ୍ଵତ ।

ସତ୍ୟ ଆହରଣ ଲାଗି ସାଧନା ଆବଶ୍ୟକ, ସାଧନାରେ ହିଁ ସିଦ୍ଧି ସମ୍ଭବ । ସତ୍ୟ ଆହରଣ ପନ୍ଥା ଦୁର୍ଗମ ଓ କଠିନ ହେଲେ ମଧ୍ୟ ଗାନ୍ଧିଜୀଙ୍କ ପକ୍ଷରେ ତାହା ସହଜ ଓ ସରଳ । ସେ କହିଛନ୍ତି—‘‘ମୁଁ ପଥଟି ଜାଣେ । ଏହା ସଳଖ ଓ ସଂକୀର୍ଣ୍ଣ । ଏହା ଖଣ୍ଡାଧାର ଭଳି । ତାହା ଉପରେ ଚାଲିବାକୁ ମତେ ଖୁସିଲାଗେ । ଯେତେବେଳେ ଖସିପଡ଼େ, ମୁଁ ବିଳାପ କରେ । ଭଗବାନଙ୍କର ବାଣୀ ହେଉଛି ଯେ ପ୍ରଚେଷ୍ଟା କରେ, ତା’ର ପତନ ନାହିଁ ।’’ (ୟଙ୍ଗ ଇଣ୍ଡିଆ ତା ୧୭-୬-୧୯୨୬)

ଗାନ୍ଧିଜୀ ବୁଝିଥିଲେ, ସତ୍ୟାଶ୍ରୟୀ ହିଁ ପ୍ରକୃତରେ ସୁଖୀ । ସତ୍ୟର ଅବର୍ତ୍ତମାନରେ ସୁଖ, ସନ୍ତୋଷ ସମ୍ଭବ ନୁହେଁ । ସତ୍ୟର ସାଧନାରେ ଅସତ୍ୟ କୃଚ୍ଛ୍ରତାକୁ ଜୟ କରିହେବ—ଏ ଧାରଣା ତାଙ୍କର ଦୃଢ଼ ଥିଲା । ସତ୍ୟର ପରାକାଷ୍ଠାରେ ତାଙ୍କର ପ୍ରାଣ ଥିଲା ପ୍ରାଚୁର୍ଯ୍ୟମୟ ।

ସତ୍ୟ ଭଳି ଅହିଂସା ଥିଲା, ଗାନ୍ଧିଜୀଙ୍କ ଜୀବନର ଅନ୍ୟତମ ବୈଶିଷ୍ଟ୍ୟ, ତାଙ୍କ ସମର କୌଶଳର ଏକ ଶ୍ରେଷ୍ଠ ଆୟୁଧ ।

ଅହିଂସା ସମ୍ପର୍କରେ ଗାନ୍ଧିଜୀ ମନେକରୁଥିଲେ ଯେ, ଆଜି ବିଶ୍ଵର ଯେକୌଣସି ରାଷ୍ଟ୍ର ଯେପରି ସହଜରେ ବ୍ୟକ୍ତିର ଜୀବନକୁ ଶାସନ କରୁଛି, ବ୍ୟକ୍ତିର ଚରିତ୍ରରେ ନିହିତ ଜଡ଼ତା ଏବଂ ଭୟହିଁ ତାହାର ମୂଳ କାରଣ । ତେଣୁ ସେ ବ୍ୟକ୍ତିଗତ ଚରିତ୍ରରେ ଥିବା ଜଡ଼ତା ବା ତାମସିକ ଗୁଣକୁ ସ୍ଥାୟୀ କଲ୍ୟାଣର ବିରୋଧୀ ବୋଲି ବିଚାରନ୍ତି । ଏଣୁ ‘ନୂଆଖାଲି’ ରେ ଦଣ୍ଡଦ୍ଵାରା ଶାନ୍ତି ସ୍ଥାପନକୁ ସ୍ଥାୟୀ କଲ୍ୟାଣର ଆଧାର ବୋଲି ସେ ମନେ କରୁ ନ ଥିଲେ । ଏହି କଲ୍ୟାଣକୁ ସ୍ଥାୟୀ କରିବା ପାଇଁ ମୁସଲମାନ ହୃଦୟରେ ଅନ୍ୟର ମତ ସମ୍ବନ୍ଧରେ ଯେଉଁ ଅସହିଷ୍ଣୁତା ଅତି କଦର୍ଯ୍ୟ ଭାବରେ ଆତ୍ମପ୍ରକାଶ କରିଥିଲା, ତାହାକୁ ପରାସ୍ତ କରିବା ପାଇଁ ସେ ଅହିଂସାର ଆଶ୍ରୟ ନେଇଥିଲେ ।

ତାଙ୍କର ବିଶ୍ଵାସ ଥିଲା ଯେ, ସେବା ଦ୍ଵାରା ଏବଂ ବିଶ୍ଵାସର ଆଘାତରେ, ପ୍ରତିପକ୍ଷର ଅନ୍ତରରେ ଯେଉଁ ‘କୁ’ (କୁଗୁଣ) ଜଡ଼ତାର ଆବରଣରେ ଆବୃତ୍ତ ହୋଇ ରହିଛି; ତାହା ଭସ୍ମ ହୋଇଯିବ ଓ ‘ସୁ’ ର ଆତ୍ମ ପ୍ରକାଶ ଘଟିବ । ଏହିରୂପେ ବ୍ୟକ୍ତି ଯେତେବଳେ ସତ୍ୟାଗ୍ରହୀର ବୀର୍ଯ୍ୟ, ପ୍ରେମ ଓ ଦୃଢ଼ତାର ଆଘାତରେ ଶୁଦ୍ଧତର ହେବ; ସେତେବେଳେ ସେଇ ଶୋଧିତ ବ୍ୟକ୍ତିତ୍ଵର ଭିତ୍ତ ଉପରେ ଭବିଷ୍ୟତର କଲ୍ୟାଣୀୟ ସମାଜଗଠନ ସମ୍ଭବ ହେବ । ସର୍ବମାନବ କଲ୍ୟାଣର ଅନ୍ୟ ପନ୍ଥା ନାହିଁ ବୋଲି ତାଙ୍କର ବିଶ୍ଵାସ ଜନ୍ମିଥିଲା ଏବଂ ନିଜ ଅନ୍ତରରେ ସେହି ଶକ୍ତିର ଅଗ୍ନି ପରୀକ୍ଷା ପାଇଁ ସେ ‘ନୂଆଖାଲି’ ଯାତ୍ରା କରିଥିଲେ ।

(ଗାନ୍ଧୀ ଚରିତ—ନିର୍ମଳ କୁମାର ବସୁ)

୧୯୩୯ ସାଲରେ ରାଜକୋଟ ସତ୍ୟାଗ୍ରହ ସମୟରେ ସତ୍ୟାଗ୍ରହୀମାନଙ୍କ ଉଦ୍ଦେଶ୍ୟରେ ଗାନ୍ଧିଜୀ କହିଥିଲେ—‘‘ହିଂସାର ପ୍ରବଳତମ ପ୍ରକାଶକୁ ବଶୀଭୂତ କରିବାର ଅନନ୍ତ ଶକ୍ତି ଅହିଂସାମଧ୍ୟରେ ନିହିତ ଅଛି । ଏ ବିଶ୍ଵାସ ସତ୍ୟାଗ୍ରହୀମାନଙ୍କୁ ଅର୍ଜନ କରିବାକୁ ହେବ । ପ୍ରକୃତ ଅହିଂସା ଦ୍ରୁତ ପଦକ୍ଷେପରେ ହିଂସାର ମୁଖ ଗହ୍ଵରରେ ପ୍ରବେଶ କରେ । ଯାହା ଆପାତତଃ ଅସମ୍ଭବ, ଅହିଂସା ସେଭଳି କାର୍ଯ୍ୟସିଦ୍ଧି କରିପାରେ ନାହିଁ, ଏହି ଅବିଶ୍ଵାସ ଭାବ ମନରୁ ଦୂର କରିବାକୁ ହେବ ।

(ହରିଜନ ତା ୨୪-୪-୧୯୩୯)

ଅହିଂସା ବନବାସୀ ତପସ୍ଵୀମାନଙ୍କ ମଧ୍ୟରେ ଆବଦ୍ଧ ନୁହେଁ । ଏହା ବଦ୍ଧ ସରୋବର ବା ହ୍ରଦ ନୁହେଁ, ସାଗର ପରି ଏହା ବ୍ୟାପ୍ତ । ଗାନ୍ଧିଜୀଙ୍କ ମତରେ; ଅହିଂସାର ସଂଜ୍ଞା—(୧) ଯଥାସମ୍ଭବ ସଂପୂର୍ଣ୍ଣ ଆତ୍ମଶୁଦ୍ଧି—(୨) ମନୁଷ୍ୟ ମନୁଷ୍ୟ ମଧ୍ୟରେ ଅହିଂସାର ଶକ୍ତି ଓ ହିଂସ୍ର ଶକ୍ତି ସମାନୁପାତିକ (୩) ଅହିଂସା ହିଂସାଠାରୁ ଉନ୍ନତତର—ଅହିଂସାରେ ପରାଜୟ ନାହିଁ, ହିଂସାର ପରିଣତି ସୁନିଶ୍ଚିତ ପରାଜୟ—(୫) ଅହିଂସାର ଶେଷ ପରିଣାମ ସୁନିଶ୍ଚିତ ବିଜୟ । ଅହିଂସା ଶବ୍ଦର ଆକ୍ଷରିକ ଅର୍ଥ ଅନିପାତ (non-killing) । କିନ୍ତୁ ଗାନ୍ଧିଜୀଙ୍କ ମତରେ ଅହିଂସା ଶବ୍ଦର ଅର୍ଥ ବ୍ୟାପକ । ହିଂସାର ପ୍ରତିଦାନରେ ପ୍ରେମ ହିଁ ଅହିଂସା, ଶତ୍ରୁ ପ୍ରତି ମିତ୍ରତାଚାରଣ ହିଁ ଅହିଂସା । କିନ୍ତୁ ଅହିଂସା, କାପୁରୁଷତା ନୁହେଁ, ଭୟ ନୁହେଁ । ଅହିଂସା ଓ କାପୁରୁଷତା ପରସ୍ପର ବିରୋଧୀ । ଅହିଂସା ନିର୍ଭୀକତାର ଚରମ ପରାକାଷ୍ଠା । ପ୍ରେମ ହିଁ ଅହିଂସାର ମୂଳମନ୍ତ୍ର । ଅହିଂସା ଅସ୍ତ୍ରରେ ବିଶ୍ଵର ବିଭିନ୍ନ ସମସ୍ୟାର ସମାଧାନ ସମ୍ଭବ ।

(ଯୁଗଜନକ ମହାତ୍ମା ଗାନ୍ଧୀ)

 

ଗାନ୍ଧିଜୀଙ୍କର ଅହିଂସାର ଭୂୟସୀ ପ୍ରଶଂସା କରି ତାଙ୍କର ଅନ୍ୟତମ ପ୍ରିୟତମ ଶିଷ୍ୟ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ଵରଚିତ ‘‘ଗାନ୍ଧିଜୀଙ୍କ ପଦତଳେ’’ ବହିରେ ଲେଖିଛନ୍ତି—‘‘ଆଜି ଏହି ଉଭୟ ଧର୍ମ (ବୌଦ୍ଧଧର୍ମ ଓ ଜୈନ ଧର୍ମ) ଅହିଂସାକୁ ଗ୍ରହଣ କରୁଥିଲେ ମଧ୍ୟ ମହାତ୍ମା ଗାନ୍ଧୀ ତାଙ୍କ ନିଜ ଜୀବନରେ ପରୀକ୍ଷା ଚଳାଇ ନିଜେ କଷ୍ଟ ସହି ଯେଉଁ ଅହିଂସାର ଉଦାହରଣ ଦେଖାଇଛନ୍ତି, ପୃଥିବୀର ଦରକାର ସେହି ଅହିଂସା । ଆଗତ ଧ୍ଵଂସରୁ ସେହି ଅହିଂସା ହିଁ ପୃଥିବୀକୁ ରକ୍ଷା କରିବ ।’’

 

କିନ୍ତୁ ଅହିଂସାର ଅର୍ଥ ନୁହେଁ ଯେ ଦୁର୍ବଳ ଉପରେ ସବଳର ଅତ୍ୟାଚାରକୁ ପ୍ରତିରୋଧ ନ କରିବା । ଦରକାର ପଡ଼ିଲେ ମଧ୍ୟ ଅସ୍ତ୍ର ଧରି ଅନ୍ୟାୟର ବିରୋଧ ନ କରିବା ଅହିଂସା ନୁହେଁ । ଯଥା ସମ୍ଭବ ହିଂସାଚରଣ ନ କରିବା ହିଁ ଅହିଂସା ।

 

ବିଶ୍ଵରେ ଶାନ୍ତି ସ୍ଥାପନ ପାଇଁ ଆଣବିକ ଶକ୍ତିର ବିନିଯୋଗ କରିବାକୁ ସଭ୍ୟ, ସ୍ଵାଭିମାନୀ ରାଷ୍ଟ୍ରମାନେ ଚିତ୍କାର ଛାଡ଼ୁଛନ୍ତି ସତ; ମାତ୍ର ଗାନ୍ଧିଜୀଙ୍କ ମତରେ ପରମାଣୁ ବୋମା ଅହିଂସାର ଅବସାନ ଘଟାଇ ପାରିବ ନାହିଁ । କାରଣ ହିଂସା ଦ୍ଵାରା ହିଂସା ବିଜିତ ହେବନାହିଁ । କିନ୍ତୁ ଗାନ୍ଧିଜୀଙ୍କ ଏହି ମତକୁ ଯଦି ବିଶ୍ଵାସ କରାଯାଏ, ତେବେ କଣ ବୁଝିବାକୁ ହେବ ଯେ ‘‘କଣ୍ଟକେନୈବ କଣ୍ଟକମ୍‍’’ ନୀତିବାକ୍ୟ ମୂଲ୍ୟହୀନ ? ଉତ୍ତରରେ କୁହାଯାଇପାରେ, କଣ୍ଟା ସାହାଯ୍ୟରେ କଣ୍ଟାକୁ କାଢ଼ି ହେବ ସିନା; କିନ୍ତୁ କ୍ଷତ ଓ ବେଦନାକୁ ତ ଦୂର କରି ହେବ ନାହିଁ ?

 

ସତ୍ୟ ଓ ଅହିଂସା ଗାନ୍ଧୀ ଦର୍ଶନର ଯମଜ ପୁଷ୍ପଲତିକା । ସତେ ଯେପରି ଏକର ଅଭାବରେ ଅନ୍ୟର ଅବସ୍ଥାନ ଅସମ୍ଭବ । ଗାନ୍ଧିଜୀ ସ୍ପଷ୍ଟଭାବେ ସ୍ଵୀକାର କରିଛନ୍ତି—‘‘ଅହିଂସା ମୋର ଇଶ୍ଵର ଏବଂ ସତ୍ୟ ମୋର ଇଶ୍ଵର । ମୁଁ ଯେତେବେଳେ ଅହିଂସାର ଅନ୍ଵେଷଣ କରେ, ସତ୍ୟ କହେ—ମୋ ଭିତରେ ତାହା ଦେଖ’’ ପୁଣି, ମୁଁ ଯେତେବେଳେ ସତ୍ୟର ସନ୍ଧାନୀ ହୁଏ, ଅହିଂସା କହେ—‘‘ମୋ ଭିତରେ ତାହା ଖୋଜି ବାହାର କର ।’’

 

(ୟଙ୍ଗ ଇଣ୍ଡିଆ ତା ୪ ।୬ ।୧୯୨୫)

 

ଗାନ୍ଧିଜୀ ସତ୍ୟ ଓ ଅହିଂସାର ଏ ଯେଉଁ ସୌରଭ ବିଞ୍ଚି ଦେଇ ଯାଇଛନ୍ତି, ତାହା ଏ ଜାତିର ଜୀବନରେ ସୁରଭିତ ହେଉ ।

Image

 

ଅସଫଳ ଶିକ୍ଷା-ପ୍ରଣାଳୀ

 

ଆଜି ଆମ ଦେଶ ସ୍ଵାଧୀନ । ତଥାପି ପରାଧୀନ ଥିଲାବେଳେ ଯେଉଁ ଶିକ୍ଷା ଓ ଶିକ୍ଷା ପ୍ରଣାଳୀ ଆମ ଦେଶରେ ପ୍ରଚଳିତ ଥିଲା, ଆଜି ମଧ୍ୟ ତାହା ପ୍ରାୟ ଅକ୍ଷୁର୍ଣ୍ଣ ରହିଛି । ସେଥିପାଇଁ ଅନେକ ଏହାର ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆଉ କେତେକ ଏ ଶିକ୍ଷାର ପ୍ରଶଂସା ମଧ୍ୟ କରୁଛନ୍ତି । ଦେଶ ସ୍ଵାଧୀନ ହେବା ପୂର୍ବରୁ ଏହି ଶିକ୍ଷା ସମ୍ବନ୍ଧରେ ମହାତ୍ମା ଗାନ୍ଧୀ କି ମତ ଦେଇଥିଲେ, ବର୍ତ୍ତମାନ ବିଚାର କରାଯାଉ ।

 

ଥରେ କଟକର ଏକ ସାଧାରଣ ସଭାରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଶ୍ନ ହେଲା ‘‘ଯଦି ଇଂରାଜୀ ଶିକ୍ଷା ଫଳରେ ଲୋକମାନ୍ୟ ତିଳକ, ରାଜା ରାମମୋହନ ରାୟ ଓ ନିଜେ ମହାତ୍ମା ଗାନ୍ଧୀଙ୍କ ଭଳି ଲୋକ ବାହାରି ପାରନ୍ତି, ତେବେ ଇଂରାଜୀ ଶିକ୍ଷା ଶ୍ରେୟଃ ନୁହେଁ କି ? ଉତ୍ତରରେ ଗାନ୍ଧିଜୀ କହିଲେ—‘ଏହା ଏକ ପ୍ରତିନିଧିମୂଳକ ମତ । ଅନେକେ ଏହି କଥା ପଚାରିଥାନ୍ତି । ସେମାନଙ୍କୁ ମୋର ଏତିକି କହିବାର କଥା ଯେ ଆମ ଦେଶ ଲୋକ ଓ ଇଂରେଜମାନଙ୍କ ସ୍ଵେଚ୍ଛାକୃତ ମୂର୍ଖତା ଓ ଭ୍ରମ ଧାରଣାକୁ ଜୟକଲେ ଆମେ ସ୍ଵରାଜ୍ୟ ସଂଗ୍ରାମରେ ବିଜୟ ହାସଲ କରିବା । ଇଂରାଜୀ ଶିକ୍ଷା ପ୍ରଣାଳୀ ଏକ ଦୂରପନେୟ ଦୋଷ । ସେହି ପ୍ରଣାଳୀର ବିଲୋପ ସାଧନ ପାଇଁ ମୁଁ ମୋର ସମସ୍ତ ଶକ୍ତି ଖଟାଉଛି । ଏହି ଇଂରାଜୀ ଶିକ୍ଷା ପ୍ରଣାଳୀରୁ ଆମେ ଯେ କିଛି ଭଲ ଜିନିଷ ପାଇନାହୁଁ, ଏହା ମୁଁ କହୁନାହିଁ । ଯଦି ଆମେ କିଛି ଭଲ ପାଇ ଥାଉ, ତେବେ ଏହା ପ୍ରଣାଳୀ ଦ୍ଵାରା ନୁହେଁ, ମାତ୍ର ଏହି ପ୍ରଣାଳୀର ବିନା ସାହାଯ୍ୟରେ ଆମର ଯାହା କିଛି ଉପକାର ହୋଇଛି । ଇଂରାଜୀମାନେ ଯଦି ଏ ଦେଶରେ ନ ଥାନ୍ତେ, ପୃଥିବୀର ଅନ୍ୟାନ୍ୟ ଦେଶ ସଙ୍ଗେ ମଧ୍ୟ ଭାରତ ସମକକ୍ଷ ହୋଇଥାନ୍ତା । ଯଦି ମୋଗଲ ରାଜତ୍ଵ ଏଠି ଚଳୁଥାନ୍ତା, ତେବେ ଅନେକ ଲୋକ ଇଂରାଜୀକୁ ଏକ ଭାଷା ଓ ସାହିତ୍ୟ ହିସାବରେ ଶିକ୍ଷା କରିଥାନ୍ତେ । ଇଂରାଜୀ ସାହିତ୍ୟକୁ ଏକ ବିଚାରପୂର୍ଣ୍ଣ ସମାଲୋଚନା କରିବାର ସୁବିଧା ଆମକୁ ନଦେଇ ଏହି ଶିକ୍ଷା ପ୍ରଣାଳୀ ଆମକୁ ଦାସ କରିଦେଉଛି । ମୋର ବନ୍ଧୁ (ପ୍ରଶ୍ନକାରୀ) ତିଳକ, ରାମ ମୋହନ ଓ ମୋ ନିଜର ଉଦାହରଣ ଦେଇଛନ୍ତି । ମୋ କଥା ବିଚାର୍ଯ୍ୟ ନୁହେଁ, ଶିକ୍ଷା ଦୁଷ୍ଟିରୁ ମୁଁ ତ ଏକ ବାମନ ଭଳି ।’’

 

‘‘ଇଂରାଜୀ ଶିକ୍ଷାର ସଂକ୍ରମଣ ହୋଇନଥିଲେ ତିଳକ ଓ ରାମ-ମୋହନ ଆହୁରି ବଡ଼ ଲୋକ ହୋଇ ପାରିଥାନ୍ତେ । ଇଂରାଜୀ ଶିକ୍ଷାକୁ ଅନ୍ଧ ଭାବରେ ପୂଜା କରିବାକୁ ମୁଁ ଚାହେଁ ନାହିଁ । ଇଂରାଜୀ ଶିକ୍ଷାକୁ ମୁଁ ଘୃଣା କରେନା । ଇଂରେଜ ସରକାରଙ୍କୁ ଧ୍ଵଂସ କରିବାକୁ କହିଲାବେଳେ ମୁଁ ଇଂରାଜୀ ଭାଷାର ଧ୍ଵଂସ ଚାହେଁ ନାହିଁ । ମୋର ଇଚ୍ଛା, ଜଣେ ଭାରତୀୟ ଜାତୀୟବାଦୀ ହିସାବରେ ଇଂରାଜୀ ଶିକ୍ଷା କରୁ । କବିର, ଚୈତନ୍ୟ, ଶଙ୍କର ଓ ନାନକଙ୍କ ତୁଳନାରେ ରାମମୋହନ ଓ ତିଳକ ଲୋକମାନଙ୍କ ଉପରେ ପ୍ରଭାବ ପକାଇବା ଦିଗରେ ବାମନ ପରି (ମୋ କଥା ଛାଡ଼ିଦିଅ) । ଏହି ମହାମନିଷୀମାନଙ୍କ ତୁଳନାରେ ଏମାନେ ନଗଣ୍ୟ ଥିଲେ । ଜଣେ ଶଙ୍କରାଚାର୍ଯ୍ୟ ଯାହା କରିପାରିଥିଲେ ସମସ୍ତ ଇଂରାଜୀ ଜାଣିଥିବା ଲୋକ ଏକତ୍ର ତାହା କରିପାରିବେ ନାହିଁ । ମୁଁ ଏହାର ଏକାଧିକ ଉଦାହରଣ ଦେବି । ଇଂରାଜୀ ଶିକ୍ଷା କଣ ଗୁରୁ ଗୋବିନ୍ଦ ସିଂହଙ୍କୁ ଏଡ଼େ ବଡ଼ କରିଥିଲା-?

 

ତ୍ୟାଗ ଓ ସାହିତ୍ୟରେ ଅଦ୍ଵିତୀୟ ଶିଖଧର୍ମ ପ୍ରଚାରକ ନାନକଙ୍କର ଜଣେ ପ୍ରତିଦ୍ଵନ୍ଦୀ ଏହି ଇଂରାଜୀ ପଢ଼ୁଆ ଲୋକଙ୍କ ଭିତରୁ ବାହାରି ପାରିବେ କି ? ରାଜା ରାମମୋହନ ଦିଲିପ ସିଂହଙ୍କ ପରି ଜଣେ ସହିଦ ଗଢ଼ିପାରିଛନ୍ତି କି ?

 

‘‘ରାମମୋହନ ଓ ତିଳକଙ୍କୁ ମୁଁ ଖୁବ୍‍ ଭକ୍ତିକରେ । ମୋର ବିଶ୍ଵାସ, ରାମମୋହନ ଓ ତିଳକ ଯଦି ଏହି ଶିକ୍ଷା (ଇଂରାଜୀ) ନ ପାଇ ନିଜର ସ୍ଵାଭାବିକ ଉପାୟରେ ଶିକ୍ଷା ପାଇଥାନ୍ତେ; ତେବେ ଏମାନେ ଚୈତନ୍ୟଙ୍କ ପରି ମହତ୍‍ କାର୍ଯ୍ୟମାନ କରି ପାରିଥାନ୍ତେ । ଯଦି ଏହି ଜାତିର ପୁନରୁତ୍‍ଥାନ କରିବାକୁ ହେବ, ତାହାହେଲେ ଇଂରାଜୀ ଶିକ୍ଷା ସାହାଯ୍ୟରେ ଏହା ହେବ ନାହିଁ । ହିନ୍ଦୁସ୍ଥାନୀ ଓ ସଂସ୍କୃତ ନ ଜାଣି ମୁଁ ଯେ କି ମୂଲ୍ୟବାନ ବସ୍ତୁ ହରାଇଛି, ତାହା ମୁଁ ଜାଣେ । ଶିକ୍ଷାର କୁହୁକିନୀ ଶକ୍ତିକୁ ଉପଯୁକ୍ତ ମୂଲ୍ୟ ଦେଇ ବିଚାର କରି ଦେଖ । ଇଂରାଜୀ ଶିକ୍ଷା ଆମକୁ ଶକ୍ତିହୀନ କରି ଦେଇଛି, ବୁଦ୍ଧିକୁ ଶିଥିଳ କରି ପକାଇଛି ଏବଂ ଦେଶର ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ଆମେ ନପୁଂସକ ହୋଇ ଯାଇଛୁ ।’’

 

‘‘ଆମେ ସ୍ଵାଧିନତାର ସୂର୍ଯ୍ୟାଲୋକରେ ପରିପ୍ଳୁତ ହେବାକୁ ଚାହୁଁ, ମାତ୍ର ଏହି ଦାସ-ଶିକ୍ଷାପ୍ରଣାଳୀ ଆମ ଜାତିକୁ ବୀର୍ଯ୍ୟହୀନ କରି ଦେଇଛି । ବର୍ତ୍ତମାନର ଶିକ୍ଷା ପ୍ରଣାଳୀ ଏକ ଶୟତାନ ପ୍ରଥା । ଏହି ପ୍ରଥାର ଉଚ୍ଛେଦ ପାଇଁ ମୁଁ ମୋର ଜୀବନ ଉତ୍ସର୍ଗ କରିଦେଇଛି ।’’

 

ମହାତ୍ମା ଗାନ୍ଧୀଙ୍କର ଏହି ଅମୂଲ୍ୟ ବାଣୀ ଆଜି ଦେଶର ଶିକ୍ଷା ନାୟକମାନଙ୍କର ଆଖି ଖୋଲି ଦେଇଛି । ଓଡ଼ିଆକୁ ସରକାରୀ ଭାଷା କରିବା ସମ୍ବନ୍ଧରେ ଏକ ଆଇନ ଓଡ଼ିଶା ବିଧାନସଭାରେ ଗୃହିତ ହୋଇଛି । ଏଣିକି ଓଡ଼ିଶାରେ ସରକାରୀ କାଗଜପତ୍ରରେ ଇଂରାଜୀ ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରଚଳନ ହେବ । ତଥାପି କେତେକ ଏ ବ୍ୟବସ୍ଥାର ପ୍ରକାଶ୍ୟ ବିରୋଧ ନ କଲେ ବି ଆନ୍ତରିକ ସମର୍ଥନ ଜଣାଉ ନ ଥିବାର ଦେଖାଯାଉଛି । ଦୀର୍ଘ ଦେଢ଼ଶହ ବର୍ଷ କାଳ ଇଂରେଜଙ୍କ ବହୁ ଚାପ ତଳେ ରହି ଇଂରେଜୀ ମନୋଭାବାପନ୍ନ, ଇଂରାଜୀ ଭାଷାରେ ମୋହଗ୍ରସ୍ତ କେତେଜଣ ଓଡ଼ିଶାବାସୀ ଇଂରାଜୀ ଭାଷା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି, ଦେଶ ସ୍ଵାଧୀନ ହେବା ପରେ ମଧ୍ୟ । କିନ୍ତୁ ଦେଶ ସ୍ଵାଧୀନ ହେବା ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଇଂରାଜୀ ଭାଷା ସମ୍ବନ୍ଧରେ କି ମତ ଦେଇଥିଲେ, ତାହା ଅନୁଧ୍ୟାନର ବିଷୟ ।

 

ଗାନ୍ଧିଜୀ କହିଛନ୍ତି—‘‘ଇଂରାଜୀ ଭାଷା ପାଇଁ ଆମ୍ଭମାନଙ୍କର ପ୍ରବଳ ମୋହ ଥିବାରୁ ପ୍ରାଦେଶିକ ଭାଷାମାନଙ୍କ ପ୍ରତି ଆମମାନଙ୍କର ଯାହା କର୍ତ୍ତବ୍ୟ, ତାହା କରିବାରେ ଆମେ ତ୍ରୁଟି କରୁଥାଇଁ ।

 

‘‘ବିଦେଶୀ ଭାଷାର ମାଧ୍ୟମରେ ଯଦି ଶିକ୍ଷାଦାନ ଚାଲେ, ତାହାହେଲେ ଜାତି ତାର ସ୍ଵକୀୟ ସତ୍ତା ହରାଇ ବସିବ । ଶିକ୍ଷିତ ଭାରତୀୟମାନେ ଯେତେ ଶୀଘ୍ର ଇଂରାଜୀ ଭାଷାର ଐନ୍ଦ୍ରଜାଲିକ ବ୍ୟାମୋହ ଛାଡ଼ନ୍ତି, ଜାତି ପକ୍ଷରେ ଓ ସେମାନଙ୍କ ନିଜ ପକ୍ଷରେ ତାହା ସେତେ ମଙ୍ଗଳ-।’’

 

ଗାନ୍ଧିଜୀ ଆହୁରି କହିଛନ୍ତି—‘‘ଗୋଟିଏ ସାଧାରଣ ଭାଷା ସୃଷ୍ଟି ନ ହେଲେ କୌଣସି ଜାତିର ଜନ୍ମ ଅସମ୍ଭବ ।’’

 

ଯେଉଁ ଗାନ୍ଧିଜୀ ଦିନେ ଆମର ପ୍ରଚଳିତ ଇଂରାଜୀ ଶିକ୍ଷା ଓ ଭାଷା ବିରୁଦ୍ଧରେ ଏଭଳି ବଜ୍ରଗମ୍ଭୀର ସ୍ଵର ଉଠାଇଥିଲେ, ସୁଖର କଥା, ଆଜି ସେହି ଗାନ୍ଧିଜୀଙ୍କର ଦାୟାଦମାନେ ଦେଶର ନାୟକ ଆସନରେ ଆସୀନ । ସୁତରାଂ ସ୍ଵାଧୀନ ଦେଶ ଓ ଜାତିର ଉନ୍ନତି ଓ ବିକାଶ ପାଇଁ ଏହି ରାଷ୍ଟ୍ରନାୟକମାନେ ଯେତେଶ୍ରୀଘ୍ର ବାପୁଜୀଙ୍କ ବାଣୀ ଉପଲବ୍ଧି କରି କର୍ମତତ୍ପର ହେବେ; ସେତେ ମଙ୍ଗଳ ।

Image

 

ମନ୍ଦିର ସ୍ଥାପତ୍ୟରେ ଓଡ଼ିଶାର ସ୍ଥାନ

 

ଓଡ଼ିଶାର ବାଟେଘାଟେ, ନଈର କୂଳେ କୂଳେ, ବିସ୍ତୀର୍ଣ୍ଣ ପ୍ରାନ୍ତର ମଝିରେ, ସୁବିସ୍ତୃତ ପୁଷ୍କରିଣୀ ମଧ୍ୟରେ—ଯୁଆଡ଼େ ଚାହୁଁ, ସେଠି ଆମ ଆଖିରେ ପଡ଼େ ଗୋଟିଏ ମନ୍ଦିର । ଛୋଟ ବଡ଼, ନୂଆ ପୁରୁଣା, ଭଙ୍ଗା ଦଢ଼—ଏମିତି ଅସଂଖ୍ୟ ମନ୍ଦିର ବିଛେଇ ହୋଇ ପଡ଼ିଛି ଆମର ଏଇ ଓଡ଼ିଶାରେ । ଅନ୍ୟ କେଉଁଠି ଯେ ମନ୍ଦିର ନାହିଁ, ତା ନୁହେଁ । ହିମାଳୟ ଠାରୁ କୁମାରିକା ପର୍ଯ୍ୟନ୍ତ ଭାରତର ସର୍ବତ୍ର ମନ୍ଦିର ରହିଛି । କିନ୍ତୁ ତାହା ଇତସ୍ତତଃ ବିକ୍ଷିପ୍ତ । ଓଡ଼ିଶା ଭଳି ଅନ୍ୟ କେଉଁଠି ତାହା ଏତେ ବ୍ୟାପକ ଓ ଘନ ସନ୍ନିବିଷ୍ଟ ଭାବେ ଅବସ୍ତିତ ନୁହେଁ । ଓଡ଼ିଶାର ଐତିହ୍ୟ, ସଂସ୍କୃତି ତଥା ଓଡ଼ିଆର ପ୍ରକୃତ ପରିଚୟ ମିଳିବାର ଗୋଟିଏ ଚମତ୍କାର ମାଧ୍ୟମ ହେଉଛି ତା’ର ଶିଳ୍ପକଳା । ଆଉ ଓଡ଼ିଶାର ଏହି ଶିଳ୍ପକଳାର ପଟ୍ଟଭୂମି ହେଉଛି ତା’ର ମନ୍ଦିର । ଏହି ମନ୍ଦିରଗୁଡ଼ିକର ଗଢ଼ଣ, କାରୁକାର୍ଯ୍ୟ, ମୋଟ ଉପରେ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଭାରତର ମନ୍ଦିର ସ୍ଥାପତ୍ୟର ଉଜ୍ଜ୍ଵଳମୟ ଇତିହାସରେ ଶ୍ରେଷ୍ଠସ୍ଥାନ ଅଧିକାର କରିଛି, କହିବା ବାହୁଲ୍ୟ ନୁହେଁ । ମନ୍ଦିର ନିର୍ମାଣରେ ଯେଉଁ ରୀତିନୀତି ଦିନେ ଭାରତରେ ବିକାଶ ଲାଭ କରିଥିଲା; ସେଥିରେ ଓଡ଼ିଶାର ସ୍ଥାନ ଅତୁଳନୀୟ ।

 

ଭାରତୀୟ ମନ୍ଦିର-ସ୍ଥାପତ୍ୟରୀତି ସାଧାରଣତଃ ତିନି ଭାଗରେ ବିଭକ୍ତ ଯଥା—ନାଗର, ବେଶର ଓ ଦ୍ରାବିଡ଼ । ଉତ୍ତର ଭାରତରେ ନାଗର ରୀତି, ଦ୍ରାବିଡ଼ ଦେଶ ଅର୍ଥାତ ଦକ୍ଷିଣ ଭାରତରେ ଦ୍ରାବିଡ଼ ରୀତି ଏବଂ ଦାକ୍ଷିଣାତ୍ୟରେ ବେଶର ରୀତିର ପ୍ରଚଳନ ଥିଲା । ନାଗର ଅର୍ଥାତ ଉତ୍ତର ଭାରତୀୟ ମନ୍ଦିର ବୈଶିଷ୍ଟ୍ୟ ହେଲା-କ୍ରୂଶାକାର ଭୂମି ପରିକଳ୍ପନା ଏବଂ ବକ୍ରରେଖା ବିଶିଷ୍ଟ ଚୂଡ଼ା, ଦ୍ରାବିଡ଼ ରୀତିବିଶିଷ୍ଟ ମନ୍ଦିରର ପ୍ରଧାନ ଲକ୍ଷଣୀୟ ବିଷୟ ହେଉଛି-ପିରାମିଡ଼—ଆକାର ଉଚ୍ଚତା, ଯାହା ଉପରକୁ କ୍ରମେ କ୍ରମେ କ୍ଷୁଦ୍ରାକାର ହୋଇଯାଇଛି । ବେଶର ରୀତିର ସେତେଟା ଗୁରୁତ୍ଵ ନାହିଁ-। କାରଣ ତାହା କେତେକାଂଶରେ ନାଗର ରୀତି ଓ କେତେକାଂଶରେ ଦ୍ରାବିଡ଼ ରୀତିର ଅନୁକରଣ କରେ । ନାଗର ଓ ଦ୍ରାବିଡ଼ ଏ ଉଭୟରୀତିର ମିଶ୍ରଣରୁ ବେଶର ରୀତି ସୃଷ୍ଟ । ଓଡ଼ିଶାରେ ଆମେ ଯେଉଁ ମନ୍ଦିର-ରୀତି ଲକ୍ଷ୍ୟକରୁ, ତାହା ହେଉଛି ଉତ୍ତର ଭାରତରେ ପ୍ରଚଳିତ ନାଗର ରୀତିର ଏକପ୍ରକାର ଆଞ୍ଚଳିକ ପରିମାର୍ଜନ । ଉତ୍ତର ଭାରତରେ କେତେକ ସ୍ଥାନରେ ଏହି ନାଗର ରୀତିର ଏଭଳି ବିବର୍ତ୍ତନ ଘଟିଛି, ଯାହା ଫଳରେ ‘ଦିଅଁ ଗଢ଼ିବାକୁ ଯାଇ ମାଙ୍କଡ଼ ଗଢ଼ିବା’ ହିଁ ସାର ହୋଇଛି ବୋଲି କହିଲେ ଦୋଷାବହ ହେବନାହିଁ । କାରଣ ମୂଳ ରୀତିରୁ ଏହା ଯେଭଳି ଭାବେ ବିଚ୍ୟୁତ, ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ସେହିଭଳି ଭାବରେ ଖଣ୍ଡିତ । କିନ୍ତୁ ଓଡ଼ିଶାର ମନ୍ଦିର ସ୍ଥାପତ୍ୟରେ ନାଗର ରୀତିର ପରିବର୍ତ୍ତନ ହୋଇଥିଲେ ମଧ୍ୟ ରୀତିର ମୂଳ ତାତ୍ପର୍ଯ୍ୟ ସଂପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ସୁନ୍ଦର ଗଢ଼ଣ ଓ ମନୋରମ କାରୁକାର୍ଯ୍ୟ ଯୋଗୁ ତାହାକୁ ଏକ ନୂତନ ସୃଷ୍ଟି କୁହାଯାଇପାରେ ।

 

ଓଡ଼ିଶାର ମନ୍ଦିର ସ୍ଥାପତ୍ୟରେ ସାଧାରଣଭାବେ ଦୁଇଟି ଅଂଶ ଲକ୍ଷିତ ହୁଏ । ବକ୍ରରେଖା ବିଶିଷ୍ଟ ମୂଳ ମନ୍ଦିର, ଯାହାକୁ ବଡ଼ ବା ରେଖ ଦେଉଳ ବୋଲାଯାଏ ଏବଂ ଏହାର ସାମନାରେ ଥାଏ ଜଗମୋହନ ବା ମୁଖଶାଳା, ଯାହାକୁ ପିଢ଼ ଦେଉଳ ମଧ୍ୟ କହନ୍ତି । ଏହି ରେଖ ବା ପିଢ଼ ଦେଉଳ ମଧ୍ୟ ନାନା ଭାବରେ ବିଭକ୍ତ ଏବଂ ପ୍ରତ୍ୟେକ ଭାଗର ଅଲଗା ନାମ ରହିଛି । ସ୍ଥାପତ୍ୟ ସମ୍ବନ୍ଧରେ ଓଡ଼ିଶାର ନିଜସ୍ଵ ଶାସ୍ତ୍ର ରହିଛି ଏବଂ ଓଡ଼ିଶାରେ ସ୍ଥାପତ୍ୟ ରୀତିର ନାମକରଣରେ ମଧ୍ୟ ସ୍ଵାତନ୍ତ୍ର୍ୟ ରହିଛି, ଭାରତର ଅନ୍ୟାନ୍ୟ ସ୍ଥାନଠାରୁ ।

 

ଓଡ଼ିଶାରେ ଯେତେ ଯେଉଁଠି ମନ୍ଦିର ଅଛି, ସେ ସମସ୍ତର ସୁମାରି ସମ୍ଭବ ନୁହେଁ । ସବୁଗୁଡ଼ିକର ନାମୋଲ୍ଲେଖ କରିବା କିମ୍ବା ସମସ୍ତଙ୍କର ପରିଚୟ ଦେବା ମଧ୍ୟ ଏଡ଼େ ସହଜ ନୁହେଁ । ସ୍ଥାପତ୍ୟ ଦୃଷ୍ଟିରୁ ଯଦି ବିଚାର କରାଯାଏ, ତାହାହେଲେ ଆଲୋଚନାର ସୁବିଧା ପାଇଁ ଓଡ଼ିଶାର ସମଗ୍ର ମନ୍ଦିର ଶ୍ରେଣୀର ପ୍ରତିନିଧିତ୍ଵ କରୁଥିବା ମନ୍ଦିରକୁ ମୋଟାମୋଟି ତିନି ଭାଗରେ ବିଭକ୍ତ କରାଯାଇପାରେ । ତାହା ହେଉଛି—ଭୁବନେଶ୍ଵର ମନ୍ଦିର, ପୁରୀ ମନ୍ଦିର ଓ କୋଣାର୍କ ମନ୍ଦିର । ପ୍ରାଚୀନତ୍ଵ ଓ ଗଠନ ବୈଶିଷ୍ଟ୍ୟ ଦୃଷ୍ଟିରୁ ଭୁବନେଶ୍ଵର ମନ୍ଦିର କଥା ପ୍ରଥମେ ହିଁ ବିଚାର୍ଯ୍ୟ । ଭୁବନେଶ୍ଵରରେ ଛୋଟ ବଡ଼ ହୋଇ ଅନେକ ମନ୍ଦିର ମୁଣ୍ଡ ଟେକିଛନ୍ତି । ଯାହା ଜଣାଯାଇଛି, ସେଥିମଧ୍ୟରୁ ପରଶୁରାମେଶ୍ଵର ମନ୍ଦିର ସବୁଠାରୁ ପ୍ରାଚୀନ । ଏହା ତ୍ରିରଥ ଦେଉଳ । ଏହାର ଶିଖର ଚୂଡ଼ା ସାଧାରଣ ଓ ଖର୍ବାକାର, ତଥାପି ନାଗର ରୀତିଠାରୁ ପୃଥକ ନୁହେଁ; କିନ୍ତୁ ବୈତାଳି ଦେଉଳର ପରିକଳ୍ପନା ଓଡ଼ିଶାର ରୀତିଠାରୁ ପୃଥକ ମନେହୁଏ । ଏହାର ଗର୍ଭଗୃହ ଆୟତାକାର ଏବଂ ଚୂଡ଼ାଟି ଅଦ୍ଭୁତ ଧରଣର । ଏହି ଦୃଷ୍ଟିରୁ ଏହା ଦ୍ରାବିଡ଼ ରୀତି ଗୋଷ୍ଠୀର ବୋଲି ଅନୁମେୟ । ମୁକ୍ତେଶ୍ଵର ମନ୍ଦିରରେ ଓଡ଼ିଶାର ନିଜସ୍ଵ ସ୍ଥାପତ୍ୟ ରୀତିର ଏକ ସ୍ଵତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ପରିଚୟ ମିଳେ । ବିଶିଷ୍ଟ ଐତିହାସିକ ଫର୍ଗୁସନ ସାହେବ ଏହି ମନ୍ଦିରଟିକୁ ‘ଓଡ଼ିଶା ମନ୍ଦିର ସ୍ଥାପତ୍ୟର ମଣି’ (Gem of Orissan architecture) ବୋଲି ଆଖ୍ୟାତ କରିଛନ୍ତି । ମନ୍ଦିରରେ ହୋଇଥିବା କାରୁକାର୍ଯ୍ୟ (ଜାଲିକାମ)ର ସୂକ୍ଷ୍ମତା ଦର୍ଶକର ମନରେ ଯୁଗପତ୍ର ବିସ୍ମୟ ଓ ଆନନ୍ଦ ଆଣିଥାଏ । ବିଶେଷତଃ ଏହି ମନ୍ଦିରର ବାହାର ଫାଟକ (ଗେଟ)ର ସୂକ୍ଷ୍ମାତିସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତ୍ୟେକଙ୍କୁ ଅଭିଭୂତ କରିଥାଏ ।

 

ଓଡ଼ିଶୀ ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ ହେଉଛି ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର । ଅନ୍ୟାନ୍ୟ ମନ୍ଦିରର ଗଢ଼ଣ ଠାରୁ ଏହାର ଗଢ଼ଣ ଆହୁରି ଚମତ୍କାର । ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର ସ୍ଥାପତ୍ୟ ଧାରାରେ କେତୋଟି ଉଲ୍ଲେଖଯୋଗ୍ୟ ବିଶେଷତ୍ଵ ରହିଛି । ଲିଙ୍ଗରାଜ ମନ୍ଦିରର ବଡ଼ ଦେଉଳର ଉଚ୍ଚତା ପ୍ରାୟ ୧୮୦ ଫୁଟ ବା ୧୨୦ ହାତ । ଲିଙ୍ଗରାଜ ମନ୍ଦିର ବ୍ୟତୀତ ରାଜରାଣୀ, ଅନନ୍ତ ବାସୁଦେବ, ବ୍ରହ୍ମେଶ୍ଵର, କେଦାରେଶ୍ଵର, ସିଦ୍ଧେଶ୍ଵର ଆଦି ମନ୍ଦିରଗୁଡ଼ିକ ମଧ୍ୟ ଅନୁପମ ସୃଷ୍ଟି ।

 

ଏହାପରେ ପୁରୀର ଜଗନ୍ନାଥ ମନ୍ଦିର ବିଚାର୍ଯ୍ୟ । ଏହି ଜଗନ୍ନାଥ ଓ ଜଗନ୍ନାଥଙ୍କ ମନ୍ଦିର ଯୋଗୁଁ ସାରା ଭାରତରେ ଖ୍ୟାତି ଅର୍ଜନ କରିଛି । ଏହା ମଧ୍ୟ ‘‘ବଡ଼ ଦେଉଳ’’ ରୂପେ କଥିତ । ରାସ୍ତାଉପରୁ ଏହି ମନ୍ଦିରର ଉଚ୍ଚତାପ୍ରାୟ ୧୧୪ ଫୁଟ ୮ ଇଞ୍ଚ ବୋଲି ଜଣାଯାଇଛି । ମାତ୍ର ସ୍କନ୍ଦ-ପୁରାଣ ଅନ୍ତର୍ଗତ ‘ଉତ୍କଳ ଖଣ୍ଡ’ରେ ବର୍ଣ୍ଣିତ ଅଛି ଯେ, ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ସେ ସମୟରେ ନିର୍ମିତ ଉକ୍ତ ମନ୍ଦିରର ଉଚ୍ଚତା ଥିଲା ‘ସହସ୍ର କର ମୁଚ୍ଛ୍ରିତ ।’ ଅର୍ଥାତ ଏହା ଏକ ସହସ୍ର ହସ୍ତ ପରିମିତ ଥିଲା, ଯାହା ହୁଏତ ଫୁଟ ହିସାବରେ ୧୫୦୦ ଫୁଟ ଉଚ୍ଚ ହେବ । କ୍ରମେ ଏହି ମନ୍ଦିର କାଳର କଷାଘାତରେ ଭାଙ୍ଗିରୁଜି ଯିବାପରେ ଆଜି ଏ ଅବସ୍ଥାରେ ପହଞ୍ଚିଛି । କେବଳ ସାଦା ରଙ୍ଗରେ ଚୂନ କାମ ହୋଇଥିବାରୁ ଏହି ମନ୍ଦିରକୁ White Pagoda ବୋଲାଯାଏ । ଆକାର ଓ ଉଚ୍ଚତାରେ ଜଗନ୍ନାଥ ମନ୍ଦିର ବିରାଟ ହେଲେ ମଧ୍ୟ ଲିଙ୍ଗରାଜ ମନ୍ଦିର ପରି ତାହା ଏତେ ମନୋରମ ନୁହେଁ ।

 

କୋଣାର୍କ ମନ୍ଦିର କଥା ବିଚାରକୁ ଆଣିଲେ ଆମେ ଦେଖୁ ଯେ ଏହା କେବଳ ଭାରତର ନୁହେଁ; ସାରା ବିଶ୍ଵର ଏକ ଶ୍ରେଷ୍ଠ ଶିଳ୍ପ ସମ୍ଭାର । କିମ୍ବଦନ୍ତୀ କହେ ଯେ, ବାରଶହ ଶିଳ୍ପୀ ଦୀର୍ଘ ବାରବର୍ଷ ଅକ୍ଲାନ୍ତ ଶ୍ରମ ବୁଦ୍ଧି ଖଟେଇ ଏହି ମନ୍ଦିର ଗଢ଼ିଥିଲେ । ରାଜ୍ୟର ବାରବର୍ଷର ସମସ୍ତ ରାଜସ୍ୱ ବ୍ୟୟିତ ହୋଇଥିଲା ଏହି ମନ୍ଦିରରେ । ଶିଳ୍ପୀ ତା’ର ଅପୂର୍ବ କଳା-କୌଶଳରେ ମନ୍ଦିରର ମୂର୍ତ୍ତିଗୁଡ଼ିକୁ କରିପାରିଛି ମୂର୍ତ୍ତମନ୍ତ ଓ ଜୀବନ୍ତ । ଆଜି ସାତଶହ ବର୍ଷ ପରେ ମଧ୍ୟ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ବି ଏହାର ପ୍ରମାଣ ମିଳେ । କୋଣାର୍କର ମୂଳ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । କୋଣାର୍କ ମନ୍ଦିରଟି ପଥରରେ ନିର୍ମିତ ସାତଟି ଅଶ୍ଵଖଚିତ ଷୋଳଚକ ବିଶିଷ୍ଟ ଗୋଟିଏ ବଡ଼ରଥ ଭଳି ଗଢ଼ାଯାଇଛି । ଓଡ଼ିଆ ଶିଳ୍ପୀର ଏହା ଏକ ଅଦ୍ଭୁତପୂର୍ବ କଳ୍ପନା ! କୋଣାର୍କର ଏହି ସୂର୍ଯ୍ୟ ମନ୍ଦିରକୁ ଦେଖି ଭାରତୀୟ ସ୍ଥାପତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ଶ୍ରୀ ସରସୀ କୁମାର ସରସ୍ଵତୀ ଲେଖିଛନ୍ତି ‘‘ବହୁ ଶତାବ୍ଦୀର ପୁଞ୍ଜିଭୂତ ଅନୁଭୂତି କୋଣାର୍କର ସୂର୍ଯ୍ୟ ମନ୍ଦିରରେ ସ୍ପଷ୍ଟିକୃତ ଏବଂ ସ୍ତରେ ସ୍ତରେ ଓଡ଼ିଶୀ ସ୍ଥାପତ୍ୟ କଳାର ପୂର୍ଣ୍ଣତା ତଥା ବିକାଶ ସ୍ପଷ୍ଟ ସୂଚିତ ।’’

 

କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ବ୍ୟତୀତ ସାକ୍ଷୀଗୋପାଳ, ନୀଳମାଧବ, ବାରିପଦାର ବରୁଣେଶ୍ଵର, ସମ୍ବଲପୁରର ସମଲେଶ୍ଵରୀ, ମୟୁରଭଞ୍ଜର ଖିଚିଙ୍ଗ୍‍ ମନ୍ଦିରଗୁଡ଼ିକର କାରୁକାର୍ଯ୍ୟ ମଧ୍ୟ ସାଧାରଣ ଦର୍ଶକର ପ୍ରାଣରେ ଚମକ ଆଣେ ।

Image

 

ଚନ୍ଦ୍ର-ବିଜୟ

 

ମଣିଷର ଯୁଗ ଯୁଗର ସ୍ଵପ୍ନ ଆଜି ସତ୍ୟ ହୋଇଛି । କବିର କଳ୍ପନା ହୋଇଛି ବାସ୍ତବ । ସଫଳ ହୋଇଛି ଚନ୍ଦ୍ର-ଅଭିଯାନ । ମଣିଷ ଆଜି ଚନ୍ଦ୍ରବିଜୟୀ । ଶାନ୍ତ, ଶୀତଳ, କୋମଳ ଚନ୍ଦ୍ରପୃଷ୍ଠରେ ଏଇ ମଣିଷ ରଖି ଆସିଲା ତା’ର ପଦଛିନ୍ନ—ତା’ର ବିଜୟର ଅଲିଭା ସ୍ଵାକ୍ଷର ।

 

ମସିହା ୧୯୬୯ ଜୁଲାଇ ୨୧ ତାରିଖ । ଭାରତୀୟ ସମୟ ୮ ଘଣ୍ଟା ୨୬ ମିନିଟ । ଚନ୍ଦ୍ର ଅଭିଯାତ୍ରୀ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରଯାନ ‘ଈଗଲ’ର ସିଡ଼ିରୁ ଓହ୍ଲାଇ ଧୀରେ ଧୀରେ ପାଦ ଥୋଇଲେ ଚନ୍ଦ୍ରର ଶୀତଳ ବୁକୁ ଉପରେ । ଚନ୍ଦ୍ରକୁ ମଣିଷର ପ୍ରଥମ ସ୍ପର୍ଶ । ବେଶ୍‍ କୋମଳ ଏ ସ୍ପର୍ଶ । ତା’ପରେ ସେଇ ଚନ୍ଦ୍ରପୃଷ୍ଠରୁ ପୃଥିବୀ ପୃଷ୍ଠକୁ ଭାସି ଆସିଲା ପ୍ରଥମ ଚନ୍ଦ୍ର ବିଜୟୀ ଆର୍ମଷ୍ଟ୍ରଙ୍ଗଙ୍କ କଣ୍ଠସ୍ଵର....ଜଣେ ମଣିଷ ପକ୍ଷରେ ଏହା ହୁଏତ ଏକ କ୍ଷୁଦ୍ର ପଦକ୍ଷେପ ହୋଇପାରେ; କିନ୍ତୁ ସମଗ୍ର ମାନବ ଜାତି ପକ୍ଷରେ ଏହା ଏକ ବିରାଟ ଉଲମ୍ପନ ତୁଲ୍ୟ ।’’ ଚନ୍ଦ୍ରର ବୁକୁ ଉପରେ ମଣିଷର ପ୍ରଥମ ସ୍ପର୍ଶ ପରେ ଏଇ ହେଲା ମଣିଷର ପ୍ରଥମ ବାଣୀ । ଏ ବାଣୀକୁ ଶୁଣୁଥିଲେ, ଚନ୍ଦ୍ରଠାରୁ ଦୁଇଲକ୍ଷ ଚାଳିଶ ହଜାର ମାଇଲ ଦୂରରେ ଏଇ ପୃଥିବୀ ପୃଷ୍ଠରେ ଉତ୍କୀର୍ଣ୍ଣ ହୋଇ ରହିଥିବା ଅଗଣିତ ନରନାରୀ—ଆବାଳବୃଦ୍ଧ ବନିତା ।

 

ଚନ୍ଦ୍ରରେ ପାଣି ନାହିଁ, ପବନ ନାହିଁ, ଅଛି ମାଟି ଓ ପଥର । ଆଉ ଅଛି ଅସଂଖ୍ୟ ଗହ୍ଵର, ବଡ଼ ଓ ଛୋଟ । ଚନ୍ଦ୍ରର ମାଟି ବେଶ ନରମ । ଚନ୍ଦ୍ର ବିଜୟୀ ଆର୍ମଷ୍ଟ୍ରଙ୍ଗ ଓ ତାଙ୍କର ସହଯାତ୍ରୀ ଆଲଡ଼୍ରିନ ଚନ୍ଦ୍ର ପୃଷ୍ଠରେ ପାଦ ପକାଇଲା ବେଳେ ସେମାନଙ୍କର ପାଦ ଦବିଯାଇ ନାହିଁ । ସେମାନଙ୍କ ପାଦତଳେ ମାଟି ଯେପରି ଖୁବ୍‍ ସୂକ୍ଷ୍ମ, ଆଉ ସବୁ ବାଲିରେ ଆବୃତ । ପାଉଡର ଉପରେ ପାଦ ଥୋଇଲା ପରି ଜଣାପଡ଼ୁଥିଲା ଚନ୍ଦ୍ର ବିଜୟୀଙ୍କୁ । ସେଇ ମାଟି ଆଉ ପଥରରୁ କିଛି ନମୁନା ସଙ୍ଗରେ ଧରି ଫେରିଲେ ସେମାନେ । ଚନ୍ଦ୍ରର ବୁକୁ ଉପରେ ବିଜୟ ପତାକା ପୋତି, ସନ୍ତକ ଓ ସ୍ଵାକ୍ଷର ରଖି ଭୂପୃଷ୍ଠକୁ ନିର୍ବିଘ୍ନରେ ଫେରି ଆସିଲେ ଚନ୍ଦ୍ର ବିଜୟୀ ଆର୍ମାଷ୍ଟ୍ରଙ୍ଗ, ଅଲଡ଼୍ରିନ ଓ କଲିନସ । ଏ ତିନିଜଣ ଆମେରିକାର ନଭୋଚାରୀ—ସଫଳ ଚନ୍ଦ୍ର ଅଭିଯାତ୍ରୀ

 

ଆମେରିକାର ଏପୋଲୋ-୧୧ ମହାକାଶଯାନରେ ଏହି ତିନିଜଣ ଯାଇଥିଲେ ଚନ୍ଦ୍ର ଅଭିଯାନରେ । ୧୯୬୯ ଜୁଲାଇ ୧୭ ତାରିଖ । ଏପୋଲୋ-୧୧ ପୃଥିବୀ ପୃଷ୍ଠକୁ ନିକ୍ଷିପ୍ତ ହୋଇଥିଲା । ଆମେରିକାର ହିଉସଷ୍ଟନ ମହାକାଶ କେନ୍ଦ୍ରରେ ଖୋଲାଯାଇଥିଲା ‘କଣ୍ଟ୍ରୋଲରୁମ’ ବା ‘ନିୟନ୍ତ୍ରଣ କୋଠରି’ ସେଇଠାରୁ ଏପୋଲୋ ୧୧ ଗତିବିଧି ନିର୍ଦ୍ଦେଶିତ ହେଉଥିଲା, ଚନ୍ଦ୍ର ଅଭିଯାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା ଏବଂ ଚନ୍ଦ୍ର ପୃଷ୍ଠରେ ମଧ୍ୟ ଆର୍ମାଷ୍ଟ୍ରଙ୍ଗ ଓ ଆଲଡ଼୍ରିନଙ୍କ ସହ ବାର୍ତ୍ତାଳାପ ହୋଇଥିଲା ।

 

ମାନବ ଇତିହାସରେ ଏକ ଅଦ୍ଭୂତପୂର୍ବ ଘଟଣା । ବିଜ୍ଞାନର ଏହା ଏକ ବିଶେଷ ସାଫଲ୍ୟ । ଚନ୍ଦ୍ରରେ ମନୁଷ୍ୟର ପ୍ରଥମ ସ୍ପର୍ଶରେ ମୁହୂର୍ତ୍ତକୁ ‘ମାନବ ଇତିହାସର ସର୍ବଶ୍ରେଷ୍ଠ ନାଟକ’ ବୋଲି କେହି କେହି ଅଭିହିତ କରିଛନ୍ତି । ଚନ୍ଦ୍ର ପୃଷ୍ଠରେ ଯାନ ସହ ମଣିଷର ଅବତରଣ ଏ ଯୁଗର ଏକ ନବବିପ୍ଳବ ନିଶ୍ଚୟ । ଚନ୍ଦ୍ରର ବୁକୁ ଉପରେ ପାଦ ଥୋଇବାର ଅବ୍ୟବହିତ ପୂର୍ବରୁ ଚନ୍ଦ୍ରଯାନରେ ଥାଇ ଚନ୍ଦ୍ରବିଜୟୀ ଆଲଡ଼୍ରିନ ଚନ୍ଦ୍ରପୃଷ୍ଠର ବର୍ଣ୍ଣନା କରି କହିଥିଲେ—‘‘ଆମ ଯାନର ଚାରିପଟେ ପଡ଼ିରହିଛି ବଡ଼ ବଡ଼ ପଥର ଖଣ୍ଡ । ଗୋଟାଏ ଗୋଟାଏ ପ୍ରାୟ ଦଶ ଫୁଟ ଉଚ୍ଚର ହେବ । କିଛି ଦୂରରେ ଦେଖାଯାଉଛି ଗୋଟାଏ ପାହାଡ଼, ବାରି ହୋଇ ଯାଉଛି ପାହାଡ଼ର ଚୂଡ଼ା । କୌଣସି ନିର୍ଦ୍ଧିଷ୍ଟ ବର୍ଣ୍ଣ ବା ରଙ୍ଗ ନାହିଁ । କିନ୍ତୁ ବର୍ଣ୍ଣାଢ଼୍ୟ ଦିଶୁଛି ଏଇ ପାହାଡ଼ । ଆଉ ଏଇ ଚନ୍ଦ୍ରରୁ ପୃଥିବୀ ଦେଖାଯାଉଛି ଭାରି ସୁନ୍ଦର । ପୃଥିବୀରେ ଠିଆହୋଇ ଚନ୍ଦ୍ରକୁ ଚାହିଁଲେ ଯେମିତି ସୁନ୍ଦର ଦେଖାଯାଏ, ତା’ଠାରୁ ଆହୁରି ସୁନ୍ଦର, ଆହୁରି ବିଶାଳ, ଆହୁରି ଉଜ୍ଜଳ ଦେଖାଯାଉଛି ପୃଥିବୀ ଏଇ ଚନ୍ଦ୍ରର ବୁକୁ ଉପରୁ ।’’

 

ଆମେ କିନ୍ତୁ ଏତେଦିନ ଯାଏ ଚନ୍ଦ୍ରକୁ ଦେଖୁଥିଲୁ ପୃଥିବୀ ଉପରେ ଠିଆ ହୋଇ । ଆମେ ଭାବୁଥିଲୁ ଏଇ ଚନ୍ଦ୍ର ଆକାଶର ଏଭଳି ଏକ ଆକର୍ଷଣୀୟ ରମଣୀୟ ଓ କମନୀୟ ବସ୍ତୁ, ଯାହାକି ମଣିଷର ଚିର ଅଭିଳଷିତ ଓ ଇପ୍ସିତ । ଏଇ ଚନ୍ଦ୍ରକୁ ନେଇ କବି ଲେଖିଛି କେତେ କବିତା, ପ୍ରଣୟ ପ୍ରଣୟୀ ହୋଇଛନ୍ତି ବିହ୍ଵଳ, ଆଉ ଶିଶୁ ହୋଇଛି ଆତ୍ମହରା । ଶିଶୁ ମନରେ ଆଣେ କେତେ ଆଶ୍ଵାସନା ଓ ଆନନ୍ଦ, ସେଇ ଯେଉଁ ଗୀତଟି—‘‘ଆ ଜହ୍ନମାମୁଁ ସରଗ ଶଶି, ମୋ କୁନା ହାତରେ ପଡ଼ରେ ଖସି ।’’ କୁନା ଚାହିଁ ରହିଛି—ସତେ ଯେପରି ତାର ଅତି ଆପଣାର ଆଦରର ଜହ୍ନମାମୁଁ ତା ହାତକୁ ଖସି ଆସିବ, ଆଉ ସେ ତାକୁ ପାଇ ଭାରି ଖୁସି ହେବ । କିନ୍ତୁ ସେ ଜହ୍ନ କେବେହଲେ ଧରା ଦେଇନାହିଁ । ଶିଶୁ ନିରାଶ ହୋଇଛି ଏମିତି ଯୁଗ ଯୁଗ ଧରି ।

 

କିନ୍ତୁ ସେଦିନ ସେତେବେଳେ ସମବେତ ଶିଶୁ କଣ୍ଠରୁ ଭାସିଆସିଲା ସଙ୍ଗୀତର ମୂର୍ଚ୍ଛନା–

 

‘‘ଚାନ୍ଦ ଦେଶେ, କିଏସେ ଯିବ

ଆସରେ ଆସ...ଆସ ।

ରକେଟ ଚଢ଼ି

ଯିବାରେ ଉଡ଼ି

ଦେଖିବା ନୂଆ ଦେଶ ।’’

 

ମନେହେଲା—ସତେ କଣ ଚାନ୍ଦ ରାଇଜକୁ ଯିବା ସମ୍ଭବ ହେବ ? କଟକ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ଉତ୍ସବରେ ୨୦ ବର୍ଷ ତଳେ ଏ ସମବେତ ସଙ୍ଗୀତର କଳ୍ପନା । କିନ୍ତୁ ଏ କଳ୍ପନା ଆଜି ସତ୍ୟ ହୋଇଛି । ଦିନେ ଯାହା ଥିଲା ସଂପୂର୍ଣ୍ଣ ଅସମ୍ଭବ, ଆଜି ତାହା ସମ୍ଭବ ହୋଇଛି ।

 

ପୃଥିବୀର ମଣିଷ ଆଉ ଚନ୍ଦ୍ର ଭିତରେ ଦୂରତା ଆଉ ଆଜି ନାହିଁ । ମାତ୍ର ଆଜି ସତରେ ମଣିଷର ଅତି ନିକଟରେ, ହାତ ପାହାନ୍ତିରେ । ଚନ୍ଦ୍ର କିଛି କଳ୍ପଲୋକ ବା କଳ୍ପନାର ବସ୍ତୁ ନୁହେଁ, ତାହା ପୃଥିବୀ ଭଳି ବାସ୍ତବ । ପୃଥିବୀର ମାଟି ପଥର ଭଳି ଚନ୍ଦ୍ରର ମାଟି ଓ ପଥର । ଚନ୍ଦ୍ରରୁ ଅଣାଯାଇଥିବା ମାଟି ଓ ପଥର ନମୁନା ଏବେ ପରୀକ୍ଷା ଚାଲିଛି । କୁହାଯାଉଛି ଯେ, ଚନ୍ଦ୍ରର ମାଟିରେ ହୀରା କିମ୍ବା ଅନ୍ୟ କିଛି ମୂଲ୍ୟବାନ ପଦାର୍ଥର ସନ୍ଧାନ ମିଳିପାରେ । ତା’ ଯଦି ସତ ହୁଏ, ତେବେ ଏଇ ମଣିଷ ଆଉ ଏକ ବିସ୍ମୟକର ଓ ଅଦ୍ଭୂତପୂର୍ବ ସାଫଲ୍ୟର ଅଧିକାରୀ ହେବ ନିଶ୍ଚିତ ।

 

ଏଇ ଚନ୍ଦ୍ର....ଯାହା ସହିତ ମଣିଷର ସମ୍ପର୍କ ଯୁଗ ଯୁଗ ଧରି ଏତେ ନିବିଡ଼ ଓ ଆତ୍ମୀୟ ହୋଇ ଆସିଛି, ସେ ଚନ୍ଦ୍ରର ରହସ୍ୟ ସମ୍ପର୍କରେ ମଣିଷ ବିଶେଷ କିଛି ଜାଣିପାରି ନାହିଁ । ସେ ଚନ୍ଦ୍ରର ପରିଚୟ ଓ ଜନ୍ମ ବୃତ୍ତାନ୍ତ ଏବେବି ରହସ୍ୟାବୃତ୍ତ । ମଣିଷ କିନ୍ତୁ ଏ ରହସ୍ୟର ଜାଲ ଖୋଲିବ । ସେଥିପାଇଁ ବିଜ୍ଞାନଗଣ ଆଜି ସନ୍ଧାନୀ ହୋଇ ଉଠିଛନ୍ତି । ସେମାନେ ଚାହାନ୍ତି ଚନ୍ଦ୍ରକୁ ଚିହ୍ନିବେ, ଜାଣିବେ, ଅତି ଭଲ ଭାବରେ । ଚନ୍ଦ୍ର ଏକ ଗ୍ରହ ନା ଉପଗ୍ରହ, ତାହା ପୃଥିବୀର ଗୋଟିଏ ଅଂଶ ନା, ଆଉ କିଛି ଅଲଗା; ଏ ପୃଥିବୀ ଭଳି ଚନ୍ଦ୍ରରେ ମଣିଷ ବାସ କରିବା ସମ୍ଭବ କି ନୁହେଁ—ଏ ସମସ୍ତ ଟିକିନିକି ଜାଣିବା ଲାଗି ଆଜି ସମସ୍ତେ ବ୍ୟାକୁଳ । ସମସ୍ତେ ଅପେକ୍ଷା କରି ରହିଛନ୍ତି ବିଜ୍ଞାନୀମାନଙ୍କ ଗବେଷଣାକୁ । ଚନ୍ଦ୍ରର ମାଟି ପରୀକ୍ଷା ହେଲାପରେ ଅନେକ କିଛି ଜାଣି ହେବ ।

 

ଏଇ ଚନ୍ଦ୍ରକୁ ଛୁଇଁବା ପାଇଁ ଆମେରିକାର ଏପୋଲୋ-୧୧ପୂର୍ବରୁ ଆହୁରି ୧୦ଟି ଏପୋଲୋର ସୃଷ୍ଟି ହୋଇଥିଲା । କେବଳ ଆମେରିକା ନୁହେଁ, ସୋଭିଏତ୍‍ ରୁଷ ମଧ୍ୟ ଚନ୍ଦ୍ର ବିଜୟ ପାଇଁ ଚେଷ୍ଟା ଚଳାଇଛି । ରୁଷର ଲୁନା-୧୫ ଯାନଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ସମ୍ଭବ ହେଲା; କିନ୍ତୁ ତାହା ଫେରି ପାରିଲା ନାହିଁ । ଚନ୍ଦ୍ରକୁ ସାଥିରୂପେ ପାଇବାଲାଗି ପୃଥିବୀର ମଣିଷର କି ଅକ୍ଲାନ୍ତ ସାଧନା, କି ଚରମ ତ୍ୟାଗ ! କେତେ ହଜାର କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ ସରିଲାଣି, ତଥାପି ଚାଲିଛି ଗବେଷଣା ଓ ନୂତନ ତଥ୍ୟର ସନ୍ଧାନ ।

 

ଚନ୍ଦ୍ରରେ ଅବତରଣ ପରେ ମଣିଷ ଆଜି ତାର ଶକ୍ତି ଓ କୌଶଳ ଉପରେ ଅଧିକ ଅସ୍ଥାବାନ ହୋଇ ପଡ଼ିଛି । ଚନ୍ଦ୍ର ବିଜୟ ବାସ୍ତବରେ ଏକ ଅଲୌକିକ ଘଟଣା । ଏକ ଯୁଗାନ୍ତକାରୀ ବିସ୍ମୟ ।

 

(ପ୍ରକାଶ କାଳ—ଅଗଷ୍ଟ ୧୯୬୯)

Image

 

ଆଜିର ଯୁବ-ବାଣୀ

 

ଯୁବଶକ୍ତି ଯେକୌଣସି ଦେଶର ପ୍ରଧାନ ଶକ୍ତି; ସେ ଦେଶ ଯେଡ଼େ ବୃହତ୍‍ କ୍ଷୁଦ୍ର ହେଉ, ଯେଡ଼େ ଧନୀ ବା ନିର୍ଦ୍ଧନ ହେଉ ପଛକେ । ଏଇ ଯୁବଶକ୍ତି ସୃଷ୍ଟି କରିପାରେ ବିରାଟ ଆନ୍ଦୋଳନ, ଆଲୋଡ଼ନ ଓ ବିପ୍ଲବ । ପୁଣି ଏଇ ଶକ୍ତି ଆଣିପାରେ ଶାନ୍ତି, ସୌହାର୍ଦ୍ଦ୍ୟ ସହାବସ୍ଥାନ । ତେଣୁ ଜଣେ ପାଶ୍ଚାତ୍ୟ ପଣ୍ଡିତ କହିଛନ୍ତି—

 

‘‘The youth of the country can create a great movement, agitation and revolution, and also it is the harbringer of peace, friendship and co-existence.’’

 

ଏ ପ୍ରକାର ଶକ୍ତିଶାଳୀ ଓ ତେଜୀୟାନ ଯେଉଁ ଯୁବଶକ୍ତି, ସେ ଶକ୍ତିକୁ ଯଥାର୍ଥ ଭାବରେ ବିନିଯୋଗ କରାଯାଇ ପାରିଲେ ଦେଶ, ଜାତି ଓ ସମାଜର ଯେ ପ୍ରଭୂତ କଲ୍ୟାଣ ସାଧିତ ହୋଇପାରନ୍ତା, ଏହା ନିଃସନ୍ଦେହ । କିନ୍ତୁ ପ୍ରଶ୍ନ ହେଉଛି ଏଇ ଶକ୍ତିମାନ ଯୁବଶକ୍ତିକୁ ଯଥାର୍ଥ ଭାବରେ ବିନିଯୋଗ କରାଯାଉଛି କି ?

 

ଆମ ଦେଶ କଥା ଦେଖାଯାଉ । ଆମର ଯୁବସମାଜ ବା ଯୁବଶକ୍ତି ଅନ୍ୟ ଦେଶଠାରୁ କୌଣସି ଗୁଣରେ ଊଣା ବା ନ୍ୟୂନ ନୁହେଁ । ଆମେ ଦେଖୁଛୁ ଶିକ୍ଷା, ଗବେଷଣା, ରାଜନୀତି, ସମାଜସେବା, ଯୁଦ୍ଧ ବା ଶାନ୍ତି—ଯେକୌଣସି କ୍ଷେତ୍ରରେ ଆମର ଯୁବ-ସମାଜ ଉପଯୁକ୍ତ ସୁବିଧା ସୁଯୋଗ ପାଇଲେ ଅଲୌକିକ କୃତିତ୍ଵ ପ୍ରଦର୍ଶନ କରିପାରୁଛନ୍ତି । ସମ୍ବାଦପତ୍ରର ପୃଷ୍ଠାରେ ଆମେ ଦେଖୁ ଓଡ଼ିଶା ବା ଭାରତୀୟ ଯୁବକର କୃତିତ୍ଵ । କିନ୍ତୁ ସାମୂହିକ ଭାବେ ବିଚାର କଲେ, ଆମକୁ ନିରାଶ ହେବାକୁ ପଡ଼େ; ଯେହେତୁ ଏ କୃତିତ୍ଵର ସଂଖ୍ୟା ଖୁବ୍‍ ସୀମିତ । ବିଭିନ୍ନ କ୍ଷେତ୍ରରେ ଏଇ ସଂଖ୍ୟା ଯେତେବେଳେ ଅମିତ ହେବ, ସେତେବେଳେ ତାହା ଏ ଦେଶ ଜାତି ପାଇଁ ହେବ ପ୍ରାଣବନ୍ତ ଆଶାର ଉଜ୍ଜ୍ଵଳ ଆଲୋକ ।

 

ଆମର ଯୁବସମାଜ ଆଜି ବହୁ ବିଭିନ୍ନତାର ସମ୍ମୁଖୀନ । ତେଣୁ ‘ତନ୍ତୀ କଣ୍ଡା’ ବା ‘ପେଣ୍ଡୁଲମ୍‍’ ଭଳି ଆଜିର ଯୁବସମାଜ ଅବ୍ୟବସ୍ଥିତ, ଯେହେତୁ ନିର୍ଦ୍ଧିଷ୍ଟ ଚିନ୍ତାଧାରା, ନିର୍ଦ୍ଧିଷ୍ଟ ଯୋଜନା ବା କାର୍ଯ୍ୟପନ୍ଥା ଅଥବା ନିର୍ଦ୍ଧିଷ୍ଟ ନୀତି ଓ ଆଦର୍ଶର ପ୍ରଚୁର ଅଭାବ । ଏ ସବୁର ଅବର୍ତ୍ତମାନରେ ଯୁବସମାଜ ଦିଗଭ୍ରାନ୍ତ ହୋଇପଡ଼ିବା ଏକାନ୍ତ ସ୍ଵାଭାବିକ ।

 

ଆଜିର ଯୁବକଯୁବତୀ ଭାବୁଛନ୍ତି, ଶିକ୍ଷାଲାଭ କରିବେ । ମାତ୍ର ସଙ୍ଗେ ସଙ୍ଗେ ପ୍ରଶ୍ନ ହେଉଛି—କି ଶିକ୍ଷା ଓ କେଉଁ ପ୍ରକାରର ଶିକ୍ଷା ? ଆଜିର ଏଇ ପ୍ରଚଳିତ ଶିକ୍ଷାପଦ୍ଧତିରେ କ’ଣ ସେମାନେ ପ୍ରକୃତ ମଣିଷ ହୋଇପାରିବେ ? ସେମାନଙ୍କର ଜୀବନକୁ ସାର୍ଥକ କରିପାରିବେ ? ଯଦି ନୁହେଁ, ତାହାହେଲେ ଏତେ ଶ୍ରମ, ସମୟ ଓ ଧନ ବ୍ୟୟ କରି ଏ ଶିକ୍ଷାର ଲାଭ କଣ ? ଅବଶ୍ୟ କେତେକ ଟେକ୍ନିକାଲ ଶିକ୍ଷା ବ୍ୟତୀତ ସ୍କୁଲ କଲେଜର ଏଇ ସାଧାରଣ ଶିକ୍ଷା ବରଂ ବେକାରୀ ସୃଷ୍ଟି କରୁଛି ଅଧିକରୁ ଅଧିକ, ଏ କଥା କହିଲେ ଭୁଲ ହେବ ନାହିଁ । ନିଯୁକ୍ତି ସନ୍ଧାନୀ ସଂସ୍ଥା ବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଯୁକ୍ତି-ପ୍ରାର୍ଥୀଙ୍କ ତାଲିକାରୁ ହିଁ ଏହା ସ୍ପଷ୍ଟ ଜଣାଯିବ । ଅଶିକ୍ଷିତ ବେକାରଙ୍କ ଅପେକ୍ଷା ଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ବେକାରଙ୍କର ସଂଖ୍ୟା ବରଂ ଅଧିକ ହୋଇପାରେ । ଅଶିକ୍ଷିତ ଯୁବକ ହୁଏତ ଯେକୌଣସି ଶାରୀରିକ କାମକୁ ଆଦରି ନେଇପାରେ; ମାଟିହଣାଠାରୁ ଲୁଗାବୁଣା, ରିକ୍ସାଟଣା ପର୍ଯ୍ୟନ୍ତ ଅଥବା ବୋଝ ବୋହିବାଠାରୁ ଜୋତା ସଫା କରିବା ପର୍ଯ୍ୟନ୍ତ ଯେ କୌଣସି ଛୋଟକାମକୁ ଆଦରି ନେବାରେ ତା’ର ଆପତ୍ତି ନ ଥାଏ । ମାତ୍ର ଯେଉଁମାନେ ତଥାକଥିତ ଶିକ୍ଷିତ ବୋଲି ବଡ଼ିମା ଦେଖାନ୍ତି, ସେମାନେ ହେଲେ—‘‘ଘାସକୁ ମୋଟ, ବେଣାକୁ ଛୋଟ ।’’ ଏଇ ଶ୍ରେଣୀର ଯୁବକ ଅତିମାତ୍ରାରେ ଆତ୍ମାଭିମାନୀ ଓ ସମାଜ-ସମ୍ମାନ-ସଚେତନ । ଛୋଟ କାମକୁ ଲାଜ, ଘୃଣା; ଅଥଚ ବଡ଼ କାମକୁ ଅଯୋଗ୍ୟ । ଟେବୁଲ ଚେୟାରରେ ବସି ଏଇ ଶ୍ରେଣୀର ଯୁବକ ‘ବାବୁଗିରି’ କରିବାକୁ ଚାହାନ୍ତି । ସେମାନେ ମନେକରନ୍ତି, ଯେହେତୁ ସେମାନେ ଶିକ୍ଷିତ ଓ ‘ସଭ୍ୟ’ ତେଣୁ ସେମାନେ ଅନ୍ୟ ଅଶିକ୍ଷିତ ଓ ‘ଅସଭ୍ୟ’ଙ୍କ ପାଖରୁ ଦୂରେଇ ରହି ସେମାନଙ୍କଠାରୁ ସମ୍ମାନ ଦାବି କରିବାକୁ ହକ୍‍ଦାର ।

 

ଏହିପରି ଶିକ୍ଷାପ୍ରାପ୍ତ ଯୁବକ ବା ଯୁବତୀ ଅତିମାତ୍ରାରେ ଚାକିରୀ-ଅଭିଳାଷୀ । ଚାକିରୀ ଖଣ୍ଡେ ପାଇବା ଲାଗି ତୁମୂଳ ପ୍ରତିଦ୍ୱନ୍ଦିତା, ଠେଲାପେଲା ଓ ଧରାଧରି । ଗୋଟିଏ ଚାକିରୀ ପାଇଁ ଶତାଧିକ ଆବେଦନ । ତୃତୀୟ ଶ୍ରେଣୀର କିରାଣୀ ଚାକିରୀ ହେଉ ପଛକେ ଅନେକଙ୍କ ପକ୍ଷରେ ସେଇ ଢେର । ସେତିକିରେ ବି କେତେକ ଅପାତତଃ ସନ୍ତୁଷ୍ଟ । ଚାକିରୀ ଯୋଗାଡ଼ ନ ହୋଇପାରିଲେ ଓ ଏ ଦିଗରୁ ସମ୍ପୂର୍ଣ୍ଣ ନିରାଶ ହେଲେ ସେ ବ୍ୟସ୍ତ, ବିବ୍ରତ ଓ ବିଚଳିତ ହୋଇପଡ଼େ ଓ ଲକ୍ଷ୍ୟଭ୍ରଷ୍ଟ ହୋଇ ସମାଜ ବିରୋଧୀ ଅପରାଧମୂଳକ କାର୍ଯ୍ୟ କରିବାରେ ସୁଦ୍ଧା କୁଣ୍ଠା ପ୍ରକାଶ କରେ ନାହିଁ । ଫଳରେ ଅନ୍ୟମାନଙ୍କ ଚକ୍ଷୁରେ ସେ ହୁଏ ଘୃଣ୍ୟ—ଅପରାଧୀ । କିନ୍ତୁ ଏଥିପାଇଁ କେବଳ ଯୁବସମାଜ କଣ ଦାୟୀ ? ପ୍ରଚଳିତ ଶିକ୍ଷା-ପଦ୍ଧତି ଓ ସାମାଜିକ ପରିବେଶ ବରଂ ଏଥିପାଇଁ ଅଧିକ ଦାୟୀ ବୋଲି କହିବାକୁ ହେବ । ତେଣୁ ଆମର ଶିକ୍ଷାପଦ୍ଧତି ଏପରି ହେବା ଉଚିତ, ଯଦ୍ଦ୍ଵାରା କି ଆମର ଯୁବସମାଜ ଶିକ୍ଷାଲାଭ ପରେ ଅକ୍ଳେଶରେ ନିଜର ଏକ ନିର୍ଦ୍ଧିଷ୍ଟ ପଥ ବାଛି ନେଇପାରିବେ ଓ ସେଥିପାଇଁ ପ୍ରକୃତରେ ଯୋଗ୍ୟ ହୋଇ ପାରିବେ ।

 

ମନେ କରନ୍ତୁ, କେହି ରାଜନୀତି କରିବାକୁ ପ୍ରୟାସୀ । ଭଲକଥା । ରାଜନୀତି ଦରକାର-। ଆମର ଗଣତାନ୍ତ୍ରିକ ରାଷ୍ଟ୍ର । ଲୋକମାନଙ୍କ ପାଇଁ ଲୋକଙ୍କଦ୍ଵାରା ପ୍ରତିଷ୍ଠିତ ଲୋକସାଶନରେ ସମସ୍ତଙ୍କର ଦାୟିତ୍ଵ ରହିଛି । ବିଶେଷତଃ ଦେଶର ଯୁବସମାଜର ଦାୟିତ୍ଵ ଏ ଦିଗରେ ସମଧିକ । ତେଣୁ ସମ୍ବିଧାନ, ଶାସନନୀତି ଓ ରାଜନୀତି ଜାଣିବା ଦରକାର । ମାତ୍ର ରାଜନୀତି କ’ଣ କିଭଳି ରାଜନୀତି କରିବାକୁ ହେବ ଏବଂ ଏହାର କ୍ରିୟା, ପ୍ରତିକ୍ରିୟା ସୁ ଓ କୁ ଭଲ ଭାବରେ ଜାଣିବା ଦରକାର । ସେଥିପାଇଁ ଗଭୀର ଅନୁଧ୍ୟାନ, ଅଧ୍ୟୟନ, ଚିନ୍ତା ଓ ଚର୍ଚ୍ଚା । ଦରକାର । ତା’ ନ କରି ‘‘ସଫରୀ ଫରଫରାୟତେ’’ ନୀତିରେ କିଛି ନ ଜାଣି ବା ସାମାନ୍ୟ ଜାଣି ନିଜକୁ ‘ସବ୍‍ଜାନ୍‍ତା’ ଭାବି ଅନେକ ଯୁବକ ଯେଭଳି ରାଜନୀତି କରନ୍ତି ଓ ହଠାତ୍‍ ରାଜନୀତିଜ୍ଞ ବା ନେତା ବନିଯାଆନ୍ତି (ଯାହାକି ଆଜିକାଲି ଏକ ସଂକ୍ରାମକ ବ୍ୟାଧି ହୋଇଛି ବୋଲି ମନେହୁଏ) ତଦ୍ଦ୍ଵାରା ସେମାନେ ନିର୍ବୋଧ ବୋଲି ସୁଧିମଣ୍ଡଳରେ ପରିଚିତ ହୁଅନ୍ତି ମାତ୍ର । ତା’ ଛଡ଼ା ଏ ପ୍ରକାର ନୀତି ମଧ୍ୟ ଦେଶ ପାଇଁ ଶୁଭଙ୍କର ନୁହେଁ ।

 

ରାଜନୀତି କରିବି—ତେଣୁ କଂଗ୍ରେସ ହେବି କି ସ୍ଵତନ୍ତ୍ର ହେବି କିମ୍ବା ‘କମ୍ରେଡ’ ହେବି କି ‘ସାଥୀ’ ହେବି ଅଥବା କୌଣସି ଦଳରେ ନ ମିଶି ଭାରତର ନିରପେକ୍ଷ ବୈଦେଶିକ ନୀତି ଭଳି ସ୍ଵାଧୀନ ରହିବି—ଏହା ହିଁ ଆଜିର ଯୁବସମାଜକୁ ବିଶେଷ ଭାବରେ ଚିନ୍ତାଗ୍ରସ୍ତ କରୁଥିବାର ଦେଖାଯାଉଛି । ଫଳରେ କାଲି ‘କମ୍ରେଡ’ ସାଜି ଦା’ ହାତୁଡ଼ି ଧରି ରାସ୍ତାରେ ଚିତ୍କାର କରୁଥିଲା ବେଳେ ଆଜି ‘ସାଥୀ’ ହୋଇ କୁଡ଼ିଆରେ ଆଶ୍ରୟ ନେବା ଦେଖାଗଲାଣି, ଆଉ କେତେବେଳେ ଖଦଡ଼ି ପୋଷାକରେ ତ ପୁଣି କେତେବେଳେ ରାଜରାଜୁଡ଼ାଙ୍କ ଛତ୍ର ତଳେ ରହିବାର ଦେଖାଗଲାଣି; ଯେହେତୁ ଚିନ୍ତାଧାରା, ଲକ୍ଷ୍ୟ, ନୀତି ଓ ଆଦର୍ଶ ନିର୍ଦ୍ଦିଷ୍ଟ ନୁହେଁ ।

 

ଅବଶ୍ୟ ଯୁବକଂଗ୍ରେସ, ସମାଜବାଦୀ ଯୁବସଭା, ଗଣତାନ୍ତ୍ରିକ ଯୁବସଂଘ ଇତ୍ୟାଦି ଯୁବ-ଅନୁଷ୍ଠାନମାନ ଏ ଦେଶରେ ରହିଛି । ମାତ୍ର ସେସବୁ ରାଜନୀତିକ ଦଳୀୟଭିତ୍ତି-ଆଶ୍ରୟୀ । ତେଣୁ ଯୁବସମାଜ ଏ ପ୍ରକାର ଅନୁଷ୍ଠାନମାନଙ୍କରୁ ନିରପେକ୍ଷ ଓ ସ୍ଵାଧୀନ ଚିନ୍ତାର ପରାମର୍ଶ ପାଇବେ ବୋଲି ଆଶା କରିବା କିପରି ?

 

ସିଧାସଳଖ କୌଣସି ରାଜନୀତି ଦଳ ସହ ସଂଶ୍ଳିଷ୍ଟ ହୋଇ ରାଜନୀତି କରିବି, କି ସର୍ବୋଦୟ ଚିନ୍ତାଧାରାରେ ନିମଜ୍ଜିତ ହେବି, ଅଥବା ଭୂଦାନ ଆନ୍ଦୋଳନରେ ଯୋଗ ଦେଇ ପଦଯାତ୍ରା କରିବି—ଏ ଚିନ୍ତାରେ ଆଜିର ଯୁବସମାଜ ଯେ ଦୋଦୁଲ୍ୟମାନ, ଏଥିରେ ସନ୍ଦେହ ନାହିଁ-

 

ଠିକ୍‍ ସେଇଭଳି କେହି ଯଦି ସମାଜସେବା କରିବାକୁ ପ୍ରୟାସୀ ହେଲା, ତେବେ ସେ ଦିଗରେ ମଧ୍ୟ ଯୁବସମାଜକୁ ମନୋମତ ମାର୍ଗ ବତାଇ ଦେବାକୁ କେହି ନାହିଁ । ଅବଶ୍ୟ ସମାଜସେବା, ଦେଶସେବା କରିବାର ଅଧିକାର ସମସ୍ତଙ୍କର ରହିଛି; କିନ୍ତୁ ପ୍ରଶ୍ନ ହେଉଛି ନିଜ ଇଚ୍ଛାନୁଯାୟୀ ଜଣେ ଦେଶସେବା ବା ସମାଜସେବା କରିବ ନା କୌଣସି ସମାଜସେବୀ ଅନୁଷ୍ଠାନର ଆଶାରେ ବା ମାଧ୍ରମରେ କରିବ । ଅବଶ୍ୟ ହିନ୍ଦସେବକ ସମିତି, ଲୋକସେବକ ମଣ୍ଡଳ, ଭାରତସେବକ ସମାଜ, ସର୍ବ ସେବାସଂଘ ଇତ୍ୟାଦି ସମାଜସେବା ନାମିତ ଅନୁଷ୍ଠାନର ଅଭାବ ନାହିଁ । ମାତ୍ର ଅନ୍ୟକୁ ପ୍ରଭାବିତ ଓ ଆକୃଷ୍ଟ କଲା ଭଳି ସେପ୍ରକାର ଉଚ୍ଚକୋଟିର ଆଦର୍ଶବାଦୀ ସମାଜସେବୀ କାହାନ୍ତି ? ଯେପରି ଥିଲେ ମହାମାନ୍ୟ ଗୋପାଳକୃଷ୍ଣ ଗୋଖେଲ, ଆଦର୍ଶବାଦୀ ବାଳଗଙ୍ଗାଧର ତିଳକ, ନିଷ୍ଠାବାଦୀ ଲଜ୍‍ପତ ରାୟ, ରାଜର୍ଷି ଟଣ୍ଡନ, ବାପୁଜୀ କିମ୍ବା ଉତ୍କଳମଣି ଗୋପବନ୍ଧୁ ବା କୁଳବୃଦ୍ଧ ମଧୁସୂଦନ । ଯୁକ୍ତି ହୋଇପାରେ, ସବୁ ଦିନେ କ’ଣ ସେଇମାନେ ଥାନ୍ତେ ? ଅନ୍ୟ କେହି କଣ ନାହାନ୍ତି ? ଏହାର ଉତ୍ତରରେ କୁହାଯାଇପାରେ—ହଁ, ଅନେକ ଅଛନ୍ତି; ଏପରିକି ସେଇମାନଙ୍କର ଦାୟାଦ ଓ ଅନୁଗାମୀମାନେ ଅଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି—ଏ ଯେଉଁମାନେ ଅଛନ୍ତି ବୋଲି କୁହାଯାଉଛି, ଏମାନଙ୍କର ନୀତି ଓ ଆଦର୍ଶରେ ଆଜିର ଯୁବସମାଜ କେତେ ପରିମାଣରେ ବାସ୍ତବରେ ଅନୁପ୍ରାଣିତ, ଅନୁରଞ୍ଜିତ ପ୍ରଭାବିତ ଓ ପ୍ରଚୋଦିତ ହେଉଛି ? ଅତୀତରେ ସୁଖ୍ୟାତି ଲଭିଥିବା ପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନମାନଙ୍କରେ ସଭ୍ୟ-ସଂଗ୍ରହରୁ ଏହା ସହଜରେ ଜାଣି ହେବ । ଅତୀତର ସେ ଆଗ୍ରହ ଓ ଉତ୍ସାହ ନାହିଁ । କାରଣ ନୀତି, ଆଦର୍ଶ ନିଷ୍ଠା, ହୃଦୟବତ୍ତା, ନିର୍ଭୀକତା ଓ ସଚ୍ଚୋଟତାର ଅଭାବ ଆଜି ବଡ଼ବଡ଼ିଆଙ୍କଠାରେ ଅନୁଭୂତ ହେଉଛି । ଫଳରେ ଯୁବସମାଜ ଉଦ୍‍ବୁଦ୍ଧ ହେବ କିପରି ?

 

ଛାତ୍ରସମାଜ ରାଜନୀତିରୁ ଦୂରରେ ରହିବା ଉଚିତ ବୋଲି ନେତାମାନେ ଉପଦେଶ ବାଣୀ ଶୁଣାନ୍ତି, ପତ୍ରପତ୍ରିକାର ସମ୍ପାଦକମାନେ ଲେଖନ୍ତି । ମାତ୍ର ସବୁଠାରୁ ଦୁଃଖର କଥା ଯେ, ଛାତ୍ରସମାଜ ମଧ୍ୟରେ ରାଜନୀତି ତଥା ହୀନ ରାଜନୀତି ପାଇଁ ଏଇମାନେ ଅନେକାଂଶରେ ଦାୟୀ । କାରଣ ନିଜର ବା ନିଜ ଗୋଷ୍ଠୀ ଅଥବା ଦଳର ସ୍ଵାର୍ଥ ପାଇଁ ଏଇ ନେତାମାନେ ଛାତ୍ରମାନଙ୍କୁ ପ୍ରଚାର ମାଧ୍ୟମ ରୂପେ ବ୍ୟବହାର କରିଥାଆନ୍ତି ଏବଂ ସେଇମାନଙ୍କ ଜରିଆରେ କାମ ହାସଲ କରାଇବାର କଳ୍ପନା ରଖିଥାନ୍ତି । ପୁଣି ଯେଉଁ ପ୍ରବୀଣ ସମ୍ପାଦକମାନେ ଛାତ୍ରସମାଜଙ୍କୁ ରାଜନୀତିରେ ଲିପ୍ତ ନ ହେବାକୁ ପରାମର୍ଶ ଦିଅନ୍ତି, ସେଇମାନେ ସେମାନଙ୍କ ପତ୍ରିକା ଜରିଆରେ ନିଜେ ସମର୍ଥନ କରୁଥିବା ରାଜନୀତିକ ଦଳ ବା ସଂସ୍ଥାର ପ୍ରଚାର ଓ ଅନ୍ୟର ନିନ୍ଦା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର-ଇଉନିୟନ ନିର୍ବାଚନରେ ସୁଦ୍ଧା ରାଜନୀତିର ରଙ୍ଗ ଦେଇ ‘ଛାତ୍ର ଇଉନିୟନର ବିଜୟ’ ବା ‘ଛାତ୍ରସଂଘର ପରାଜୟ’ ଇତ୍ୟାଦି ବଡ଼ ବଡ଼ ଶିରୋନାମାରେ ସମ୍ବାଦ ପ୍ରକାଶ କରିଥାନ୍ତି । ଛାତ୍ରସମାଜ ତଥା ତରୁଣସମାଜ ମଧ୍ୟରେ ସଂହତି ଓ ସୌହାର୍ଦ୍ଦ । ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ପରିବର୍ତ୍ତରେ ଏଇମାନେ ବିଭେଦ ଓ ବିବାଦର ବୀଜ ବୁଣିଦିଅନ୍ତି ବା ବୁଣିବାରେ ସାହାଯ୍ୟ କରନ୍ତି । ଏହା ଛାତ୍ରସମାଜ କ୍ଷେତ୍ରରେ ଯେଭଳି ସତ୍ୟ, ଛାତ୍ରୋତ୍ତର ଯୁବସମାଜ କ୍ଷେତ୍ରରେ ମଧ୍ୟ ସେହିଭଳି ନିଶ୍ଚିତ । ଫଳରେ ଦେଶର ଯୁବସମାଜ ମଧ୍ୟରେ ନାନା ଗୋଷ୍ଠୀବାଦ ବା ଇଜିମ୍‍ ଓ ବୃଥା ମନାନ୍ତରର ସୃଷ୍ଟି । ଏଥିରେ ଯୁବସମାଜ ମଧ୍ୟରେ ଏକତା ଆସିବ କୁଆଡ଼ୁ ଓ ସେମାନେ ଐକ୍ୟବଦ୍ଧ ଭାବରେ କାର୍ଯ୍ୟ କରିବେ କିପରି ?

 

ଆମର ଯୁବକଯୁବତୀ କ'ଣ କରିବେ, କେଉଁ ବୃତ୍ତି ଧରିବେ; କିମ୍ବା କେଉଁ ମାର୍ଗରେ ଗଲେ ସେମାନେ ଦେଶ ଓ ଜାତିର କଲ୍ୟାଣ କରିବା ସଙ୍ଗେ ସଙ୍ଗେ ନିଜ ଜୀବନକୁ ସାର୍ଥକ କରିପାରିବେ; ଏକଥା ବତାଇ ଦେବାର ଉପଯୁକ୍ତ ବ୍ୟବସ୍ଥା ମଧ୍ୟ ଆମର ନାହିଁ । ଦୃଷ୍ଟାନ୍ତ ସ୍ୱରୂପ, ଜଣେ ହାଇସ୍କୁଲରୁ ଉତୀର୍ଣ୍ଣ ହେଲା ବା ବାରମ୍ବାର ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହେଲା, ଅଥବା ପଢ଼ା ଛାଡ଼ିଲା, ତାହାହେଲେ ସେ କ’ଣ କରିବ, କେଉଁ ମାର୍ଗ ଧରିବ, କେଉଁ ବୃତ୍ତି ପାଇଁ ସେ ଯୋଗ୍ୟ, ଏ କଥା ତାକୁ ବତାଇବ କିଏ ? ସେ ଆଉ ଶିକ୍ଷା ଦିଗରେ ଯିବ କି ନାହିଁ ଏବଂ କି ପ୍ରକାର ଶିକ୍ଷା କରିବ, ନଚେତ ବ୍ୟବସାୟ କରିବ କିମ୍ବା ଚାକିରି କରିବ ଅଥବା ରାଜନୀତି କରିବ ଏବଂ କି ଧରଣର ରାଜନୀତି କରିବ, କିମ୍ବା ସମାଜସେବୀ ହେବ; ଏ ବିଷୟରେ ସୁଚିନ୍ତିତ ଓ ସ୍ପଷ୍ଟ ପରାମର୍ଶ ସେ କାହାଠାରୁ ପାଇବ ?ଅବଶ୍ୟ ‘‘ଭୋକେସନାଲ ଗାଇଡାନସ’’ ନାମରେ ଏକ ସଂସ୍ଥା ସରକାରୀ ସ୍ତରରେ ଅଛି ତାହାର କାମ ହେଉଛି ଏ ସବୁ ବତାଇବା । ଆମ ରାଜ୍ୟରେ ଏଭଳି ଏକ ସଂସ୍ଥା ଥିଲେ ମଧ୍ୟ ଅନେକ ଜାଣନ୍ତି ନାହିଁ । କାରଣ ଏ ସଂସ୍ଥା ପୂର୍ଣ୍ଣାଙ୍ଗ ନୁହେଁ । କେବଳ ନାମକୁ ମାତ୍ର ଏଭଳି ସଂସ୍ଥାଟିଏ ରହିଛି । ମୁଁ ପଚାରି ବୁଝିଲି ଯେ, ଆମ ରାଜ୍ୟରେ ଥିବା ସଂସ୍ଥା ଅବଶ୍ୟକୀୟ ଅର୍ଥ ଓ ଷ୍ଟାଫ୍‍ ଅଭାବରୁ ଯଥାର୍ଥ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ତାହାହେଲେ ଏଭଳି ଏକ ଲୋକଦେଖାଣିଆ ସଂସ୍ଥା ନିରର୍ଥକ । ହୁଏତ ଏହାକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଉ, ନଚେତ୍‍ ଭାଙ୍ଗି ଦିଆଯାଉ । ଯଦି ଏ ସଂସ୍ଥା ଆମର ଯୁବସମାଜକୁ ମାର୍ଗ ବତାଇବାରେ ସହାୟକ ନ ହେଲା, ତେବେ ଏକ ପ୍ରହସନ କାହିଁକି ?

 

ଯୁବଜୀବନ ସଂଗ୍ରାମଶୀଳ । ତେଣୁ ଯଥାର୍ଥ ଭାବରେ ସଂଗ୍ରାମର ସମ୍ମୁଖୀନ ହେବାପାଇଁ ଦୃଢ଼ ପ୍ରତିରୋଧ ଓ ପ୍ରତିବାଦ ପାଇଁ ଆଜିର ଯୁବସମାଜର ସେଭଳି ଦମ୍ଭ, ସାହସ ଓ ଶକ୍ତି ଲୋଡ଼ା । ବିଶେଷତଃ ଅନ୍ୟାୟ, ଅନୀତି, ଅସମତା, ଅଜ୍ଞତା, ଅମାନବିକତା ବିରୁଦ୍ଧରେ ଯୁବସମାଜ କଠୋର ପ୍ରତିବାଦ ଓ ପ୍ରତିରୋଧ କରୁ, ଅତି ନିର୍ଭୟରେ ଓ ସ୍ପଷ୍ଟ ଭାବରେ । ଯୁବସମାଜ ମଧ୍ୟରେ ଚେତନା ଆସୁ, ଜାଗରଣ ଖେଳୁ । ଆମର ଚିନ୍ତାଧାରା, ଆମର କର୍ମପନ୍ଥା, ଆମର ନୀତି ଓ ଆଦର୍ଶ ସୁନିର୍ଦ୍ଧିଷ୍ଟ ଓ ସୁସ୍ପଷ୍ଟ ହେଉ ଏବଂ ଏହାହିଁ ହେଉ ଆଜିର ଯୁବ-ବାଣୀ ।

Image

 

ତସ୍ମୈ ଶ୍ରୀ ଗୁରବେ ନମଃ

 

ଶାସ୍ତ୍ରରେ ଅଛି—‘‘ଅଜ୍ଞାନ ତିମିରାନ୍ଧସ୍ୟ, ଜ୍ଞାନଞ୍ଜନ ଶଳାକାୟା, ଚକ୍ଷୁରୁନ୍ମୀଳିତଂ ଯେନ, ତସ୍ମେ ଶ୍ରୀ ଗୁରବେ ନମଃ ।’’

 

‘‘ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ଗୁରୁଦେବା ମହେଶ୍ଵର, ଗୁରୁଃ ସାକ୍ଷାତ ପରମବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ ।’’

 

ଅର୍ଥାତ, ଅଜ୍ଞାନ ଅନ୍ଧକାରରେ ଅନ୍ଧ ହୋଇଥିବା ଚକ୍ଷୁକୁ ଯିଏ ଜ୍ଞାନାଞ୍ଜନର ଆଲୋକ—ବର୍ତ୍ତିକା ଦ୍ଵାରା ଫିଟନ୍ତି, ସେଇ ଗୁରୁଙ୍କୁ ନମସ୍କାର ।

 

ଗୁରୁ ସ୍ଵୟଂ ବ୍ରହ୍ମା, ବିଷ୍ଣୁ ମହେଶ୍ଵର । ସେ ସାକ୍ଷାତ ପରମବ୍ରହ୍ମ, ସେଇ ଗୁରୁଙ୍କୁ ନମସ୍କାର-

 

ସ୍ପଷ୍ଟ ମନେପଡ଼େ, ପ୍ୟାରୀମୋହନ ଏକାଡେମୀରେ ପଢ଼ିଲା ବେଳେ (୧୯୩୯-୪୫) ପାଠ ପଢ଼ାର ପ୍ରାରମ୍ଭରେ, ଉପରୋକ୍ତ ନୀତିବଚନକୁ ଅମ୍ଭେମାନେ ପ୍ରତିଦିନ, ଶ୍ରେଣୀରେ ଠିଆହୋଇ ବଡ଼ ପାଟିରେ ଆବୃତ୍ତ କରୁଥିଲୁ । ତାହାହିଁ ଥିଲା ସମବେତ ପାର୍ଥନା । ଯେପରିକି କେଉଁଠି ‘‘ହେ ଦୟାମୟ ଈଶ୍ୱର’’ ଇତ୍ୟାଦି ପ୍ରାର୍ଥନା କରାଯାଇଥାଏ । ଏବେ ଆଉ ପ୍ରାର୍ଥନା, ଅନେକ ସ୍କୁଲରେ ନାହିଁ । ବୋଧହୁଏ, ଶିକ୍ଷାନୁଷ୍ଠାନରେ ଏଭଳି ସମବେତ ପ୍ରାର୍ଥନାର ଅସାରତା, କର୍ତ୍ତୃପକ୍ଷ ଉପଲଧି କରନ୍ତି ।

 

ପ୍ରାଚୀନ ଶାସ୍ତ୍ରରେ ଓ ଆମ ସମାଜରେ, ଶିକ୍ଷକଙ୍କୁ ବା ଗୁରୁଙ୍କ ଏ ଯେଉଁ ଶ୍ରେଷ୍ଠ ସମ୍ମାନ ଦିଆଯାଇଛି, ତାହା ଅନ୍ୟତ୍ର ଓ ଅନ୍ୟମାନଙ୍କ କ୍ଷେତ୍ରରେ ବିରଳ ।

 

ପ୍ରାଚୀନ ‘ଗୁରୁକୁଳ’ ଶିକ୍ଷା ବ୍ୟବସ୍ଥାରେ, ଗୁରୁ ଆପଣା ଆଶ୍ରମରେ, ଶିଷ୍ୟଗଣଙ୍କୁ ରଖାଇ ତା’ର ସମସ୍ତ ଶତ୍ରୁ ଯତ୍ନ ନିଜେ ନେଉଥିଲେ । ଶସ୍ତ୍ରଶାସ୍ତ୍ରାଦି ବିଭିନ୍ନ ଶିକ୍ଷା ଦେଇ ଶିଷ୍ୟଗଣଙ୍କୁ ସକଳ ବିଦ୍ୟାରେ ପାରଙ୍ଗମ କରି ଛାଡ଼ୁଥିଲେ । ଗୁରୁଙ୍କ ପାଖରେ ଧନୀ, ନିର୍ଦ୍ଧନ ଭେଦାଭେଦ ନ ଥିଲା । ସେ ସମସ୍ତ ଶିଷ୍ୟଙ୍କୁ ସମାନ ଚକ୍ଷୁରେ ଦେଖୁଥିଲେ ।

 

ଗୁରୁଙ୍କର ଆଦର୍ଶ, ଶିଷ୍ୟକୁ ପ୍ରଭାବିତ, ପ୍ରଚୋଦିତ ଓ ପ୍ରୋତ୍ସାହିତ କରୁଥିଲା । ଗୁରୁଙ୍କ ଶିଷ୍ୟପ୍ରାଣତାରେ ଶିଷ୍ୟ ଏକାନ୍ତ ଗୁରୁଅନୁଗତ ହୋଇ ପଡ଼ୁଥିଲା । ଶିକ୍ଷା ଶେଷ ପରେ, ଗୁରୁଭକ୍ତିର ନିଦର୍ଶନ ସ୍ୱରୂପ ‘ଗୁରୁଦକ୍ଷିଣା’ ଦେବାପାଇଁ ଶିଷ୍ୟ ପ୍ରାଣୋତ୍ସର୍ଗ କରିବାକୁ ସୁଦ୍ଧା କୁଣ୍ଠିତ ହେଉ ନ ଥିଲା । ଶିକ୍ଷାକାଳରେ ଗୁରୁଙ୍କ ଆଦେଶ ହିଁ ଶିଷ୍ୟର ଏକାନ୍ତ ଶିରୋଧାର୍ଯ୍ୟ ଥିଲା । ସେ ଯୁଗର ଆରୁଣୀ, ଏକଲବ୍ୟ, ଉପମନ୍ୟୁ ପ୍ରଭୃତି ଏହିଭଳି ଶିଷ୍ୟର ଜ୍ଵଳନ୍ତ ଦୁର୍ଲ୍ଲଭ ଦୁଷ୍ଟାନ୍ତ । ଅନ୍ୟପକ୍ଷରେ, ଯେ କୌଣସି ବ୍ୟକ୍ତି ଗୁରୁ ହୋଇ ପାରୁ ନ ଥିଲେ । ଗୁରୁ ହେବାର ଯଥାର୍ଥ ଗୁଣ ଓ ଯୋଗ୍ୟତା ଯାହାଙ୍କଠାରେ ଥିଲା, ସେଇ ସିନା ଗୁରୁ-ଗୌରବର ଅଧିକାରୀ ହୋଇପାରୁ ଥିଲେ ।

 

ଗୁରୁଙ୍କର ଗୁଣଥିଲା—ତ୍ୟାଗ, ସଂଯମ, ଭଗବତପ୍ରେମ, ଚରିତ୍ରବତ୍ତା, ସତ୍ୟ ଓ ନ୍ୟାୟ ପ୍ରତି ନିଷ୍ଠା, ଶିକ୍ଷା ଦାନରେ ଆନ୍ତରିକତା ,ଶିଷ୍ୟସ୍ନେହ । ଏଭଳି ଗୁରୁ ଥିଲେ ଦ୍ରୋଣାଚାର୍ଯ୍ୟ, ବିଶିଷ୍ଟ ଯାଜ୍ଞବଲକ ପ୍ରଭୃତି ।

 

ସେ ସମୟର କଥା । ଶବର ରାଜା ସୁବର୍ଣ୍ଣଧନୁଙ୍କ ପୁଅ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମରେ ରହି ତାଙ୍କଠାରୁ ପ୍ରତ୍ୟକ୍ଷ ଶିକ୍ଷାଲାଭର ସୁଯୋଗରୁ ବଞ୍ଚିତ ହୋଇ ସୁଦ୍ଧା ନିଜର ମାନସଗୁରୁ ରୂପେ ସେଇ ଦ୍ରୋଣଙ୍କୁ ବରି ନେଇଥିଲା । ବଣ ଭିତରେ ଗୁରୁଦ୍ରୋଣଙ୍କ ପ୍ରତିମା ସ୍ଥାପନ କରି, ତାଙ୍କର ପାଦତଳେ ନିଜକୁ ସମର୍ପି, ଶସ୍ତ୍ର ବିଦ୍ୟାଭ୍ୟାସ କରିଥିଲା । ତଥାପି ସେ ପ୍ରମାଣିତ କରିପାରିଥିଲା ନିଜର ପରମ ପାରଦର୍ଶିତା । ଗୁରୁଙ୍କଠାରୁ ଅପମାନିତ ହୋଇ ସୁଦ୍ଧା ସେ ଗୁରୁଙ୍କ ନାମରେ ମାନହାନି ମକଦ୍ଦମା କରିନଥିଲା କିମ୍ବା ଗୁରୁଙ୍କ ଛାତିରେ ଶ୍ରୀବତ୍ସର ଲାଞ୍ଚନ’ ଆଙ୍କି ନ ଥିଲା ।

 

ଏକଲବ୍ୟର ଏ ବିବିଧ ଗୁରୁ ଭକ୍ତିରେ ମୁଗ୍ଧ ହୋଇଥିଲେ ଗୁରୁ ଦ୍ରୋଣ । ସେ କହିଲେ–‘‘ବତ୍ସ ତୋର ଗୁରୁଭକ୍ତିରେ ମୁଁ ପ୍ରୀତ । ତୁ ଯେବେ ପ୍ରକୃତରେ ମତେ ତୋର ଗୁରୁରୂପେ ସ୍ଵୀକାର କରୁ, ତେବେ ସତ୍ୟ କର, ମୁଁ ଯାହା ଗୁରୁଦକ୍ଷିଣା ମାଗିବି, ତୁ ଦେବୁ ।’’

 

‘ପ୍ରଭୋ ! ଆପଣ ଯାହା ମାଗିବେ ଏ ଦାସ ତାହା ଦେବାକୁ ପ୍ରସ୍ତୁତ । ଏମନ୍ତ କି ଏ ପ୍ରାଣପର୍ଯ୍ୟନ୍ତ ଆପଣଙ୍କ ତୃପ୍ତି ଲାଗି ଦେଇ ପାରେ’ । ଉତ୍ତର ଦେଲା ଶିଷ୍ୟ ଏକଲବ୍ୟ । ଗୁରୁ ମାଗିଥିଲେ ଶିଷ୍ୟର ଦକ୍ଷିଣହସ୍ତର ବୃଦ୍ଧାଙ୍ଗୁଳି । ହସିହସି ଶିଷ୍ୟ ତାହା କାଟି ଦେଇଥିଲା ଗୁରୁଦକ୍ଷିଣା-। ଏହାହିଁ ଥିଲା, ସେତେବେଳେ ଶିଷ୍ୟର, ଗୁରୁଭକ୍ତିର ପରମ ପରାକାଷ୍ଠା ଓ ଚରମ ନିଷ୍ଠା-

 

ଅବଶ୍ୟ ସେତେବେଳର ଶିକ୍ଷା ଆଜି ଭଳି ବ୍ୟାପକ ନଥିଲା, ତାହା ଥିଲା ସୀମିତ । କିନ୍ତୁ ସଙ୍କୁଚିତ ନଥିଲା ଶିକ୍ଷାର ପରିସର । ଆଜିଭଳି ସେ ବେଳର ଶିକ୍ଷା ବ୍ୟବସାୟିକ ବା ଅଗଭୀର ନ ଥିଲା । ଶିକ୍ଷା, ଖାଲି ଦେଣାପାଉଣାର ବସ୍ତୁ ନ ଥିଲା । ସେ କାଳର ସେ ତପୋବନର ‘ଗୁରୁକୁଳ ଆଶ୍ରମ’ ନାହିଁ । ଅବଶ୍ୟ, କେଉଁଠି କେଉଁଠି ଖାଲି ଆଶ୍ରମ ରହିଛି । ଆଜି ଦେଶର ଚାରିଆଡ଼େ ବିଦ୍ୟାଳୟ ଅଛି, ଲକ୍ଷ ଲକ୍ଷ ଶିକ୍ଷକ ଅଛନ୍ତି । କିନ୍ତୁ ଏଇ ଯୁଗର ସେଇ ବକୁଳବନ ଛୁରିଅନା କୁଞ୍ଜ ତଳର ‘ବନବିଦ୍ୟାଳୟ’ ଆଉ ନାହିଁ । ସେ ଧରଣର ସେ ଢଙ୍ଗର ନିଷ୍ଠାପର, ଅନୁରକ୍ତ ଓ ତ୍ୟାଗୀ ଶିକ୍ଷକ ମଧ୍ୟ କେତେଜଣ ଅଛନ୍ତି ?

 

ଆଜିର ବିଦ୍ୟାଳୟରେ ପାଠପଢ଼ା ହେଉଛି, ଉଚ୍ଚ ଶିକ୍ଷା ପାଇଁ ପାହାଚ ବନ୍ଧା ହୋଇଛି । କିନ୍ତୁ ସଂଯମ ଶୃଙ୍ଖଳା, ଶିଷ୍ଟାଚାର, ସାଧୁତା, ସଚ୍ଚରିତ୍ରତା, ଗୁରୁଜନଙ୍କ ପ୍ରତି ଭକ୍ତି ଓ ସମ୍ମାନନୀୟ ବ୍ୟକ୍ତିଙ୍କପ୍ରତି ଶ୍ରଦ୍ଧାସମ୍ମାନ ପ୍ରଦର୍ଶନର ଶିକ୍ଷା ପ୍ରକୃତରେ କାହିଁ ? ଶିକ୍ଷକ ଓ ଛାତ୍ର ମଧ୍ୟରେ ଆଜି ଗୁରୁଶିଷ୍ୟ ସମ୍ପର୍କ କାହିଁ ? ଅଧ୍ୟୟନ ଅଧ୍ୟାପନାରେ, ଧ୍ୟାନ ଓ ଧାରଣାରେ ଶିଷ୍ୟ ଆଉ ଗୁରୁଙ୍କର ଆଚାରନିଷ୍ଠା କାହିଁ ? ଆଜିର ଶିଷ୍ୟ ନିଜ ଗୁରୁଙ୍କୁ ଜାଣୁ ନାହିଁ କି ଚିହ୍ନୁ ନାହିଁ । ଗୁରୁଙ୍କ କ୍ଷେତ୍ରରେ ମଧ୍ୟ ସେଇଆ । ଗୁରୁ-ଶିଷ୍ୟ ମଧ୍ୟରେ ଆଜି ପ୍ରତ୍ୟକ୍ଷ ସସ୍ନେହ ସମ୍ପର୍କ ବଦଳରେ, କେଉଁଠି କେଉଁଠି ଅପ୍ରୀତିକର, ଅରୁଚିକର ସମ୍ପର୍କ; ଶିକ୍ଷା କ୍ଷେତ୍ରରେ ଏକ କଳଙ୍କ, ଏକ ନିର୍ଲ୍ଲଜ କାଳିମା ।

 

କୌଣସି ଶିକ୍ଷକ ବା ଗୁରୁ ଯଦି ମଦ୍ୟାସକ୍ତ ହୁଅନ୍ତି, ଛାତ୍ରୀପାଇଁ ପ୍ରେମିକ ସାଜନ୍ତି, ଶିକ୍ଷାନାମରେ ଅଶିକ୍ଷା-କୁଶିକ୍ଷା ଦାନ କରନ୍ତି, ପବିତ୍ର ଶିକ୍ଷାନୁଷ୍ଠାନର ଅର୍ଥ ଆତ୍ମସାତ କରନ୍ତି କିମ୍ବା ଛାତ୍ରଛାତ୍ରୀଙ୍କଠାରୁ ସଂଗୃହୀତ ଅର୍ଥର ଅସଦ୍‍ବ୍ୟବହାର କରନ୍ତି ଅଥବା ଚଳଣି ଓ କରଣିରେ, ଅଭ୍ୟାସ ଓ ଆଚରଣରେ, ସୁରୁଚି ଓ ସଂଯମ ପ୍ରକାଶ ନ କରନ୍ତି ଏବଂ ଶିକ୍ଷାଦାନକୁ ପରମ କର୍ତ୍ତବ୍ୟ ମନେ ନ କରି ବ୍ୟବସାୟିକ ରୀତିରେ, ଏକ ବୃତ୍ତ ବା ଧନ୍ଦା ମନେ କରନ୍ତି, ଅନ୍ୟମାନେ ତାଙ୍କଠାରୁ କିଛି ଶିଖିଲାଭଳି ଜ୍ଞାନ ଗରିମାର ଗନ୍ତାଘର ସେ ଯଦି ନ ହୋଇ ପାରନ୍ତି, ତେବେ ସମାଜରେ ଏ ପ୍ରକାର ଶିକ୍ଷକ ଗୁରୁ-ଗୌରବର ଅଧିକାରୀ ହୋଇ ପାରିବେ ତ ?

 

ଦୁଃଖ ଲାଗେ ଯେ ଶିକ୍ଷକ-ତାଲିମ ଅର୍ଜନ କରି ଶିକ୍ଷକ ହେବାକୁ ଯାଉଥିବା ବି.ଇଡି ପରୀକ୍ଷାର୍ଥୀ କିମ୍ବା ସମାଜରେ ସମ୍ମାନିତ ଏ ଉଚ୍ଚଶିକ୍ଷିତ ଗ୍ରାଜୁଏଟ ପରୀକ୍ଷାର୍ଥୀ କେତେ ଜଣ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ଦଣ୍ଡିତ ହେଉଛନ୍ତି । ପରୀକ୍ଷାରେ ପାଶ୍‍ ପାଇଁ, ଅସାଧୁ ପଥର ପଥୁକୀ ଯିଏ ସେ ଗୁରୁ ଆସନରେ ରହି ଶିଷ୍ୟମାନଙ୍କୁ ସାଧୁ ବାଟ ବତାଇବାରେ କେତେଦୂର ସକ୍ଷମ ଓ ସମର୍ଥ ହେବେ ?

 

ଆଜିର ଶିକ୍ଷକସମାଜ ସଙ୍ଘବଦ୍ଧଭାବରେ ନିଜର ସୁବିଧା ସୁଯୋଗ, ସୁଖସ୍ଵାଚ୍ଛନ୍ଦ୍ୟ ଓ ସମାଜରେ ସମ୍ମାନପ୍ରାପ୍ତି ସକାଶେ ସ୍ଵର ଉଠାଉଛନ୍ତି, ଦାବି ଜଣାଉଛନ୍ତି । ଏ ଦାବିର ଔଚିତ୍ୟ ଅବଶ୍ୟ ସ୍ଵୀକାର୍ଯ୍ୟ, କିନ୍ତୁ ଶିକ୍ଷକମାତ୍ରେ ନିଜକୁ ପ୍ରକୃତ ଗୁରୁ ଆସନରେ ଅଧିଷ୍ଠିତ କରିବାର ଔଚିତ୍ୟକୁ ମଧ୍ୟ ଅସ୍ଵୀକାର କରାଯାଇ ନ ପାରେ ।

 

ଶିକ୍ଷକ ବା ଗୁରୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ଭକ୍ତି ନୈବେଦ୍ୟ ଅର୍ପଣ କରିବା ‘ଗୁରୁଦିବସ’ର ତାତ୍ପର୍ଯ୍ୟ । କେବଳ ଲୋକ ଦେଖାଣିଆ ଗୁରୁଙ୍କୁ ପୁଷ୍ପଚନ୍ଦନରେ ଭୂଷିତ କରି ଭକ୍ତିସମ୍ମାନହୀନ ପୂଜାରେ ଗୁରୁପୂଜାର ଶୁଚିତା ଓ ସାର୍ଥକତା ନଥାଏ ।

 

ଶିଷ୍ୟ ତାର ଗୁରୁଙ୍କୁ ଭକ୍ତିଭରା ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ । ଗୁରୁ ମଧ୍ୟ ଶିଷ୍ୟଠାରୁ ଓ ସମାଜଠାରୁ ଏଭଳି ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ପାଇବାର ଅଧିକାରୀ ଓ ଯୋଗ୍ୟ ହୁଅନ୍ତୁ । ଯେପରିକି ସବୁରି ମନରେ ସ୍ଵତଃ ସ୍ଫୁରିବ—

 

‘‘ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତ ଯେନ ଚରାଚରଂ

ତତ୍ପଦଂ ଦର୍ଶିତଂ ଯେନ, ତସ୍ମୈ ଶ୍ରୀ ଗୁରବେ ନମଃ ।’’

 

ଭାରତର ପୂର୍ବତନ ରାଷ୍ଟ୍ରପତି ସମ୍ମାନନୀୟ ସର୍ବପଲ୍ଲୀ ରାଧାକୃଷ୍ଣନ, ଯେଉଁ ଉଦ୍ଦେଶ୍ୟରେ ତାଙ୍କର ଜନ୍ମତିଥିଟିକୁ ଏ ଜାତି ଉଦ୍ଦେଶ୍ୟରେ ‘ଗୁରୁଦିବସ’ ରୂପେ ଉତ୍ସର୍ଗ କରିଛନ୍ତି, ତାଙ୍କର ସେଇ ମହତ୍ ଉଦ୍ଦେଶ୍ୟ ସାର୍ଥକ ହେଉ, ସଫଳ ହେଉ ।

Image

 

ଜୀବନର ରଙ୍ଗ

 

ମନୁଷ୍ୟ ଜୀବନର ରଙ୍ଗ ଢଙ୍ଗ ସମ୍ବନ୍ଧରେ ଏହା ଏକ ଚୁମ୍ବକ ପରିଚୟ । ବାସ୍ତବ ଜୀବନର ରଙ୍ଗ ଯାହା ଥିଲା ଆଜି ତାହା ଭିନ୍ନ । ବଦଳିଯାଇଛି ଜୀବନର ଗତିରୀତି, ଚାହାଣୀ ଓ ଚଳଣୀ । ପାଶ୍ଚାତ୍ୟ ଜୀବନଠାରୁ ପ୍ରାଚ୍ୟର ଜୀବନ ଥିଲା ସ୍ଵତନ୍ତ୍ର । ବିଶେଷତଃ ଭାରତୀୟ ଜୀବନ ଥିଲା ଶୁଦ୍ଧ, ପବିତ୍ର, ସରଳ ଓ ସୁନ୍ଦର । ‘ସରଳ ଜୀବନ ଓ ଉଚ୍ଚ ଚିନ୍ତନ’ ‘ରୋଟା ଖାଇବା ଓ ମୋଟା ପିନ୍ଧିବା’ ଥିଲା ଆମର ଆଦର୍ଶ, ଆମର ଐତିହ୍ୟ । ଭୋଗ ଭିତରେ ଥାଇ ମଧ୍ୟ ଆମେ ଥିଲୁ ଏ ପ୍ରକାରର ଯୋଗୀ । ତେଣୁ ଆମେ ଖୋଜିବୁଲୁ ନ ଥିଲୁ ପ୍ରାଚୁର୍ଯ୍ୟକୁ ଐଶ୍ଵର୍ଯ୍ୟକୁ କିମ୍ବା ପଦମର୍ଯ୍ୟାଦାକୁ । ତାହା ପାଇବାକୁ ଆମେ ନ ଥିଲୁ ବ୍ୟସ୍ତ ବିବ୍ରତା । ସେଥିପାଇଁ ଅତୀତରେ ଆମର କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଇତ୍ୟାଦିର ଭୂୟୋବିକାଶ ସମ୍ଭବ ହୋଇପାରିଥିଲା ଏବଂ ସେଥିପାଇଁ ଆମର ଅତୀତ ଥିଲା ଗୌରବମୟ ଓ ଉଜ୍ଜ୍ୱଳମୟ । ପ୍ରବଞ୍ଚନା, ପ୍ରତାରଣା, ପରମୁଖାପେକ୍ଷିତା ଓ ପରପଦଲେହନ-ପ୍ରବୃତ୍ତିଠାରୁ ଦୂରରେ ରହିବା ଥିଲା ଆମର ଅତୀତର ଶିକ୍ଷା-। ଆମର ଥିଲା ଚରିତ୍ରନିଷ୍ଠା, ଜ୍ଞାନର ଗାରିମା । ସେଥିପାଇଁ ତତ୍‍କାଳୀନ ସମାଜ ଥିଲା ଦୁର୍ନୀତିମୁକ୍ତ, ଶୋଷଣମୁକ୍ତ ଏବଂ ନ୍ୟାୟ ଓ ନୀତିଯୁକ୍ତ । ପାଶ୍ଚାତ୍ୟ ସଭ୍ୟତାର ଦୀକ୍ଷିତ ନ ହୋଇ ବିଶ୍ୱବିଦ୍ୟାଳୟ ଶିକ୍ଷା ନ ଥାଇ ମଧ୍ୟ ଆମର ପୂର୍ବସୂରୀମାନେ ଶିକ୍ଷା ଓ ସଭ୍ୟତାରେ, ଅନ୍ୟ ଯେକୌଣସି ଜାତିଠାରୁ ଶ୍ରେଷ୍ଠ ଥିଲେ ବୋଲି ନିଃସନ୍ଦେହରେ କୁହାଯାଇପାରେ । ଅବଶ୍ୟ ଆଦିମ ସଭ୍ୟତା କଥା ସ୍ଵତନ୍ତ୍ର; କିନ୍ତୁ ବୈଦିକ ସଭ୍ୟତା ବା ବେଦୋତ୍ତର ସଭ୍ୟତା ଭାରତର ଥିଲା ସଂପୂର୍ଣ୍ଣ ନିଜସ୍ଵ ଏବଂ ତାହା ସମାଦୃତ ଓ ସମ୍ମାନିତ ହୋଇଥିଲା ।

 

ସେ ସମାଜ ଦୂଷିତ ନ ଥିଲା । ସତ୍ୟ, ନ୍ୟାୟ, ନିଷ୍ଠା, ସାଧୁତା ଚରିତ୍ରବତ୍ତା, ଓ ମାନବିକତା ଥିଲା ସେ ସମାଜର ଶ୍ରେୟ ଓ ଧ୍ୟେୟ । ଜ୍ଞାନର ଆଦର ଥିଲା ‘ବିଦ୍ଵାନ ସର୍ବତ୍ର ପୂଜ୍ୟତେ’ ଏହାହିଁ ଥିଲା ଶାସ୍ତ୍ରବାକ୍ୟ । ଗୁଣର ଗରାଖ ଥିଲେ; ପ୍ରକୃତ ଗୁଣକୁ ଗୁଣୀ ଚିହ୍ନୁଥିଲା । ପୁଣି, ‘‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର’’ ମନେ ହେଉଥିଲା । ତେଣୁ ଚରିତ୍ର ଉପରେ ପ୍ରାଧାନ୍ୟ ଥିଲା । ଫଳରେ, ଚରିତ୍ରହୀନ ବା ଦୁଶ୍ଚରିତ୍ର ଲୋକ ସମାଜରେ ନିନ୍ଦିତ ହେଉଥିଲା ଏବଂ ଦଣ୍ଡବିଧାନର ବ୍ୟବସ୍ଥା ତା ପ୍ରତି ଥିଲା ଓ ଦଣ୍ଡ ବିଧାନ ମଧ୍ୟ କରା ଯାଉଥିଲା । ଫଳରେ ଦୁଷ୍କର୍ମ ବା ଦୁର୍ନୀତି କରିବା ପାଇଁ ଭୟ ରହୁଥିଲା । ଚରିତ୍ରର ସାମାନ୍ୟ ସ୍ଖଳନରେ ସୁଦ୍ଧା କଠୋର ଦଣ୍ଡବିଧାନରୁ ମୁକ୍ତି ନ ଥିଲା । ଚରିତ୍ରରେ ସାମାନ୍ୟତମ ସନ୍ଦେହରେ ସୁଦ୍ଧା ଅନ୍ତଃସତ୍ତ୍ଵା ସତୀ ସୀତାଙ୍କୁ ରାମଚନ୍ଦ୍ରଙ୍କ ଆଦେଶରେ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।

 

ଦେବରାଜ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ପଟୀୟସୀ ଲାବଣ୍ୟମୟୀ ରମ୍ଭାଙ୍କ ପ୍ରତି ସାମାନ୍ୟ କଟାକ୍ଷପାତ ଅପରାଧ ଯୋଗୁ ଗନ୍ଧର୍ବସେନ ଇନ୍ଦ୍ରଙ୍କ ଦ୍ଵାରା ଅଭିଶପ୍ତ ହୋଇ ମର୍ତ୍ତ୍ୟକୁ ଆସି ବହୁ କଷ୍ଟ ସ୍ଵୀକାର କରିବାକୁ ପଡ଼ିଥିଲା ବୋଲି ପୁରାଣ ଶାସ୍ତ୍ର କହେ । ସାମାନ୍ୟତମ ଦୁଷ୍କର୍ମ ପାଇଁ ନିର୍ମ୍ମମ ଦଣ୍ଡ ବିଧାନର ଏଭଳି ଦୁଷ୍ଟାନ୍ତର ଅଭାବ ନାହିଁ ।

 

ଏପରିକି, ପୂଜ୍ୟପୂଜାର ସାମାନ୍ୟ ବ୍ୟତିକ୍ରମ ସୁଦ୍ଧା ଅସହ୍ୟ ହେଉଥିଲା । ଦୁଷ୍ମନ୍ତ—ପ୍ରେମରେ ନିମଗ୍ନା ବିଚାରୀ ଶକୁନ୍ତଳାଙ୍କୁ ପ୍ରଚଣ୍ଡ ତପୀ ଦୁର୍ବାସାଙ୍କ ଉପସ୍ଥିତି ଅଜ୍ଞାତ ଯୋଗୁ ତାଙ୍କର ଅଭ୍ୟର୍ଥନାରେ ଅବହେଳା ପ୍ରଦର୍ଶନ ଫଳରେ ଦୁର୍ବାସାଙ୍କ ଠାରୁ କଠୋର ଅଭିଶାପ ସହିବାକୁ ପଡ଼ିଥିଲା ।

 

‘‘ଘେନ ପୂଜ୍ୟ-ପୂଜା-ବ୍ୟତିକ୍ରମ ଫଳ

ଯା’ ଠାରେ ରଖିଛୁ ଲୟ

ସେ ତତେ ଚିହ୍ନିବ ନାହିଁ ତୁ ଦେଲେହେଁ

ଆପଣାର ପରିଚୟ ।’’

 

କିନ୍ତୁ ଆଜିର ସମାଜ ବଦଳି ଯାଇଛି । ଜୀବନର ରଙ୍ଗ ବଦଳି ଯାଇଛି । ଅସତ୍ୟ ଅନ୍ୟାୟ, ଅବିଚାର, ଠକାମି ଓ ଭଣ୍ଡାମିରେ ସମାଜ ଆଜି କଳୁଷିତ ଓ କଳଙ୍କିତ ।

 

ଆଜିର ସମାଜରେ ଧନ ଓ କ୍ଷମତାହିଁ ପ୍ରାଧାନ୍ୟ ଲଭିଛି । ଏଇ ଧନ-ପ୍ରାଧାନ୍ୟ ଓ କ୍ଷମତା-ମତ୍ତ ସମାଜରେ ଧନ ଓ କ୍ଷମତା ପାଇଁ ଅଧିକାଂଶ ପାଗଳ—ଜ୍ଞାନ ପାଇଁ ଯେତେ ନୁହେଁ । ସାଧୁତା ଓ ମାନବିକତା ଊଣା ହୋଇଯାଇଛି । ଯେକୌଣସି ଉପାୟରେ, କଳେ ବଳେ କଉଶଳେ ଧନ ଓ କ୍ଷମତା ଅର୍ଜନ କରିବାର ନିଶାରେ ଅନେକ ପାଗଳ—ଉପାୟ ଯେତେ ଅସାଧୁ ହେଉ ପଛକେ—ସମାଜର ଏହି ମାତାଲମାନେ ବେପରୁଆ । ଯିଏ ଯେତେ ଅନ୍ୟକୁ ପ୍ରବଞ୍ଚିତ ଓ ପ୍ରତାରିତ କରି ପାରିଲା, ଭଣ୍ଡେଇ ଭୁଲେଇ ପାରିଲା, ସେ ନିଜକୁ ସେତେ ପାରଙ୍ଗମ ଓ ବୁଦ୍ଧିଆ ବୋଲି ମନେ କରୁଛି ଏବଂ ସେହି ବ୍ୟକ୍ତି ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ଆସନ ବିଶେଷ ଜାହିର କରି ପାରିଛନ୍ତି । ସମାଜର ବ୍ୟବସ୍ଥା ଏପରି ହୋଇଛି ଯେ ପୁଅ ବାପକୁ ଠକୁଛି, ବାପ ପୁଅକୁ ଠକୁଛି, ଭାଇ ଭାଇକୁ ଠକୁଛି, ମୁନିବ କର୍ମଚାରୀକୁ ଠକୁଛି, କର୍ମଚାରୀ ମୁନିବକୁ ଫାଙ୍କୁଚି, ଦୋକାନୀ ଲୋକଙ୍କୁ ଠକୁଛି ଓ ସରକାରଙ୍କୁ ଫାଙ୍କୁଚି, ଶିକ୍ଷକ ଛାତ୍ରକୁ ଠକୁଛି ଏବଂ ଛାତ୍ର ଶିକ୍ଷକଙ୍କୁ ଫାଙ୍କୁଚି ପ୍ରତ୍ୟକ ଅନ୍ୟକୁ ଠକିବାରେ ବ୍ୟସ୍ତ । ସେଥିପାଇଁ ନାନା ଫନ୍ଦିଫିକର । ଏ ଫନ୍ଦିଫିକର—ଅନଭିଜ୍ଞ ଲୋକ ଆଜିର ସମାଜରେ ନିର୍ବୋଧ ରୂପେ ପରିଚିତ ।

 

ଏହାର କାରଣ, ଆଜିର ସମାଜ ଅତିମାତ୍ରାରେ ଦୁର୍ନୀତିଗ୍ରସ୍ତ—ଯେହେତୁ ଶାସନ ଠିକ୍‍ ନାହିଁ । ତେଣୁ ସମାଜ ଠିକ୍‍ ରହିବ କୁଆଡ଼ୁ ? ଅଖ ଢିଲାକୁ ଚକ ଢିଲା—ଫଳରେ ବଜାରରେ କଳାର କାରବାର ଚାଲିଛି ବେଶି ।

 

ସବୁଠାରୁ ମଜାକଥା—ଜିନିଷ ନାହିଁ; କିନ୍ତୁ ଅଛି । ଏଇ ଅଛି ଓ ନାହିଁ ର ଖେଳ ଚାଲିଛି ପ୍ରକାଶ୍ୟରେ; ବିକିବା ପାଇଁ ଜିନିଷ ନାହିଁ, କିନ୍ତୁ କଳାବଜାରରେ ଚଢ଼ାଦରରେ ନେବାକୁ ଚାହିଁଲେ ଜିନିଷ ଅଛି । ଇୟେ ହେଲା ଐନ୍ଦ୍ରଜାଲିକ ଖେଳ—ହଟଚମଟ ।

 

କଳାବଜାରୀମାନଙ୍କୁ ଜନପଥର ନିକଟତମ ବତୀଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ଆମର ସ୍ଵର୍ଗତ ପ୍ରଧାନମନ୍ତ୍ରୀ ଜବାହାର ଲାଲଜୀ କହିଥିଲେ । ଏମାନଙ୍କୁ ଧରି ନେଇ ରାସ୍ତାରେ ବେତ୍ରାଘାତ କରାଯିବ ବୋଲି କେହି କେହି ନେତା ମଧ୍ୟ ଶୁଣାଇଥିଲେ; କିନ୍ତୁ ଏ ଦେଶର ଜଣେହେଲେ କଳାବଜାରୀ ଏପର୍ଯ୍ୟନ୍ତ ବତୀଖୁଣ୍ଟରେ ଝୁଲିନାହାନ୍ତି କିମ୍ବା ବେତ୍ରାଘାତରେ ଆହାତ ହୋଇନାହାନ୍ତି ।

 

ଏ ଦେଶରେ ଜିନିଷପତ୍ରର ଦରଦାମର ଆନୁପାତିକ ବୃଦ୍ଧି ଅତ୍ୟନ୍ତ ବିସ୍ମିତ କରିଛି ଜନସାଧାରଣଙ୍କୁ । ନୂଆଦିଲ୍ଲୀର ଜାତୀୟ ଖାଉଟି ସଂସ୍ଥା ଆନୁକୂଲ୍ୟରେ ହୋଇଥିବା ଏକ ଅନୁଧ୍ୟାନ ବିବରଣୀରୁ (ସର୍ଭେ ରିପୋଟ)ରୁ ଜଣାଯାଏ ଯେ, ୧୯୬୩ ଅକ୍ଟୋବର ଠାରୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଜିନିଷର ଦର ଖୁବବେଶୀ ବୃଦ୍ଧି ପାଇଛି । ବିଶେଷତଃ ଖାଦ୍ୟଦ୍ରବ୍ୟ ମୂଲ୍ୟ ଶତକଡ଼ା ଅନୂନ୍ୟ ୨୦ଭାଗରୁ ସର୍ବୋଚ୍ଚ ୭୩ ଭାଗଯାଏ ବଢ଼ିଛି । ଅଥଚ ପ୍ରସାଧନ ସାମଗ୍ରୀର ସେଭଳି ଆନୁପାତିକ ଦରବୃଦ୍ଧି ଘଟିନାହିଁ । ପୁଣି ଭାରତୀୟ ମୁଦ୍ରା ମୂଲ୍ୟର ହ୍ରାସ ପରେ ଜିନିଷ ପତ୍ରର ଦରଦାମ ଆହୁରି ବଢ଼ି ଯାଇଛି ଓ ଏହା ଦିନକୁ ଦିନ ବଢ଼ି ଚାଲିଛି । ଫଳରେ ସାଧାରଣ ଜୀବନଯାତ୍ରା ଦୁର୍ବିସହ ଓ ଦୁର୍ବହ ହୋଇଉଠିଛି । ଏହା ସାଙ୍ଗକୁ ଦରିଦ୍ରର କଷାଘାତ ଓ ବେକାରୀର ବେତ୍ରାଘାତରେ ଜୀବନ ଆହୁରି ଅତିଷ୍ଟ ଓ ବିପର୍ଯ୍ୟସ୍ତ । ବିଶେଷତଃ ତାରୁଣ୍ୟ ଓ ଯୌବନର ପ୍ରସ୍ପୁଟନୋନ୍ମୁଖୀ ଫୁଲ ଫୁଟିବା ପୂର୍ବରୁ ଝାଉଁଳି ଯାଇଛି, ମଉଳି ପଡ଼ୁଛି ।

 

ଜୀବନଯାତ୍ରା ଦୁର୍ବହ ହେଉଥିବା କାରଣରୁ ସର୍ବତ୍ର ପ୍ରକାଶ ପାଇଛି ଅଶାନ୍ତି, ଅସନ୍ତୋଷ-। ଫଳରେ ବିକ୍ଷୋଭ, ପ୍ରତିବାଦ, ଆନ୍ଦୋଳନ ଫୁଟି ପଡ଼ୁଛି ଆପେ ଆପେ । ପେଟ ତାତିଲେ ଆତ୍ମା ତାତେ । ଆତ୍ମା ତାତିଲେ ଅସନ୍ତୋଷ ବଢ଼େ । ଶେଷରେ ପୁଞ୍ଜିଭୂତ ଅସନ୍ତୋଷର ବହ୍ନି ଜଳିଉଠେ ଅତି ଅଚାନକ ଭାବରେ । ପେଟ ତାତିଲେ ମୁଣ୍ଡ ଅକାମୀ । କଳା ସାହିତ୍ୟର ସୃଷ୍ଟି ସମ୍ଭବ ହେବ କିପରି ? ‘‘ଅନ୍ନଚିନ୍ତା ଚମତ୍କାରା କାତରେ କବିତା କ୍ଲୁତଃ’’ । ଅନ୍ନସଂସ୍ଥା ଅର୍ଥାତ ବଞ୍ଚିବାର ବ୍ୟବସ୍ଥା ଯେଉଁଠି ଅତ୍ୟନ୍ତ ଅନିଶ୍ଚିତ ଓ ମଣିଷ ଯେତେବଳେ ଅନ୍ନ ପାଇଁ ପେଟର ତାତିକୁ ଥଣ୍ଡା କରିବାରେ ଚିନ୍ତିତ, ସେତେବେଳେ ଯେକୌଣସି ସର୍ଜ୍ଜନା ବ୍ୟାହତ ହେବା ସ୍ଵାଭାବିକ । ଆମର ଓଡ଼ିଆ କବି ଜଗନ୍ନାଥ ଦାସଙ୍କ ଭାଗବତରେ ନିର୍ଦ୍ଦେଶିତ ସେଇ ବାଣୀ—‘‘ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି ?’’ ସୁତରାଂ ଅନ୍ନର ଅଭାବରେ ସାହିତ୍ୟ ଓ ସଂସ୍କୃତି ମରି ଯାଇଛି । ତେଣୁ ଜୀବନର ରଙ୍ଗ ବଦଳି ଯାଇଛି ।

Image

 

କଟକ : ଗତକାଲି ଓ ଆଜି

 

କଟକ ନଗରୀ ନାମରେ ଯାହା ଆଜି ଆମ ଆଗରେ ପ୍ରତିଭାତ, ଯାହାର ପେଟଟା ବେଲୁନ ଭଳି ଫୁଲି ଉଠିଛି ଦୁଇଲକ୍ଷରୁ ଅଧିକ ଜନସଂଖ୍ୟାରେ, ଯେଉଁଠି ପଞ୍ଚତଳପ୍ରାସାଦ ଓ ନଡ଼ା କୁଡ଼ିଆରେ ଏକତ୍ର ସମାବେଶ (ଅବଶ୍ୟ ଏଠାରେ ଦିନେ ନବତଳ ପ୍ରାସାଦ ଥିଲା, ଆଜି ତାହା ନାହିଁ, କେବଳ ସ୍ମୃତିଚିହ୍ନ ଅଛି) ସେହି କଟକ ନଗରି ଆଠଶହବର୍ଷ ତଳେ ଏମିତି ନ ଥିଲା । କୋଠାବାଡ଼ି ନ ଥିଲା । ତାହା ଥିଲା ବଣ ଜଙ୍ଗଲ, ଲତା ଦ୍ରୁମ ପରିପୂର୍ଣ୍ଣ । ହୁଏତ ବାଘ ଭାଲୁ ଆଦି ବଣ୍ୟ ଜନ୍ତୁଙ୍କର ଲୀଳାଭୂମି ଥିଲା ।

 

କଟକ ସହର କହିଲେ ସାଧାରଣତଃ ବୁଝାଏ କାଠଯୋଡ଼ି ଓ ମହାନଦୀ ମଝିରେ ଠିଆ ଭୂଭାଗକୁ, ଯାହା ତିନି ପାର୍ଶ୍ଵରେ ନଦୀ ଦ୍ଵାରା ବେଷ୍ଟିତ । ଏହା ପ୍ରାୟ ଏକ ଦ୍ୱୀପ ଭଳି ମନେହୁଏ । ଆୟତନରେ ସେତେ ବଡ଼ ନୁହେଁ । ଇଞ୍ଜିନିୟରିଂ କୌଶଳ ଯୋଗୁ ଉଭୟ ପଟ ନଦୀ ଉପରେ ରେଳପୋଲ ଓ ସଡ଼କସେତୁ ତିଆରି ହେବାରୁ ସିନା, ଅନ୍ୟ ଅଞ୍ଚଳ ସହ ଏହା ସଂଯୁକ୍ତ ହୋଇ ପାରିଛି, ଯୋଗାଯୋଗ ଓ ସମ୍ପର୍କ ସମ୍ଭବ ହୋଇ ପାରିଛି । ନହେଲେ ତ ଶହେବର୍ଷ ତଳେ ଯୋଗାଯୋଗ ବ୍ୟବସ୍ଥା କହିଲେ ଜଳପଥରେ ଡଙ୍ଗାହିଁ ଏକମାତ୍ର ବ୍ୟବସ୍ଥା ଥିଲା ।

 

ଓଡ଼ିଶାର ଅନ୍ୟ ଅଞ୍ଚଳର ଲୋକ ଯେତେବଳେ ଭକ୍ତକବି ମଧୁସୁଦନ ରାଓଙ୍କ ‘ବର୍ଣ୍ଣବୋଧ’ ବହିରୁ ‘କଟକ ନଗର ଧବଳ ଟଗର’ ବୋଲି ପଢ଼ନ୍ତି, ସେତେବେଳେ ସେଇ କଟକ ନଗର ଦେଖିବାକୁ ପ୍ରବଳ ଇଚ୍ଛା ହୋଇଥାଏ ଏଇ କଟକ ନଗରର ରୂପ କ’ଣ ଥିଲା, ତାହା ଇତିହାସ ଘାଣ୍ଟିଲେ ଜାଣିବା ଯେ ମାଦଳା ପାଞ୍ଜି ଅନୁସାରେ ନୃପକେଶରୀ ପ୍ରଥମେ କଟକ ସହର ସ୍ଥାପନ କରିଥିଲେ ଓ ମର୍କତ କେଶରୀ ଏହାର ସୁରକ୍ଷା ପାଇଁ ନଦୀ କୂଳରେ ପଥର ବନ୍ଧ ନିର୍ମାଣ କରାଇଥିଲେ । ଅବଶ୍ୟ ଏ ବିଷୟରେ ଭିନ୍ନ ମତ ରହିଛି । ଏଇ ପଥର ବନ୍ଧ ନିର୍ମାଣ ସମ୍ପର୍କରେ ଗୋଟିଏ ଲୋକକଥା ଶୁଣାଯାଏ । ତାହା ହେଉଛି—ପଥର ବନ୍ଧ ହେବା ପୂର୍ବରୁ ରାଜା ଥରେ ନଈ ଆରପାରିକୁ ପାରିଧିକୁ ଯାଇଥିଲେ । ସେ ପାଖ ଗାଁରେ ଜଣେ ବୃଦ୍ଧଚାଷୀ ଜମିହଳ କରୁଥିଲେ । ରାଜା ସେଇ ଚାଷୀ ପାଖରେ ପହଞ୍ଚି କଟକ ଖବର ବୁଝିଲେ । ଚାଷୀ କହିଲା—‘‘ଏ କଟକ ସହର ରହିବ ନାହିଁ, କିଛି ବର୍ଷ ପରେ ନଈରେ ଭାସିଯିବ; କାରଣ ନଈ ତଟରେ ବନ୍ଧ ନାହିଁ ।’’ ଏ କଥା ଶୁଣିବା ପରେ ରାଜା ନଈ କୂଳେ କୂଳେ ବନ୍ଧ ପକାଇବା ଚିନ୍ତା କଲେ । ଇଞ୍ଜିନିୟର ଡକାଇ ପଥର ବନ୍ଧ ଯୋଜନା କଲେ । ସେଇ ବୁଢ଼ା ଚାଷୀର ନାମ ‘ବାଇମୁଣ୍ଡି’ । ସେଥିପାଇଁ ‘ବାଇମୁଣ୍ଡିକୁ କଟକ ଚିନ୍ତା’ ବୋଲି ପ୍ରବଚନ ଆଦ୍ୟାବଧି ପ୍ରଚଳିତ ।

 

ଇତିହାସ କହେ—ଉତ୍କଳରେ ଗଙ୍ଗ ବଂଶର ରାଜତ୍ଵ ପରେ ସୂର୍ଯ୍ୟ ବଂଶୀୟ ରାଜାମାନେ ରାଜୁତି କରିଥିଲେ । ସେଇ ସୂର୍ଯ୍ୟବଂଶର ଶେଷ ସ୍ଵାଧୀନ ରାଜାହେଲେ ମୁକୁନ୍ଦଦେବ । କଟକ ନଗରର ଗୋଟିଏ ପାର୍ଶ୍ଵରେ ଆଜି ଯେଉଁ ବାରବାଟୀ ଦୁର୍ଗର ଭଗ୍ନସ୍ତୂପ ଆମର ଦୃଷ୍ଟି ଗୋଚର ହୁଏ; ସେଇ ବାରବାଟୀଠାରେ ଏଇ ସୁରମ୍ୟ ଦୁର୍ଗ ନିର୍ମାଣ କରିଥିଲେ ରାଜା ମୁକୁନ୍ଦଦେବ । ସେଇ ସୁରମ୍ୟ ପ୍ରସାଦକୁ ‘ବିଧର୍ମୀ’ ‘କଳାପାହାଡ଼’ ଭାଙ୍ଗି ଚୁରମାର କରି ଦେଇଥିଲା । ସୁରମ୍ୟ ନବତଳ ପ୍ରାସାଦ ଓ ତତ୍‍ସଂଲଗ୍ନ ପୁଷ୍ପଉଦ୍ୟାନାଦି ଲୋପ ପାଇ ସେଇ ସ୍ଥାନରେ ମୂକ ସାକ୍ଷୀରୂପେ ଆଜି ରହିଛି ଖାଲି ମାଟି ଓ ପଥରର ଧ୍ଵଂସ ସ୍ତୂପ । କର୍ପୂର ଉଡ଼ିଯାଇଛି, କେବଳ କନା ପଡ଼ିଛି । ବାରବାଟୀ ଗଡ଼ଖାଇ ଏବେ ଏହାର ମୌନସାକ୍ଷୀ ।

 

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନ୍ଦୀର ସ୍ଵଦେଶଚିନ୍ତା’ କବିତାରେ ଗରିମାମୟ-ଐତିହ୍ୟ ଅତ୍ୟନ୍ତ ମଞ୍ଜୁଳ ଓ ମନୋଜ୍ଞଭାବେ ବର୍ଣ୍ଣନା କରାଯାଇଛି । କବି ଉନ୍ମୁକ୍ତ ପ୍ରାଣରେ ଗାଇ ଉଠିଛନ୍ତି—

 

‘‘ଖଣ୍ଡଗିରିପରେ ଉନ୍ମୁକ୍ତ ଅମ୍ବରେ

କରିଥିବ ନବଗତି ରଚନା ।

ବାଟରେ ଅଟକ କଲାକି କଟକ

ମହାନଦୀ ନୀଳନୀର-ବସନା ।।

ଫୁଲିଉଠିଥିବ ମହାନଦୀ ବକ୍ଷ

କମ୍ପି ଉଠିଥିବ ଲହରୀହାର ।

ପଠାଖଡ଼ୀପନ୍ତି ଥିଲେ ମଥାପୋତି

ମୃଦୁହାସେ ଦେଖିଅଙ୍ଗବିକାର ।।

ଦେଖିଥିବ ତହିଁ ବାରବାଟୀ ଦଶା

କି ବେଦନା ଥିବ ମରମେ ବାଧି ।

ଉତ୍କଳର ବୀର-ବିହାର-ପ୍ରାଙ୍ଗଣ

ଏବେସେ ଉତ୍କଳ ଶୌର୍ଯ୍ୟ ସମାଧି ।।

କରପୁର ଉଡ଼ି କନାଥିଲେ ପଡ଼ି

କନା ରଖିଥାଏ କର୍ପୂର ସ୍ମୁତି ।

କନାଯାଇଁ ନାଶ ରହିଲେ ପାଉଁଶ

ଧରିବ ତା ଦେଖି କିଏ ସେ ଧୃତି ?

ଉଚ୍ଚ ମାଟିଗଦା ରୁଷରିକ୍ତ ପଦା

ପ୍ରାଚୀନ ଜାତିର ଶକ୍ତି ଶ୍ମଶାନ ।

ନିରେଖି ମଳୟ ! ସଦୟହୃଦୟ

ହୋଇ କରିଥିବ ଶୋକେ ସମ୍ମାନ ।।

 

କଟକର ଐତିହାସିକ ଗୁରୁତ୍ଵମଣ୍ଡିତ ଓ ଗୌରବଦୀପ୍ତ ବାରବାଟୀ ପ୍ରତି କବି ଗୋପବନ୍ଧୁ ଅଶ୍ରୁଳ ସମ୍ମାନ ଜଣାଇଛନ୍ତି ତାଙ୍କ ରଚନା-ଚାତୁରୀ ସମ୍ଭାରରେ । ବାସ୍ତବରେ ଏଇ ବାରବାଟୀର ଅତୀତ ଗୌରବ ଆଜି ଲୁପ୍ତ ଓ ସୁପ୍ତ । ମାତ୍ର ଏଇ ସ୍ମୃତି ପଡ଼ିରହିଛି କଟକ ନଗରୀର ଛାତି ଉପରେ-

 

ପ୍ରାବନ୍ଧିକ ଶଶିଭୂଷଣ ରାୟ ମଧ୍ୟ ତାଙ୍କ ରଚିତ ‘କନିକା ଦର୍ଶନ’ ପୁସ୍ତକାରେ କଟକର ପାଦଧୌତକାରିଣୀ ମହାନଦୀର ବର୍ଣ୍ଣନା ଅତି ଚମତ୍କାର ଭାବେ କରିଯାଇଛନ୍ତି—

 

‘‘ବର୍ଷାବାରିସ୍ପୀତ କୁଳପ୍ଳାବୀ ମହାନଦୀ ଆଜି ଶରତକୃଶା, ତେଣେ ଜରତୀ ବରଷାର ଧବଳ ଜଟା ରୂପ କାଳକୁସୁମରେ ଏହାର ବକ୍ଷ ଶୁଭ୍ରୀକୃତ । ବାୟୁଲହରୀ ଏହି କାଶଚାମର ସମୂହକୁ ସର୍ବଦା ଆନ୍ଦୋଳନ କରିବାକୁ ଅଜସ୍ର ବ୍ୟସ୍ତ ।’’

 

କଟକର ବାରବାଟୀ ଓ ମହାନଦୀ ଏ ଦୁଇଟି କଳାକାର, କବି ଆଉ ଲେଖକଙ୍କୁ ନିଜର କରି ନେଇଛି ଚିରଦିନ ଲାଗି । କବି ମାୟାଧର ମାନସିଂହ ‘ମହାନଦୀରେ ଜ୍ୟୋସ୍ନା ବିହାର’ କବିତାରେ ଗାଇଉଠିଛନ୍ତି—

 

ଅଙ୍ଗେ ଘେନି ମହାନଦୀ ଶୀକର ନିଷେକ

ଦୂରେ ଓ ନିକଟେ ଦିଶେ ନଦୀପଠା ଶତ ।

ଶରବଣ ଶ୍ୟାମଚ୍ଛବି ଦୀର୍ଘାକୃତ ବେକ

ବିରହୀ ଚକୋର ଯହିଁ କାନ୍ଦେ ଅବିରତ ।।

ତରଣୀ ଚଳଇ ମୋର ବାରବାଟୀ ତଳେ

ରହରେ ନାଉରି ! ଦଣ୍ଡେଭିଡ଼ ଏଥି ତରୀ ।

ମୋ ମଥା ଲଗାଇ ପୂତ ସୋପାନ ପ୍ରସ୍ତରେ

ଦିଏ ଅପଦାର୍ଥ ପ୍ରାଣେ କୃତକୃତ୍ୟ ଭରି ।।

ସେଦିନ ଏ ଶିଳାପରେ ଅବଗାହେ ଆସି

ସୁକୁମାରୀ ରାଜବାଳା ଆଙ୍କିଥିବ ତାର

ଲକ୍ଷାରକ୍ତ ପଦଚ୍ଛବି କରି-ମତ୍ତକାଶୀ

କଠିନପାଷାଣ ଦେହେ ଆନନ୍ଦ ସଂଚାର ।।

 

ସ୍ଵାଧୀନ ରାଜା ମୁକୁନ୍ଦଦେବଙ୍କ ସମୟରୁ ଓଡ଼ିଶାକୁ ଦାଖଲ କଲେ ମୋଗଲମାନେ । ସେମାନେ ମଧ୍ୟ ଏଇ କଟକକୁ ରାଜଧାନୀ ରଖିଥିଲେ । କଟକ ସହରର ଲାଲବାଗ ଅଞ୍ଚଳ ସେଇ ମୋଗଲ ଅମଳର ସୃଷ୍ଟି । ମୋଗଲ ରାଜତ୍ଵ ବେଳେ କଟକକୁ ‘ଟଙ୍କ ତିଆରି ସହର’ ରୂପେ ସେମାନେ ଜାଣିଲେ ଏବଂ ‘କଟକ ବନାରସ’ ନାମରେ ମୁଦ୍ରା ପ୍ରଚଳନ କଲେ ବୋଲି ଐତିହାସିକ ଶ୍ରୀଯୁକ୍ତ କେଦାରନାଥ ମହାପାତ୍ର ଉଲ୍ଲେଖ କରିଛନ୍ତି । କଟକରେ ଏବେ ଯେଉଁ ଜୁମା ମସ୍‍ଜିଦ୍‍, ଛୋଟୀ ମସ୍‍ଜିଦ୍‍ ଇତ୍ୟାଦି ମସ୍‍ଜିଦ୍‍ମାନ ଦେଖାଯାଏ, ସେସବୁ ମୋଗଲମାନଙ୍କ ରାଜତ୍ଵ ବେଳେ ଏଇ ସହରରେ ଗଢ଼ି ଉଠିଥିଲା ଏବଂ ସେସବୁ ବହୁ ମନ୍ଦିରର ବିନିମୟରେ ।

 

ଭାରତର କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ‘ନୀଳଶୈଳ’ ଉପନ୍ୟାସରେ ଶ୍ରୀ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି—

 

‘‘ଔରଙ୍ଗଜୀବ୍‍ କାଳରୁ ମନ୍ଦିର ଭାଙ୍ଗିବା ଏକ ଧାର୍ମିକ କର୍ମ ଯେତିକି ଥିଲା; ରାଷ୍ଟ୍ରୀୟ ଦାୟିତ୍ଵ ମଧ୍ୟ ଥିଲା ସେତିକି । ଏକରାମ ଖାଁ ନାଏବ-ନାଜିମ ଥିବାବେଳେ, କଟକରେ ଅନଙ୍ଗଭୀମ ଦେବଙ୍କ କାଳରୁ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ପଥର କୁଢ଼ରେ ପରିଣତ କରିଦେଇଥିଲା । ସେହି ପଥରରେ ତିଆରି ହୋଇଥିଲା, କଟକର ଜୁମା ମସ୍‍ଜିଦ୍‍-। ସୁଜା ଖାଁ ୧୬୩୫ ଶକାବ୍ଦରେ ସେହି ମନ୍ଦିର ବେଢ଼ାରେ ନିର୍ମାଣ କରିଥିଲା କଦମରସୁଲ-।’’ କଟକର ଦରଘାବଜାରରେ ଏହି କଦମରସୁଲ ଏବେବି ବିଦ୍ୟମାନ । ଆଉ ଏକ ନିର୍ଦଶନ, କଟକ ବକ୍‍ସିବଜାର ଅଞ୍ଚଳରେ ଅମରେଶ୍ଵର ମନ୍ଦିର ବେଢ଼ା ଭିତରେ ମୁସଲମାନ ପୀରଙ୍କ ଆସ୍ଥାନର ଅବସ୍ଥିତି ।

 

ମୋଗଲ ପରେ ମରହଟ୍ଟାମାନେ ଓଡ଼ିଶାରେ ରାଜୁତି କଲେ ଓ ସେମାନେ ମଧ୍ୟ ଏଇ କଟକକୁ ସେମାନଙ୍କର ରାଜଧାନୀ ରୂପେ ରଖିଥିଲେ ।

 

ତା’ପରେ ଆସିଲେ ପ୍ରବଳ ପରାକ୍ରମୀ ଇଂରେଜମାନେ, ଯାହାଙ୍କର ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତମିତ ହୁଅନ୍ତି ନାହିଁ ବୋଲି ସେମାନେ ଗର୍ବ କରନ୍ତି । ସେମାନେ ମଧ୍ୟ କଟକରୁ ରାଜଧାନୀ ଉଠାଇ ନ ଥିଲେ । କିନ୍ତୁ ଦେଶ ସ୍ଵାଧୀନ ହେବା ପରେ କଂଗ୍ରେସ ଶାସନ ବେଳେ ଆମ ରାଜଧାନୀ କଟକରୁ ଭୁବନେଶ୍ଵରକୁ ସ୍ଥାନାନ୍ତରିତ ହେଲା । କଟକକୁ ଭୁବନେଶ୍ଵର ସହିତ ସଂଯୋଗ କରାଯାଇ ବୃହତ୍ତର କଟକ ନାମରେ ତାହା ପରିଚିତ ହେଲା ।

 

କଟକର ପରିଚିତି—

 

କଟକର ପରିଚିତି ସେତେବେଳେ ବିଡ଼ାନାସୀ ଗ୍ରାମଟିରେ ସୀମିତଥିଲା, ଯେଉଁ ବିଡ଼ାନାସୀ ଗ୍ରାମଟି ଏବେବି ବିଦ୍ୟମାନ । ଗଙ୍ଗ ବଂଶର ରାଜା ଚୋଳଗଙ୍ଗ ଦେବ ତାଙ୍କ ରାଜଧାନୀ ସ୍ଥାନାନ୍ତରିତ କରି କଟକକୁ ରାଜଧାନୀ କରିଥିଲେ । ପୁରାଣର ବର୍ଣ୍ଣନା ଅନୁସାରେ ମହାନଦୀର ଶାଖା ଚିତ୍ରୋତ୍ପଳା ନଦୀକୁ କଳି ଯୁଗର ଗଙ୍ଗା ମନେକରି ‘ବାରାଣସୀ କଟକ’ ଗଙ୍ଗାକୂଳରେ ଥିବାରୁ ସେଇ ଅନୁକରଣରେ ଏହାର ନାମ ‘ଅଭିନବ ବାରାଣସୀ କଟକ’ ରଖିଲେ । ଗଙ୍ଗ ବଂଶୀୟ ରାଜାମାନେ ଯେତେ ଯେଉଁଠାରେ ରାଜଧାନୀ ସ୍ଥାପନା କରିଥିଲେ, ସେ ସ୍ଥାନମାନଙ୍କୁ ସେମାନେ କଟକ ନାମରେ ନାମିତ କରିଥିଲେ । ସେହି ଅନୁସାରେ ଭୁବନେଶ୍ଵରକୁ ‘କୃତ୍ତିବାସ କଟକ’ ଛତିଆକୁ ‘ଅମରାବତୀ କଟକ’ ଯାଜପୁରକୁ ‘ବିରଜା କଟକ’ ଇତ୍ୟାଦି ନାମ ଦେଇଥିଲେ । କଥିତ ଅଛି—କଟକର ଅନ୍ୟନାମ ‘ବିଡ଼ାନାସୀ କଟକ’ ବି ଥିଲା । କାଳକ୍ରମେ ‘ବିଡ଼ାନାସୀ’ ଶବ୍ଦଟି ବାଦଯାଇ କେବଳ ‘କଟକ’ ରହିଲା । ଚୋଳଗଙ୍ଗ ଦେବଙ୍କ ରାଜତ୍ଵ କାଳରୁ ଅର୍ଥାତ୍‍ ୧୧୩୫ରୁ ୧୯୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ ଆଠଶହ ବର୍ଷଯାଏ ଐତିହାସିକ ଉତ୍କଳ ଥିବାଯାଏ, କଟକ ଥିଲା ଉତ୍କଳର ରାଜଧାନୀ । ୧୯୩୬ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବା ପରେ ମଧ୍ୟ କଟକ ଥିଲା ଏ ରାଜ୍ୟର ରାଜଧାନୀ, ତାହା ଭୁବନେଶ୍ଵରକୁ ଉଠିବା ପର୍ଯ୍ୟନ୍ତ ।

 

ଗଙ୍ଗ ବଂଶର ରାଜତ୍ଵବେଳେ କଳିଙ୍ଗର ରାଜଧାନୀ ଥିଲା ଦୁଇଟି—ଗୋଟିଏ କଟକ ଅନ୍ୟଟି ଚଉଦ୍ଵାର । ଚୋଳଗଙ୍ଗ ଦେବଙ୍କ ନାତି ଅନଙ୍ଗଭୀମ ଦେବ, କଟକର ବାରବାଟୀରେ ଦୁର୍ଗକରି ରାଜଧାନୀ କରିଥିଲେ । କଟକକୁ କାଠଯୋଡ଼ି ଅପରପଟକୁ ନ ବଢ଼ାଇ ଦକ୍ଷିଣରେ ମହାନଦୀର ଆରପଟକୁ, ଚଉଦୁଆର ପର୍ଯ୍ୟନ୍ତ ବଢ଼ାଇବାକୁ ସେତେବେଳେ ମତ ପ୍ରକାଶ ପାଇଥିଲା-

 

ଉତ୍ତରରେ ମହାନଦୀ, ଦକ୍ଷିଣରେ କାଠଯୋଡ଼ି, ପଶ୍ଚିମରେ ବିଡ଼ାନାସୀଠାରୁ ପୂର୍ବରେ ରେଳଲାଇନ ତଥା ତାଳଦଣ୍ଡା କେନାଲ ଯାଏ ଯେଉଁ ଅଞ୍ଚଳ ରହିଛି, ତାହାହିଁ କଟକ ନଗରପାଳିକା ଅଞ୍ଚଳର ଚଉହଦି । ଏହାର ଆୟତନ ସମୁଦାୟ ୨୨ ବର୍ଗ ମାଇଲରୁ ସାମାନ୍ୟ ବେଶୀ । ଚାରିକୋଣରେ ଚାରୋଟି ଶ୍ମଶାନ କଟକକୁ ଜଗି ରହିଛନ୍ତି ପ୍ରହରୀ ଭଳି । ଉତ୍ତର-ପୂର୍ବ କୋଣରେ କାଳିଆବୋଦା, ଉତ୍ତର-ପଶ୍ଚିମ କୋଣରେ ଗୋରାକବର, ଦକ୍ଷିଣ-ପଶ୍ଚିମ କୋଣରେ ସତୀଚଉରା ଏବଂ ଦକ୍ଷିଣ-ପୂର୍ବକୋଣରେ ଖାନନଗର ବିରାଜମାନ । କାଠଯୋଡ଼ା ଓ ମହାନଦୀର ଉଭୟ ମୁଣ୍ଡରେ ଏହି ଚାରୋଟି ଶ୍ମଶାନ ଭୂଇଁ ।

 

ଆଜି ଏହି କଟକ ସହରରେ ମ୍ୟୁନିସପାଲଟି, ଜିଲ୍ଲା ଜଜକୋର୍ଟ କଲେକଟୋରିଏଟ ଓ ହାଇକୋର୍ଟ ରହିଛି । ଓଡ଼ିଶାର ପ୍ରାଚୀନତମ ଓ ବୃହତ୍ତମ ବାଣୀପୀଠ ରେଭେନସା କଲେଜ ଆଜି ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଓ ୨ ଶହ ଅଧ୍ରାପକ ଅଧ୍ୟାପିକା ତଥା କର୍ମଚାରୀଙ୍କୁ ନେଇ ସଗର୍ବ ଦଣ୍ଡାୟମାନ । ଏହା ବ୍ୟତୀତ ମେଡିକାଲ କଲେଜ, ତଥା ପ୍ରକାଣ୍ଡ ହସପିଟାଲ, ସିଟିହସପିଟାଲ, ଶିଶୁଭବନ, ମଧୁସୂଦନ ମାତୃମଙ୍ଗଳ କେନ୍ଦ୍ର, ନେତାଜୀ ସୁବାସ ସେବାସଦନ, ଶିକ୍ଷକଟ୍ରେନିଂ ସ୍କୁଲ ଓ କଲେଜ, ଆଇନ କଲେଜ, ବାଣିଜ୍ୟ କଲେଜ କଅଷ୍ଟ ଓ ଅକାଉଣ୍ଟନ୍‍ସି କଲେଜ, ମହିଳା କଲେଜ ଓ ଦୁଇଟି ବେସରକାରୀ କଳା ଓ ବିଜ୍ଞାନ କଲେଜ ଏଇ ସହରରେ ଏବେ ରହିଛି । ବାଳକ ବାଳିକାଙ୍କ ୨୦ ଟି ହାଇସ୍କୁଲ ଓ ବହୁ ସଂଖ୍ୟକ ପ୍ରାଥମିକ ବିଦ୍ୟାଳୟ ବିଦ୍ୟମାନ ରହିଛି । ଓଡ଼ିଶାର ଦୈନିକ ୪ ଟି ସମ୍ବାଦପତ୍ର ଏଇ ସହରରୁ ପ୍ରତିଦିନ ସନ୍ଧ୍ୟାରେ ପ୍ରକାଶ ପାଉଛି । ବହୁ ସଂଖ୍ୟକ ସାପ୍ତାହିକ ଓ ମାସିକ ପତ୍ରପତ୍ରିକା ମଧ୍ୟ ଏଇଠୁ ପ୍ରକାଶ ପାଏ । ଏହା ଏବେ କଳା ସଂସ୍କୃତିର ପ୍ରଧାନ ପୀଠ ହୋଇଛି । ସଙ୍ଗୀତ ନୃତ୍ୟ ଅନୁଷ୍ଠାନ ଓ ସାହିତ୍ୟ ଅନୁଷ୍ଠାନ କେତୋଟି ମଧ୍ୟ ରହିଛି । ସମ୍ବାଦ, ସଂଗୀତ, ସାହିତ୍ୟ ଓ ସଂସ୍କୃତି ପ୍ରଚାରମାଧ୍ୟମ ଆକାଶବାଣୀ ବି, ତାର ସ୍ଥିତି ସଦମ୍ଭ ଘୋଷଣା କରେ ଏଇଠାରେ ।

 

ମହାନଦୀର ଗଡ଼ଗଡ଼ିଆ ଘାଟ, କାର୍ତ୍ତିକ ପୂର୍ଣ୍ଣମୀର ପ୍ରତ୍ୟୁଷରେ ଧର୍ମ ଅର୍ଜନ ପାଇଁ ଏଠାରେ ସହସ୍ର ସହସ୍ର ନର ନାରୀଙ୍କ ମୁଣ୍ଡବୁଡ଼ା ସ୍ନାନ, ପୁଣି ବୋଇତ ବନ୍ଦାଣର ସ୍ମୃତି-ସଙ୍କେତ (ଅତୀତରେ କଳିଙ୍ଗର ସାଧବମାନେ ବୋଇତ ନେଇ ଜାଭା, ସୁମାତ୍ରା, ବାଲି ଦ୍ଵୀପକୁ ବାଣିଜ୍ୟ କରିବା ଲାଗି ଏଇଠାରୁ ଅନୁକୂଳ ଯାତ୍ରା କରୁଥିଲେ ଏବଂ ସାଧବବୋହୁମାନେ ବୋଇତବନ୍ଦାଇ ସାଧବମାନଙ୍କୁ ବିଦାୟ ଦେଉଥିଲେ ।) ଐତିହାସିକ ଓ ପୌରାଣିକ ବାଲିଯାତ୍ରା ଉତ୍ସବ (କିମ୍ବଦନ୍ତୀ କହେ—ଶ୍ରୀ ଚୈତନ୍ୟ କୁଆଡ଼େ ଏଠାରେ ପଦରଜ ପକାଇଥିଲେ ।) ମହାନଦୀ ଭିତରେ କବିବର ରାଧାନାଥଙ୍କ କାବ୍ୟ-ବର୍ଣ୍ଣିତ ନନ୍ଦିକେଶ୍ଵରୀ ପଠା ଓ କାଶତଣ୍ଡୀ ଫୁଲର ବଣ, ଅନତିଦୂରରେ ନଦୀର ଅପର ପାର୍ଶ୍ଵରେ ଶ୍ରୀ ଶ୍ରୀ ଧବଳେଶ୍ଵର ମହାଦେବଙ୍କ ମନ୍ଦିର, ନରାଜ ପାହାଡ଼ ଚୂଡ଼ା, ଏପାଖରେ ପୁଣି ସୁଉଚ୍ଚ ଜୋବ୍ରା ଖୁଣ୍ଟି (ଅଧୁନା ଭଗ୍ନ) ଓ ଆନିକଟ, କାଠଯୋଡ଼ିର ବୁଚ୍ଛୁଜ, ଦେବୀଗଡ଼ା ଘାଟ—ଦଶହରାର ଭସାଣଦିନ ଦେବୀ ଦୂର୍ଗା ଓ ହରପାର୍ବତୀ ପ୍ରତିମା ବିସର୍ଜନ, ଦୀପାବଳି ଅମାବସ୍ୟାରେ ଆଲୋକସଜ୍ଜା ତଥା ଆତସବାଜି ପ୍ରଦର୍ଶନ, ହୋରିଖେଳରେ ସହରି ସଭ୍ୟତା, ଅତୀତରେ ବାରବାଟୀ ଦୁର୍ଗ ପରିବର୍ତ୍ତେ ଆଜିର ବାରବାଟୀ ଷ୍ଟାଡିୟମ, ବ୍ରିଟିଶ ଅମଳର କ୍ୟାଣ୍ଟନମେଣ୍ଟ ରୋଡ଼ ଏବଂ ସର୍ବୋପରି ଦୁର୍ଗନ୍ଧଯୁକ୍ତ ନାଳ ନର୍ଦମା ଓ ସଂକୀର୍ଣ୍ଣ ରାସ୍ତା ଗଳି, ଖାଲଖମା କଟକ ନଗରୀର ବିଶେଷତ୍ଵ ।

 

ଏଇ କଟକ ସହର ସମ୍ପର୍କରେ ବାଙ୍କିର ସ୍ଵର୍ଗତ ଗୋବିନ୍ଦ ରଥ ୧୮୯୫ ମସିହାରେ ‘କଟକ ଦର୍ଶନ’ ଓ ‘ରାଜଧାନୀ କଟକ ନଗରୀ’ ନାମରେ ଦୁଇଟି କବିତା ଲେଖିଥିଲେ । ସେଥିରେ ସେ ଏହିଭଳି ଭାବରେ ବର୍ଣ୍ଣନା କରିଥିଲେ—

 

ଓଡ଼ିଶାର ରାଜଧାନୀ କଟକ ନଗର

କାଠଯୋଡ଼ୀ ମହାନଦୀ ମଧ୍ୟରେ ସୁନ୍ଦର ।

ପୁର୍ବରେ କୃତ୍ରିମ ଖାଲ ହୋଇଛି ନିର୍ମିତ

ତେଣୁ ଏ ସହଜେ ଦ୍ୱୀପାକାର ଅନୁମିତ ।

ଧନ୍ୟ ଧନ୍ୟ ସେହି ଜନ ବଡ଼ ବୁଦ୍ଧିମାନ

କରିଥିଲା ଯେ କଟକ ନଗର ସଂସ୍ଥାନ ।

ଏ କଟକ ରାଜଧାନୀ ଅତି ପୁରାତନ

କରିଥିଲେ ହିନ୍ଦୁନୃପେ କେତେ ରାଜପଣ ।

ଅଗ୍ରତରେ ବିରାଜିଛି ବାରବାଟୀ କିଲ୍ଲା

ଅସୀମ କୌଶଳ ଯାର ପୂର୍ବକାଳେ ଥିଲା ।

ଅଗମ୍ୟ ଦୁର୍ଭେଦ୍ୟ ଅଟେ ଯେଉଁ ଗଡ଼ଖାଇ

ଶତ୍ରୁକୁ ତ୍ରାସେ ଯେ ଦୂରେ ଦିଏ ଘଉଡ଼ାଇ ।

ରହିଛି ପ୍ରବାଦ ଏଥି ଅତି ପୁରାତନ

ଦୁର୍ଗମଧ୍ୟେ ନାନା ସ୍ଥାନେ କେତେ ଗୁପ୍ତଧନ ।

ଇଂରାଜ ପୁରୁଷ ଜଣେ ଏ ପ୍ରବାଦ ଶୁଣି

ଦୁର୍ଗର ଅନେକ ସ୍ଥାନ ଖୋଳାଇଲେ ପୁଣି ।

ପଞ୍ଚୁ ମହାରଣା ନାମେ ମଙ୍ଗଳାବାଗରେ

ଥିଲେ ଯେ ବୃଦ୍ଧ କମାର ତା’ର ସାହାଯ୍ୟରେ ।

ଜଣାଅଛି ବନ୍ଧୁ କେତେ ହୋଇଲେ ଖୋଦିତ

ଦେଉଳ ଯେ ଦେଖାଇଲା ହେଲେ ଚମକିତ ।

କେତେ ଦେବତାଏ ଥିଲେ ଅକ୍ଷୁର୍ଣ୍ଣ ଭାବରେ

ପଡ଼ିଥିଲେ କେତେପୁଣି ବିକୃତ ଅଙ୍ଗରେ ।

ଦ୍ଵାଦଶ ହାତ ମୃତ୍ତିକା କରନ୍ତେ ଅନ୍ତର

ସୁଗଭୀର କୂପ ହେଲା ନୟନଗୋଚର ।

 

କଟକର ସୁନାରୁପା ତାରକସୀକାମ ବିଶ୍ଵବିଖ୍ୟାତ । କଟକର ମାଲଗୋଦାମ ଓଡ଼ିଶାର ବାଣିଜ୍ୟ କେନ୍ଦ୍ର । ଏଇ ସହରରେ ବୁକୁ ଉପରେ ଏବେ ଯେଉଁ ଗୌରୀଶଙ୍କର ପାର୍କଟି ଅଛି, ତାହା ଦିନେ ଚନ୍ଦନ ପୋଖରୀ ଥିଲା ଏବଂ ଶ୍ରୀ ବିନୋଦବିହାରି ଠାକୁର ଚନ୍ଦନ ଯାତ୍ରାରେ ଚାପ ଖେଳିବାପାଇଁ ଏହି ପୋଖରୀକୁ ଆସୁଥିଲେ । ଏବେବି ଏହି ପାର୍କ ପାଖ ପଢ଼ିଆରୀ ପାଠାଗାର’ ପଛପଟେ ଗୋଟିଏ ଚନ୍ଦନ ମଣ୍ଡପ ରହିଛି ଓ ତାହା ସାକ୍ଷ୍ୟଦିଏ ଅତୀତର ସେଇ ଅବିସ୍ମରଣୀୟ ସ୍ମୃତିର ।

 

କଟକ ଏବେ ଆଉ ରାଜଧାନୀ ନଥିଲେ ବି, ଏକ ଐତିହାସିକ ଓ ପ୍ରାଚୀନତମ ତଥା ବୃହତ୍ତମ ନଗରୀ ଭାବେ ଗୁରୁତ୍ୱପୂର୍ଣ୍ଣ ମର୍ଯାଦାର ଅଧିକାରୀ ହୋଇ ରହିଛି । ଏହ ଏକ ପ୍ରଧାନ ବାଣିଜ୍ୟ ପୀଠ ରୂପେ ପ୍ରସିଦ୍ଧି ଲାଭ କରୁଛି । ସଂପ୍ରତି ଏଇ ପ୍ରାଚୀନ ଗୌରବାବହ ଅତୀତର ସ୍ମାରକୀ ରୂପେ ପ୍ରତିଷ୍ଠିତ ଏଇ ପ୍ରାଚୀନ ନଗରୀକୁ ସର୍ବାଙ୍ଗସୁନ୍ଦର ଭାବରେ ଗଢ଼ି ତୋଳିବାର ଯେଉଁ ଯୋଜନା ଚାଲିଛି, ତାହା ଅଧିକତର ଭାବରେ କାର୍ଯ୍ୟକାରୀ ହେବ ବୋଲି ଆଶା କରିବା ସ୍ଵାଭାବିକ-

Image

 

 

 

 

 

 

 

 

 

 

 

ସମ୍ବାଦପତ୍ର ଓ ସମାଜ

 

Unknown

ସମ୍ବାଦପତ୍ର ଓ ଆମ ସମାଜ

 

ଦୈନିକ, ସାପ୍ତାହିକ, ଅର୍ଦ୍ଧ-ସାପ୍ତାହିକ ସମ୍ବାଦପତ୍ର ଏବଂ ପାକ୍ଷିକ ଓ ମାସିକ ଇତ୍ୟାଦି ବହୁ ପତ୍ରିକା ଆଜି ଦେଶର ପ୍ରାୟ ଚାରିଆଡ଼େ ବିଛେଇ ହୋଇ ପଡ଼ିଥିବାର ଆମେ ଦେଖୁଛୁ । ଦେଶରେ ଏହି ସମ୍ବାଦପତ୍ରର ସ୍ଥାନ ଆଜି ବହୁ ଉଚ୍ଚରେ । ଏହା ରାଷ୍ଟ୍ରର ଚତୁର୍ଥ ଶକ୍ତି ରୂପେ ବିବେଚିତ ଏବଂ ସର୍ବତ୍ର ଆଦୃତ ଓ ସମ୍ମାନିତ ।

 

କିନ୍ତୁ ଦିନ ଥିଲା, ଯେତେବେଳେ ଆମର ଏଇ ଦେଶରେ ସମ୍ବାଦପତ୍ରର ସତ୍ତା ବି ନ ଥିଲା । ଏହା ବେଶୀ ଦିନ ତଳର କଥା ନୁହେଁ । ସମ୍ବାଦପତ୍ରର ଇତିହାସ ଖୋଜି ବସିଲେ ଆମେ ଦେଖୁ ଯେ, ଆଜିକୁ ଦୁଇଶହ ବର୍ଷ ତଳେ ମଧ୍ୟ ଭାରତରେ ସମ୍ବାଦପତ୍ରର ସୃଷ୍ଟି ହୋଇ ନଥିଲା ।

 

ପ୍ରଥମ ସମ୍ବାଦପତ୍ର

 

ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ ମଧ୍ୟ ଭାରତରେ ସମ୍ବାଦପତ୍ର ପ୍ରକାଶନର କଳ୍ପନା କାହାରି ମୁଣ୍ଡକୁ ଆସି ନ ଥିଲା ।

 

ଖ୍ରୀ ୧୭୮୦ରେ ସର୍ବପ୍ରଥମ ସମ୍ବାଦପତ୍ର ‘‘ବେଙ୍ଗଲ ଗେଜେଟ’’ ଯେତେବେଳେ ପ୍ରକାଶ ପାଇଲା, ଇଷ୍ଟି ଇଣ୍ଡିଆ କମ୍ପାନୀର ଆଧିପତ୍ୟ ସାରା ଦେଶରେ ବିସ୍ତାର ଲାଭକରିଥିଲା । ଯଦିଚ ଏହି କମ୍ପାନୀ ତରଫରୁ ଖ୍ରୀ ୧୬୭୪ରେ ବମ୍ବେଠାରେ ଏକ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା କରାଯାଇ ଟାଇପ ଓ କାଗଜ ଇତ୍ୟାଦି ଯୋଗାଇ ଦିଆଯାଇଥିଲା, ସମ୍ବାଦପତ୍ରଟିଏ କିନ୍ତୁ ପ୍ରକାଶ ପାଇପାରିନଥିଲା ।

 

ମୁହଁବନ୍ଦ ପାଇଁ ଶାସ୍ତି

 

ଏହି ସମୟରେ ବିଧିବଦ୍ଧ ପ୍ରେସ୍‍ ଆଇନ କିଛି ନଥିଲା । ତେଣୁ ଯଦି କେହି ସମ୍ବାଦପତ୍ର ପ୍ରକାଶ କରିବାପାଇଁ ଚାହୁଁଥିଲେ ଏବଂ ସେ ବ୍ୟକ୍ତି ଯଦି ସରକାରଙ୍କର କିମ୍ବା ଉପରିସ୍ଥ ସରକାରୀ କର୍ମଚାରୀଙ୍କର କୌଣସି କାରଣରୁ ବିରାଗଭାଜନ ହୋଇଥାନ୍ତି, ତାହାହେଲେ ତାଙ୍କୁ ସଙ୍ଗେ ସଙ୍ଗେ ଦେଶାନ୍ତରଦଣ୍ଡ ଭୋଗିବାକୁ ପଡ଼ୁଥିଲା । ଆଉ ମଧ୍ୟ ଯଦି କୌଣସି ପତ୍ରିକା ସରକାରଙ୍କର ସମାଲୋଚନା କରୁଥିଲା, ତାହାହେଲେ ଡାକ ବିଭାଗୀୟ ସୁବିଧାରୁ ତାଙ୍କୁ ପ୍ରଥମେ ବଞ୍ଚିତ କରାଯାଉଥିଲା ଏବଂ ଯଦି ବାରମ୍ବାର ଏହି ସମ୍ବାଦପତ୍ର ସରକାରଙ୍କର ଅପ୍ରିୟ ହୋଇଥିଲା, ତାହାହେଲେ ପ୍ରକାଶ ପୂର୍ବରୁ ସରକାରୀ ଯାଞ୍ଚପାଇଁ ପଠାଇବା ଲାଗି ପତ୍ରିକାକୁ ନିର୍ଦେଶ ଦିଆଯାଉଥିଲା । ଏହା ସତ୍ତ୍ୱେ ସମ୍ପାଦକ ଯଦି ନିଜର ନୀତି ପରିବର୍ତ୍ତନ ନ କରୁଥିଲେ, ତେବେ ତାଙ୍କୁ ଦେଶ ତ୍ୟାଗୀ ହେବାକୁ ପଡ଼ୁଥିଲା । ସମ୍ବାଦପତ୍ରର ମୁହଁ ବନ୍ଦ କରିବାପାଇଁ ଏହାହିଁ ଥିଲା ସେତେବେଳକାର ହୁଙ୍କାପିଟା ଶାସ୍ତି ବିଧାନ । ଫଳରେ ସମ୍ବାଦପତ୍ରର ନ ଥିଲା ସ୍ଵାଧୀନତା ଏବଂ ନ ଥିଲା ସ୍ଵାଧୀନ ମତପ୍ରକାଶର ସୁଯୋଗ । ସୁତରାଂ ସମ୍ବାଦ ପତ୍ରଗୁଡ଼ିକର ବେଶୀଦିନ ବଞ୍ଚି ରହିବା ସୁବିଧା ନ ଥିଲା । ଯେଉଁ କେତୋଟି ବଞ୍ଚି ରହିବାକୁ ଚାହୁଁଥିଲେ, ସେମାନଙ୍କୁ ସରକାରଙ୍କର ଆନୁଗତ୍ୟ ସ୍ଵୀକାର କରିବାକୁ ବାଧ୍ୟ କରାଯାଉଥିଲା ।

 

ସମ୍ବାଦପତ୍ରର ପୃଷ୍ଠଭୂମିକା

 

ଅସନ୍ତୋଷ ଏବଂ ଆପତ୍ତି ଅଭିଯୋଗ ଜଣାଇବା ଉଦ୍ଦେଶ୍ୟରେ ହିଁ ସମ୍ବାଦପତ୍ରର ସୃଷ୍ଟି ହୋଇଅଛି । କାରଣ ପ୍ରଥମେ ଭାରତରେ ଯେଉଁ କେତୋଟି ସମ୍ବାଦପତ୍ର ଇଷ୍ଟଇଣ୍ଡିଆ କମ୍ପାନୀ ଅମଳରେ ପ୍ରକାଶ ପାଇଥିଲା, ତାରି ମୂଳରେ ଥିଲା ଅସନ୍ତୋଷ । କମ୍ପାନୀର ଜଣେ କର୍ମଚାରୀ ଅସନ୍ତୁଷ୍ଟ ହୋଇ କାର୍ଯ୍ୟରୁ ଇସ୍ତଫା ଦେଇ ଆସି ଗୋଟିଏ ସମ୍ବାଦପତ୍ର ପ୍ରକାଶ କରିବାର ଉଦ୍ୟମ କରୁଥିଲେ ବୋଲି ତାଙ୍କୁ ଦେଶତ୍ୟାଗୀ ହେବାକୁ ପଡ଼ିଥିଲା । କମ୍ପାନୀର କାର୍ଯ୍ୟରୁ ବିତାଡ଼ିତ ହୋଇ କିମ୍ବା କମ୍ପାନୀର ବ୍ୟବହାରରେ ଅସନ୍ତୁଷ୍ଟ ହୋଇ କାର୍ଯ୍ୟଛାଡ଼ି ଚାଲି ଆସିଥିବା କେତେକ କର୍ମଚାରୀ ନିଜର ଅସନ୍ତୋଷ ଜଣାଇବା ଉଦ୍ଦେଶ୍ୟରେ ସମ୍ବାଦପତ୍ର ପ୍ରକାଶ କରିଥିଲେ ।

 

ସାମ୍ବାଦିକତାର ସ୍ୱରୂପ ଓ ସମ୍ବାଦପତ୍ରର ତିନୋଟି ଯୁଗ

 

ଭାରତରେ ସମ୍ବାଦପତ୍ରର ‘ଆଦିମ ଯୁଗ’ରେ ଅର୍ଥାତ ଇଷ୍ଟଇଣ୍ଡିଆ କମ୍ପାନୀର ରାଜତ୍ଵ ସମୟରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କାର୍ଯ୍ୟରୁ ବିତାଡ଼ିତ ହୋଇ କିମ୍ବା ଅସନ୍ତୁଷ୍ଟ ହୋଇ କାର୍ଯ୍ୟରୁ ଇସ୍ତଫା ଦେଇ ସମ୍ବାଦପତ୍ର ପ୍ରକାଶ କରିଥିଲେ ସେତେବେଳେ ଏହି ସମ୍ବାଦପତ୍ରରେ କମ୍ପାନୀର ଉଚ୍ଚପାହ୍ୟା କର୍ମଚାରୀ ଏବଂ ତତ୍କାଳୀନ ଗଭର୍ଣ୍ଣର-ଜେନେରାଲଙ୍କୁ ବ୍ୟକ୍ତିଗତଭାବେ ଆକ୍ରୋଶମୂଳକ ସମାଲୋଚନା କରାଯାଉଥିଲା । ମାତ୍ର ରାଜା ରାମମୋହନ ରାୟ ଏ ଦିଗରେ ପରିବର୍ତ୍ତନ ଆଣିଥିଲେ । ଶାସକବର୍ଗଙ୍କର ଦୋଷ ତ୍ରୁଟି ଦେଖାଇଦେବା ସଙ୍ଗେ ସଙ୍ଗେ ସମାଜସଂସାର ଉଦ୍ଦେଶ୍ୟରେ ଜନସାଧାରଣଙ୍କ ମଧ୍ୟରେ ଚେତନା ଆଣିବା ଲାଗି ସେ ତାଙ୍କର ସମ୍ବାଦ ପତ୍ରକୁ ବିନିଯୁକ୍ତ କରିଥିଲେ । ସେତେବେଳେ ସାମ୍ବାଦିକତା କ୍ଷେତ୍ରରେ ଏହି ଯେଉଁ ପରିବର୍ତ୍ତନର ଅୟମାରମ୍ଭ ହୋଇଥିଲା, ଭବିଷ୍ୟତରେ ତାହା ପୂର୍ଣ୍ଣ ରୂପରେଖ ପାଇଲା । ଏହି ସମୟକୁ ସମ୍ବାଦପତ୍ରର ଇତିହାସରେ ‘ଆଦିମଯୁଗ’ ବୋଲି କୁହାଯାଇପାରେ ।

 

ଭାରତୀୟ ସମ୍ବାଦପତ୍ରର ‘ମଧ୍ୟଯୁଗ’ ଅର୍ଥାତ ବ୍ରିଟିଶ ଶାସନ ବେଳେ ଗାନ୍ଧିଜୀଙ୍କ ନେତୃତ୍ୱରେ ଯେଉଁ ସ୍ଵାଧୀନତା ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ ଇତ୍ୟାଦି ହେଲା, ସେହି ସମୟରେ ସାମ୍ବାଦିକତାର ରୂପ ସଂପୂର୍ଣ୍ଣ ଭିନ୍ନ ଆକାର ଧାରଣ କଲା । ବ୍ରିଟିଶ ଶାସକଗୋଷ୍ଠୀର ଦୋଷ ତ୍ରୁଟିର ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆମ ଦେଶକୁ ପରାଧୀନତା ବାହୁପାଶରୁ ମୁକ୍ତ କରିବା ପାଇଁ ଏହି ସମୟର ସମ୍ବାଦପତ୍ର ଗୁଡ଼ିକ ବିଶେଷ ଭାଗ ନେଲେ । ଫଳରେ ରାଜନୀତି ହିଁ ସମ୍ବାଦପତ୍ରରେ ପ୍ରଧାନସ୍ଥାନ ଅଧିକାର କଲା । ଏହି ସମ୍ପର୍କରେ ସମ୍ବାଦ, ଟୀକା, ଟିପ୍ପଣୀ ଓ ମତାମତ ଇତ୍ୟାଦି ପ୍ରକାଶ କରି ସ୍ଵାଧୀନତା ଲାଭ ପର୍ଯ୍ୟନ୍ତ ଭାରତୀୟ ସମ୍ବାଦପତ୍ରଗୁଡ଼ିକ ଏ ଆନ୍ଦୋଳନ ଚାଲୁରଖିଲେ । ସାରା ଭାରତର ସମ୍ବାଦପତ୍ର କ୍ଷେତ୍ରରେ ଏ କମ୍ପନ ଖେଳିଯାଇଥିଲା । ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ି ନଥିଲା । ଓଡ଼ିଶାର ତତ୍କାଳୀନ ସମ୍ବାଦପତ୍ରଗୁଡ଼ିକ ମଧ୍ୟ ଦେଶର ସ୍ଵାଧୀନତା ସଂଗ୍ରାମର ପ୍ରଧାନ ଅଂଶ ଗ୍ରହଣ କରିଥିଲେ । ଏହି ସମୟକୁ ସମ୍ବାଦପତ୍ର ଇତିହାସରେ ‘ମଧ୍ୟଯୁଗ’ ନାମରେ ନାମିତ କରାଯାଇପାରେ ଏବଂ ଏହି ଯୁଗରେ ଦେଶକୁ ପରାଧୀନତାରେ ମୁକ୍ତ କରିବାରେ ସମ୍ବାଦପତ୍ର ଗୁଡ଼ିକ ରାଷ୍ଟ୍ରର ଅନ୍ୟତମ ବିଶିଷ୍ଟ ଶକ୍ତି ରୂପେ କାର୍ଯ୍ୟ କରି ଯେଉଁ ଅମିତ ତ୍ୟାଗ; ସାହସ ଓ ନିର୍ଭୀକତାର ପରିଚୟ ଦେଇଛନ୍ତି ଏବଂ ଏ ଦିଗରେ ସେମାନଙ୍କର ଯେଉଁ ଅତୁଳନୀୟ ଦାନ ରହିଛି, ତାହା ବାସ୍ତବରେ ଅବିସ୍ମରଣୀୟ ।

 

ଦେଶ ସ୍ଵାଧୀନ ହେଲା । ପରାଧୀନତାର ପାଚେରି ଟଳିପଡ଼ିଲା । ଏହାପରେ ଆସିଲା ସମ୍ବାଦପତ୍ରର ‘ଆଧୁନିକ ଯୁଗ ।’ ଏ ଯୁଗରେ ସମ୍ବାଦପତ୍ରଗୁଡ଼ିକ ସେମାନଙ୍କର ଚିନ୍ତାଧାରା ଓ ସମ୍ବାଦ ପରିବେଷଣ ପ୍ରଣାଳୀ ବଦଳାଇବାର କଥା, ମାତ୍ର ତାହା ହୋଇ ନାହିଁ । ଦେଶ ସ୍ଵାଧୀନ ହେବାର ଆଠବର୍ଷ ବିତିଯାଇଥିଲେ ମଧ୍ୟ ସମ୍ବାଦପତ୍ରଗୁଡ଼ିକ କେବଳ ରାଜନୀତିରେ ସଂଶ୍ଳିଷ୍ଟ ରହୁଥିବାର ଦେଖାଯାଉଛି । ସବୁଠାରୁ ଅଧିକ ମାରାତ୍ମକ କଥା ଯେ, କେତେକ ସମ୍ବାଦପାତ୍ର ଦଳଗତ ଏବଂ ବ୍ୟକ୍ତିଗତ ରାଜନୀତିରେ ନିଜକୁ ବୁଡ଼ାଇ ରଖିଥିବାର ଦେଖାଯାଏ । ଦେଶର ଓ ଜାତିର ଉନ୍ନତି କରିବାକୁ ହେଲେ କେବଳ ରାଜନୀତି ନୁହେଁ, ଦେଶର ଅନ୍ୟାନ୍ୟ ଗୁରୁତର ସମସ୍ୟାର ଆଲୋଚନା ଓ ଆଶୁ ସମାଧାନ ଦିଗରେ ଉଦ୍ୟମ ହେବା ଦରକାର । ଦୁଷ୍ଟାନ୍ତ ସ୍ୱରୂପ, ଆମ ଦେଶରେ ବର୍ତ୍ତମାନ ଖାଦ୍ୟ ବସ୍ତ୍ର, ବସବାସ, ସ୍ୱାସ୍ଥ୍ୟ ଓ ଶିକ୍ଷା ଇତ୍ୟାଦି କେତେଗୁଡ଼ିଏ ପ୍ରଧାନ ସମସ୍ୟା ରହିଛି । ଏହାବାଦ ଆହୁରି କେତେ ଛୋଟ ଛୋଟ ସମସ୍ୟା ତ ରହିଛି । ଏ ସମସ୍ତ ସମସ୍ୟାର ସମାଧାନ କରି ଦେଶକୁ ଉନ୍ନତ, ସମୃଦ୍ଧ ଓ ଶକ୍ତିଶାଳୀ କରିବାକୁ ହେବ । ଏ ଦିଗରେ ସମ୍ବାଦପତ୍ର ଗୁଡ଼ିକର ଦାୟିତ୍ଵ ଓ କର୍ତ୍ତବ୍ୟ ଯଥେଷ୍ଟ ରହିଛି । ଜାତିଗଠନ ଦିଗରେ ସମ୍ବାଦପତ୍ରମାନେ ନିଜ ନିଜର ଦାୟିତ୍ଵ ଭୁଲିଯିବା ଉଚିତ ନୁହେଁ ।

 

ଏ ସମ୍ପର୍କରେ ଆଲୋଚନା କରି ମୋର ବନ୍ଧୁ ଅଧ୍ୟାପକ ପଠାଣି ପଟ୍ଟନାୟକ ‘କୃଷକ’ରେ ‘ଆଧୁନିକ ସମ୍ବାଦପତ୍ର ଓ କେତେକ ସମସ୍ୟା’ ଶୀର୍ଷକ ଏକ ଲେଖାରେ ପ୍ରକାଶ କରିଛନ୍ତି ଯେ; ‘‘ରାଜନୀତି ବ୍ୟତୀତ ଦେଶରେ ଜନକଲ୍ୟାଣ ପାଇଁ ଆହୁରି ଯେ ବ୍ୟାପକ କ୍ଷେତ୍ର ପଡ଼ିରହିଛି, ସେ ସବୁ ପ୍ରତି ସ୍ଵାଧିନତା ପରେ ସମ୍ବାଦପତ୍ରଗୁଡ଼ିକର ଦୃଷ୍ଟି ଫେରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ହୋଇନାହିଁ । ଏବେ ମଧ୍ୟ ଯେ କୌଣସି ଭାରତୀୟ ଅଥବା ପ୍ରାନ୍ତୀୟ ସମ୍ବାଦପତ୍ରର ବିଶ୍ଳେଷଣ କଲେ ରାଜନୀତି ହିଁ ମୁଖ୍ୟଅଂଶ ଗ୍ରହଣ କରିଥିବା ଦେଖାଯାଏ ।

 

ଏକଥା ସତ ଯେ, ବିଦେଶୀ ଅତ୍ୟାଚାରରେ ଶତାବ୍ଦୀବ୍ୟପୀ ସଢ଼ି ରହିଥିବା ଫଳରେ ଅନ୍ୟାନ୍ୟ ସଭ୍ୟ ଦେଶ ତୁଳନାରେ ଆମ ଦେଶ ଶିକ୍ଷା, ସଂସ୍କୃତି ଓ କୃଷ୍ଟି ଇତ୍ୟାଦି ସବୁ କ୍ଷେତ୍ରରେ ପଛରେ ପଡ଼ିରହିଛି । ଏବେ ମଧ୍ୟ ସାଢ଼େ ପାଞ୍ଚଲକ୍ଷ ପଲ୍ଲୀର ଦୁର୍ଦ୍ଦଶା ମେଣ୍ଟି ନାହିଁ । ଏବେ ମଧ୍ୟ ଗାଁଗହଳିର ଉପଯୁକ୍ତ ଚିକିତ୍ସା ଓ ଖାଦ୍ୟ ନ ପାଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଏବେ ମଧ୍ୟ ଆମ ଦେଶର ସ୍ଵାଧୀନ ନାଗରିକ ନିଜ ପେଟପାଇଁ ଦାନା ଗଣ୍ଡିଏ ଏବଂ ପିଠିକୁ କନା ଖଣ୍ଡିଏ ଯୋଗାଡ଼ କରି ନପାରି ଆତ୍ମହତ୍ୟା କରୁଥିବା ସମ୍ବାଦ ମିଳୁଛି । ଏବେ ମଧ୍ୟ ଆମ ଦେଶର ଅଗଣିତ ନରନାରୀ ଶିକ୍ଷାଲୋକରୁ ବଞ୍ଚିତ । ଏସବୁ ପ୍ରତି ଦୃଷ୍ଟି ଦେବ କିଏ ? ରାଷ୍ଟ୍ରର ଅନ୍ୟତମ ପ୍ରଧାନ ଶକ୍ତି ବୋଲାଉ ଥିବା ସମ୍ବାଦପତ୍ର ଗୁଡ଼ିକର କଅଣ ଏ ଦିଗରେ କିଛି କରିବାର ନାହିଁ ?

 

ସେମାନେ କଅଣ କରନ୍ତି ?

 

ଇଂଲଣ୍ଡ, ଆମେରିକା ଓ ଅନ୍ୟାନ୍ୟ ଉନ୍ନତ ଇଉରୋପୀୟ ଦେଶଗୁଡ଼ିକରେ ଅଳ୍ପ କେତୋଟି ଜାତୀୟ ସମ୍ବାଦପତ୍ରକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରାୟଶଃ ଆନ୍ତର୍ଜାତିକ ସମ୍ବାଦ ସମ୍ପର୍କରେ ମୁଣ୍ଡ ନ ଖେଳାଇ ନିଜ ଦେଶର ସମ୍ବାଦ ପରିବେଷଣ ଓ ସମସ୍ୟାର ସମାଲୋଚନାରେ ମନୋନିବେଶ କରିଥାନ୍ତି । ଏହି ସମ୍ପର୍କରେ ୧୯୫୫ ମଇ ୧୯ ତାରିଖ ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ’ରେ ଜଣେ ସାମ୍ବାଦିକତାର ସ୍ଥାନ ଯାହା ଲେଖିଥିଲେ, ସେଥିରୁ ଜଣାଯାଏ, ଇଂଲଣ୍ଡ ଓ ଆମେରିକା ଭଳି ସଭ୍ୟ ଓ ସମୃଦ୍ଧ ଦେଶର ସମ୍ବାଦପତ୍ରରେ ଯେତେ ବିଦେଶୀ ଖବର ପ୍ରକାଶ ପାଏ ସେସବୁ ମଧ୍ୟରେ ଭାରତୀୟ ସମ୍ବାଦ ଯଥାକ୍ରମେ ଶତକରା ୧.୩ ଓ ୧.୧ ସ୍ଥାନ ପାଏ । ଏପରିକି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଋଷିଆ ପରିଦର୍ଶନ ମଧ୍ୟ ଇଂଲଣ୍ଡର ରକ୍ଷଣଶୀଳ ଦଳର ସମ୍ବାଦପତ୍ରରେ ସ୍ଥାନ ପାଇ ନ ଥିବା କଥା କମନଓୟେଲଥ ପାର୍ଲିମେଣ୍ଟାରୀ ଆସୋସିଏସନରେ ଯୋଗ ଦେଇ ଫେରିଥିବା ମଧ୍ୟପ୍ରଦେଶର ତତ୍କାଳୀନ ମନ୍ତ୍ରୀ ଶ୍ରୀ ଶଙ୍କରଲାଲ ତିୱାରୀ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ବିଦେଶର ଏହି ସମ୍ବାଦପତ୍ରମାନେ ଆମ ଦେଶର ନିହାତି ବାଜେ ଖବରସବୁ ପ୍ରକାଶ କରି ଆମ ସମାଜ ସମ୍ପର୍କରେ ସେ ଦେଶରେ ଅଦ୍ଭୁତ ଧାରଣା ସୃଷ୍ଟି କରିଥାନ୍ତି ।

 

ଆମେ କରୁଛୁ କଅଣ ?

 

ପୃଥିବୀ ମଧ୍ୟରେ ସବୁଠାରୁ ସଭ୍ୟ ଉନ୍ନତ ବୋଲାଉଥିବା ଦେଶର ସମ୍ବାଦପତ୍ରଗୁଡ଼ିକର ଆମ ଦେଶ ପ୍ରତି ମତିଗତି ଯେତେବେଳେ ଏଭଳି ନୀଚ ଓ ସଂକୀର୍ଣ୍ଣ, ଆମ ଦେଶର ସମ୍ବାଦପତ୍ରମାନେ ସେତେବଳେ ନିଜ ଦେଶୀୟ ସମ୍ବାଦ ପରିବେଷଣ ଓ ସମସ୍ୟାର ବିଶ୍ଳେଷଣ ଛାଡ଼ି ଆନ୍ତର୍ଜାତିକ ସମ୍ବାଦ ଓ ତତସମ୍ପର୍କୀୟ ଟୀକାଟିପପଣି ଦେବାରେ ଲଣ୍ଡଭଣ୍ଡ । ଏ ସମ୍ପର୍କରେ ପ୍ରେସ କମିସନ ରିପୋଟରୁ ଜଣାଯାଏ ଯେ, ଭାରତର ବିଖ୍ୟାତ ଇଂରେଜୀ ଦୈନିକଗୁଡ଼ିକରେ ଆନ୍ତର୍ଜାତିକ ସମ୍ବାଦ ଦୁଇଭାଗ ସ୍ଥାନ ଗ୍ରହଣ କରୁଥିବାବେଳେ ଦେଶୀୟ ସମ୍ବାଦ ମାତ୍ର ଏକଭାଗ ସ୍ଥାନ ଅଧିକାର କରୁଛି । The most important English Dailies of India devote foreign news more than two-third of the space they devote to the national news’’ (press commission report)

 

ଏତେ ଆଡ଼କୁ ନ ଯାଇ କେବଳ ଆମ ଓଡ଼ିଶା କଥା ବିଚାର କରାଯାଉ । ଓଡ଼ିଶାରେ ପ୍ରକାଶ ପାଇଥିବା କେତୋଟି ମାତ୍ର ଓଡ଼ିଆ ଦୈନିକ ସମ୍ବାଦପତ୍ର ଉପରେ ଧାରାବାହିକ ଭାବରେ ଦୃଷ୍ଟି ପକାଇଲେ ଆମେ ଦେଖୁ ଯେ ଲଣ୍ଡନ, ନ୍ୟୁୟର୍କ, ପ୍ୟାରିସ, କାଏରୋ ଇତ୍ୟାଦିର ସମ୍ବାଦ ଛାପିବାରେ ଏମାନେ ସେତେ ବ୍ୟସ୍ତ, ଓଡ଼ିଶାର ଆବହେଳିତ ପୁରପଲ୍ଲୀର ସମ୍ବାଦ ଛାପିବାରେ ସେତେ ଆଗ୍ରହୀ ନୁହନ୍ତି । ଦୃଷ୍ଟାନ୍ତ ସ୍ଵରୂପ କୁହାଯାଇପାରେ—କେହି ଜଣେ ଓଡ଼ିଆ ବିଦେଶରେ ସମ୍ମାନିତ ହେଲେ କିମ୍ବା କେହି ଜଣେ ଓଡ଼ିଆ ଲେଖକ ବା ଓଡ଼ିଆ ବହି ପୁରସ୍କୃତ ହେଲେ, ଏ ସମ୍ବାଦ ବଡ଼ ଅକ୍ଷରରେ ଛାପିବା ପାଇଁ ଆମ ଓଡ଼ିଶାର କେତୋଟି ସମ୍ବାଦପତ୍ର ଯେତେ ତତ୍ପର ନୁହନ୍ତି ଏବଂ ଲୋକଙ୍କ ଦୁଃଖଦୁର୍ଦ୍ଦଶା, ଆପତ୍ତି ଅଭିଯୋଗ, ଅଭାବ ଅସୁବିଧା ଜଣାଇ ପ୍ରତିକାର ଲୋଡ଼ିବାରେ ଯେତେ ଆଗ୍ରହୀ ନୁହନ୍ତି; ମନ୍ତ୍ରୀଙ୍କର ଗସ୍ତକ୍ରମ, ସମ୍ବର୍ଦ୍ଧନା, ଚାହାଭୋଜୀ ଓ ତାଙ୍କର ଫୋଟୋସହ ଲମ୍ବା ଲମ୍ବା ବିବୃତି, ଭାଷଣ ଇତ୍ୟାଦି ପ୍ରକାଶ କରିବାରେ ତତୋଽଧିକ ତତ୍ପର ଓ ଯତ୍ନଶୀଳ ହେବାର ଦେଖାଯାଏ ।

 

ଚିନ୍ତାଧାରା ବଦଳୁ

 

ଆମ ସମ୍ବାଦପତ୍ରଗୁଡ଼ିକର ଦୃଷ୍ଟିକୋଣ ଓ ଚିନ୍ତାଧାରା ବଦଳିବା ଉଚିତ । ଦେଶର ଲକ୍ଷ ଲକ୍ଷ ଅଜ୍ଞ ଜନସାଧାରଣଙ୍କ ମଧ୍ୟରେ ଜ୍ଞାନାଲୋକ ବିତରଣ କରି ସେମାନଙ୍କ ମନରେ ଜାତୀୟ ଚେତନା ଆଣିବା ବର୍ତ୍ତମାନ ଜରୁରୀ ହୋଇ ପଡ଼ିଛି ।ଏ ଦିଗରେ ଆମର ସମ୍ବାଦପତ୍ରମାନେ ତୀକ୍ଷ୍ଣଦୃଷ୍ଟି ଦିଅନ୍ତୁ । କେବଳ ରାଜନୀତି, ଦଳଗତ ଓ ବ୍ୟକ୍ତିଗତ ପରିପ୍ରଚାର ସମ୍ବାଦପତ୍ରର କଳେବର ମଣ୍ଡନ ନକରି, ଦେଶର ସ୍ୱାସ୍ଥ୍ୟ, ଶିକ୍ଷା, ଗୋ, କୃଷି, ଶିଳ୍ପ, ବାଣିଜ୍ୟ ସଙ୍ଗୀତ, କଳା, ନାନାଶାସ୍ତ୍ରର ତତ୍ତ୍ଵ ଇତ୍ୟାଦି ସ୍ଥାନ ପାଉ । ଦେଶ ଓ ଜାତିର ଅଧାଃପତନର କାରଣମାନ ଦର୍ଶାଇ ଜାତିର ଉନ୍ନତି ଓ ଜନକଲ୍ୟାଣ ସମ୍ବନ୍ଧୀୟ ସମ୍ବାଦ ପରିବେଷଣ ଏବଂ ଏ ସମ୍ପର୍କରେ ମତାମତ ପ୍ରକାଶ କରି ସମ୍ବାଦପତ୍ରମାନେ ସାମ୍ବାଦିକତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ଦେଶ ଓ ଜାତିର ସେବାରେ ବ୍ରତୀ ହୁଅନ୍ତୁ ।

Image

 

ଆମ ପତ୍ରପତ୍ରିକାର ପରିଚୟ

 

ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ସଂପ୍ରସାରଣ ଓ ସମୃଦ୍ଧି; ଜ୍ଞାନର ବିକାଶ; ଅନୁସନ୍ଧିତ୍ସାର ପୂର୍ଣ୍ଣତା ଏବଂ ଜାତି, ଦେଶ ଓ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କଳ୍ପେ ପତ୍ରପତ୍ରିକାର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ ।ଏହି ଉଦ୍ଦେଶ୍ୟ ସାଧନ ନିମନ୍ତେ କେବଳ ପୁସ୍ତକ-ପୁସ୍ତିକା ବା ପ୍ରଚାର ପତ୍ର ଯଥେଷ୍ଟ ନୁହେଁ । ସେଥିପାଇଁ ଆଜି ପୃଥିବୀର ସର୍ବତ୍ର ପତ୍ରପତ୍ରିକାର ପ୍ରକାଶନ, ପ୍ରସାର ଓ ଆଦର ଏତେ ଅଧିକ । ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ପୁସ୍ତକ ଓ ପତ୍ରପତ୍ରିକାର ପ୍ରସାର ବୃଦ୍ଧି ଏବଂ ଅନ୍ୟ ପକ୍ଷରେ ପତ୍ରପତ୍ରିକାର ପ୍ରସାର ଯୋଗୁଁ ଶିକ୍ଷାର ପ୍ରସାର ମଧ୍ୟ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ଜନସାଧାରଣଙ୍କର ରାଜନୀତିକ, ବାଣିଜ୍ୟିକ, ସାମାଜିକ ଓ ସାଂସ୍କୃତିକ ଚେତନା ଅଣାଇବା ପତ୍ରପତ୍ରିକାର ମୁଖ୍ୟଲକ୍ଷ୍ୟ ଓ ଉଦ୍ଦେଶ୍ୟ । ପତ୍ରପତ୍ରିକା, ବିଶେଷରେ ସମ୍ବାଦପତ୍ର ଦେଶର ସ୍ଵାଧୀନତାର ମହାନ ରକ୍ଷାକବଚ,ଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ଜନମତର ସ୍ରଷ୍ଟା, ନିୟାମକ ଏବଂ ଜନମତର ପ୍ରତୀକ ସ୍ଵରୂପ ।

 

ଏହି ପତ୍ରପତ୍ରିକାମାନଙ୍କର ଇତିହାସ ଆଲୋଚନା କଲେ ଜଣାଯାଏ ଯେ ଏହାର ସୃଷ୍ଟି ଖୁବ ବେଶୀ ଦିନର ନୁହେଁ । କାରଣ ମୃଦ୍ରାଯନ୍ତ୍ରର ପ୍ରଚଳନ ସହ ପତ୍ରପତ୍ରିକାର ପ୍ରକାଶନ ଓ ପ୍ରସାର ଓତଃପ୍ରୋତଃ ଭାବେ ବିଜଡ଼ିତ । ୧୫୫୦ ଖ୍ରୀଷ୍ଟାବ୍ଦରେ ଭାରତକୁ ପ୍ରଥମ ମୁଦ୍ରାଯନ୍ତ୍ର ଆନୀତ ହୋଇଥିଲା ସତ, କିନ୍ତୁ ପତ୍ରପତ୍ରିକାଦି ଭାରତରେ ମୃଦ୍ରିତ ହୋଇ ପ୍ରକାଶ ପାଇଲା ବହୁତ ବିଳମ୍ବରେ-। ଏପରିକି ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ ଭାରତରେ ସମ୍ବାଦପତ୍ର ପ୍ରକାଶନର କଳ୍ପନା ସୁଦ୍ଧା କରାଯାଇନଥିଲା ।

 

ଭାରତର ପ୍ରଥମ ସମ୍ବାଦପତ୍ର

 

ଭାରତର ପ୍ରଥମ ସମ୍ବାଦପତ୍ର ରୂପେ ‘ବେଙ୍ଗଲ ଗେଜେଟ୍‍’ ୧୭୮୦ଖ୍ରୀ ଅଃ ରେ ଜେମସ୍‍ ଅଗଷ୍ଟାସ୍‍ ହିକିଙ୍କ ପ୍ରଗାଢ଼ ଉଦ୍ୟମ ଫଳରେ ପ୍ରକାଶ ପାଇଲା । ଏହା ଥିଲା ଏକ ସାପ୍ତାହିକ ଇଂରାଜୀ ପତ୍ରିକା । ଅବଶ୍ୟ ଏଥିପାଇଁ ହିକିଙ୍କୁ ବହୁ ଆୟାସ ଓ ନିର୍ଯାତନା ମଧ୍ୟ ସହ୍ୟ କରିବାକୁ ପଡ଼ିଥିଲା । ଇଷ୍ଟଇଣ୍ଡିଆ କମ୍ପାନୀର ଅଗଷ୍ଟାସ୍‍ ହିକି ନାମକ ଜଣେ ଅସନ୍ତୁଷ୍ଟ ଗୋରା କର୍ମଚାରୀ ଚାକିରୀ ଛାଡ଼ି ନିଜର ପୁଞ୍ଜିଭୂତ ଅସନ୍ତୋଷର ପରିସ୍ଫୁରଣ ଓ ପ୍ରଚାର ନିମନ୍ତେ ପତ୍ରିକାର ଆଶ୍ରୟ ନେଲେ । ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଓ୍ୟାରେନ୍‍ ହେଷ୍ଟିଙ୍ଗସ୍‍ ଓ ଶ୍ରୀମତୀ ହେଷ୍ଟିଙ୍ଗସ୍‍ଙ୍କ ତୀବ୍ର ବ୍ୟକ୍ତିଗତ ସମାଲୋଚନା କରି, ହିକି କାରାଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ, ଏବଂ ତାଙ୍କର ପ୍ରେସ ଓ ପତ୍ରିକା ବାଜ୍ୟାପ୍ତ ହୋଇଯାଇଥିଲା । ହିକିଙ୍କ ପୁର୍ବରୁ ଉଇଲିୟମ ବୋଲଟସ୍‍ ପତ୍ରିକା ପ୍ରକାଶନର ପ୍ରଚେଷ୍ଟା କରି ଦେଶାନ୍ତର ଦଣ୍ଡ ଭୋଗିଥିଲେ ।

 

ଏହାପରେ ୧୭୯୦ ମଧ୍ୟରେ କଲିକତାରୁ ‘ବେଙ୍ଗଲ-ଜର୍ଣ୍ଣାଲ’ କାଲକଟା ତ୍ରିନିକ୍ଲସ୍‍’,ମାନ୍ଦ୍ରାଜରୁ ‘ମାଡ୍ରାସ କେରିୟାର,’ ‘ହରକରା’ ଇତ୍ୟାଦି ପତ୍ରିକାମାନ ପ୍ରକାଶ ପାଇଥିଲା ।

 

୧୮୨୦ ବେଳକୁ ଭାରତର ପତ୍ରପତ୍ରିକା, ବିଶେଷତଃ ସମ୍ବାଦପତ୍ର କ୍ଷେତ୍ରରେ ହୁଇଜଣ ଟାଣୁଆ ବ୍ୟକ୍ତିଙ୍କର ଆବିର୍ଭାବ ହେଲା । ସେଥିମଧ୍ୟରୁ ଜଣେ ହେଲେ ଜେ.ଏସ. ବଙ୍କିମହାମ ଓ ଅନ୍ୟ ଜଣକ ରାଜା ରାମମୋହନ ରାୟ । ଏ ଦୁଇ ଜଣଙ୍କର ବଳିଷ୍ଠ ଲେଖନୀ ସେତେବେଳେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଶାସନର ସୁପରିଚାଳନା ଉଦ୍ଦେଶ୍ୟରେ ବଙ୍କିମହାମ ଏବଂ ସଂସ୍କାର ପାଇଁ, ବିଶେଷତଃ ଘୃଣ୍ୟ ‘ସତୀଦାହ’ ପ୍ରଥାର ବିଲୋପ ପାଇଁ ରାଜା ରାମମୋହନ ଲେଖନୀ ଚାଳନା କରିଥିଲେ । ବଙ୍କିମହାମ ତାଙ୍କର ଅର୍ଦ୍ଧସାପ୍ତାହିକ ଇଂରାଜୀ ପତ୍ରିକା Calcutta Journalର ନୀତି ସମ୍ବନ୍ଧରେ ସୂଚନା ଦେଇଥିଲେ—

 

“To admonish Governors of their duties, to warn them furiously of their faults and to tell disagreeable truths”—(Press Commission Report, Page 14) ଅର୍ଥାତ—ଶାସକବର୍ଗଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ସେମାନଙ୍କୁ ଚେତାଇଦେବା, ସେମାନଙ୍କର ଦୋଷତ୍ରୁଟି ସମ୍ବନ୍ଧରେ ସେମାନଙ୍କୁ ନିଷ୍ଠୁର ଭାବେ ସତର୍କ କରାଇ ଦେବା ଏବଂ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା, ସେହି ପତ୍ରିକାର ନୀତି ଥିଲା ।

 

ପତ୍ରିକା ପ୍ରକାଶ କରିବାରେ ରାଜା ରାମମୋହନ ରାୟଙ୍କର ଉଦ୍ଦେଶ୍ୟ ସମ୍ବନ୍ଧରେ ସେ ତାଙ୍କର ସାପ୍ତାହିକ ‘ସମ୍ବାଦ କୌମୁଦୀ’ ରେ ସୂଚାଇଥିଲେ—To enlighten the public with a view to their social improvement and communicate their rules, a knowledge of the real situation of their subjects and to make the subjects acquainted with the established laws and customs of their Rulers .(P.C.Re. Page 22) ଅର୍ଥାତ—ଜନସାଧାରଣଙ୍କୁ ସାମାଜିକ ଉନ୍ନତି ଦିଗରେ ସଚେତନ କରାଇବା ଏବଂ ପ୍ରଜାମାନଙ୍କର ପ୍ରକୃତି ଅବସ୍ଥା ଶାସକମଣ୍ଡଳୀକୁ ଜଣାଇବା ଓ ଶାସକମଣ୍ଡଳୀର ଆଇନକାନୁନ ସମ୍ବନ୍ଧରେ ପ୍ରଜାମାନଙ୍କୁ ପରିଚିତ କରାଇବା ଏହି ପତ୍ରିକାର ଲକ୍ଷ୍ୟ ଥିଲା ।

 

ପତ୍ରପତ୍ରିକା ପ୍ରକାଶନର ଏ ଦୁଇଟିଯାକ ଉଦ୍ଦେଶ୍ୟ ଆଜିସୁଦ୍ଧା ଅଧିକାଂଶ କ୍ଷେତ୍ରରେ ବିଦ୍ୟମାନ ଥିଲେ ବି, ଚିନ୍ତାଧାରା ଓ ଦୃଷ୍ଟିକୋଣ ଅନେକ ବଦଳିଛି । କାରଣ ପତ୍ରପତ୍ରିକାଗୁଡ଼ିକୁ ଯୁଗୋପଯୋଗୀ ହେବାକୁ ପଡ଼ିଥାଏ । ନହେଲେ ପ୍ରସାର ଓ ଆଦର ବ୍ୟାହତ ହେବା ଅସମ୍ବବ ନୁହେଁ । ସମାଜର ସୁ-କୁ, ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମ୍ମ, କ୍ରିୟା-ପ୍ରତିକ୍ରିୟାକୁ ପ୍ରତିବିମ୍ବିତ କରି ଏକ ନିର୍ଦ୍ଦିଷ୍ଟ ବିଚାରରେ ତାହା ପ୍ରଦର୍ଶନ କରାଇବା ପତ୍ରପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ।

 

ଓଡ଼ିଶାର ପତ୍ରପତ୍ରିକା

 

ଆମ ଓଡ଼ିଶାର ପତ୍ରପତ୍ରିକା କଥା ଆଲୋଚନା କଲେ ଜଣାଯାଏ ଯେ, ଏହାର ଇତିହାସ ବେଶୀ ଦିନର ନୁହେଁ । ୧୮୪୯ ବେଳକୁ ହିନ୍ଦି, ବଙ୍ଗଳା, ଗୁଜୁରାଟୀ, ତେଲୁଗୁ, ତାମିଲ, କାନାଡି, ମାଳୟାଲମ, ମରାଠୀ ପ୍ରଭୃତି ବିଭିନ୍ନ ଭାରତୀୟ ଭାଷାରେ ବହୁ ପତ୍ରପତ୍ରିକା ପ୍ରକାଶ ପାଇ ସାରିଥିଲେ ମଧ୍ୟ, ଓଡ଼ିଆ, ଆସାମୀ ଓ ପଞ୍ଜାବୀ ଭାଷାରେ କୌଣସି ପତ୍ରିକା ପ୍ରକାଶ ପାଇ ନଥିଲା । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଓଡ଼ିଶାରେ ପତ୍ରପତ୍ରିକା ପ୍ରକାଶନର ଅୟମାରମ୍ଭ ହେଲା ।

 

ପ୍ରଥମ ଓଡ଼ିଆ ପତ୍ରିକା

 

ଓଡ଼ିଶାରେ ଓଡ଼ିଆ ପତ୍ରିକା ପ୍ରକାଶ କରିବାରେ ମିଶନାରୀମାନଙ୍କର ଉଦ୍ୟମକୁ ଅବଶ୍ୟ ସ୍ଵୀକାର କରିବାକୁ ହେବ । ରେଭରେଣ୍ଡ ଲେସି ନାମକ ଜଣେ ପାଦ୍ରୀ କଟକରେ ଏକ ପ୍ରେସ ପ୍ରତିଷ୍ଠା କରିବା ପରେ ତାଙ୍କରି ସଂପାଦନାରେ ୧୮୪୯ ମସିହାରେ ପ୍ରଥମ ଓଡ଼ିଆ ପତ୍ରିକା ‘ଜ୍ଞାନାରୂଣ’ ପ୍ରକାଶିତ ହୋଇଥିଲା । ପତ୍ରପତ୍ରିକା କ୍ଷେତ୍ରରେ ଅଜ୍ଞାନ ଅନ୍ଧକାରମୟ ଉତ୍କଳ ଗଗନରେ ଜ୍ଞାନର ଜ୍ୟୋତି ଭଳି ‘ଜ୍ଞାନାରୂଣ’ ସେତେବେଳେ ଉତ୍କଳବାସୀଙ୍କ ମନରେ କି ଅପୂର୍ବ ଆଶା ଓ ଆନନ୍ଦ ସଂଚାର କରି ନଥିବ ! ମାତ୍ର ଏହା ଖୁବ ସ୍ଵଳ୍ପାୟୁ ହୋଇଥିଲା । ଏହା ପରେ ଦ୍ଵିତୀୟ ପତ୍ରିକା ‘ଅରୁଣୋଦୟ’ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର ଭାରତୀୟ ଭାଷା ସୋସାଇଟି ପକ୍ଷରୁ ପ୍ରକାଶ ପାଇଲା । ଏହି ଦୁଇଟିଯାକ ପତ୍ରିକାରେ ମୁଖ୍ୟତଃ ଧର୍ମସମ୍ବନ୍ଧୀୟ ଆଲୋଚନାମୂଳକ ଲେଖା ପ୍ରକାଶ ପାଉଥିଲା । ପରବର୍ତ୍ତୀକାଳରେ ମିଶନାରୀମାନଙ୍କର ଉଦ୍ୟମରେ ‘ବାପଟିଷ୍ଟ ମିଶନାରୀଜ ରିଭିଉ’ ‘ଆମେରିକାନ ବାପଟିଷ୍ଟ ମିଶନ’ ନାମକ ଇଂରାଜୀ ପତ୍ରିକା ଏବଂ ‘ଖ୍ରୀଷ୍ଟିଆନ ମିତ୍ର’ ‘ସ୍ଵଦେଶୀ’, ‘ପ୍ରଭାତୀ’, ‘ତାରା’ ଇତ୍ୟାଦି ପତ୍ରିକା ପ୍ରକାଶିତ ହୋଇଥିଲା ଖ୍ରୀଷ୍ଟଧର୍ମ ପ୍ରଚାର ଏହି ସମସ୍ତ ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

 

ପୂର୍ବରୂ ପତ୍ରିକା ଥିଲା

 

ଓଡ଼ିଶାକୁ ମିଶନାରୀମାନଙ୍କର ଆଗମନ ପୂର୍ବରୁ ଓ ଓଡ଼ିଶାରେ ମୂଦ୍ରାଯନ୍ତ୍ର ପ୍ରତିଷ୍ଠିତ ହେବାର ବହୁ ପୂର୍ବରୂ କେତେକ ହାତଲେଖା ପତ୍ରିକା ପ୍ରଚାରିତ ହୋଇଥିଲା । ତନ୍ମଧ୍ୟରୂ କଟକ ଜିଲ୍ଲାର କୁଜୀବର ଗ୍ରାମରୁ ସାଧୁସୂନ୍ଦର ଦାସଙ୍କ ସଂପାଦନାରେ ‘କୁଜୀବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା ମରହଟ୍ଟାମାନଙ୍କ ଅମଳରେ ପ୍ରକାଶ ପାଉଥିବାର ପ୍ରମାଣ ମିଳେ । ଏହି ‘କୁଜୀବର ପତ୍ର’ରେ ଧର୍ମନୀତି, ରାଜନୀତି, ସମାଜନୀତି ସମ୍ବନ୍ଧରେ ଏବଂ ଦେଶର ସ୍ଵାସ୍ଥ୍ୟ, ଶିକ୍ଷା, ଶିଳ୍ପ, କୃଷି, ବାଣିଜ୍ୟ, ବ୍ରହ୍ମବିଦ୍ୟା ସଙ୍ଗୀତ, ନାନାଶାସ୍ତ୍ରର ତତ୍ତ୍ଵ ସମ୍ବନ୍ଧରେ ଆଲୋଚନାମାନ ସ୍ଥାନ ପାଉଥିଲା । ଏହି ପତ୍ରିକାର କେତେକାଂଶ ପାଦ୍ରୀମାନଙ୍କଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇ ବିଲାତକୁ ପଠାଯାଉଥିଲା ଏବଂ ବିଲାତରେ, ସାଧୁସୁନ୍ଦର ଦାସଙ୍କ ମୀମାଂସା ‘ବାପଟିଷ୍ଟ ମିଶନାରୀ ରିପୋଟ’ ଓ ‘ବାପଟିଷ୍ଟ ମିଶନାରୀ ଜର୍ଣ୍ଣାଲ’ କାଗଜମାନଙ୍କରେ ପ୍ରକାଶ ପାଉଥିଲା । ଏହି ପତ୍ରିକାକୁ ଲୋକେ ଭାରି ଭୟ କରୁଥିରେ । ଏହା ଓଡ଼ିଶାର ସର୍ବପ୍ରଥମ ଶକ୍ତିଶାଳୀ ପତ୍ର ଅଟେ । ଡାକ୍ତର କୃଷ୍ଣମୋହନ ସାହୁଙ୍କଦ୍ୱାରା ରଚିତ ‘ମହାତ୍ମା ସାଧୁସୂନ୍ଦର ଦାସ’ ବହିରେ ଏକଥା ଉଲ୍ଲିଖିତ ଅଛି । ଏହି ବହିର ଭୂମିକାରେ ଲେଖାଅଛି—“The first vernacular newspaper Kujibar patra”.

 

ଉତ୍କଳ ଦୀପିକା

 

ମିଶନାରୀମାନଙ୍କ ଓଡ଼ିଶା ଆଗମନର ପ୍ରାୟ ୩୦ ବର୍ଷ ପରେ କର୍ମଯୋଗୀ ଗୌରୀଶଙ୍କର ରାଏଙ୍କ ସଂପାଦନାରେ ‘ଉତ୍କଳ ଦୀପିକା’ର ଶୁଭ ଆବିର୍ଭାବ ହେଲା ୧୮୬୬ ମସିହାରେ । ଏହା ଏକ ସାପ୍ତାହିକ ପତ୍ରିକା ଥିଲା “ରାଜା ଦିବ୍ୟସିଂହ ଦେବଙ୍କ ନଅ ଅଙ୍କ ବା ଖ୍ରାଷ୍ଟାବ୍ଦ ୧୮୬୬ ରେ ସଂଘଟିତ ଭୀଷଣ ଦୁର୍ଭିକ୍ଷର ଲୋମହର୍ଷଣକାରୀ କାହାଣୀ ସାଧାରଣରେ ଗୋଚରୀଭୂତ କରାଇବା ଉଦ୍ଦେଶ୍ୟରେ କେତେକ ଦେଶହିତୈଷୀଙ୍କର ଯତ୍ନରେ କଟକରେ ‘ଦୀପିକା’ର ସୃଷ୍ଟି ହେଲା ।’’ (ଉତ୍କଳର ପତ୍ରପତ୍ରିକା—ମୃତ୍ୟୁଞ୍ଜୟ ରଥ ।)

 

‘କୁଜୀବର ପତ୍ର’ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ହେଲେ ମଧ୍ୟ ‘ଉତ୍କଳ ଦୀପିକା’ ହିଁ ସର୍ବପ୍ରଥମ ମୃଦ୍ରିତ ଓଡ଼ିଆ ସମ୍ବାଦପତ୍ର । ଏହି ‘ଦୀପିକା’ ସମ୍ବନ୍ଧରେ ଓଡ଼ିଶା ଆସେମ୍ବ୍ଲିର ପୂର୍ବତନ ବାଚସ୍ପତି ସ୍ଵର୍ଗୀୟ ଲାଲମୋହନ ପଟ୍ଟନାୟକ ତାଙ୍କର ‘Resurrected Orissa’ ବହିରେ ଲେଖିଛନ୍ତି—“Dipika started in 1866, when Orissa was just beginning to look round the modern world taking advantage of English education and people were yet unfamiliar with such enterprises ×× the popularity at one time was remarkable. The influence it yielded was enormous.” ବାସ୍ତବରେ ‘ଦୀପିକା’ ପ୍ରାୟ ସତୁରୀ ବର୍ଷ କାଳ ଓଡ଼ିଶାର ସାଧାରଣ ଜୀବନରେ ଏତେ ପ୍ରଭାବ ବିସ୍ତାର କରିଥିଲା ଏବଂ ଏତେ ଜନପ୍ରିୟ ହୋଇ ପାରିଥିଲା, ଯାହା ଫଳରେ କି ବହୁବର୍ଷ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳରେ ଲୋକେ ଅନ୍ୟ ଯେକୌଣସି ପତ୍ରିକାକୁ ‘ଦୀପିକା’ ବୋଲି କହୁଥିଲେ ।

 

ଭାଷାର ସୁରକ୍ଷା

 

ଓଡ଼ିଆ ଭାଷା ଓ ସାହିତ୍ୟ ଯେତେବେଳେ ଏକ ଦିଗରେ ପଡ଼ୋଶୀ ବଙ୍ଗଳା ଭାଷାଦ୍ଵାରା ସଂକୁଚିତ ହୋଇ ବିପନ୍ନ ହୋଇ ପଡ଼ୁଥିଲା ଏବଂ ଯେତେବେଳେ ‘ଉଡ଼ିୟା ଏକ ସ୍ଵତନ୍ତ୍ର ଭାଷା ନୟ’ ବୋଲି ବଙ୍ଗାଳୀଙ୍କ ଘୃଣ୍ୟ ପ୍ରଚାର ଆରମ୍ଭ ହୋଇଥିଲା ଏବଂ ଯେତେବେଳେ ଓଡ଼ିଆ ଜାତିର ଭାଷାକୁ ଲୋପ କରିଦେବାର ଗୋଟାଏ କୁତ୍ସିତ ଓ ହୀନଚକ୍ରାନ୍ତ ବଳଶାଳୀ ହୋଇଉଠୁଥିଲା, ସେତିକିବେଳେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ନିମନ୍ତେ ଫକୀରମୋହନ, ରାଧାନାଥ, ଗୌରୀଶଙ୍କର, ମଧୁସୂଦନ ପ୍ରମୁଖ ସାହିତ୍ୟ-ରଥୀମାନେ ଅଣ୍ଟା ଭିଡ଼ିଲେ । ଜାତି ଓ ଭାଷାପ୍ରେମୀ ଏହି ସାହିତ୍ୟରଥୀମାନେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ କବିତା ଇତ୍ୟାଦି ସାହିତ୍ୟର ବିଭିନ୍ନ ବିଭାଗରେ ସେମାନଙ୍କର ବଳିଷ୍ଠ ଲେଖନୀ ଚଳାଇଲେ । ପ୍ୟାରୀମୋହନ ଆଚାର୍ଯ୍ୟ ମଧ୍ୟ ଏଥିରେ ସହଯୋଗ କରିଥିଲେ । କିନ୍ତୁ କେବଳ ଲେଖିଦେଲେ ତ ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ, ସେ ଲେଖାର ପ୍ରସାର ଓ ପ୍ରଚାର ହେବା ଦରକାର । ଏହି ଲେଖାକୁ ବହି ଆକାରରେ ପ୍ରକାଶ କରାଇ କିମ୍ବା ସ୍ଵତନ୍ତ୍ର ଭାବରେ ଛପାଇ ପ୍ରଚାର କରିବା ମଧ୍ୟ ସେଭଳି ସହଜସାଧ୍ୟ ଓ ସମ୍ଭବପର ନଥିଲା । ତେଣୁ ପତ୍ରପତ୍ରିକାହିଁ ଏକମାତ୍ର ଶ୍ରେଷ୍ଠ ପ୍ରଚାର-ମାଧ୍ୟମରୂପେ ବିବେଚିତ ହେଲା । ଫଳରେ ୧୮୬୮ ମସିହାଠାରୁ ୧୯୦୦ ମସିହା, ଦୀର୍ଘ ୩୨ ବର୍ଷ ମଧ୍ୟରେ ଓଡ଼ିଆ ଭାଷାରେ ବିଭିନ୍ନ ବ୍ୟକ୍ତିଙ୍କ ଉଦ୍ୟମରେ ଯେତେ ପତ୍ରପତ୍ରିକା ପ୍ରକାଶପାଇଛି, ତାହା ଦେଖିଲେ ଜଣାଯାଏ ଯେ, ଓଡ଼ିଆ ଭାଷା ଓ ସାହିତ୍ୟର ସମ୍ମାନଜନକ ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ସେ ସମୟରେ ପ୍ରଗାଢ଼ ଯତ୍ନ କରାଯାଇଥିଲା-। ଫକୀରମୋହନ ସେନାପତିଙ୍କ ଉଦ୍ୟମରେ ସାପ୍ତାହିକ ପତ୍ରିକା ‘ବାଲେଶ୍ଵର ସମ୍ବାଦ ବାହୀକା’ ୧୮୬୮ ରେ ପ୍ରକାଶ ପାଇଲା ଏହି ବର୍ଷ କଟକରୁ ଶ୍ରୀ କାଳୀପଦ ବାନାର୍ଜୀଙ୍କର ସଂପାଦନାରେ ‘ଉତ୍କଳ ହିତୈଷିଣୀ’ ମଧ୍ୟ ପ୍ରକାଶିତ ହୋଇଥିଲା । ଏହାର କେତେ ବର୍ଷପରେ ଭକ୍ତକବି ମଧୂସୂଦନ ରାଓଙ୍କ ସଂପାଦନାରେ ଧର୍ମବୋଧିନୀ’ (୧୮୭୩) ଏବଂ ‘ଶିକ୍ଷାବନ୍ଧୁ’ (୧୮୮୬) ପ୍ରକାଶ ପାଇଲା-। ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସଂପାଦନାରେ ନିର୍ଭୀକ ଓ କଠୋର ସମାଲୋଚନା-ମୂଳକ ଲେଖା ଥାଇ କଟକରୁ ପ୍ରକାଶ ପାଇଲା, ‘ଉତ୍କଳ ପୁତ୍ର’ (୧୮୭୩) ଏବଂ ବାଲେଶ୍ଵରରୁ ତତ୍କକାଳୀନ ରାଜା ବୈକୁଣ୍ଠ ନାଥ ଦେବଙ୍କ ଉତ୍ସାହ ଓ ସାହାଯ୍ୟରେ ପ୍ରକାଶ ପାଇଲା ମାସିକ ପତ୍ରିକା ‘ଉତ୍କଳ ଦର୍ପଣ’ । ଚତ୍ତୁଭୁର୍ଜ ପଟ୍ଟନାୟକଙ୍କ ସଂପାଦକତ୍ଵରେ ‘ସଂସ୍କାରକ’ (୧୮୮୩) ଏବଂ ବାମଣ୍ଡାଧୀଶ୍ଵର ସୁଢ଼ଳ ଦେବଙ୍କ ଉତ୍ସାହରେ ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ବାମଣ୍ଡାରୁ ପକାଶ ପାଇଲା ସାପ୍ତାହିକ ପତ୍ରିକା ‘ସମ୍ବଲପୁର ହିତୈଷିଣୀ’ (୧୮୮୯)-। ମୟୂରଭଞ୍ଜର ରାଜା ରାମଚନ୍ଦ୍ର ଦେବଙ୍କ ଉଦ୍ୟମରେ ପ୍ରକାଶ ପାଇଲା ‘ଉତ୍କଳ ପ୍ରଭା’ (୧୮୯୧)-। କଟକରୁ ‘ଇନ୍ଦ୍ରଧନୁ’ ଓ ବାମଣ୍ଡାରୁ ‘ବିଜୁଳି’ ପ୍ରକାଶ ପାଇଲା ୧୮୯୩ରେ । ୧୮୯୭ରେ ସାହିତ୍ୟିକ ତଥା ସମାଜସଂସ୍କାରକ ବିଶ୍ଵନାଥ କରଙ୍କ ସଂପାଦନାରେ କଟକରୁ ପ୍ରକାଶ ପାଇଲା ସାହିତ୍ୟ-ମାସିକ ‘ଉତ୍କଳ ସାବିତ୍ୟ’ ।

 

ଓଡ଼ିଆ ସାହିତ୍ୟ ପ୍ରତି ଏହି ପତ୍ରପତ୍ରିକାଗୁଡ଼ିକ ଯତ୍ନବାନ ହୋଇଥିଲା ବେଳେ ଓଡ଼ିଶାବାସୀଙ୍କର ସାମାଜିକ ଓ ରାଜନୈତିକ ଚେତନା ଅଣାଇବା ଉଦ୍ଦେଶ୍ୟରେ ଏହି ସମୟରେ ‘ଶିକ୍ଷକ’ ‘ପ୍ରଜାବନ୍ଧୁ’, ‘ଧୁମକେତୁ’, ‘ସେବକ’ ‘ତରକା’, ’ପ୍ରଦୀପ’, ‘ନବସମ୍ବାଦ’, ‘ଓଡ଼ିଆ’, ‘ସାମ୍ୟବାଦୀ’, ‘Orissa students, Ganjam News ‘ଦୀପକ’ ଇତ୍ୟାଦି ପତ୍ରପତ୍ରିକାମାନ ପ୍ରକାଶିତ ହୋଇଥିଲା ।

 

ସାହିତ୍ୟ କସରତ୍‍

 

କଟକରୁ କର୍ମବୀର ଗୌରୀଶଙ୍କରଙ୍କ ସଂପାଦନାରେ ‘ଉତ୍କଳ ଦୀପିକା’ ପ୍ରକାଶ ପାଉଥାଏ । ତେଣେ ବାଲେଶ୍ଵରରୁ ‘ସମ୍ବାଦ ବାହିକା’ ଉତ୍କଳ ଦର୍ପଣ’, ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ଏବଂ ପରେ ମୟୁରଭଞ୍ଜରୁ ‘ଉତ୍କଳ ପ୍ରଭା’ ପ୍ରକାଶିତ ହେବା ପରେ ଓଡ଼ିଶାର ସାହିତ୍ୟରଥୀ ତଥା ଲେଖକମାନଙ୍କ ମଧ୍ୟରେ ଏକ ସାହିତ୍ୟ-କସରତ୍‍ ଖୁବ ଜୋର ସୋରରେ ଆରମ୍ବ ହୋଇଗଲା ଏହି ପତ୍ରପତ୍ରିକା ମାଧ୍ୟମରେ । ‘ଉତ୍କଳ ଦର୍ପଣ’ରେ କବିବର ରାଧାନାଥଙ୍କର ‘ମେଘଦୂତ’ ‘ପବନ’, ‘ଇତାଲୀୟ ୟବା’, ‘ବିବେକୀ’, ପ୍ରଭୃତି ଲେଖା ଏବଂ ମଧୁସୂଦନଙ୍କର ‘ଶ୍ମଶାନ’, ‘ନିଶୀଥ ଚିନ୍ତା’, ‘ଅଯୋଧ୍ୟା ପ୍ରତ୍ୟାଗମନ’, ‘ବୁଦ୍ଧଦେବ’, ‘ସୂର୍ଯ୍ୟ’, ‘ପିତୃଭକ୍ତି’, ‘ନିର୍ଜନ ଦ୍ଵୀପରେ ନିର୍ବାସିତର ବିଳାପ’ ଇତ୍ୟାଦି ଲେଖା ପ୍ରକାଶିତ ହେଲା । ବିଷେଷତଃ ରାଥାନାଥଙ୍କର ଲେଖା ଧାରାବାହିକ ଭାବରେ ପ୍ରକାଶ ପାଇଲା । ଏହି ‘ଉତ୍କଳ ଦର୍ପଣ’ ତଦାନୀନ୍ତନ ସାହିତ୍ୟର ଦର୍ପଣ ସ୍ୱରୂପ ଥିଲା ବୋଲି କହିଲେ ଚଳେ ।

 

ନୂତନ ଦିଗଦର୍ଶନ

 

ଓଡ଼ିଆ ସାହିତ୍ୟର ଏକ ନୂତନ ଦିଗ ସୂଚିତ ହେଲା—‘ଉତ୍କଳ ପ୍ରଭା ମାଧ୍ୟମରେ । ସାହିତ୍ୟାନୁରାଗୀ ମୟୁରଭଞ୍ଜାଧୀଶ ରାମଚନ୍ଦ୍ର ଦେବ ଓଡ଼ିଶା ସାହିତ୍ୟର ଉନ୍ନତି ସାଧନ କଳ୍ପେ ୧୮୯୧ରେ ଘୋଷଣା କଲେ—“ଦେଶର ଶିକ୍ଷିତ ମଣ୍ଡଳୀ ଉତ୍ସାହ ଓ ଧନ ଅଭାବରୁ ପ୍ରବନ୍ଧ ଓ ଗ୍ରନ୍ଥାଦି ଲେଖିବାକୁ ଯତ୍ନବାନ ହେଉ ନାହାନ୍ତି । ଏହି ଅଭାବ ଦୂର କରିବା ପାଇଁ ଏକ ମାସିକ ସାହିତ୍ୟପତ୍ରିକା—‘ଉତ୍କଳ ପ୍ରଭା’ ପ୍ରକାଶିତ ହେବ । ସାହିତ୍ୟ, ବିଜ୍ଞାନ, ଦର୍ଶନ, ରାଜନୀତି, ସାଧାରଣ ଧର୍ମ ଓ ନୀତି ସମ୍ବନ୍ଧୀୟ ପ୍ରବନ୍ଧମାନ ଏ ପତ୍ରିକାରେ ପ୍ରକାଶ କରାଯିବ ଉତ୍କଷ୍ଟା ପ୍ରବନ୍ଧ ଲେଖକମାନେ ପୁରସ୍କୃତ ହେବେ । ବର୍ଷକ ମଧ୍ୟରେ ଛଅଜଣ ପଦ୍ୟ ଲେଖକଙ୍କୁ ଏବଂ ଛଅଜଣ ଗଦ୍ୟ ଲେଖକଙ୍କୁ ୧୨୦ ଟଙ୍କା ଲେଖାଏଁ ଗୁଣାନୁସାରେ ପ୍ରଦତ୍ତ ହେବ । କାବ୍ୟ, ନାଟିକା ଏବଂ ଆଖ୍ୟାୟିକାର ଲେଖକ, ବୈଜ୍ଞାନିକ ଓ ଐତିହାସିକ ପ୍ରବନ୍ଧ ଲେଖକମାନେ ପୁରସ୍କାରଯୋଗ୍ୟ ପୁସ୍ତକ ପତ୍ରିକାରେ ସମ୍ପୂର୍ଣ୍ଣ ପ୍ରକାଶ କଲେ, ଦୁଇଶହ ଟଙ୍କା ଏବଂ ଆଂଶିକ ପ୍ରକାଶ କଲେ ଚାଳିଶ ଟଙ୍କା ପୁରସ୍କାର ପାଇବେ ।’’ (ଓଡ଼ିଶାର ପତ୍ରପତ୍ରିକା)

 

ରାମଚନ୍ଦ୍ର ଦେବଙ୍କର ଉକ୍ତ ଘୋଷଣା, ସେତେବେଳେ ଉତ୍କଳର ବହୁ ଲେଖକଙ୍କୁ ନିଶ୍ଚୟ ଖୁବ୍‍ ଉତ୍ସାହିତ କରିଥିଲା । ସେମାନଙ୍କର ମନରେ ସାହିତ୍ୟ ପ୍ରତି ନୂତନ ଆକର୍ଷଣ ଜଗାଇଥିଲା । ତେଣୁ ଅନେକ ଲେଖକ ଏଥିରେ ଅଂଶ ଗ୍ରହଣ କରି ବିଭିନ୍ନ ବିଷୟରେ ଲେଖା ଲେଖିଥିଲେ, ଯାହା ଫଳରେ କି ଅତି ଅଳ୍ପ କାଳ ମଧ୍ୟରେ ଓ ଅନାୟାସରେ ଉତ୍କୃଷ୍ଟ ଧରଣର କାବ୍ୟ, ନାଟକ, ଗଳ୍ପ, ଉପନ୍ୟସ, କବିତା, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟରେ ଓଡ଼ିଆସାହିତ୍ୟ ପରିପୁଷ୍ଟ ହେବାର ଏକ ସୁବର୍ଣ୍ଣ ସୁଯୋଗ ପାଇଥିଲା । ଏହି ‘ଉତ୍କଳ-ପ୍ରଭା’ରେ, ରାଧାନାଥଙ୍କର ‘ଚିଲିକା’, ମଧୁସୂଦନଙ୍କର ‘ଋଷିପ୍ରାଣେ ଦେବାବତରଣ’, ଫକୀରମୋହନଙ୍କ ‘ନିଦାଘ ନିଶୀଥ ସ୍ଵପ୍ନ’, ରାମଶଙ୍କର ରାୟଙ୍କର ‘ବିବାସିନୀ’ ଉପନ୍ୟାସ; ଲାଲା ରାମନାରୟଣ ରାୟଙ୍କର ‘ଭଞ୍ଜକାବ୍ୟ ସମାଲୋଚନା’, ବିଶ୍ଵନାଥ କରଙ୍କର ‘ସ୍ତ୍ରୀ ଶିକ୍ଷା’ ଇତ୍ୟାଦି ଲେଖା ପ୍ରକାଶିତ ହୋଇଥିଲା । ମୋଟଉପରେ ଏହି ପତ୍ରିକା ମାଧ୍ୟମରେ ସାହିତ୍ୟ କ୍ଷେତ୍ରରେ ନୂତନ ରୁଚି ପ୍ରକାଶ ପାଇଲା । ବିଶେଷତଃ ଆଦିରସାତ୍ମକ ଭଞ୍ଜୀୟ ସାହିତ୍ୟ ପ୍ରତି କେତେକଙ୍କ ମଧ୍ୟରେ ଅନାଗ୍ରହ ଦେଖାଦେଲା । ଏପରିକି ଏ ପତ୍ରିକାରେ ଭଞ୍ଜ ସାହିତ୍ୟର ନିର୍ମମ ସମାଲୋଚନା ମଧ୍ୟ କରାଗଲା । ତେଣୁ ଭଞ୍ଜଙ୍କ ସମର୍ଥକମାନେ ‘ଦୀପିକା’ ମାଧ୍ୟମରେ ଏହି ସମାଲୋଚନାର ଉତ୍ତର ଦେଲେ, ମାତ୍ର ତାହା ଯଥେଷ୍ଟ ନ ହେବାରୁ କଟକରୁ ‘ଇନ୍ଦ୍ରଧନୁ’ ପ୍ରକାଶ କରି ସେଥିରେ ଭଞ୍ଜ ସମର୍ଥକମାନେ ଭଞ୍ଜସାହିତ୍ୟ ବିଶ୍ଲେଷଣ କରି, ସମାଲୋଚକମାନଙ୍କୁ ଉତ୍ତର ଦେଲେ । ଭଞ୍ଜ-ସମାଲୋଚକମାନେ ମଧ୍ୟ ହଟିବାର ପାତ୍ର ନୁହଁନ୍ତି । ସେମାନେ ବାମଣ୍ଡାରୁ ‘ବିଜୁଳି ନାମରେ ଅନ୍ୟ ଏକ ପତ୍ରିକା ପ୍ରକାଶ କରି ଭଞ୍ଜ ସାହିତ୍ୟକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ, ସମର୍ଥକମାନଙ୍କୁ ଜବାବ ଦେଲେ । କିଛି କାଳ ପର୍ଯ୍ୟନ୍ତ ରୁଚି ସମ୍ପନ୍ନ ଭାଷାରେ ଓ ଶିଷ୍ଟାଚାର ରକ୍ଷା କରି ଏହି ଉଭୟ ପତ୍ରିକା ମଧ୍ୟରେ ସମାଲୋଚନା ଓ ପ୍ରତିସମାଲୋଚନା ଚାଲିଲା ଏହାପରେ କିନ୍ତୁ ସମାଲୋଚନାର ଭାଷା ଅଶ୍ଲୀଳ ଓ କୁତ୍ସିତ ହୋଇ ପଡ଼ିଲା । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତଥା ଲେଖକ ଓ ପାଠକ ମହଲରେ ଏହା ସେତେବେଳେ ଖୁବ୍‍ ଚମକ ଖେଳାଇ କ୍ରମେ କୁରୁଚିପୂର୍ଣ୍ଣ ବାତାବରଣ ସୃଷ୍ଟିକଲା । ତେଣୁ କବି ମଧୁସୂଦନ ଏ ଉଭୟ ଗୋଷ୍ଠୀଙ୍କୁ ଚେତାବନୀ ଛଳରେ ବ୍ୟଙ୍ଗ ଓ ବିଦ୍ରୁପ କରି ଲେଖିଲେ, “ସାବାସ ସାହିତ୍ୟ ଚର୍ଚ୍ଚା—ସାବାସ୍‍-ସାବାସ” ଓ “ଭଣ୍ଡ ରସାୟନ କାବ୍ୟ ।’’

 

“ଭଣ୍ଡ ରସାୟନ କାବ୍ୟ” ନାମକ କବିତାରେ ମଧୁସୂଦନ ‘ଇନ୍ଦ୍ରଧନୁ’ ଓ ‘ବିଜୁଳୀ’ର ମଲ୍ଲମାନଙ୍କୁ ତର୍ଜ୍ଜନୀ ପ୍ରହାର ଦେଇଛନ୍ତି—

 

“ଉତ୍କଳ ସାହିତ୍ୟ କ୍ଷେତ୍ରେ ଲାଗିଛି ସମର

ଅବଦବ୍ୟାପୀ ଶବ୍ଦମୟ ମହାଭୟଙ୍କର ।

କୁକ୍ଷଣେ ସୁରୁଚିଧ୍ଵଜୀ ଲାଲାଜୀ ଭୀଷଣ

ମନ୍ତ୍ର-ପରତନ୍ତ୍ର ରଣ-ରଥୀ ବିଚକ୍ଷଣ

ଭଞ୍ଜ-କୀର୍ତ୍ତି-ବିଭଞ୍ଜନ-ବ୍ୟାପର ପ୍ରୟାସୀ

ସମର ପ୍ରାଙ୍ଗଣେ ରଙ୍ଗେ ଦେଖାଦେଲେ ଆସି ।

 

ଆରେ ଲାଲା ରାୟ ଚେଲା ! ହୁଅ ସାବଧାନ,

ନୋହିଲେ ହୋଇବ—ଲଙ୍କାକାଣ୍ଡର ବିଧାନ ।

ଥାଇ ବୋଇଲେ ଲାଲାଜୀ, ଆରେ ଧନ୍ଦାସୁର,

ଅଲାଜୁକ ମାର-ଶିଷ୍ୟ-ବିଷ-ବୀଜାଙ୍କୁର ।

 

ଆହ୍ଳାଦେ ଗରଜି ସର୍ବେ ରୁଚିଧ୍ଵଜୀ ବୀରେ

ହାସ୍ୟ ଭାଷ୍ୟ ରଙ୍ଗେ ତହୁଁ ମାତିଲେ ଅଧିରେ ।

ଇନ୍ଦ୍ରଧନୁ ବ୍ୟାଖ୍ୟା ପୁଣି ବିଜୁଳିର ଭାଷ୍ୟ

ପରସ୍ପର ଯୁଦ୍ଧ ଫଳ କ୍ରମଶଃ ପ୍ରକାଶ୍ୟ ।

 

ପାଠକମାନଙ୍କର କୌତୁହଳ ଚରିତାର୍ଥ ଉଦ୍ଦେଶ୍ୟରେ ଏହି ବ୍ୟଙ୍ଗ କବିତାର ଆଉ କୋତୋଟି ପଙ୍‍କ୍ତି ଏଠାରେ ଉଦ୍ଧାର କରୂଛି—

 

“ଭଲା ଅଲାଜୁକ ଲେଖକେ ବୃଥା ଭିଆଇ କଳି

ଅମ୍ଳାନ ବଦନେ ପବିତ୍ର ନୀତି ଚରଣେ ଦଳି ।

ବାହାଦୁରି ନେବା ଆଶୟେ ହୋଇଅଛ ବାହାର

ବାହାପିଆ-କୁଳ-ଭୂଷଣ, ତୁମ୍ଭ ପଦେ ଜୁହାର ।

 

ହ୍ରୀମତୀ ପ୍ରକୃତି ଦେବୀର ଲଜ୍ଜା-ବସନ ଫେଇ

ମାରାତ୍ମକ ଚିତ୍ର ଚିତ୍ରୁଛ ମାର-ତୁଳିକା ଦେଇ ।

ରଞ୍ଜୁ ଅଛ ଆହା କି ରଙ୍ଗେ ସେହି ବୀଭତ୍ସ ଚିତ୍ର

ଉତ୍କଳ ସାହିତ୍ୟ ହେଲା କି ଏତେ ଦିନେ ପବିତ୍ର ।

ଗର୍ଜନ ତର୍ଜନ କରିବା ବହି ସ୍ୱରୁଚି ବାନା

କୁରୁଚି ନର୍ଦ୍ଦମା-କର୍ଦ୍ଦମେ ପଡ଼ି ଗଡ଼ୁଛ ସିନା ! ଇତ୍ୟାଦି

 

କିଛିକାଳ ଏହିପରି ପରସ୍ପରକୁ ଆକ୍ଷେପ ଓ ବାଣ ନିକ୍ଷେପ ପରେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ସାହିତ୍ୟାକାଶରୁ ଚିରଦିନ ପାଇଁ ଲୁଚିଗଲେ ।

 

ସାହିତ୍ୟରେ ନୂତନ ଯୁଗ

 

କିନ୍ତୁ ଏହି ବାଦବିବାଦ ଓ ସମାଲୋଚନା ପରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବାସ୍ତବରେ ଏକ ନୂତନ ଯୁଗ ଆରମ୍ଭ ହେଲା ବୋଲି କୁହାଯାଇପାରେ । କାରଣ ଏହାପରେ ଓଡ଼ିଆ ସାହିତ୍ୟ ଅଧିକ ମାର୍ଜିତ ଓ ରୁଚିସମ୍ପନ୍ନ ହେଲା । ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ର ଝଡ଼ଝଞ୍ଜାର ଅବସାନପରେ ଊନବିଂଶ ଶତାବ୍ଦୀର ଶେଷ (୧୮୯୭)ରେ ଉତ୍କଳର ସାହିତ୍ୟ କ୍ଷେତ୍ରରେ ବିଶ୍ଵନାଥ କରଙ୍କ ସମ୍ପାଦନାରେ ‘ଉତ୍କଳ ସାହିତ୍ୟ’—ମାସିକ ପତ୍ରିକା ଆତ୍ମପ୍ରକାଶ କଲା । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପତ୍ରପତ୍ରିକା ଜରିଆରେ କିପରି ଦୃଢ଼ ନେତୃତ୍ଵ ଦିଆଯାଇପାରେ, ସେ ଦିଗରେ ‘ଉତ୍କଳ ସାହିତ୍ୟ’ ଏକ ନୂତନ ପରମ୍ପରା ସୃଷ୍ଟିକଲା; ଏବଂ ବିଭିନ୍ନ ପ୍ରକାରର ଉଚ୍ଚ ଧରଣର ଲେଖା ଏଥିରେ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ବହୁ ଲେଖକଙ୍କର ମଧ୍ୟ ସୃଷ୍ଟି ହେଲା । ସେତେବେଳେ ପଲ୍ଲୀକବି ନନ୍ଦକିଶୋର ବଳ, ମୃତ୍ୟୁଞ୍ଜୟ ରଥ, ଗୋପାଳଚନ୍ଦ୍ର ପ୍ରହରାଜ ପ୍ରମୁଖଙ୍କ ଲେଖା ଫଳରେ ଓଡ଼ିଆ ସାହିତ୍ୟ ବଳିଷ୍ଠ ହେଲା । ପ୍ରାୟ ପଚିଶ ଛବିଶ ବର୍ଷକାଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ପରେ ଯୁଗୋଚିତ ଧାରାର ଯଥାର୍ଥ ପ୍ରତିନିଧିତ୍ଵ କରିବାରେ ଏବଂ ଦେଶବ୍ୟାପୀ ସ୍ଵାଧୀନତା ଆନ୍ଦୋଳନର ଜାତୀୟ ସ୍ରୋତରେ ନିଜକୁ ଚଳାଇ ନ ପାରିବାରୁ କ୍ରମେ ଏହା ପ୍ରତିଷ୍ଠା ହରାଇଲା ଓ ବନ୍ଦ ହୋଇଗଲା । ପରେ ଅବଶ୍ୟ ସୁନନ୍ଦ କରଙ୍କ ସଂପାଦନାରେ ଏହା ଅଳ୍ପ କାଳପାଇଁ ପ୍ରକାଶ ପାଇଥିଲା । ମାତ୍ର ଏହା ତାହାର ପୂର୍ବ ଗୌରବ ଆଉ ରକ୍ଷା କରି ପାରିଲା ନାହିଁ ।

 

ଲକ୍ଷ୍ୟ କଲେ ଜଣାଯାଏ ଯେ, ଆରମ୍ଭରୁ ଶେଷଯାଏ ଓଡ଼ିଶାରେ ଊନବିଂଶ ଶତାବ୍ଦୀରେ ଅନେକ ପତ୍ରପତ୍ରିକା ପ୍ରକାଶ ପାଇଥିଲେ ମଧ୍ୟ ଅଳ୍ପ କେତୋଟି ବ୍ୟତୀତ ଅନ୍ୟମାନେ ଲୋପ ପାଇ ଯାଇଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଊନବିଂଶ ଶତାବ୍ଦୀର ପ୍ରତିଷ୍ଠିତ ପତ୍ରିକା ମଧ୍ୟରେ ସାପ୍ତାହିକ ‘ଦୀପିକା’ ଓ ମାସିକ ‘ଉତ୍କଳସାହିତ୍ୟ’ ହିଁ ପ୍ରଧାନ ଥିଲା ।

 

ବିଂଶ ଶତାବ୍ଦୀର ପତ୍ରପତ୍ରିକା

 

ବିଂଶ ଶତାବ୍ଦୀରେ ସମଗ୍ର ବିଶ୍ଵରେ ଯୁଗାନ୍ତକାରୀ ଘଟଣା ଓ ପରିବର୍ତ୍ତନମାନ ଘଟିଲା । ଦୁଇ ଦୁଇଟା ବିଶ୍ଵଯୁଦ୍ଧ ଘଟିଲା । ବିଶ୍ଵର ରାଜନୀତି, ସମାଜନୀତି ଓ ଅର୍ଥନୀତି ମଧ୍ୟ ପରିବର୍ତ୍ତିତ ହେଲା । ବିଶେଷତଃ ଭାରତରେ ସ୍ଵାଧୀନତା ଆନ୍ଦୋଳନର ଜାତୀୟ ସ୍ରୋତ, ବ୍ରିଟିଶ ଶାସକ ଗୋଷ୍ଠୀର ନିର୍ମ୍ମମ ଅତ୍ୟାଚାର, ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଦେଶରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବିଦେଶୀ ଜିନିଷ ବର୍ଜନ, ବ୍ୟକ୍ତିଗତ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ, ଭାରତବାସୀଙ୍କ ବ୍ୟାପକ କାରାବରଣ ଇତ୍ୟାଦି ଯୁଗାନ୍ତକାରୀ ଘଟଣା ଦେଶର ପତ୍ରପତ୍ରିକାକୁ ଯଥେଷ୍ଠ ପ୍ରଭାବିତ କଲା ।

 

ବିଶେଷରେ ଓଡ଼ିଶାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଆନ୍ଦୋଳନ ତଥା ଓଡ଼ିଆ ଜାତିର ଆତ୍ମପ୍ରତିଷ୍ଠା ପାଇଁ ଯେଉଁ ନୀରବଚ୍ଛିନ୍ନ ଆନ୍ଦୋଳନ ହେଲା, ସେଥିରେ ଓଡ଼ିଶାର ତତ୍‍କାଳୀନ ପତ୍ରପତ୍ରିକା ଦୃଢ଼ ନେତୃତ୍ଵ ନ ନେଇଥିଲେ, ଆନ୍ଦୋଳନ ହୁଏତ ସଫଳ ହୋଇ ନ ଥାନ୍ତା । ନିଜ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରତିଷ୍ଠା ଲାଗି ଏବଂ ଦେଶର ସ୍ଵାଧୀନତା ଲାଗି ଓଡ଼ିଶା ପତ୍ରପତ୍ରିକାମାନଙ୍କର ଅବଦାନ ବାସ୍ତବରେ ଅବିସ୍ମରଣୀୟ ।

 

ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ଦୈନିକ ପତ୍ରିକାର କଳ୍ପନା ସୁଦ୍ଧା ନଥିଲା ।ଏହି ସମୟରେ ଯାହା କିଛି ପତ୍ର ପତ୍ରିକା ଥିଲା, ସେ ସମସ୍ତ ସାପ୍ତାହିକ, ପାକ୍ଷିକ, ମାସିକ ବା ସାମୟିକ । ସ୍ଵାଧୀନତା ଆନ୍ଦୋଳନର ସ୍ରୋତ ପ୍ରବାହିତ ହେଲା ପରେ ପ୍ରଥମ ଦୈନିକ ପତ୍ରିକା ପ୍ରକାଶ ପାଇଲା ଏବଂ ଏହି ଜାତୀୟ ସ୍ରୋତର ପ୍ରବାହକୁ ଆହୁରି ବେଗଗାମୀ ଓ ଶକ୍ତିଶାଳୀ କରାଇବା ଲାଗି ବହୁ ପତ୍ରପତ୍ରିକା ପ୍ରକାଶିତ ହେଲା । ୧୯୩୬ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେଲା-। ତଥାପି ବହୁ ଓଡ଼ିଆ ଭାଷୀ ଅଞ୍ଚଳ ପଡ଼ୋଶୀ ବଙ୍ଗଳା, ବିହାର, ମଧ୍ୟପ୍ରଦେଶ ଓ ତତ୍କକାଳୀନ ମାନ୍ଦ୍ରାଜ ରାଜ୍ୟ ଭିତରେ ଅନ୍ୟାୟ ଭାବରେ ରହିଗଲା । ସ୍ଵତନ୍ତ୍ର ଅଥଚ ଖଣ୍ଡିତ ପ୍ରଦେଶ ପାଇ ଓଡ଼ିଶାବାସୀ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ତେଣୁ ଏହିସବୁ ଓଡ଼ିଆ ଅଞ୍ଚଳର ଓଡ଼ିଶା ସହ ମିଶ୍ରଣପାଇଁ ପତ୍ରପତ୍ରିକା ଜରିଆରେ ଦୃଢ଼ ଦାବୀ କରାଗଲା ।

 

ବିଂଶ ଶତାବ୍ଦୀର ଆରମ୍ଭରୁ ଏପର୍ଯ୍ୟନ୍ତ ଦୀର୍ଘ ସାର୍ଦ୍ଧଶତାବ୍ଦୀ ଓ ଦୁଇ ଦଶକୋତ୍ତର ବର୍ଷ ମଧ୍ୟରେ ଓଡ଼ିଶାରେ ବହୁ ପତ୍ରପତ୍ରିକା ସାପ୍ତାହିକ ଅର୍ଦ୍ଧସାପ୍ତାହିକ, ଦୈନିକ, ପାକ୍ଷିକ, ମାସିକ, ତ୍ରୈମାସିକ ଓ ସାମୟିକ ଆକାରରେ ପ୍ରକାଶ ପାଇଥିଲେ ମଧ୍ୟ, ବୁଦ୍‍ବୁଦ୍‍ ଭଳି ଅଧିକାଂଶ ଜଳସ୍ରୋତରେ ବିଲୀନ ହୋଇଗଲେ । କେବଳ ଅଳ୍ପ କେତୋଟି କୋଡ଼ିଏ ପଚିଶି ବର୍ଷକାଳ ବଞ୍ଚିଲେ-। କେବଳ ଗୋଟିଏ ମାତ୍ର ପତ୍ରିକା ‘ସମାଜ’ ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ରୂପେ ଦୀର୍ଘ ୫୦ ବର୍ଷରୁ ଅଧିକ କାଳ ଧରି ପ୍ରତିଷ୍ଠା ଲାଭ କରି ଆସୁଅଛି । ପତ୍ରପତ୍ରିକାଗୁଡ଼ିକୁ ସାଧାରଣତଃ ସାହିତ୍ୟ, ରାଜନୀତି, ସମାଜ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କୃଷି, ଧର୍ମ, ଖେଳ, ଶିଶୁ, ନାରୀ, ଏବଂ ରଙ୍ଗମଞ୍ଚ ସମ୍ବନ୍ଧୀୟ ବିଭାଗରେ ବିଭକ୍ତ କରାଯାଇପାରେ ।

 

ମାସିକ ସାହିତ୍ୟ ପତ୍ରିକା

 

‘ଉତ୍କଳ ସାହିତ୍ୟ’ ସମ୍ବନ୍ଧରେ ପୂର୍ବରୁ ଆଲୋଚନା କରିଛି ।

 

ମୁକୁର—ବିଂଶ ଶତାବ୍ଦୀର ପ୍ରାରମ୍ଭରେ (୧୯୦୫) ଆଉ ଏକ ମାସିକ ସାହିତ୍ୟ-ପତ୍ରିକା ‘ମୁକୁର’ ସ୍ଵର୍ଗୀୟ ବ୍ରଜସୁନ୍ଦର ଦାସଙ୍କ ସଂପାଦକତ୍ଵରେ କଟକରୁ ପ୍ରକାଶ ପାଇଲା । ସେତେବେଳେ ଏହାକୁ ‘ଉତ୍କଳ ସାହିତ୍ୟ’ ସଙ୍ଗେ ପ୍ରତିଦ୍ଵନ୍ଦିତାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଓଡ଼ିଆ ଜାତୀୟ ସାହିତ୍ୟର ବିକାଶ ଏହି ପତ୍ରିକା ଜରିଆରେ ସମ୍ଭବ ହୋଇଥିଲା । ପରେ ‘ସତ୍ୟବାଦୀ ଯୁଗ’ର ସ୍ରଷ୍ଟାମାନେ ଏହି ମୁକୁର ମାଧ୍ୟମରେ ସାହିତ୍ୟସାଧନା ଆରମ୍ଭ କରିଥିଲେ । ଫକୀରମୋହନ, ଜଗବନ୍ଧୁ ସିଂହ, ମୃତ୍ୟୁଞ୍ଜୟ ରଥ, ଗୋପୀନାଥ ନନ୍ଦ ପ୍ରମୁଖ ସାହିତ୍ୟରଥୀମାନଙ୍କର ଲେଖା ଏଥିରେ ନିୟମିତ ପ୍ରକାଶ ପାଉଥିଲା ଏବଂ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏହି ପତ୍ରିକା ପ୍ରତିଷ୍ଠା ଲାଭ କରିଥିଲା-

ସତ୍ୟବାଦୀ—“ଓଡ଼ିଶାରେ ଜାତୀୟତାଭାବର ଭାଗୀରଥ” ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଉଦ୍ୟମରେ ବକୁଳ ଛୁରୀଆନା କୁଞ୍ଜ ସତ୍ୟବାଦୀ ପୀଠରୁ ୧୯୧୪ରେ ମାସିକ ପତ୍ରିକା ‘ସତ୍ୟବାଦୀ’ ପ୍ରକାଶିତ ହୋଇ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ସନ୍ଧାନ ଦେଲା । ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ପ୍ରମୁଖ ବିଜ୍ଞ ନେତା, ସମାଜ-ସଂସ୍କାରକ ତଥା ଜାତି-ଗଠକମାନଙ୍କର ଲେଖା ତତ୍କକାଳୀନ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଓ ସନାତନୀ ସମାଜରେ ଆଲୋଡ଼ନ ସୃଷ୍ଟି କରିଥିଲା । ଭଞ୍ଜୀୟ ଆଳଙ୍କାରିକ ଭାଷା ପରିହାର କରି ପଲ୍ଲୀର ସହଜ ସରଳ ଭାଷା ପତ୍ରିକା ମାଧ୍ୟମରେ ପ୍ରକାଶ କରିବାପରେ ‘ସତ୍ୟବାଦୀ’ ହିଁ ନେତୃତ୍ଵ ନେଇଥିଲା । କିଛିକାଳ ଏହା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଖୁବ ପ୍ରଭାବ ବିସ୍ତାର କରିଥିଲା । ପଣ୍ଡିତ ଗୋପବନ୍ଧୁଙ୍କ ମୃତ୍ୟୁର ବହୁ ବର୍ଷ ପରେ ଶ୍ରୀ ରାଧାନାଥ ରଥ ପ୍ରମୁଖଙ୍କ ଉଦ୍ୟମରେ ଏହାର ପୁନଃ ପ୍ରକାଶନ କରାଯାଇଥିଲା । ମାତ୍ର ଏହା କ୍ଷଣସ୍ଥାୟୀ ହୋଇଥିଲା ।

ସହକାର—ଖ୍ରୀ ୧୯୧୯ରେ ଦେଶସେବୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସମ୍ପାଦନାରେ ‘ସହକାର’ ପ୍ରଥମେ ଏକ ସମବାୟ ପତ୍ରିକା ଭାବରେ ପୁରୀରୁ ପ୍ରକାଶିତ ହୋଇଥିଲା । ଦଶବର୍ଷପରେ ସାହିତ୍ୟିକ ସ୍ଵର୍ଗୀୟ ବାଳକୃଷ୍ଣ କର ଏହି ପତ୍ରିକାର ସଂପାଦକ ଦାୟିତ୍ଵ ଗ୍ରହଣ କରି ଏହାକୁ ଉଚ୍ଚ ଧରଣର ସାହିତ୍ୟ ପତ୍ରିକା ଭାବରେ ସଚିତ୍ର ଓ ସୁରୁଚିସମ୍ପନ୍ନ କରାଇ କଟକରୁ ପ୍ରକାଶ କଲେ । ବ୍ୟଙ୍ଗଚିତ୍ର, ଜ୍ଞାନ ବିଜ୍ଞାନ, ହସକୌତୁକ ଇତ୍ୟାଦି ବିଭିନ୍ନ ବିଷୟର ଉପସ୍ଥାପନା ଯୋଗୁ ପତ୍ରିକାଟି ଆକର୍ଷଣୀୟ ହୋଇପାରିଥିଲା । କବିଶେଖର ଚିନ୍ତାମଣି ମହାନ୍ତି, ଉତ୍କଳଭାରତୀ, କୁନ୍ତଳାକୁମାରୀ, ରାଜ୍ୟରତ୍ନ ବଳଭଦ୍ର ବହିଦାର, ସ୍ଵପ୍ନେଶ୍ଵର କବିଭୂଷଣ, ଶ୍ରୀମତୀ ଅପର୍ଣ୍ଣା ଦେବୀ ପ୍ରମୁଖ ତତ୍କାଳୀନ ସାହିତ୍ୟିକମାନଙ୍କର ଲେଖା ଏଥିରେ ପ୍ରକାଶିତ ହେଉଥିଲା ଏବଂ ଆଜିର ପ୍ରତିଷ୍ଠିତ ସାହିତ୍ୟିକ ତଥା ଲେଖକମାନେ ସେମାନଙ୍କର ସାହିତ୍ୟ ସାଧନା ଏହି ‘ସହକାର’ ତଳେ ଆରମ୍ଭ କରିଥିଲେ । ପ୍ରାୟ ତେଇଶ ଚବିଶବର୍ଷ ଏହି ପତ୍ରିକା ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିବା ପରେ ଓଡ଼ିଆ ସାହିତ୍ୟ ପରିଷଦ ଗଢ଼ା ହେଲା । ପରିଷଦର ମୁଖପାତ୍ର ରୂପେ ‘ସହକାର’ର ସଂପାଦନା କଲେ ଶ୍ରୀ କାଳନ୍ଦୀଚରଣ ପାଣିଗ୍ରାହୀ । ଏହାର କିଛି ବର୍ଷ ପରେ ପୁଣି ଏହା ବାଳକୃଷ୍ଣ କରଙ୍କ ସଂପାଦନା ଦାୟିତ୍ଵକୁ ଆସିଲା ଏବଂ ତ୍ରିଂଶଭାଗ ପ୍ରକାଶ ପାଇବା ପରେ ୧୯୫୨ ମସିହାଠାରୁ ଏହା ବନ୍ଦ ରହିଛି ।

ଯୁଗ ବୀଣା—ସତ୍ୟବାଦୀ ଯୁଗ ଭଳି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ସୂତ୍ରପାତ ହେଲା ‘ଯୁଗ ବୀଣା’ର ମାଧ୍ୟମରେ । ସବୁଜ ସାହିତ୍ୟ ସମିତି ପକ୍ଷରୁ ଏହା ପ୍ରଥମେ ପ୍ରକାଶିତ ହେଲା ୧୯୩୪ ମସିହାରେ । ପାଶ୍ଚାତ୍ୟ ସାହିତ୍ୟ ତଥା ବଙ୍ଗଳା ସାହିତ୍ୟର ବିଶେଷ ପ୍ରଭାବ ଏହି ସମୟରେ ଓଡ଼ିଆ ଲେଖକମାନଙ୍କର ଉପରେ ପଡ଼ିଲା । ତଦନୁଯାୟୀ ଓଡ଼ିଆ କାବ୍ୟକବିତା, ଗଳ୍ପ ଉପନ୍ୟାସ ଇତ୍ୟାଦିରେ ପରିବର୍ତ୍ତନ ଅଣାଇବାକୁ ଏହି ସମୟର ଲେଖକମାନେ ଖୁବ୍‍ ଉଦ୍ୟମ ଚଳାଇଲେ । ଶ୍ରୀ କାଳନ୍ଦୀ ଚରଣ ପାଣିଗ୍ରାହୀ, ଶ୍ରୀ ଶରତଚନ୍ଦ୍ର ମୁଖାର୍ଜୀ, ଶ୍ରୀ ଅନ୍ନଦାଶଙ୍କର ରାୟ, ଶ୍ରୀ ହରିହର ମହାପାତ୍ର, ଶ୍ରୀମତୀ ସରଳା ଦେବୀ ପ୍ରମୁଖ ତତ୍‍କାଳୀନ ସବୁଜ ସାହିତ୍ୟିକମାନଙ୍କ ମିଳିତ ଉଦ୍ୟମରେ ‘ବାସନ୍ତୀ’ ଉପନ୍ୟାସ ପ୍ରକାଶ ପାଇଲା ।

ନବଭାରତ—୧୯୩୪ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ବଳିଷ୍ଠ ସଂପାଦନାରେ ‘ନବଭାରତ’ ପ୍ରକାଶ ପାଇଲା । ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ‘ସତ୍ୟବାଦୀ’ର ଲେଖକମାନେ ପୁଣି ‘ନବଭାରତ’ ଜରିଆରେ ସେମାନଙ୍କ ନୂତନ ତଥା ବୈପ୍ଳବିକ ଚିନ୍ତାଧାରା ପରିସ୍ପୁଟନ କରିବାର ସୁଯୋଗ ପାଇଲେ । କିଛିକାଳ ମଧ୍ୟରେ ପତ୍ରିକାଟି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରି ବିଲୟ ଭଜିଥିଲା । ପରେ ଏହି ଦୈନିକ ‘ସାମାଜିକ’ର ପୃଷ୍ଠାରେ ସପ୍ତାହରେ ଦିନେ ‘ନବଭାରତ’ର ନୂତନପ୍ରସ୍ଥ ନାମରେ ସାହିତ୍ୟ ଆଲୋଚନା ଆକାରରେ ପ୍ରକାଶ ପାଉଛି ।

ଡଗର—କାନ୍ତକବି ସ୍ଵର୍ଗୀୟ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉଦ୍ୟମରେ ଏବଂ ସାହିତ୍ୟିକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ପାଦନାରେ ୧୯୩୭ ମସିହାରେ ‘ଡଗର’ ପ୍ରଥମେ ଭଦ୍ରକରୁ ପ୍ରକାଶ ପାଇଲା, ପରେ ଏହା କଟକରୁ ପ୍ରକାଶ ପାଇଲା । ମଝିରେ ଅଳ୍ପ କାଳପାଇଁ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ସ୍ଵାଧୀନତା ଆନ୍ଦୋଳନରେ କାରାବରଣ କରିବାରୁ ସେହି ସମୟରେ କାନ୍ତକବି ଏହାର ସମ୍ପାଦନା ଭାର ଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ଦୀର୍ଘ ୩୫ବର୍ଷ କାଳ ଏହି ପତ୍ରିକା ନିୟମିତ ଭାବରେ ପ୍ରକାଶ ପାଇ ଆସୁଛି । ପଞ୍ଚବିଂଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ‘ଡଗର’ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା । ଓଡ଼ିଆ ସାହିତ୍ୟରେ ହାସ୍ୟରସାତ୍ମକ ଓ ବ୍ୟଙ୍ଗ ସମାଲୋଚନା ମୂଳକ ଲେଖା ପ୍ରକାଶ କରିବାରେ ଏହା ଅଗ୍ରଣୀ ବୋଲି କହିବାକୁ ହେବ । ଶ୍ରୀ ଫତୁରାନନ୍ଦ, ଶ୍ରୀ ବଟକୃଷ୍ଣ ପ୍ରହରାଜ ଓ ଶ୍ରୀ ସୁନୀଳ ମୋହନ ମିଶ୍ରଙ୍କ ପରି ଆଜିର କେତେଜଣ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକଙ୍କୁ ‘ଡଗର’ ସୃଷ୍ଟି କରିପାରିଛି । ଗଳ୍ପ, ସମାଲୋଚନା ଇତ୍ୟାଦି ବିଷୟରେ ଏବଂ ରାଧାନାଥ, ଗଙ୍ଗାଧର ଓ କବି ରବୀନ୍ଦ୍ରନାଥଙ୍କ ସମ୍ବନ୍ଧରେ ବିଶେଷାଙ୍କମାନ ପ୍ରକାଶ କରାଇ ଏହି ପତ୍ରିକା ଏକ ସ୍ଵତନ୍ତ୍ର ଦିଗ ଦର୍ଶାଇଛି । ଏଥିରେ ପ୍ରକାଶିତ ବ୍ୟଙ୍ଗ କବିତା, ବିଶେଷଭାବରେ ଲାଳିକା (parody) ବିଶେଷ ଉପଭୋଗ୍ୟ ହୋଇଥାଏ ।

ନିଆଁଖୁଣ୍ଟା—‘ଡଗର’ ପ୍ରକାର ପାଇବାର ପ୍ରାୟ ବର୍ଷକ ପରେ ୧୯୩୮ ମସିହାରେ ପ୍ରଥମେ ବ୍ରହ୍ମପୁରରୁ ଏବଂ ପରେ କଟକରୁ ସାହିତ୍ୟିକ ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କ ସଂପାଦନାରେ ନିଆଁଖୁଣ୍ଟା ଏକ ବ୍ୟଙ୍ଗ ସମାଲୋଚନାମୂଳକ ପତ୍ରିକା ଭାବରେ ଆଦ୍ୟାବଧି ପ୍ରକାଶ ପାଇ ଆସୁଛି । ମଝିରେ ଏହା କେତେକ କାରଣରୁ ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା । ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ଶୈଳୀରେ ରାଜନୀତି, ସମାଜ, ଶାସନ, ସାହିତ୍ୟ ଓ ବ୍ୟକ୍ତିବିଶେଷଙ୍କ ଦୋଷ ତ୍ରୁଟି ଓ ଅନ୍ୟାୟ ଅନୀତିକୁ କଠୋର ଭାବରେ ସମାଲୋଚନା କରି ଓ ବ୍ୟଙ୍ଗ ଚିତ୍ରମାନ ପ୍ରକାଶ କରି ପତ୍ରିକାଟି ବିଶେଷ ‘ଜନପ୍ରିୟ’ ଆଦୃତ ଓ ଆକର୍ଷଣୀୟ ହୋଇପାରିଛି । ଅନେକ ସମୟରେ ରାଜନୀତିକ ବିଷୟରେ ବ୍ୟଙ୍ଗାତ୍ମକ ଲେଖା ଏଥିରେ ପ୍ରକାଶ ପାଉଥିଲେ ମଧ୍ୟ, ଏଥିରେ ପ୍ରକାଶିତ କବିତା ଓ ଗଳ୍ପ, ବିଶେଷଭାବରେ ‘ଅନାବଶ୍ୟକ କବିତା’ ପର୍ଯ୍ୟାୟରେ ଯେଉଁ ସବୁ କବିତା ପ୍ରକାଶ ପାଏ, ତାହାର ସାହିତ୍ୟିକ ମୂଲ୍ୟ ଖୁବ ବେଶୀ । ଭାରତରେ ପ୍ରକାଶିତ ଏହି ଧରଣର ପତ୍ରିକାମାନଙ୍କ ମଧ୍ୟରେ ଏହାର ସ୍ଥାନ ଯେ ସ୍ଵତନ୍ତ୍ର ଏଥିରେ ସନ୍ଦେହ ନାହିଁ । ବ୍ୟକ୍ତିଗତ ଉଦ୍ୟମରେ ପ୍ରକାଶିତ ମାସିକ ବ୍ୟଙ୍ଗ ପତ୍ରିକାଗୁଡ଼ିକ ମଧ୍ୟରେ ଏହି ପତ୍ରିକାର ପ୍ରସାର ସର୍ବାଧିକ । ପତ୍ରିକାର ବିଶେଷତ୍ଵ ଯେ–ଏଥିରେ ଅନ୍ୟ କାହାରି ଲେଖା ପ୍ରକାଶ ପାଏ ନାହିଁ, ଯାହାସବୁ ପ୍ରକାଶ ପାଏ, ତାହା କେବଳ ସଂପାଦକଙ୍କର ନିଜସ୍ଵ । ଓଡ଼ିଶାରେ କେବଳ ଦୁଇଟି ମାତ୍ର ମାସିକ ପତ୍ରିକା ‘ଡଗର’ ଓ ‘ନିଆଁ ଖୁଣ୍ଟା ତିନି ଦଶନ୍ଧି ଅତିକ୍ରମ କରି ଏ ପର୍ଯ୍ୟନ୍ତ ନିୟମିତ ଭାବେ ପ୍ରକାଶ ପାଇ ଆସୁଅଛନ୍ତି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରି ପାରିଛନ୍ତି ।

ଝଙ୍କାର—ସ୍ଵାଧୀନତା ପରେ ୧୯୪୮ ମସିହାଠାରୁ ବିଶିଷ୍ଟ ରାଜନୀତିଜ୍ଞ ତଥା ସାହିତ୍ୟିକ ଡକ୍ଟର ହରେକୃଷ୍ଣ ମହତାବଙ୍କର ମୁଖ୍ୟ ସଂପାଦନାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ‘ଝଙ୍କାର’ ପ୍ରକାଶ ପାଇଆସୁଅଛି । ନବୀନ ଲେଖକମାନେ ଏହି ପତ୍ରିକାଦ୍ଵାରା ଉତ୍ସାହିତ ହେବାର ବିଶେଷ ସୁଯୋଗ ପାଇ ନଥିଲେ ମଧ୍ୟ ବିଶିଷ୍ଟ ଲେଖକମାନଙ୍କର ଉପାଦେୟ ଲେଖା ଏଥିରେ ପ୍ରକାଶିତ ହୋଇଆସୁଛି-। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପତ୍ରିକାଟି ପ୍ରତିଷ୍ଠା ଲାଭ କଲାଣି । ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ଏ ପତ୍ରିକାର ପରିଚାଳନା ଦାୟିତ୍ଵରେ ରହି ଆସିଛନ୍ତି । ଡକ୍ଟର ମହତାବଙ୍କର ଉଦ୍ୟମରେ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପକ୍ଷରୁ ବିଷୁବ ମିଳନ ଉତ୍ସବରେ ଲେଖକମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରିବାର ବ୍ୟବସ୍ଥା କରାଯାଇଥିବାରୁ ବହୁ ଲେଖକ ଉତ୍ସାହିତ ହୋଇଅଛନ୍ତି ।

ନବଜୀବନ—ସରକାରୀ ଚାକିରୀରୁ ଅବ୍ୟାହତ ନେବା ପରେ ଶ୍ରୀ ଚିନ୍ତାମଣି ମିଶ୍ରଙ୍କର ସମ୍ପାଦନାରେ ‘ନବ ଜୀବନ’ ୧୯୫୭ ମସିହାଠାରୁ ପ୍ରକାଶିତ ହେଉଅଛି । ଓଡ଼ିଆ ସାହିତ୍ୟର ଗତିକୁ ମନଇଚ୍ଛା ଛାଡ଼ି ନଦେଇ ତାହାକୁ ଯଥାସମ୍ଭବ ସୁନିୟନ୍ତ୍ରିତ ଓ ସୁପରିଚାଳିତ କରିବା ସମ୍ପାଦକଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପତ୍ରିକାରେ ପ୍ରକାଶିତ ତାଙ୍କର ମତାମତ ଓ ଲେଖା ନିର୍ବାଚନରୁ ଜଣାପଡ଼େ । ପତ୍ରିକାଟିରେ ସମ୍ପାଦକଙ୍କର କିଞ୍ଚିତ ରକ୍ଷଣଶୀଳ ମନୋଭାବର ଆଭାସ ମିଳେ ବୋଲି କେତେକଙ୍କର ମତ ହେଲେ ମଧ୍ୟ ପତ୍ରିକାଟି କ୍ରମେ ଆଦୃତ ହେଉଅଛି ।

ଗ୍ରାମସେବକ—୧୯୪୮ ମସିହାରେ ଓଡ଼ିଆ ଖଦୀମଣ୍ଡଳ ପକ୍ଷରୁ ପ୍ରକାଶିତ ‘ଗ୍ରାମ ସେବକ’ର ଦେଶ ଓ ସମାଜ ସେବା ମୁଖ୍ୟ ଉଦ୍ଦେଶ୍ୟ ହେଲେ ମଧ୍ୟ ଲେଖକ ଶ୍ରୀ ମନମୋହନ ଚୌଧୁରୀ ଓଡ଼ିଆ ଲିପି ସଂସ୍କାର ସମ୍ବନ୍ଧରେ ଯେଉଁ ଧାରାବାହିକ ଲେଖା ଏଥିରେ ପ୍ରକାଶ କଲେ, ତାହା ଓଡ଼ିଶାର ସାହିତ୍ୟିକ ଓ ସାଧାରଣ ମହଲର ଦୃଷ୍ଟି ଆକର୍ଷଣ କରିପାରିଥିଲା ।

ଦିଗନ୍ତ—ତରୁଣ ସାହିତ୍ୟିକ ଓ ଅଧ୍ୟାପକ ଶ୍ରୀ ମନୋଜ ଦାସଙ୍କର ସମ୍ପାଦନରେ ‘ଦିଗନ୍ତ’ ୧୯୪୯ ରେ ପ୍ରଥମେ ବାଲେଶ୍ଵରରୁ ପ୍ରକାଶ ପାଇ ବନ୍ଦ ହୋଇ ଯାଇଥିଲା । ପୁଣି ୧୯୫୯ରୁ ତାଙ୍କରି ସମ୍ପାଦନାରେ ଓ ପରେ କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ସଂପାଦନାରେ କଟକରୁ ପ୍ରକାଶ ପାଇଥିଲା । ତରୁଣ ଓ ନବୀନ ଲେଖକମାନଙ୍କୁ ପତ୍ରିକା ଜରିଆରେ ଉତ୍ସାହିତ କରାଯାଉଥିଲା । ସମ୍ପାଦକୀୟ ଲେଖାରେ ସହିତ୍ୟିକ ଛଟାର ବୈଶିଷ୍ଟ୍ୟ ସ୍ପଷ୍ଟ ବାରି ହୁଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଦିଗ ଦର୍ଶାଇବାରେ ‘ଦିଗନ୍ତ’ ର ସାମର୍ଥ୍ୟ ପ୍ରମାଣିତ ହୋଇଛି ।

କୋଣାର୍କ—ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ୧୯୫୮ ମସିହାଠାରୁ ତ୍ରୈମାସିକ ପତ୍ରିକା ରୂପେ ପ୍ରକାଶିତ ହେଉଛି ‘କୋଣାର୍କ’ । ଗବେଷଣାତ୍ମକ ଓ ତତ୍ତ୍ଵସମ୍ବଳିତ ଲେଖାମାନ ଏଥିରେ ପ୍ରକାଶ ପାଇଥାଏ । ଏହା ସଂପୂର୍ଣ୍ଣ ଅନିୟମିତ ।

ସ୍ଵରୂପ—ସାହିତ୍ୟିକ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡାଙ୍କ ସମ୍ପାଦକତ୍ଵରେ ବ୍ରହ୍ମପପୁରରୁ ପ୍ରଥମ ପ୍ରକାଶିତ ‘ପ୍ରଭାତୀ’(୧୯୫୪) ପରେ ୧୯୬୨ ରେ ‘ସ୍ୱରୂପ’ ନାମରେ ପ୍ରକାଶ ପାଇଲା । ଯୋଗୀ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କରେ ‘ସ୍ଵରୂପ’ର ଏକ ବିଶେଷସଂଖ୍ୟା ମଧ୍ୟ ପ୍ରକାଶ ପାଇଥିଲା । ପତ୍ରିକାଟି କିନ୍ତୁ ଦୀର୍ଘାୟୁ ହୋଇପାରିଲାନାହିଁ ।

ନବପତ୍ର—ପ୍ରଥମେ ଔପନ୍ୟାସିକ ଶ୍ରୀ ଲକ୍ଷ୍ମୀଧର ନାୟକ ଓ ଏବେ ଶ୍ରୀ ରଜନୀକାନ୍ତ ଦାସଙ୍କ ସଂପାଦନରେ ଇସ୍ପାତନଗରୀ ରାଉରକେଲାର ‘କଲଚରାଲ ଏକାଡେମୀ’ ପକ୍ଷରୁ ନବପତ୍ର ପ୍ରକାଶ ପାଉଛି । ପତ୍ରିକାଟି ରୁଚିସମ୍ପନ୍ନ ହୋଇଅଛି ।

ଆସନ୍ତା କାଲି ଓ ନବରବି—ଶ୍ରୀ ଯଦୁମଣି ପରିଜାଙ୍କ ଉଦ୍ୟମରେ କଲିକତାରୁ ଏକ ସୁଦୃଶ୍ୟ ପତ୍ରିକା ରୂପେ ପ୍ରକାଶ ପାଇଥିଲା ଆସନ୍ତାକାଲି । ହାଲୁକା ଧରଣର ଗଳ୍ପ, କବିତା ଇତ୍ୟାଦି ଯୋଗୁଁ ଅଳ୍ପକାଳରେ ଏହା ଖୁବ୍‍ ଲୋକପ୍ରିୟ ଓ ପ୍ରସାର ବହୁଳ ହୋଇପାରିଥିଲା । କିନ୍ତୁ କୌଣସି କାରଣରୁ ଏହା ବନ୍ଦ ହୋଇଗଲା । ଏବେ ପୁଣି ଶ୍ରୀ ରବୀନ୍ଦ୍ର କୁମାର ପରିଜାଙ୍କ ଉଦ୍ୟମ ଓ ସମ୍ପାଦନାରେ ସେଇ କଲିକତାରୁ ନୂଆରୂପ ଓ ରଙ୍ଗ ନେଇ ପ୍ରକାଶପାଉଛି ‘ନବରବି’ । ପତ୍ରିକାଟିର ପରିପାଟୀ ତଥା ଅଙ୍ଗସଜ୍ଜା ଲୋଭନୀୟ ।

 

ଜୀବନ ରଙ୍ଗ—ଶ୍ରୀ ରଣଧୀର ଦାସଙ୍କ ସମ୍ପାଦନାରେ ପ୍ରକାଶ ପାଉଛି ୧୯୬୫ ମସିହାରୁ । ଗଳ୍ପ, କବିତା, ଏକାଙ୍କିକା ଇତ୍ୟାଦି ସାହିତ୍ୟର ବିଭିନ୍ନ ବିଭାଗ ସମ୍ବନ୍ଧରେ ଏବଂ ଓଡ଼ିଆ ସାହିତ୍ୟରେ ହାସ୍ୟରସ, ଯୁଦ୍ଧ ଇତ୍ୟାଦି ବିଷୟରେ ଏ ପତ୍ରିକାର ବିଶେଷାଙ୍କଗୁଡ଼ିକ ବେଶ୍‍ ଉପାଦେୟ ।

 

ପୌରୁଷ—ପ୍ରବୀଣ ସାମ୍ବାଦିକ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମ୍ପାଦନାରେ ୧୯୬୭ ଜୁଲାଇରୁ ପ୍ରକାଶ ପାଉଛି । ବିଭିନ୍ନ ପୌରାଣିକ ଉପାଖ୍ୟାନର ଅବତାରଣା ଏହାର ବିଶେଷ ଆକର୍ଷଣୀୟ ।

 

ରାଜନୀତି, ସାହିତ୍ୟ, କଳା ଓ ସଂସ୍କୃତି ସମ୍ବନ୍ଧୀୟ ରୁଚିସଂପନ୍ନ ଲେଖାହିଁ ଏହାର ବୈଶିଷ୍ଟ୍ୟ । ବମ୍ବେର ଭାରତୀୟ ବିଦ୍ୟାଭବନରୁ ପ୍ରକାଶିତ ପାକ୍ଷିକ ପତ୍ରିକା “ଭବନସ୍‍ ଜର୍ଣ୍ଣାଲ୍‍” ସହ ଏହା ତୁଳନୀୟ ।

 

ବିବରଣୀ—ସାମ୍ବାଦିକ ଶ୍ରୀ ଚିନ୍ତାମଣି ମହାପାତ୍ରଙ୍କ ସଂପାଦନାରେ କିଛିକାଳ ପ୍ରକାଶ ପାଇବାପରେ ବନ୍ଦ ହୋଇଯାଇଛି । ଇଂରାଜୀ ସାପ୍ତାହିକ ‘ଲିଙ୍କ୍‍’ ଭଳି ‘ବିବରଣୀ’ର ଚେହେରାରେ ସାମଞ୍ଜସ୍ୟ ଥିଲା ।

 

ସୌରଭ—ଶ୍ରୀମତୀ ବୀଣା ମହାପାତ୍ରଙ୍କ ସଂପାଦନାରେ ୧୯୬୮ ଅଗଷ୍ଟ ମାସରୁ ପ୍ରକାଶ ପାଉଛି-। ନିୟମିତ ପ୍ରକାଶନ ଏହାର ବିଶେଷତ୍ଵ । ତରୁଣ ଲେଖକ ଲେଖିକାମାନଙ୍କୁ ଏହି ପତ୍ରିକା ସୁଯୋଗ ଦେଇଥାଏ । ଧାରାବାହିକ ଉପନ୍ୟାସର ପ୍ରକାଶନ ଏହାର ଅନ୍ୟତମ ଆକର୍ଷଣ ।

 

ମରୁତୀର୍ଥ—ଶ୍ରୀମତୀ ନଳିନୀ ଦେବୀ ରାଉତରାୟଙ୍କ ସଂପାଦନାରେ ୧୯୭୦ ଏପ୍ରିଲ ମାସଠାରୁ ପ୍ରକାଶ ପାଇଆସୁଛି । ଗଳ୍ପ, କବିତା, ଆଲୋଚନା ଇତ୍ୟାଦି ଲେଖାଗୁଡ଼ିକର ନିର୍ବାଚନ ରୁଚି ସଂପନ୍ନ ଜଣାପଡ଼େ । ବେଳେବେଳେ କେତୋଟି ଉଚ୍ଚକୋଟୀର ଲେଖା ପ୍ରକାଶ ପାଇଥାଏ ।

 

ସମାବେଶ—ଶ୍ରୀ ଜଗଦୀଶ ପାଣିଙ୍କ ସଂପାଦନରେ କଲିକତାରୁ ଏକ ରୁଚିସମ୍ପନ୍ନ ପତ୍ରିକା ରୂପେ କିଛି ବର୍ଷ ପ୍ରକାଶ ପାଇ ବନ୍ଦ ହୋଇଯିବା ପରେ ୧୯୭୧ ଜୁନ ମାସରୁ ତାହା ପୁଣି ଭୁବନେଶ୍ଵରରୁ ପ୍ରକାଶ ପାଇଛି ।

 

ଗୌରବ—ଶ୍ରୀ ଉମେଶଚନ୍ଦ୍ର ସାହୁଙ୍କ ସଂପାଦନରେ କେନ୍ଦୁଝରରୁ ପ୍ରକାଶ ପାଉଛି । ଛାତ୍ରମାନଙ୍କ ଜ୍ଞାନାର୍ଜନ ପାଇଁ କେତେକ ବିଷୟ ରହୁଛି ।

 

ସାବିତ୍ରୀ—ଶ୍ରୀମତୀ ଚନ୍ଦ୍ରିକା ମହାପାତ୍ରଙ୍କ ସଂପାଦନରେ ୧୯୭୧ ଜୁନ ମାସରେ ପ୍ରକାଶ ପାଇଛି । ଆଧ୍ୟାତ୍ମିକ ଚେତନା ସୃଷ୍ଟିକାରୀ କେତେକ ଲେଖା ଏଥିରେ ସ୍ଥାନ ପାଇଛି । ଅଧିକାଂଶ ଲେଖା ଅନ୍ୟ ଭାଷାରୁ ଅନୁଦିତ ।

 

ଉତ୍ପଳ ଓ ସଂକଳ୍ପ—ତରୁଣ ଲେଖକ ଶ୍ରୀ ଚିତ୍ତରଞ୍ଜନ ମିଶ୍ରଙ୍କ ସଂପାଦନରେ ଏ ଦୁଇଟି ପତ୍ରିକା ନୂତନ ଆଭିମୁଖ୍ୟ ନେଇ ପ୍ରକାଶ ପାଇଛି ।

 

ଆଭା—ତରୁଣ ସାହିତ୍ୟିକ ଶ୍ରୀ ସଦାଶିବ ଦାଶଙ୍କ ସଂପାଦନରେ ଏହା ୩ ବର୍ଷ କାଳ ପ୍ରକାଶ ପାଇ ବନ୍ଦ ରହିଛି । ପ୍ରଗତିବାଦୀ ଚିନ୍ତାଧାରା ଏଥିରେ ସଂଶ୍ଳିଷ୍ଟ ।

 

ସାହିତ୍ୟ ସମାଚାର—ଶ୍ରୀ ରାମନାଥ ପଣ୍ଡାଙ୍କ ସଂପାଦନରେ ଜଯପୁର ପ୍ରକାଶ ପାଉଥିଲା । ସାହିତ୍ୟ ସମ୍ପର୍କରେ ସମ୍ବାଦ ଓ ସମାଲୋଚନା ପରିବେଷଣ ଏହାର ବିଶେଷତ୍ଵ ।

 

ଏତଦ୍‍ବ୍ୟତୀତ ଉତ୍କଳ ସାହିତ୍ୟ ସମାଜ (କଟକ) ପକ୍ଷରୁ ‘ସାହିତ୍ୟ ପତ୍ର’ ଶ୍ରୀ ରବିନାରାୟଣ ମହାପାତ୍ରଙ୍କ’ ଅନ୍ଵେଷ’, ନୀଳଚକ୍ର ଅନୁଷ୍ଠାନର ‘ନନ୍ଦିଘୋଷ’ ଇତ୍ୟାଦି ପତ୍ରିକା ଉଲ୍ଲେଖଯୋଗ୍ୟ ।

 

ଉପରେ ଯେଉଁ କେତୋଟି ପତ୍ରିକାର ପରିଚୟ ଦିଆଗଲା, ସେ ସମସ୍ତ ମାସିକ ସାହିତ୍ୟ ପତ୍ରିକା ଏବଂ ସେଥିମଧ୍ୟରୁ ଅଳ୍ପ କେତୋଟି ବ୍ୟତୀତ ସମସ୍ତ କଟକରୁ ପ୍ରକାଶ ପାଉଥିଲା ବା ପାଉଅଛି ।

 

ଏତଦ୍‍ବ୍ୟତୀତ ଶ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ‘ପଞ୍ଚାମୃତ’ ଡକ୍ଟର ମାୟାଧର ମାନସିଂହଙ୍କ ସମ୍ପାଦନାରେ ‘ଶଙ୍ଖ’ ମୟୂରଭଞ୍ଜରୁ ‘ଭଞ୍ଜପ୍ରଦୀପ’, ବାରିପଦାରୁ ‘ଚନ୍ଦ୍ରିକା’ କଟକରୁ ‘ଜିଜ୍ଞାସୁ’, ‘କସ୍ତୁରୀ’, ‘ଶୁଭଶଙ୍ଖ’, ‘ବୀଣା’, କବି ରାଧାମୋହନ ଗଡ଼ନାୟକଙ୍କ ସମ୍ପାଦନାରେ ‘ଧରିତ୍ରୀ’, (୧୯୫୭), କବି ଶ୍ରୀ ଜ୍ଞାନୀନ୍ଦ୍ର ବର୍ମାଙ୍କ ସମ୍ପାଦନାରେ ଗଳ୍ପ ମାସିକ ‘ମୌସୁମୀ’ (୧୯୬୦), କବି ଶ୍ରୀ ଭାନୁଜୀ ରାଓଙ୍କ ସମ୍ପାଦନାରେ ତ୍ରୈମାସିକ ପତ୍ରିକା ‘ପ୍ରଜ୍ଞା’ (୧୯୬୦), ଭଦ୍ରକରୁ ଅଧ୍ୟାପକ କୃଷ୍ଣଚରଣ ବେହେରା ପ୍ରମୁଖଙ୍କ ସମ୍ପାଦନାରେ ‘ଆଲୋକରେଖା’ (୧୯୬୨), ଶ୍ରୀ ଶରତକୁମାର କରଙ୍କ ସମ୍ପାଦନାରେ ୧୯୫୮ରେ ‘ନିର୍ଭୀକ’ ଭୁବନେଶ୍ଵରରୁ ‘ଏକାମ୍ର’ ଓ ‘ମୂର୍ଚ୍ଛନା’ ଏଥି ମଧ୍ୟରେ ଓଡ଼ିଶାର ସହିତ୍ୟାକାଶରେ ବିଦ୍ୟୁତଭଳି କ୍ଷଣିକ ପାଇଁ ଦେଖା ଦେଇଥିଲା ।

 

ଶିଶୁ ସାହିତ୍ୟ ପତ୍ରିକା

 

ବିଂଶ ଶତାବ୍ଦୀର ତିନିଦଶକ ପର୍ଯ୍ୟନ୍ତ ପିଲାମାନଙ୍କ ସକାଶେ ଓଡ଼ିଆ କୌଣସି ସ୍ଵତନ୍ତ୍ର ପତ୍ରପତ୍ରିକା ନ ଥିଲା । ସେ ଦିଗପ୍ରତି କାହାରି ବୋଧହୁଏ ଧ୍ୟାନ ନ ଥିଲା । ଚପଳମତି ବାଳକ ବାଳିକାମାନଙ୍କର ଜ୍ଞାନର ବିକାଶ ଓ ସେମାନଙ୍କର ଅନୁସନ୍ଦିତ୍ସୁ ପ୍ରବୃତ୍ତିର ଚରିଥାର୍ଥ ପାଇଁ ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟ କିଛି ଉପାଦେୟ ମାଧ୍ୟମ ନ ଥିଲା ।

 

ଜହ୍ନମାମୁଁ—ସାହିତ୍ୟିକ ସ୍ଵର୍ଗୀୟ ବାଳକୃଷ୍ଣ କର ୧୯୩୨ ମସିହାରେ ‘ଜହ୍ନମାମୁଁ’ ପ୍ରକାଶ କରି ପିଲାମାନଙ୍କ ପାଇଁ ପତ୍ରିକା ମାଧ୍ୟମରେ ସ୍ଵତନ୍ତ୍ର-ସାହିତ୍ୟ ସୃଷ୍ଟି କରିବାରେ ଅଗ୍ରଣୀ ହୋଇଥିଲେ-। ‘ଜହ୍ନମାମୁଁ’ର ସହଜ ସରଳ ଭାଷା, ଶିଶୁ ମନଲୋଭା କବିତା, ଗଳ୍ପ ଜ୍ଞାତବ୍ୟ ବିଷୟ ଓ ବିଭିନ୍ନ ଚିତ୍ରର ସମାବେଶ ଓ ଚିତ୍ର ମାଧ୍ୟମରେ ଗୁପ୍‍ଚୁପ୍‍ କଥା ଓ ହାସ୍ୟରସ ପାଇଁ ରଙ୍ଗରସ ସେତେବେଳେ ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲା । ଶିଶୁ ସାହିତ୍ୟ ଲେଖିବାରେ ବହୁ ଲେଖକଙ୍କୁ ମଧ୍ୟ ଏହି ପତ୍ରିକା ସୃଷ୍ଟି କରିପାରିଥିଲା । ‘ଜହ୍ନମାମୁଁ’ ବନ୍ଦ ହେବାର କେତେ ବର୍ଷ ପରେ ସ୍ଵର୍ଗୀୟ କରଙ୍କ ଉଦ୍ୟମରେ ‘ମଧୁକୋଷ’ ନାମକ କିଶୋର କିଶୋରୀଙ୍କ ଉପଯୋଗୀ ଏକ ଉନ୍ନତ ପତ୍ରିକାର ଅଳ୍ପ କେତୋଟି ସଂଖ୍ୟା ପ୍ରକାଶ ପାଇଥିଲା ।

 

ମୋ ଦେଶ—‘ଜହ୍ନମାମୁଁ’ ପ୍ରକାଶ ପାଇବାର ଦୀର୍ଘ ୧୩ ବର୍ଷ ପରେ ୧୯୪୬ରେ ‘ମୋ ଦେଶ’ ଜାତୀୟ କବି ଶ୍ରୀ ବୀରକିଶୋର ଦାଶଙ୍କର ସମ୍ପାଦନାରେ ପ୍ରକାଶ ପାଇଲା । ପିଲାମାନଙ୍କ ସକାଶେ ଏହା ଏକ ବିଶେଷ ଉପଯୋଗୀ ପତ୍ରିକା ଥିଲା । କିଛିକାଳ ବନ୍ଦ ରହିବା ପରେ ପୁଣି ଶ୍ରୀ ରାମପ୍ରସାଦ ମହାନ୍ତିଙ୍କ ସଂପାଦନାରେ ନୂଆ କଳେବର ନେଇ ଏହା ପ୍ରକାଶ ପାଉଛି । ପତ୍ରିକାଟି ମଧ୍ୟ ଶିଶୁ ସାହିତ୍ୟ ପତ୍ରିକା ହିସାବରେ ବେଶ୍‍ ଆଦୃତ ।

 

ସଂସାର—ପ୍ରବୀଣ ଶିକ୍ଷକ ଓ ସାହିତ୍ୟିକ ଶ୍ରୀ ରାମକୃଷ୍ଣ ନନ୍ଦଙ୍କ ସମ୍ପାଦନାରେ ‘ସଂସାର’ ପତ୍ରିକାଟି ୧୯୫୧ ମସିହାରେ ପ୍ରକାଶ ପାଇଲା । ମଝିରେ କେତେଦିନ ଏହା ନିୟମିତ ହେବା ପରେ କିଛିକାଳ ପୁଣି ନିୟମିତଭାବେ ପ୍ରକାଶ ପାଇଲା । ଏହା ସ୍କୁଲ ଛାତ୍ରଛାତ୍ରୀମାନଙ୍କର ସାଧାରଣଜ୍ଞାନ ବିକାଶରେ ସହାୟକ ହୋଇଥିଲା । ଏବେ ଏହାର ପ୍ରକାଶନ ସଂପୂର୍ଣ୍ଣ ବନ୍ଦ ।

 

ଶିଶୁସମ୍ପଦ—ଶିଶୁ ସାହିତ୍ୟରେ ଜଣେ ଜଣାଶୁଣା ଲେଖକ ଶ୍ରୀ ବିନୋଦ କାନୁନଗୋଙ୍କ ସମ୍ପାକଦକତ୍ଵରେ ‘ଶିଶୁ ସମ୍ପଦ’ ପ୍ରଥମେ ୧୯୫୪ ମସିହାରେ ପ୍ରକାଶ ପାଇଲା । ନାନା ଜଟିଳ ଜ୍ଞାତବ୍ୟ ବିଷୟକୁ ପିଲାଏ ବୁଝିଲା ଭଳି ସରଲ ଭାଷା ଓ ଭଙ୍ଗୀରେ ଫୁଟାଇବା ସମ୍ପାକଦକର ବିଶେଷତ୍ଵ । ପତ୍ରିକାଟି ଅନିୟମିତ ହେଲେ ସୁଦ୍ଧା ପ୍ରକାଶ ପାଇ ଆସୁଅଛି ।

 

ମୀନାବଜାର—ଦୈନିକ ‘ପ୍ରଜାତନ୍ତ୍ର’ରେ ପ୍ରକାଶିତ ସାପ୍ତାହିକ’ ମୀନାବଜାର’ ବିଭାଗଟି ଆଦୃତ ହେବାରୁ ୧୯୫୬ ମସିହାଠାରୁ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏହା ମାସିକ ପତ୍ରିକା ଆକାରରେ ପ୍ରକାଶିତ ହେଲା । ଶ୍ରୀ ରାମପ୍ରସାଦ ମହାନ୍ତି ଏହାର ସମ୍ପାଦନା କରୁଥିଲେ । ଗଳ୍ପ ଓ କବିତା ଛଡ଼ା ଅନ୍ୟାନ୍ୟ ଜ୍ଞାତବ୍ୟ ବିଷୟ ଏଥିରେ ସ୍ଥାନ ପାଉଥିଲା । ଏବେ ଏହା ବନ୍ଦ ।

 

ଟୁଆଁ ଟୁଇଁ—କବି ଓ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କର ସମ୍ପାଦନାରେ ୧୯୫୭ ମସିହାଠାରୁ ‘ଟୁଆଁ ଟୁଇଁ’ ପ୍ରକାଶ ପାଇ ଆସୁଥିଲା । ଅଳ୍ପକାଳ ମଧ୍ୟରେ ପତ୍ରିକାଟି ପିଲାମାନଙ୍କ ମହଲରେ ବେଶ୍‍ ଆଦୃତ ହୋଇ ପାରିଥିଲା । ‘ତୁମରି ଭଳି ପିଲାଟିଏ’ ଶିରୋନାମାରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପିଲାମାନଙ୍କ ନିକଟରେ ପରିଚିତ କରାଇବାର ବ୍ୟବସ୍ଥା ବିଶେଷ ଉଲ୍ଲେଖଯୋଗ୍ୟ । ଏହାର କବିତା ଓ ଗଳ୍ପ ସବୁ ଶିଶୁ ଉପଭୋଗ୍ୟ । ଏବେ ଏହି ପତ୍ରିକା ବନ୍ଦ ।

 

ଏତଦ୍‍ବ୍ୟତୀତ ‘ଫୁଲଝରି’ ନାମକ ଏକ ଶିଶୁ ସାହିତ୍ୟ ପତ୍ରିକା ୧୯୫୬ରେ ପ୍ରକାଶ ପାଇଥିଲା ଏବଂ ମାନ୍ଦ୍ରାଜର ଚାନ୍ଦମାମା ପ୍ରତିଷ୍ଠାନ ପକ୍ଷରୁ ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆ ଭାଷାରେ ‘ଜହ୍ନମାମୁଁ’, ଶ୍ରୀ ମହେନ୍ଦ୍ର ପଟ୍ଟନାୟକଙ୍କ ସମ୍ପାଦନାରେ କିଛିକାଳ ପ୍ରକାଶ ପାଇଥିଲା ଏ ଦୁଇଟିଯାକ ପତ୍ରିକା ବନ୍ଦ ହୋଇଯାଇଛି ।

 

ମନପବନ—ଅଧ୍ୟାପକ ଶ୍ରୀ ମହେଶ୍ଵର ମହାନ୍ତିଙ୍କ ସଂପାଦନାରେ ଏହି ପତ୍ରିକାଟି ୧୯୬୩ ଅଗଷ୍ଟ ୧୫ରୁ ପ୍ରକାଶ ପାଇ ଆସୁଛି । ଗପ, କବିତା ଓ କାହାଣୀଗୁଡ଼ିକ ପିଲାମାନଙ୍କ ପାଇଁ ବେଶ ଉପଭୋଗ୍ୟ । ପତ୍ରିକାର ନାମଟି ଆକର୍ଷଣୀୟ ।

 

ବିଶ୍ଵଶିଶୁ—୧୯୭୧ ଜୁନ ମାସ ଶ୍ରୀଗୁଣ୍ଡିଚା ଦିନ ଅଧ୍ୟାପକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ସଂପାଦନାରେ ପ୍ରକାଶ ପାଇଛି ‘ବିଶ୍ୱଶିଶୁ’ । ଏହା କେବଳ ଛୋଟ ପିଲାଙ୍କ ପାଇଁ ନୁହେଁ; କିଶୋର କିଶୋରୀମାନଙ୍କ ପାଇଁ ମଧ୍ୟ ।

 

ନାରୀମାନଙ୍କ ପାଇଁ ପତ୍ରିକା

 

ଅନ୍ୟାନ୍ୟ ସାହିତ୍ୟ ଭଳି ଓଡ଼ିଆ ସାହିତ୍ୟରେ ମଧ୍ୟ ନାରୀମାନଙ୍କର ସ୍ଵତନ୍ତ୍ର ମାସିକ ପତ୍ରିକା ପ୍ରକାଶ ପାଇଛି । ଓଡ଼ିଶାରେ ନାରୀ ପତ୍ରିକା ପ୍ରକାଶ କରିବାରେ ସ୍ଵର୍ଗୀୟା ରେବା ରାୟ ଆଗ୍ରଗଣ୍ୟା । ତାଙ୍କ ସମ୍ପାଦନାରେ ୧୮୯୨ ମସିହାରେ କଟକରୁ ପ୍ରଥମ ନାରୀ ପତ୍ରିକା ‘ଆଶା’ ପ୍ରକାଶିତ ହୋଇଥିଲା ‘ଉତ୍କଳଦୀପିକା’ ସେତେବେଳେ ଏହି ପତ୍ରିକା ସମ୍ପର୍କରେ ଲେଖିଥିଲେ–“ଆଶା’ ର ଲେଖା ଆଶାପ୍ରଦ । ଆଶାକରୁ ଏହା ସ୍ତ୍ରୀ ମଣ୍ଡଳୀରେ ଆଦୃତ ହେବ । ସଂପାଦିକା ‘ଆଶା’ର ଭାଷା ଆହୁରି ସରଳ କରିବେ ।’’

 

ବିଂଶ ଶତାବ୍ଦୀର ପ୍ରଥମ ଦଶକ ମଧ୍ୟରେ ସ୍ଵର୍ଗୀୟା ବସନ୍ତକୁମାରୀ ଦେବୀଙ୍କ ସମ୍ପାଦନାରେ ‘ଶିକ୍ଷାଦର୍ପଣ’ ପ୍ରକାଶ ପାଇଥିଲା । ପରେ ଏହା ‘ପରିଚାରିକା’ ନାମ ଗ୍ରହଣ କରିଥିଲା-। ୧୯୨୩-୨୪ରେ ଶ୍ରୀମତୀ ସରଳା ଦେବୀଙ୍କ ସମ୍ପାଦନରେ ମାସିକ ‘ସବିତା’ ଏବଂ ୧୯୩୨ ପରେ ତାଙ୍କର ସମ୍ପାଦନାରେ ମାସିକପତ୍ରିକା ‘ଉତ୍କଳିକା’ ପ୍ରକାଶିତ ହୋଇଥିଲା । ଏହାପରେ ଶ୍ରୀମତୀ ବନଲତା ମିଶ୍ରଙ୍କ ସମ୍ପାଦନାରେ ‘ସଂଗ୍ରାମ’ ଏବଂ ଇଂରାଜୀରେ ‘My struggle’ ଇତ୍ୟାଦି ପତ୍ରିକାମାନ ନାରୀମାନଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ଏବଂ ନାରୀମାନଙ୍କର ସମସ୍ୟା ଓ ଲେଖାକୁ ଉପସ୍ଥାପିତ କରିଛି ।

 

ବହୁବର୍ଷକାଳ କୌଣସି ନାରୀଙ୍କ ସଂପାଦନାରେ ପତ୍ରିକା ନ ଥିଲାବେଳେ ବାଲେଶ୍ଵରରୁ ଡାକ୍ତର ରାଧା ଦେବୀଙ୍କ ସମ୍ପାଦନାରେ ‘ଯୁଗନାରୀ’ ପ୍ରକାଶ ପାଇଲା । ଯୌତୁକ ପ୍ରଥା ଇତ୍ୟାଦି ସାମାଜିକ ସମସ୍ୟା ଏବଂ ନାରୀ ଜାତିର ଅନ୍ୟାନ୍ୟ ସମସ୍ୟା ସଙ୍ଗେ ସଙ୍ଗେ ନାରୀର କର୍ତ୍ତବ୍ୟ, ଶିଶୁପାଳନ, ସ୍ୱାସ୍ଥ୍ୟରକ୍ଷା ଇତ୍ୟାଦି ସମ୍ପର୍କୀୟ ଯୁଗପଯୋଗୀ ଲେଖାରେ ‘ଯୁଗନାରୀ’ର କଳେବର ମଣ୍ଡିତ । ଆଉ କେତୋଟି ନାରୀପତ୍ରିକା ଅବଶ୍ୟ ପ୍ରକାଶ ପାଇଛି, ତାହା ଅକାଳ ମୃତ୍ୟୁ ଲଭିଛି । ଶ୍ରୀମତୀ ସୁନ୍ଦରମଣି ପଟ୍ଟନାୟକଙ୍କ ସମ୍ପାଦନାରେ ପୁରୀରୁ “ଯୁଗଶ୍ରୀ” ପ୍ରକାଶ ପାଇଥିଲା । କଟକରୁ ଶ୍ରୀମତୀ ବୀଣା ମହାପାତ୍ର ଓ ଶ୍ରୀମତୀ ନଳିନୀ ଦେବୀ ରାଉତରାୟଙ୍କ ସଂପାଦନାରେ ଦୁଇଟି ପତ୍ରିକା ପ୍ରକାଶ ପାଇଛି । ପୂର୍ବରୁ ଏ ସମ୍ପର୍କରେ କୁହାଯାଇଛି ।

 

ମାସିକ ଉପନ୍ୟାସ ମାଳା—ପ୍ରତ୍ୟେକ ମାସରେ ଧାରାବାହିକ ଭାବରେ ଖଣ୍ଡିଏ ଲେଖାଁଏଁ ଭଲ ଧରଣର ଉପନ୍ୟାସ ପ୍ରକାଶକରି ପାଠକମାନଙ୍କୁ ଆନନ୍ଦ ଦେବା ଏବଂ ଲେଖକମାନଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ସେମାନଙ୍କ ପାଇଁ କିଛି ପାରିଶ୍ରମିକର ବ୍ୟବସ୍ଥା କରିପାରିବା ଉଦ୍ଦେଶ୍ୟରେ ୧୯୨୩ରେ ସ୍ଵର୍ଗୀୟ ବ୍ରଜସୁନ୍ଦର ଦାସଙ୍କ ଉଦ୍ୟମରେ ‘ଉପନ୍ୟାସ ଗ୍ରନ୍ଥମାଳା’ ପର୍ଯ୍ୟାୟରେ ପ୍ରତ୍ୟେକ ମାସରେ ଖଣ୍ଡିଏ ଲେଖାଁଏ ଉପନ୍ୟାସ ବହି ଆକାରରେ ପ୍ରକାଶ ପାଉଥିଲା । ‘ଆନନ୍ଦ ଲହରୀ ଉପନ୍ୟାସ ମାଳା’ ଭାବରେ ‘ଭାରତୀ’ ପ୍ରକାଶ ପାଇଲା ୧୯୩୨ ମସିହାରେ ସ୍ଵର୍ଗୀୟ ବାଳକୃଷ୍ଣ କରଙ୍କ ଉଦ୍ୟମରେ । ଖଣ୍ଡିଏ ଖଣ୍ଡିଏ ଉପନ୍ୟାସକୁ ପ୍ରକାଶ କରି ପତ୍ରିକା ଭଳି ବାର୍ଷିକ ଚାନ୍ଦା ବା ମାସିକ ମୂଲ୍ୟରେ ପାଠକ ତଥା ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଥିଲା । ଅବଶ୍ୟ ଏହା ଠିକ୍‍ ପତ୍ରିକା ନ ଥିଲା । ଜଣେ ଜଣେ ଲେଖକଙ୍କର ଖଣ୍ଡିଏ ଲେଖାଏଁ ସଂପୂର୍ଣ୍ଣ ଉପନ୍ୟାସ ପ୍ରକାଶିତ ହେଉଥିଲା ।

 

ଏହାପରେ ଶ୍ରୀ ଲକ୍ଷ୍ମୀଧର ନାୟକଙ୍କ ସମ୍ପାଦନାରେ ‘ସାଥୀ’, ଶ୍ରୀ ବଂଶୀଧର ଭୂୟାଁଙ୍କ ସମ୍ପାଦନାରେ ‘ଜନସାହିତ୍ୟ’ ନାମରେ ଏଭଳି ମାସିକ ଉପନ୍ୟାସ ପ୍ରକାଶନ କରାଗଲା । ଏବେ ‘ଜନସାହିତ୍ୟ’ ନିୟମିତ ପ୍ରକାଶ ପାଉଛି । ସେହିଭଳି ଡିଟେକଟିଭ ଉପନ୍ୟାସ ‘ଗୁପ୍ତଚର’ ‘ଚକ୍ରାନ୍ତ’ ମାସିକ ସିରିଜ ଭାବରେ ପ୍ରକାଶ ପାଇଲା । ଏହାଛଡ଼ା ‘ମଳୟ’ ଓ ‘ମେଘମାଳା’ ନାମକ ଆଉ ଦୁଇଟି ମାସିକ ଉପନ୍ୟାସମାଳା ମଧ୍ୟ ପ୍ରକାଶ ପାଇଲା ।

 

ସ୍ୱାସ୍ଥ୍ୟ-ଶିକ୍ଷା-କୃଷି-ଶିଳ୍ପ-ପତ୍ରିକା—ସ୍ଵାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ସମବାୟ ଇତ୍ୟାଦି ସମ୍ପର୍କରେ ସ୍ଵତନ୍ତ୍ର ପତ୍ରିକାମାନ ମଧ୍ୟ ପ୍ରକିଶିତ ହୋଇଅଛି ।

 

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ—ସ୍ୱାସ୍ଥ୍ୟ, ଶରୀର, ବୈଦ୍ୟଜୀବନ, ଦୀର୍ଘ ଜୀବନ, ସ୍ୱାସ୍ଥ୍ୟର ବିଳାସ, ସ୍ୱାସ୍ଥ୍ୟ ସାଧନ, ହୋମିଓ ବିଜ୍ଞାନ, ହୋମିଓ ବାଣୀ, ହୋମିଓ ବାର୍ତ୍ତା, ଆମର ସ୍ୱାସ୍ଥ୍ୟ, ଲୋକସେବା ।

 

ଶିଳ୍ପ ସମ୍ବନ୍ଧୀୟ—ଶିଳ୍ପ ଜଗତ, ଶିଳ୍ପଦର୍ପଣ, ରାଉରକେଲାରୁ ଇସ୍ପାତ ସମାଚାର, ସରକାରୀ ଭାବରେ ଶିଳ୍ପ ସମ୍ବନ୍ଧୀୟ ବୁଲେଟିନ୍‍ ।

 

ଶିକ୍ଷା ସମ୍ବନ୍ଧରେ ‘ଶିକ୍ଷାସରଣୀ’, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ‘ଶିକ୍ଷାପ୍ରଦୀପ’, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ‘ଭାରତୀ’, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ‘ଶିକ୍ଷକ ଦର୍ପଣ’ ଏବଂ କୃଷି ସମ୍ବନ୍ଧରେ ‘ପ୍ରଜାବନ୍ଧୁ’ ‘ଉତ୍କଳ କୃଷକ’ ଇତ୍ୟାଦି ପତ୍ରିକା ଉଲ୍ଲେଖଯୋଗ୍ୟ ।

 

ସିନେମା ଓ ଖେଳ ପତ୍ରିକା—୧୯୫୯ରେ ପ୍ରଥମେ ବମ୍ବେରୁ ଓ ପରେ କଟକରୁ ବସନ୍ତକୁମାର ଦାସଙ୍କ ସମ୍ପାଦନାରେ ‘ଚିତ୍ରପୁରୀ’ କିଛିଦିନ ପ୍ରକାଶ ପାଇ ଥିଲା । ଏ ଧରଣର ପତ୍ରିକାମାନଙ୍କ ମଧ୍ୟରେ ‘ରୂପଶ୍ରୀ’ ସିନେଓଡ଼ିଶା, ଚିତ୍ରଲେଖା, ରୂପଲେଖା, କଳାଶ୍ରୀ, ‘କଳାକାର’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଏବେ ‘ଚିତ୍ରସାରଥି’ ଓ ‘ବାଣୀଚିତ୍ର’ ପ୍ରକାଶ ପାଉଛି ।

 

ଖେଳ, କସରତ୍‍ ବିଷୟରେ Sportsman, Stadium ଓ ରଙ୍ଗଭୂମି ମଧ୍ୟ ଓଡ଼ିଶାରେ ପ୍ରକାଶ ପାଇଥିଲା ।

 

ବ୍ୟଙ୍ଗ ପତ୍ରିକା—ଓଡ଼ିଆ ସାହିତ୍ୟରେ ଓ ବିଭିନ୍ନ ପତ୍ରପତ୍ରିକାରେ ହାସ୍ୟରସାତ୍ମକ ବ୍ୟଙ୍ଗଲେଖା ଓ ବ୍ୟଙ୍ଗ-ଚିତ୍ର ଇତ୍ୟାଦି ବରାବର ପ୍ରକାଶ ପାଇ ଆସୁଥିଲା । ଏପରିକି ୧୯୩୨ ମସିହାରେ ‘ସହକାର’ରେ ମଧ୍ୟ “କଲେଜ ଛାତ୍ରଙ୍କ ହଷ୍ଟେଲ ଜୀବନ” ଶିରୋନାମାରେ “ଦେଶସେବା ପାଇଁ ବେଳ ନାହିଁ, ସକାଳ ସଂଜତ ଅଣ୍ଟଇ ନାହିଁ” ବୋଲି କେତୋଟି ବ୍ୟଙ୍ଗଚିତ୍ର ପ୍ରକାଶ ପାଇଥିଲା । କିନ୍ତୁ ହାସ୍ୟ ରସାତ୍ମକ ବ୍ୟଙ୍ଗଲେଖା, ବ୍ୟଙ୍ଗଚିତ୍ର ଥାଇ କୌଣସି ପତ୍ରିକା ନ ଥିଲା । ‘ଡଗର’ ପ୍ରଥମେ ଏଭଳି ଲେଖା ପ୍ରକାଶ କରିବା ପରେ ୧୯୩୮ ରେ “ନିଆଁ ଖୁଣ୍ଟା’’ ସ୍ଵତନ୍ତ୍ର ଭାବରେ ବ୍ୟଙ୍ଗ ପତ୍ରିକା ରୂପରେ ପ୍ରକାଶ ପାଇଲା । ଏହାପରେ ଶ୍ରୀ ମୃରାରିମୋହନ ଜେନା ଓ ଶ୍ରୀ ଶ୍ୟାମସୁନ୍ଦର ମିଶ୍ରଙ୍କ ‘ତେନ୍ତୁଳିଛାଟ’ ‘ବାଇଡଙ୍କ’ ‘ଓଲୁଅ ଡାଙ୍ଗ, ଶ୍ରୀ ରବି ସିଂହଙ୍କ ‘ଛାଟ’ ଇତ୍ୟାଦି ଚମକ ସୃଷ୍ଟିକଲା । ଲାଲ ଚାବୁକ, ଟେଲିଗ୍ରାମ, ନାଗରା, ‘ଯାଦେବୀ ସର୍ବ ଭୂତେଷୁ’ ‘କଜଳପାତିଆ ଭଲଲୋକ’, ଶ୍ରୀ ଅଚ୍ୟୁତାନନ୍ଦ କରଙ୍କ ‘ଦୁର୍ମୁଖ’, ଶ୍ରୀ କିଶୋର ମହାପାତ୍ରଙ୍କ ‘ଛାଞ୍ଚୁଣିମୁଠା’ ଇତ୍ୟାଦି ବ୍ୟଙ୍ଗ ପତ୍ରିକାମାନ ପ୍ରକାଶ ପାଇଛି । ଏହାଛଡ଼ା ‘ମାତୃଭୂମି’ ପତ୍ରିକାରେ ମଧ୍ୟ ବ୍ୟଙ୍ଗ ଚିତ୍ର (କାର୍ଟୁନ) ପ୍ରାୟ ପ୍ରକାଶ ପାଇଥାଏ । ବମ୍ବେରୁ ପ୍ରକାଶ ପାଇଥିବା ‘କୁଙ୍କୁମ’ ମଧ୍ୟ ଏକ ହାସ୍ୟରସାତ୍ମକ ପତ୍ରିକା ରୂପେ ଖ୍ୟାତି ଲଭିଥିଲା । ଶ୍ରୀ ରଘୁ ରାଉତଙ୍କ ସମ୍ପାଦନାରେ ‘ସତକଥା’ କଟକରୁ ସାମୟିକ ଭାବରେ ପ୍ରକାଶ ପାଇଥିଲା ।

 

ଧର୍ମ ପତ୍ରିକା—ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି, ଧର୍ମସମ୍ବନ୍ଧୀୟ ପତ୍ରିକା । ଏହି ପତ୍ରିକା ମଧ୍ୟରେ ଏକଦା ‘ପରମାର୍ଥୀ’ ଖୁବ୍‍ ପ୍ରତିଷ୍ଠା ଲାଭ କରିଥିଲା । ଧର୍ମସମ୍ବନ୍ଧୀୟ ଅନ୍ୟାନ୍ୟ ପତ୍ରିକା—ବ୍ରାହ୍ମ, ବାପଟିଷ୍ଟା, ମିଶନାରୀ ରିଭ୍ୟୁ, ମୋକ୍ଷ, ଯୁଗଧର୍ମ, ମହିମା, ମୁସଲିମ ଗେଜେଟ, ଜିଜ୍ଞାସୁ, ଖ୍ରୀଷ୍ଟିଆନ ମିତ୍ର, ନୀଳାଚଳ ମାଧୁରୀ, ପୁରୁଷୋତ୍ତମ, ସୁଦର୍ଶନ, ବର୍ଣ୍ଣାଶ୍ରମ କଳ୍ପବଟ, ସଂସ୍କାର, ଜ୍ଞାନପ୍ରଚାର, ଇତ୍ୟାଦିର ନାମ ଉଲ୍ଲେଖଯୋଗ୍ୟ । ଧର୍ମସମ୍ବନ୍ଧୀୟ ଏହି ପତ୍ରିକାଗୁଡ଼ିକର ସାହିତ୍ୟିକ ମୂଲ୍ୟ ଯଥେଷ୍ଟ ରହିଛି । ଏଥିରେ ପ୍ରକାଶିତ ଆଲୋଚନା, ତାତ୍ତ୍ଵିକ ବ୍ୟାଖ୍ୟା ଖୁବ୍‍ ଉପାଦେୟ । ଏବେ କେତେ ବର୍ଷ ହେଲା ପଣ୍ଡିଚେରୀସ୍ଥ ଶ୍ରୀ ଅରବିନ୍ଦ ଆଶ୍ରମରୁ ଅନ୍ୟାନ୍ୟ ଭାଷାଭଳି ଓଡ଼ିଆରେ ଶ୍ରୀ ପ୍ରପତ୍ତି (କାଙ୍ଗାଳୀଚରଣ ପତି)ଙ୍କ ସମ୍ପାଦନାରେ ‘ନବଜ୍ୟୋତି’ ଏବଂ ଦେଓଘର ସତ୍‍ସଙ୍ଗ ପକ୍ଷରୁ ଓଡ଼ିଆରେ ‘ଊର୍ଜ୍ଜନା’, ଜଳୌକା ଆନନ୍ଦଧାମରୁ ଦ୍ଵିବାର୍ଷିକ ‘ଜଳୌକାବାଣୀ’ କରମଳାମଠକୁ ତ୍ରୈମାସିକ ‘ଶରଣଦ’ ନାମରେ ଧର୍ମ ସମ୍ବନ୍ଧୀୟ ପତ୍ରିକା ପ୍ରକାଶ ପାଇଛି ।

 

ସରକାରୀ ବିଭାଗୀୟ ପତ୍ରିକା—ସରକାରୀ ଭାବରେ ଓ ଅର୍ଦ୍ଧସରକାରୀ ସଂସ୍ଥାମାନଙ୍କ ପକ୍ଷରୁ ସ୍ଵ ସ୍ଵ କାର୍ଯ୍ୟକଳାପ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମୟିକ ପତ୍ରିକାମାନ ପ୍ରକାଶ ପାଇଆସୁଛି ।୧୯୪୩ ରେ ‘ଉତ୍କଳ ପ୍ରସଙ୍ଗ’ ଓ ୧୯୪୪ରେ ଇଂରାଜୀ ପତ୍ରିକା ‘ଓଡ଼ିଆ ରିଭ୍ୟୁ’ ଏଥିମଧ୍ୟରେ ଉଲ୍ଲେଖଯୋଗ୍ୟ । ଓଡ଼ିଶା ସରକାରଙ୍କ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହା ପ୍ରକାଶ ପାଏ । ଓଡ଼ିଆ ଶିକ୍ଷା ବିଭାଗ ପକ୍ଷରୁ ୧୯୫୭ରେ Orissa Education Magazine ପ୍ରକାଶ ପାଇଥିଲା-। ଏତଦ୍‍ବ୍ୟତୀତ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ‘କଲ୍ୟାଣୀ’, ସମାଜ ମଙ୍ଗଳ ବୋର୍ଡପକ୍ଷରୁ ‘ସମାଜ କଲ୍ୟାଣ’ ପ୍ରକାଶ ପାଇଛି । ରାଜ୍ୟ ଅବକାରୀ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମରେ ‘ପ୍ରଦୀପ’ର କେତୋଟି ମାତ୍ର ସଂଖ୍ୟା ପ୍ରକାଶ ପାଇଥିଲା । ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ Orissa police magazine ମଧ୍ୟ ପ୍ରକାଶ ପାଏ ।

 

ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ସଂଘର ମୁଖପତ୍ର ଭାବରେ ‘ସ୍ୱଳ୍ପବେତନ ଭୋଗୀ’ ନାମକ ପତ୍ରିକା, ଦଳିତ ଜାତି ସଂଘର ମୁଖପତ୍ର ରୂପେ ‘ସମାଧାନ’, ଶ୍ରମିକ ସଂସ୍ଥା ପକ୍ଷରୁ ‘ଶ୍ରମିକ’, ରାଜ୍ୟ ସମବାୟ ୟୁନିଅନ ପକ୍ଷରୁ ‘ସମବାୟ ସମାଚାର’ ଆଦିବାସୀଙ୍କ ସମ୍ପର୍କରେ ସରକାରଙ୍କ ଆଦିବାସୀ ବିଭାଗ ପକ୍ଷରୁ ‘ଆଦିବାସୀ’, କଟକ ଆକାଶବାଣୀ ପକ୍ଷରୁ ସାମୟିକ ପତ୍ରିକା ‘ଆକାଶବାଣୀ ପ୍ରସାରିକା’, ଉତ୍କଳ ରାଷ୍ଟ୍ରଭାଷା ପ୍ରଚାର ସମିତ ପକ୍ଷରୁ ‘ରାଷ୍ଟ୍ରଭାଷା ପତ୍ର’ ଇତ୍ୟାଦି ବହୁ ପତ୍ରପତ୍ରିକା ପ୍ରକାଶ ପାଇଛି । ଏଥିମଧ୍ୟରୁ ‘ସମାଧାନ, ‘ବାଣୀ’, ସମବାୟ ସମାଚାର’ ବର୍ତ୍ତମାନ ସୁଦ୍ଧା ପ୍ରକାଶପାଉଛି । ଭାରତ ସେବକ ସମାଜ ଆନୁକୂଲ୍ୟରେ ଏକ ସାମୟିକ ପତ୍ରିକା ମଧ୍ୟ ପ୍ରକାଶ ପାଇଥିଲା । ଗ୍ରାମଗୋଷ୍ଠୀ ଯୋଜନା ଓ ପଞ୍ଚାୟତରାଜ ସମ୍ବନ୍ଧରେ ଲୋକଙ୍କୁ ଜଣାଇବା ଉଦ୍ଦେଶ୍ୟରେ ‘ଗ୍ରାମପଞ୍ଚାୟତ’, ‘ସରପଞ୍ଚ’, ଇଂରାଜୀରେ ‘କମ୍ୟୁନିଟି’ ଇତ୍ୟାଦି ପତ୍ରିକା ପ୍ରକାଶିତ ହୋଇଛି ।

 

ପ୍ରବାସ-ପତ୍ରିକା—ଓଡ଼ିଶା ବାହାରେ କଲିକତା, ବମ୍ବେ, ମାନ୍ଦ୍ରାଜ ଓ ପଣ୍ଡିଚେରୀ ଇତ୍ୟାଦି ପ୍ରବାସରୁ ମଧ୍ୟ ଓଡ଼ିଆ ପତ୍ରିକାମାନ ଓଡ଼ିଆ ସାହିତ୍ୟର ସମୃଦ୍ଧି ଉଦ୍ଦେଶ୍ୟରେ ପ୍ରକାଶିତ ହୋଇଛି । ସେଥିମଧ୍ୟରେ ବମ୍ବେର ଶ୍ରୀ ଦେବ ମହାପାତ୍ରଙ୍କ ସମ୍ପାଦନାରେ ହାସ୍ୟରସାତ୍ମକ ପତ୍ରିକା ‘କୁଙ୍କୁମ’, କଲିକତାରୁ ଶ୍ରୀ ଯଦୁମଣି ପରିଜାଙ୍କ ଉଦ୍ୟମରେ ‘ଆସନ୍ତାକାଲି’ ଓ ଶ୍ରୀ ଜଗଦୀଶ ପାଣିଙ୍କ ସମ୍ପାଦନାରେ ‘ସମାବେଶ’ ନାମରେ ଦୁଇଟି ସାହିତ୍ୟ ପତ୍ରିକା ଏବଂ ଶ୍ରୀ ଶ୍ରୀଚରଣ ବରାଳଙ୍କ ସମ୍ପଦକତ୍ଵରେ ପାକ୍ଷକପତ୍ରିକା ‘ପ୍ରତିନିଧି’ର ନାମ ବିଶେଷଭାବରେ ଉଲ୍ଲେଖ ଯୋଗ୍ୟ । ଏତଦ୍‍ବ୍ୟତୀତ କଲିକତାରୁ ‘ତରଙ୍ଗ’ ‘ଜାତୀୟ ଜୀବନ’ ଯୁଗଭାରତୀ’ ‘ଶ୍ରମିକ’ ‘ଅଜବ’ ମଧ୍ୟ ଅଳ୍ପକାଳ ପାଇଁ ପ୍ରକାଶ ପାଇଥିଲା । ମାନ୍ଦ୍ରାଜରୁ ଚନ୍ଦମାମା ପ୍ରତିଷ୍ଠାନର ଓଡ଼ିଆ ‘ଜହ୍ନମାମୁଁ’ ଏବଂ ପଣ୍ଡିଚେରୀରୁ ‘ନବଜ୍ୟୋତି’ ତଥା ଇତିପୂର୍ବରୁ ଉଲ୍ଲେଖ କରାଯାଇଛି । ଦକ୍ଷିଣ-ପୂର୍ବ ରେଳପଥ ଲୋକସମ୍ପର୍କ ବିଭାଗ ପକ୍ଷରୁ ରେଳପଥ ସମ୍ବନ୍ଧୀୟ ସମ୍ବାଦ ପରିବେଷଣ ଉଦ୍ଦେଶ୍ୟରେ ‘କଲ୍ୟାଣ’ ନାମରେ ଏକ ଓଡ଼ିଆ ପତ୍ରିକା କଲିକତାରୁ ପ୍ରକାଶିତ ହେଉଛି ।

 

ରାଜନୀତି-ପତ୍ରିକା—ବିଭିନ୍ନ ରାଜନୀତିକ ଦଳର ମୁଖପତ୍ର ରୂପେ ତଥା ଜନସାଧାରଣଙ୍କୁ ରାଜନୀତିକ ସଚେତନ କରାଇବା ଉଦ୍ଦେଶ୍ୟରେ କେତେକ ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛି । ଏଥିମଧ୍ୟରେ କଂଗ୍ରେସ ପକ୍ଷରୁ ‘କଂଗ୍ରେସ ସନ୍ଦେଶ’, ‘କଂଗ୍ରେସ’, କମ୍ୟୁନିଷ୍ଟ ଦଳ ପକ୍ଷରୁ ‘ମୁକ୍ତିଯୁଦ୍ଧ’ ଓ ଏହାପରେ ସାପ୍ତାହିକ ‘ନୁଆ ଦୁନିଆ’, ପ୍ରଜା ସମାଜବାଦୀ ଦଳପକ୍ଷରୁ ସାପ୍ତାହିକ ‘କୃଷକ’, ସୋସାଲିଷ୍ଟ ଦଳ ପକ୍ଷରୁ ‘ଜନ’ ସୋସାଲିଷ୍ଟ ୟୁନିଟ ସେଣ୍ଟର ପକ୍ଷରୁ ‘ସର୍ବହରା’, ଗଣତନ୍ତ୍ର ପରିଷଦ ପକ୍ଷରୁ ‘ଗଣତନ୍ତ୍ର’, ସ୍ଵତନ୍ତ୍ର ଦଳ ପକ୍ଷରୁ ‘ସ୍ଵତନ୍ତ୍ର’ ରାଜନୀତିକ ପତ୍ରିକା ଉଲ୍ଲେଖ ଯୋଗ୍ୟ । ରାଜନୀତିକ ଆଲୋଚନା ମୁଖ୍ୟ ହେଲା ମଧ୍ୟ ଏହା ଏକମାତ୍ର ଉପଜୀବ୍ୟ ନୁହେଁ, ସାହିତ୍ୟ ଓ ସଂସ୍କୃତି ବିଷୟକ ଆଲୋଚନା ଓ ଗଳ୍ପ କବିତା ଇତ୍ୟାଦି ମଧ୍ୟ ଏହିସବୁ ପତ୍ରିକାରେ ମଧ୍ୟେ ମଧ୍ୟେ ସ୍ଥାନ ପାଇଥାଏ । ଏହାବାଦେ ସାପ୍ତାହିକ ‘ରାଷ୍ଟ୍ରଦୀପ’ ‘ସମାଜବାଦ’, ‘ସାମ୍ୟବାଦୀ’ ‘ସୋଭିଏତ୍‍ ଦେଶ’ ‘ଆମେରିକାନ ରିପୋଟର’ ‘ଜର୍ମାନୀ ସମାଚାର’ ‘ଦୋସ୍ତି’ ଶ୍ରୀ ନବକିଶୋର ଦାସଙ୍କ ସଂପାଦନାରେ ‘ଜନ୍ମ ଭୂମି’ ଓ ‘ନବ୍ୟବାଦୀ’ ଉଲ୍ଲେଖନୀୟ ।

 

ସ୍କୁଲ କଲେଜ ପତ୍ରିକା—ଏ ସମସ୍ତ ପତ୍ରପତ୍ରିକା ବ୍ୟତୀତ ସ୍କୁଲ ଓ କଲେଜର ପ୍ରକାଶିତ ପତ୍ରିକାମାନ ଓଡ଼ିଶା ସାହିତ୍ୟ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କଲାଣି । ଓଡ଼ିଶାର ବିଭିନ୍ନ ସ୍କୁଲ ଓ କଲେଜରୁ, ଏପରିକି କଲେଜ ଛତ୍ରାବାସରୁ ମଧ୍ୟ ସାମୟିକ ସାହିତ୍ୟ ପତ୍ରିକାମାନ ପ୍ରକାଶ ପାଉଛି ଓ ଏ କ୍ଷେତ୍ରରେ ଖୁବ୍‍ ପ୍ରତିଦ୍ଵନ୍ଦିତା ଲକ୍ଷିତ ହେଉଛି । ଏହି ପତ୍ରିକାଗୁଡ଼ିକ ପ୍ରଥମେ ହାତଲେଖା ଆକାରରେ ଥିଲା; ଏବେ କିନ୍ତୁ ଏସବୁ ରୀତିମତ ମୁଦ୍ରିତ ହୋଇ ମନୋଜ୍ଞ ପରିପାଟୀ ସହ ପ୍ରକାଶିତ ହେଉଛି ଏବଂ ଅନେକ ସମୟରେ କେତେଗୁଡ଼ିଏ ଲେଖା ଖୁବ୍‍ ଉପାଦେୟ ଓ ସାହିତ୍ୟିକ ମୁଲ୍ୟଯୁକ୍ତ ହେଉଛି-

 

ଭାଗ୍ୟଫଳ ପତ୍ରିକା—ଫଳିତ ଜ୍ୟୋତିଷ ଓ ଭାଗ୍ୟଫଳ ସମ୍ବନ୍ଧରେ ସ୍ଵତନ୍ତ୍ର ପତ୍ରିକାମାନ ମଧ୍ୟ ପ୍ରକାଶିତ ହୋଇଛି । ୧୯୫୧ରେ ‘ଜ୍ୟୋତିର୍ବିଜ୍ଞାନ’ ନାମରେ ଏକ ପତ୍ରିକା ପ୍ରକାଶ ପାଇଥିଲା-। ଏହାପରେ ‘ମାସଫଳ’, ‘ଦୈନିକ ଭାଗ୍ୟଫଳ’, ‘ନିୟତି’ ନାମରେ ୩ଟି ପତ୍ରିକା ପ୍ରକାଶିତ ହୋଇଥିଲା ।

 

ସମାଜ ସଂସ୍କାରକ ପତ୍ରିକା—ସମାଜର ସଂସ୍କାର ଉଦ୍ଦେଶ୍ୟରେ ତଥା ଲୋକଙ୍କୁ ସମାଜ-ସଚେତନ କରାଇବା ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ଭାବରେ କେତେକ ପତ୍ରପତ୍ରିକା ପ୍ରକାଶ ପାଇଛି-। ଏଗୁଡ଼ିକର କେତେକ ଲେଖାରେ ସାହିତ୍ୟିକ ମୂଲ୍ୟ ରହିଛି । ଏହି ପତ୍ରିକା ମଧ୍ୟରେ ‘ସଂସ୍କାର’, ‘ସମାଜ ସଂସ୍କାର’, ‘ ସେବା’, ‘ସେବକ’, ‘ବିଶ୍ଵ କଲ୍ୟାଣୀ’ ଇତ୍ୟାଦିର ନାମ ଉଲ୍ଲେଖ ଯୋଗ୍ୟ ।

 

ଦୈନିକ ପତ୍ରିକା—ଦେଶ ଓ ଜାତି ଗଠନରେ ଏବଂ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ଦୈନିକ ପତ୍ରିକା ତଥା ସମ୍ବାଦ ପତ୍ରର ଦାନ ସୁମହତ ଏବଂ ଏହି ସମ୍ବାଦପତ୍ରର ଶକ୍ତି ମଧ୍ୟ ଅମିତ । ତେଣୁ ସମ୍ବାଦପତ୍ର ରାଷ୍ଟ୍ରର ଚତୁର୍ଥ ଶକ୍ତି ରୂପେ ଅଭିହିତ ।

 

ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକ ଶେଷ ସୁଦ୍ଧା ଓଡ଼ିଶାରେ ଦୈନିକ ପତ୍ରିକା ନ ଥିଲା । କାରଣ ଏହା ସାଧାରଣତଃ ଅର୍ଥସାପେକ୍ଷ ଓ ଆୟାସସାଧ୍ୟ । ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ଓଡ଼ିଶାରେ ୧୫ଟି ଦୈନିକ ପତ୍ରିକା ପ୍ରକାଶିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ ଦୁଇଟି ଇଂରାଜୀ

 

ଗାନ୍ଧୀ ସମାଚାର—୧୯୨୪ ମସିହାରେ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ମାସକ ପାଇଁ ଏହି ପତ୍ରିକା ଦୈନିକ ବୁଲେଟିନ୍‍ ଆକାରରେ ସ୍ଵର୍ଗୀୟ ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକତ୍ଵରେ ବ୍ରହ୍ମପୁରରୁ ଛପାହୋଇ ପ୍ରକାଶିତ ହୋଇଥିଲା । ଗାନ୍ଧିଜୀଙ୍କ ଗ୍ରସ୍ତକ୍ରମ ଓ ବିଭିନ୍ନ ସ୍ଥାନରେ ସେ ଦେଉଥିବା ଭାଷଣ ଏଥିରେ ପ୍ରକାଶ ପାଉଥିଲା । ଏହାକୁହିଁ ଓଡ଼ିଶାର ପ୍ରଥମ ଦୈନିକ ପତ୍ରିକା ବୋଲି କୁହାଯାଇପାରେ ।

 

ଦୈନିକ ଆଶା—‘ଗାନ୍ଧୀ ସମାଚାର’କୁ ପ୍ରଥମ ଦୈନିକ ପତ୍ରିକା କୁହାଗଲେ ମଧ୍ୟ ‘ଦୈନିକ ଆଶା’ ହିଁ ପ୍ରକୃତରେ ପ୍ରଥମ ବିଧିବଦ୍ଧ ଦୈନିକ ପତ୍ରିକା । ସ୍ଵର୍ଗୀୟ ଶଶିଭୂଷଣ ରଥଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇ ତାଙ୍କରି ସମ୍ପାଦକତ୍ଵରେ ୧୯୧୩ ମସିହାରେ ସାପ୍ତାହିକ ଭାବରେ ବ୍ରହ୍ମପୁରରୁ ପ୍ରକାଶ ପାଇଥିବା ‘ଆଶା’ ୧୯୨୮’ ରେ ‘ଦୈନିକ ଆଶା’ରେ ପରିଣତ ହେଲା । ତଥାପି ସାପ୍ତାହିକ ‘ଆଶା’ ବନ୍ଦ ହୋଇ ନ ଥିଲା । ଦୈନିକ ସଂସ୍କରଣ ହେବାର କିଛିଦିନ ପରେ ‘ଆଶା’ କଟକରୁ ପ୍ରକାଶ ପାଇଲା । ସେତେବେଳେ ଓଡ଼ିଶାରେ ଅନ୍ୟ କୌଣସି ଦୈନିକ ପତ୍ରିକା ନ ଥିଲା । ତା’ ଛଡ଼ା ଓଡ଼ିଶାର ଦାବି ଦୃଢ଼ ଭାବରେ ଉପସ୍ଥାପିତ କରିବା କାରଣରୁ ପତ୍ରିକାଟି ବିଶେଷ ଆଦୃତ ହୋଇଥିଲା ଏବଂ ଏହାର ପ୍ରତିଷ୍ଠା ଓ ପ୍ରସାର ମଧ୍ୟ କ୍ରମେ ବୃଦ୍ଧି ପାଇଲା । ମାତ୍ର ଦେଶର ଜାତୀୟ ଆନ୍ଦୋଳନ ସମୟରେ ଓ ୨ୟ ବିଶ୍ଵଯୁଦ୍ଧ ସମୟରେ ପତ୍ରିକାର ଭୂମିକା ଯୋଗୁଁ ଏହା କ୍ରମେ ଲୋକପ୍ରିୟତା ହରାଇଲା । ଶଶିଭୂଷଣ ରଥଙ୍କ ମୃତ୍ୟୁ ପରେ ମଦନଲାଲ ଜାଜୋଡ଼ିଆ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ‘ଆଶା’ ଓ ‘ନିଉଓଡ଼ିଶା’ ସମ୍ବାଦପାତ୍ର ପ୍ରେସ୍‍ କିଣି ନେଇଥିଲେ ହେଁ ଆଉ ଅଧିକ କାଳ ଏହା ଚାଲି ପାରି ନ ଥିଲା । ଫଳରେ ୧୯୫୧ ମସିହାଠାରୁ ଏହା ବନ୍ଦ ହୋଇ ଗଲା-। ‘ଆଶା’ ଏତେଦୂର ଲୋକପ୍ରିୟ ହୋଇଥିଲା ଯେ ବହୁବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଅଞ୍ଚଳରେ ଯେକୌଣସି ପତ୍ରିକାକୁ ଲୋକେ ‘ଆଶା’ ବୋଲି କହୁଥିଲେ ।

 

‘ନିଉଓଡ଼ିଶା’—ସ୍ଵର୍ଗୀୟ ଶଶିଭୂଷଣ ରଥଙ୍କ ସମ୍ପାଦକତ୍ଵରେ ଓଡ଼ିଆରେ ‘ଦୈନିକ ଆଶା’ ସାଙ୍ଗକୁ ଇଂରାଜୀରେ ଦୈନିକ ପତ୍ରିକା ‘ନିଉଓଡ଼ିଶା ୧୯୩୩ ମସିହାରେ ବ୍ରହ୍ମପୁରଠାରୁ ପ୍ରକାଶ ପାଇଲା । ଓଡ଼ିଆ ଓ ଇଂରାଜୀ ଦୈନିକ ପତ୍ରିକା ପ୍ରକାଶ କରିବାରେ ଶଶିଭୂଷଣ ରଥ ହିଁ ଅଗ୍ରଣୀ ଏବଂ ଓଡ଼ିଆ ସମ୍ବାଦପତ୍ର କ୍ଷେତ୍ରରେ ତାଙ୍କର ଦାନ ଅତୁଳନୀୟ । ‘ଆଶା’ର ଦଶା ଭଳି ଏହି ପତ୍ରିକାର ଦଶା ଘଟିଥିଲା ।

 

ସମାଜ—୧୯୧୯ ମସିହାରେ ପ୍ରଥମେ ସାପ୍ତାହିକ ଭାବରେ ‘ସମାଜ’ ପ୍ରକାଶ ପାଇଥିଲା ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଉଦ୍ୟମରେ । କ୍ରମେ ତାହା ଲୋକପ୍ରିୟ ହେବାରୁ ଏବଂ ଜାତୀୟ ଆନ୍ଦୋଳନ ପାଇଁ ଆବଶ୍ୟକତା ଦୃଷ୍ଟିରୁ ୧୯୩୨ ମସିହାରେ ସେହି ଗୋପବନ୍ଧୁଙ୍କ ଉଦ୍ୟମରେ ‘ସମାଜ’ ଦୈନିକ ରୂପ ପରିଗ୍ରହ କଲା—ଜାତୀୟ ସଂଗ୍ରାମର ବାର୍ତ୍ତାବହ ହିସାବରେ । ଗୋପବନ୍ଧୁଙ୍କ ସରଳ ଓ ପ୍ରାଞ୍ଜଳ ଭାଷାଯୋଗୁ ଏହା ଅଳ୍ପକାଳ ମଧ୍ୟରେ ଓଡ଼ିଶାର ପୁରପଲ୍ଲୀରେ ବିଶେଷ ଆଦର ଓ ପ୍ରସାର ଲାଭ କଲା । ଜାତୀୟ ଆନ୍ଦୋଳନରେ ନିଜେ ଉଦ୍‍ବୁଦ୍ଧ ହୋଇ ଅନ୍ୟମାନଙ୍କୁ ଉଦ୍‍ବୁଦ୍ଧ କରାଇବା ଥିଲା ଏହାର ବିଶେଷତ୍ଵ । ସେଥିପାଇଁ ତତ୍‍କାଳୀନ ସମ୍ପାଦକଙ୍କୁ କାରାବରଣ କରିବାକୁ ପଡ଼ିଛି ଓ ପତ୍ରିକାକୁ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିଛି । ବର୍ତ୍ତମାନ ଦୈନିକ ପତ୍ରିକାଗୁଡ଼ିକ ମଧ୍ୟରେ ‘ସମାଜ’ ହିଁ ସର୍ବ ପୁରାତନ । ଆଚାର୍ଯ୍ୟ ହରିହର ଦାଶ, ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଶ୍ରୀ ଉଦୟନାଥ ଷଡ଼ଙ୍ଗୀ, ଶ୍ରୀ ଶ୍ରୀହର୍ଷ ମିଶ୍ର, ଶ୍ରୀ ରାଧାନାଥ ରଥ, ଏହାର ସମ୍ପାଦକ ହୋଇଛନ୍ତି ।

 

ଦେଶକଥା—୧୯୩୦ରେ ସାମୟିକ ପତ୍ରିକା ଭାବରେ ଏହା ପ୍ରକାଶିତ ହୋଇଥିଲା । ଓଡ଼ିଶାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ପ୍ରଥମେ ୧୯୩୭ରେ ପ୍ରତିଷ୍ଠିତ ହେବା ପରେ କିଛିଦିନ ପାଇଁ ଏହି ପତ୍ରିକା ଦୈନିକ ରୂପେ ପରିଣତ ହୋଇ ବନ୍ଦ ହୋଇ ଯାଇଥିଲା । ୧୯୫୬ରେ ଏହା ପୁଣି କିଛିଦିନ ପାଇଁ ହଠାତ୍‍ ଦୈନିକ ଭାବରେ ପ୍ରକାଶ ପାଇ ବନ୍ଦ ହୋଇ ଯାଇଛି । ଲାଲା ନଗେନ୍ଦ୍ର କୁମାର ରାୟ ଏହାର ସମ୍ପାଦକ ଥିଲେ ।

 

ସ୍ଵରାଜ୍ୟ—କଂଗ୍ରେସ ନେତା ଶ୍ରୀ ରାଜକୃଷ୍ଣ ବୋଷଙ୍କ ସମ୍ପାଦକତ୍ଵରେ ପ୍ରଥମେ ସାପ୍ତାହିକ ଭାବରେ ଏହା ପ୍ରକାଶିତ ହୋଇ ପରେ କିଛିଦିନ ପାଇଁ ଦୈନିକରେ ପରିଣତ ହୋଇଥିଲା । ଜାତୀୟ ସଂଗ୍ରାମକୁ ଏହା ଅତି ଦୃଢ଼ ଭାବରେ ସମର୍ଥନ ଜଣାଉଥିଲା ।

 

ଜନତା—୧୯୪୦ରେ ଦୈନିକ ସମ୍ବାଦପତ୍ର ଭାବରେ ଏହା ପ୍ରକାଶିତ ହୋଇଥିଲା । ସାନ୍ଧ୍ୟ ସଂସ୍କରଣ ନ ହୋଇ ପ୍ରାତଃ ସଂସ୍କରଣ ରୂପେ ପ୍ରକାଶ ପାଇବାରେ ଏହାହିଁ ଓଡ଼ିଶାର ପ୍ରଥମ ଦୈନିକ ପତ୍ରିକା । ପଣ୍ଡିତ ଗୋଦାବରୀଶ ମିଶ୍ର ଏହାର ସମ୍ପାଦକ ଥିଲେ । କିଛିକାଳ ଏହା ବନ୍ଦ ହୋଇଯାଇ ପରେ ପୁଣି ସାପ୍ତାହିକ ଭାବରେ କିଛିକାଳ ପ୍ରକାଶ ପାଇଥିଲା ।

 

ନବଭାରତ—ପଣ୍ଡିତ ନୀଳକଣ୍ଠ ଦାଶଙ୍କ ସମ୍ପାଦକତ୍ଵରେ ମାସିକ ସାହିତ୍ୟ ପତ୍ରିକା ହିସାବରେ ୧୯୩୪ ମସିହାଠାରୁ ପ୍ରକାଶ ପାଉଥିଲା ୧୯୪୨ରେ ଦୈନିକ ସଂସ୍କରଣ ନବଭାରତ ପ୍ରକାଶିତ ହେଲା । ପାରଳା ମହାରାଜାଙ୍କ ନେତୃତ୍ଵରେ ଗଠିତ ଓଡ଼ିଶାର ମିଳିତ ମନ୍ତ୍ରୀମଣ୍ଡଳକୁ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧକୁ ଏହା ସମର୍ଥନ ଜଣାଉ ଥିଲା । ସମ୍ବାଦପତ୍ରୀୟ ସରଳ ଭାଷା ପରିବର୍ତ୍ତେ ମାର୍ଜିତ ଭାଷାକୁ ଏହା ଗ୍ରହଣ କଲା । ମାତ୍ର ଦେଢ଼ ବର୍ଷ ପରେ ଏହା ବନ୍ଦ ହୋଇଗଲା ।

 

ପ୍ରଜାତନ୍ତ୍ର—ଶ୍ରୀ ହରେକୃଷ୍ଣ ମହତାବଙ୍କର ସମ୍ପାଦକତ୍ଵରେ ୧୯୨୩ ମସିହାରେ ସାପ୍ତାହିକ ଭାବରେ ପ୍ରଥମେ ବାଲେଶ୍ଵରରୁ ପ୍ରକାଶ ପାଉଥିବା ‘‘ପ୍ରଜାତନ୍ତ୍ର’’ ୧୯୩୦ ମସିହାରେ କିଛିଦିନ ପାଇଁ ଦୈନିକରେ ପରିଣତ ହୋଇଥିଲା । ମାତ୍ର ସେତେବେଳେ ସରକାରୀ କୋପଦୃଷ୍ଟିରେ ପଡ଼ିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ପରେ ପୁଣି ୧୯୪୭ ମସିହାଠାରୁ ଶ୍ରୀ ମହତାବଙ୍କ ଉଦ୍ୟମରେ ଏହା ଦୈନିକ ରୂପେ କଟକରୁ ପ୍ରକାଶ ପାଇଲା । ରବିବାର ସଂସ୍କରଣ ମୀନାବଜାର, ନାରୀ ଜଗତ, ଯୁବ ଜଗତ ଇତ୍ୟାଦି ଏହାର ଆକର୍ଷଣ । ଶ୍ରୀ ଚିନ୍ତାମଣି ପାଣିଗ୍ରାହୀ, ଶ୍ରୀ ଭୈରବଚନ୍ଦ୍ର ମହାନ୍ତି, ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ଶ୍ରୀ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଏହାର ସମ୍ପାଦକ ହୋଇଛନ୍ତି ।

 

ଇଷ୍ଟର୍ଣ୍ଣ ଟାଇମସ୍‍—ଓଡ଼ିଶାର ଦାବୀ ଓ ସମସ୍ୟାଗୁଡ଼ିକୁ କେବଳ ଓଡ଼ିଶା ଭିତରେ ଜଣାଇବାରେ ସୀମିତ ନ ରଖି ଓଡ଼ିଶା ବାହାରେ ଜଣାଇବା ଉଦ୍ଦେଶ୍ୟରେ ଶ୍ରୀ ମହତାବଙ୍କ ଉଦ୍ୟମରେ ଇଂରାଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମସ୍‍’ ୧୯୪୯ ମସିହାରେ ପ୍ରକାଶିତ ହେଲା । ଶ୍ରୀ ଭୈରବ ଚନ୍ଦ୍ର ମହାନ୍ତିଙ୍କ ପରେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାର ସମ୍ପାଦକ ଥିଲେ ।

 

‘ପ୍ରଜାତନ୍ତ୍ର’ ଓ ‘ଇଷ୍ଟର୍ଣ୍ଣ ଟାଇମସ୍‍’ ମୁଖ୍ୟତଃ କଂଗ୍ରେସ ସମର୍ଥନକାରୀ । ଏବେ ଏହା ବନ୍ଦ-

 

ମାତୃଭୂମି—ସ୍ଵର୍ଗୀୟ ବାଳକୃଷ୍ଣ କରଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ସମ୍ପାଦକତ୍ଵରେ ୧୯୪୭ ମସିହାରେ ପ୍ରଥମେ ଅର୍ଦ୍ଧସାପ୍ତାହିକ ରୂପେ ପ୍ରକାଶ ପାଇ ‘ମାତୃଭୂମି’ ଆର୍ଥିକ ଅସୁବିଧା ଯୋଗୁ କିଛିବର୍ଷ ବନ୍ଦ ହୋଇଯିବା ପରେ ୧୯୫୦ ମସିହାରେ ଏହା ସାପ୍ତାହିକ ରୂପେ ପ୍ରକାଶ ପାଇଲା । ଏହା ବିଶେଷ ଲୋକପ୍ରିୟ ହେବାରୁ ୧୯୫୧ ସେପ୍ଟେମ୍ବର ୧୩ ତାରିଖରେ ମସିହାରେ ଏହା ଦୈନିକ ରୂପ ପରିଗ୍ରହ କଲା । କୃଷି, ଶିଳ୍ପ, ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲେଖା, ଦେଶ ବିଦେଶର ଅଜଣା କଥା ଏବଂ ରାଜନୈତିକ ବ୍ୟଙ୍ଗଚିତ୍ର ଇତ୍ୟାଦି ଏହାର ବିଶେଷ ଆକର୍ଷଣ । ୰ବାଳକୃଷ୍ଣ କରଙ୍କ ପରେ ଶ୍ରୀ ଚିନ୍ତାମଣି ପାଣିଗ୍ରାହୀ, ଶ୍ରୀ ଗୌରଚନ୍ଦ୍ର ରାଉତ ଓ ଶ୍ରୀ ବିଚିତ୍ରାନନ୍ଦ କର ଏହାର ସଂପାଦକ ହୋଇଛନ୍ତି । ଓଡ଼ିଶାର ଏହା ଏକମାତ୍ର ସ୍ଵାଧୀନ ଓ ନିରପେକ୍ଷ ସମ୍ବାଦପତ୍ର-। ଏହାର ସାପ୍ତାହିକ ସଂସ୍କରଣଟି ବିଶେଷ ଆଦୃତ ଥିଲା ।

 

ଗଣତନ୍ତ୍ର ଓ ସ୍ଵରାଜ୍ୟ—ପୂର୍ବତନ ଗଡ଼ଜାତଗୁଡ଼ିକର ମିଶ୍ରଣ ପରେ ଗଠିତ ରାଜନୈତିକ ଦଳ ଗଣତନ୍ତ୍ର ପରିଷଦର ପ୍ରଚାର ଉଦ୍ଦେଶ୍ୟରେ ୨ୟ ସାଧାରଣ ନିର୍ବାଚନ ପୂର୍ବରୁ ଗଣ ପ୍ରକାଶନୀ ପକ୍ଷରୁ ଏହି ଦୈନିକ ପତ୍ରିକାଟି ୧୯୫୬ରେ ପ୍ରକାଶ ପାଇଥିଲା । ଗଣତନ୍ତ୍ର ପରିଷଦ ସ୍ଵତନ୍ତ୍ର ଦଳରେ ସାମିଲ ହେବାପରେ ଏହି ପତ୍ରିକାଟି ସ୍ଵତନ୍ତ୍ର ଦଳର ଭୂମିକା ଗ୍ରହଣ କରିଥିଲା । ଏହା ମୁଖ୍ୟତଃ ରାଜନୈତିକ ପତ୍ରିକା । ଶ୍ରୀ ସୁରେନ୍ଦ୍ର ମହାନ୍ତି ଏମ. ପି. ଏହାର ପ୍ରଥମ ସଂପାଦକ । ମନ୍ତ୍ରୀ ଓ ଏମ. ଏଲ. ଏ. ଥିବା ଶ୍ରୀ ହରିହର ପଟେଲ ମଧ୍ୟ ସଂପାଦକ ଥିଲେ । କିନ୍ତୁ ଏହା କୌଣସି କାରଣରୁ ବନ୍ଦ ହୋଇଗଲା । ତା’ପରେ ୧୯୬୬ର ଶେଷାର୍ଦ୍ଧରେ ସ୍ଵତନ୍ତ୍ର ପ୍ରେସ ପରିଚାଳନା କମିଟି ପକ୍ଷରୁ ଦୈନିକ ‘ସ୍ଵରାଜ୍ୟ’ ଭୁବନେଶ୍ଵରରୁ ପ୍ରକାଶ ପାଇଲା । ଶ୍ରୀ ସୁନ୍ଦରମଣି ପଟେଲ, କବି ଡ: ମାୟାଧର ମାନସିଂହ, ଶ୍ରୀ ହରପ୍ରସାଦ ମହାପାତ୍ର ପ୍ରମୁଖ ଏହାର ସଂପାଦକ ଭାବରେ ରହିଛନ୍ତି ।

 

କଳିଙ୍ଗ—ଓଡ଼ିଶା କଂଗ୍ରେସରେ ପୁରାତନ ଓ ନୂତନର ବିବାଦ, ସଂଘର୍ଷ ପରେ ତତ୍କାଳୀନ ନୂତନ ଗୋଷ୍ଠୀର ନେତା ଶ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ଉଦ୍ୟମରେ ୩ୟ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦଳର ପ୍ରଚାର ଉଦ୍ଦେଶ୍ୟରେ ପତ୍ରିକା ୧୯୬୦ ମସିହାରେ ପ୍ରକାଶିତ ହୋଇଛି । ଶ୍ରୀ ମନମୋହନ ମିଶ୍ର, ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାର ସଂପାଦକ ହୋଇଛନ୍ତି ।

 

ଜନଶକ୍ତି—ଓଡ଼ିଶାରେ ଅବିଭକ୍ତ କଂଗ୍ରେସର ଅନ୍ୟତମ ନେତା ଶ୍ରୀ ବୀରେନ ମିତ୍ରଙ୍କ ପୃଷ୍ଟପୋଷକତାରେ ୧୯୬୬ ଏପ୍ରିଲ ୧୪ରେ ପ୍ରକାଶ ପାଇଲା ଦୈନିକ ‘ଜନଶକ୍ତି’ । ପୃଷ୍ଠପୋଷକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହେଲେ ମଧ୍ୟ ପତ୍ରିକାରେ ସମ୍ବାଦ ପରିବେଷଣରେ ସଂକୀର୍ଣ୍ଣତା ନ ଥିଲା ।୧୯୬୮ ମାର୍ଚ୍ଚ ମାସରେ ଏହା ବନ୍ଦ ହୋଇଗଲା । ସ୍ଵର୍ଗତ ପଣ୍ଡିତ ଲୋକନାଥ ମିଶ୍ର ଥିଲେ ଏହାର ପ୍ରଥମ ସଂପାଦକ ।

 

ପାଠଚକ୍ର—ବିଶିଷ୍ଟ ସାହିତ୍ୟିକ ଓ ଆଡଭୋକେଟ ଶ୍ରୀ ରାଜକିଶୋର ପଟ୍ଟନାୟକଙ୍କ ସଂପାଦନରେ ୧୯୭୦ରେ ପ୍ରକାଶିତ ସାପ୍ତାହିକ ପାଠଚକ୍ର ହଠାତ ଦୈନିକ ହେଲା । କିନ୍ତୁ ଏହା ଦୈନିକ ସମ୍ବାଦପତ୍ର ନୁହେଁ । ଏକ ସାହିତ୍ୟ-ଆଲୋଚନା-ବୁଲେଟିନ୍‍ ଭଳି ।

 

ଉପରେ ବର୍ଣ୍ଣିତ ଦୈନିକ, ସାପ୍ତାହିକ, ମାସିକ ଓ ସାମୟିକ ପତ୍ରପତ୍ରିକା ବ୍ୟତୀତ ଆହୁରି ଶତାଧିକ ପତ୍ରପତ୍ରିକା ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିଲା । ସେଥିମଧ୍ୟରୁ କେତେଗୁଡ଼ିଏ ଉଲ୍ଲେଖଯୋଗ୍ୟ ପତ୍ରିକା ହେଲା ବ୍ରହ୍ମପୁରରୁ ପ୍ରକାଶିତ ବହୁ ପୁରାତନ ସାପ୍ତାହିକ ‘ନବୀନ’, ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସଂପାଦନାରେ The Star of Utkal, କେ. ଏନ. ଆଚାରୀଙ୍କ ସଂପାଦନାରେ ‘Orissa First’ ଶ୍ରୀ ଜାରକିଶୋର ପଟ୍ଟନାୟକଙ୍କ ସଂପାଦନାରେ Scrutiny, ଶ୍ରୀ ଗଙ୍ଗାଧର ରଥଙ୍କ ସଂପାଦନରେ ‘ସଂକେତ’, ୰ ବ୍ରଜସୁନ୍ଦର ଦାସଙ୍କ ସଂପାଦନାରେ ଇଂରାଜୀ ସାପ୍ତାହିକ ‘ଦି ଓଡ଼ିଆ’ ଶ୍ରୀ ଚିନ୍ତାମଣି ମିଶ୍ରଙ୍କ ସଂପାଦନାରେ ‘ଲୋକମତ’, ଓ ଏବେ ପ୍ରକାଶ ପାଉଥିବା ସାପ୍ତାହିକ ‘ନବଜୀବନ’, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସମ୍ପାଦନାରେ ‘ସତ୍ୟ ସମାଚାର’, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀମତୀ ସରଳା ଦେବୀଙ୍କ ସଂପାଦନାରେ ‘ଜାଗରଣ’, ଲେଖକ ସହଯୋଗ ସମିତି ପକ୍ଷରୁ ‘ଉଦୟ’, ଶ୍ରୀ ମଧୁସୂଦନ ମହାନ୍ତିଙ୍କ ସମ୍ପାଦନାରେ ଇଂରାଜୀ ସାପ୍ତାହିକ Observer, Reason, ଉତ୍କଳ ୟୁନିଅନର ମୁଖ୍ୟପତ୍ର ରୂପେ ସାଂସ୍କୃତିକ ପତ୍ରିକା ‘ରଶ୍ମି’, ନିଖିଳ ଉତ୍କଳ ଛାତ୍ରସଂଘ ପକ୍ଷରୁ ‘ଆଗାମୀ’ ପ୍ରକାଶିତ ହୋଇଛି ।

 

ଆଉମଧ୍ୟ ବିଦେଶୀ, ଧୂମକେତୁ, ଶକ୍ତି, ଅଗ୍ରଦୂତ, Adventure, ପଲ୍ଲୀବାସୀ, ଉତ୍କଳିକା, ସହଯୋଗୀ, Cuttack Law Times, ମୟୁରଭଞ୍ଜ ଗେଜେଟ, Advertiser, ଯୁଗବାର୍ତ୍ତା, ବିରଜାପ୍ରଦୀପ, ବାସନ୍ତୀ, ପଞ୍ଚଧାର, ହିରାଖଣ୍ଡ, ସତକଥା, ଜ୍ୟୋତ୍ସ୍ନା, କଳ୍ପନା, ଆରତ, ଛାତ୍ରୀ, ଜନତା, ଜନ୍ମଭୂମି, ନାୟକ, ଶିଖା, ବିଶାଳ ଉତ୍କଳ, ଆଲୋକ, ପ୍ରଗତି, ଜନଶକ୍ତି, ପୂର୍ଣ୍ଣିମା, ସାଧନ, ସମାଚାର, ଚତୁରଙ୍ଗ, The wheel, ଭଦ୍ରଲୋକ, ବିକାଶ, ଉତ୍କଳକେଶରୀ, ସୈନିକ, ସୁବ୍ରତୀ, ତରୁଣ, ଆଲୋଚନା, ବିଦ୍ୟୁତ, ସପ୍ତାହ, ନବଯୁଗ, ସ୍ଵାଧୀନ, ଶତାବ୍ଦୀ, ବକ୍ର, ହିତବାଦୀ ସ୍ପଷ୍ଟବାଦୀ, କେଶରୀ, ବିଶ୍ଵବନ୍ଧୁ, ପରିଚୟ, ଶାନ୍ତି, ଓ. ଟି. ଏମ. ରିଭ୍ୟୁ ଅନ୍ଵେଷଣ, New Life, ଯୁବକ କୁଆଁତରା, ନିର୍ଝର, ପ୍ରତିକାର, ଶାନ୍ତିସମାଚାର, ଯୁବ ସମାଚାର, ଶତଦଳ, ବୀରଓଡ଼ିଆ, ଆମରି ଗାଁ, ରୂପକଥା, ଉନ୍ନୟନ, ଯୁଝାର, ଜନମତ, ଲେଖା, ନେତାଜୀ, ଗାଁ ଭୂଇଁ, ଗ୍ରାମୋଦୟ, ଆଜିର ଡାକ, ଭାବ, ସୁରଭି, ତରଣୀ, ଆଧୁନିକ, ଉଦୟାଚଳ, Hindhusthan କଟକ ବୁଲେଟିନ୍‍, କଟକ ବଜାର, ପଞ୍ଚାୟତ ବାର୍ତ୍ତା, ସାପ୍ତାହିକ, ଅଭିଯାନ, ଯୁଗଯାତ୍ରୀ, ଜନସଖା, ଦାବାଳନ, The student ପ୍ରଭୃତି ପତ୍ରପତ୍ରିକାମାନ ପ୍ରକାଶ ପାଇଥିଲା ।

 

ଉଲ୍ଲେଖଯୋଗ୍ୟ ଯେ, କେବଳ ଯୌନସମ୍ବନ୍ଧୀୟ ଲେଖାଥାଇ ‘ଜୀବନ’ ନାମକ ଏକ ମାସିକ ପତ୍ରିକାର ଅଳ୍ପ କେତୋଟି ସଂଖ୍ୟା ପ୍ରକାଶିତ ହୋଇଥିଲା । ଏଥିପୂର୍ବରୁ ପ୍ରକାଶିତ ‘ଯୌବନ’ ଓ ‘ନରନାରୀ’ ବୋଧହୁଏ ଏହି ଧରଣର ପତ୍ରିକା ଥିଲା ।

 

ଆଉ କେତୋଟି ଉଲ୍ଲେଖଯୋଗ୍ୟ ପତ୍ରିକା

 

ସାମ୍ମୁଖ୍ୟ—ମାସିକ ସାହିତ୍ୟ ପତ୍ରିକା ମଧ୍ୟରେ, ୧୯୬୫ ଅଗଷ୍ଟରୁ କଟକରୁ ପ୍ରକାଶିତ ଅଧ୍ୟାପକ ଡକ୍ଟର ରାଧାନାଥ ରଥଙ୍କ ‘ସାମ୍ମୁଖ୍ୟ’ର ଏକ ଉଲ୍ଲେଖ୍ୟ ଭୂମିକା ରହିଛି । ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଚିନ୍ତାଧାରା ଏ ପତ୍ରିକାର ବିଶେଷତ୍ଵ । ସାହିତ୍ୟ ସାଙ୍ଗକୁ ମନସ୍ତତ୍ଵ, ରାଜନୀତିକ ସମ୍ବାଦ ଓ ଟୀକାଟିପ୍ପଣୀର ଏକ ସମାବେଶ ଥାଏ ଏଥିରେ ।

 

ବନଫୁଲ—ଶ୍ରୀ ଉପେନ୍ଦ୍ର ମିଶ୍ରଙ୍କ ସଂପାଦାନରେ ୧୯୬୮ରୁ ପ୍ରକାଶିତ । ଆଦିବାସୀ ତଥା ଗିରିଜନଙ୍କ ଜୀବନ ଓ ସଂସ୍କୃତି ସମ୍ପର୍କରେ ବିଶେଷ ଆଲୋଚନା କରି ଏହା ଏକ ନୂତନ ଭୂମିକା ନେଇଛି ।

 

ନାଟ୍ୟବିଚିତ୍ର—ନାଟ୍ୟସାହିତ୍ୟ, ରଙ୍ଗମଞ୍ଚ ଓ ନାଟ୍ୟକାର ସମ୍ପର୍କରେ ଏହା ଏକ ସ୍ଵତନ୍ତ୍ର ପତ୍ରିକା । ତରୁଣ ସାହିତ୍ୟିକ ଶ୍ରୀ ସତ୍ୟପ୍ରିୟ ମହାପାତ୍ରଙ୍କ ସଂପାଦନାରେ ୧୯୭୧ରେ ଆରମ୍ଭରେ ପ୍ରକାଶ ପାଇଛି ।

 

ଦେଶର ସ୍ଵାଧୀନତାପ୍ରାପ୍ତି ପରେ, ବିଶେଷତଃ ବିଂଶଶତାବ୍ଦୀର ଦ୍ଵିତୀୟାର୍ଦ୍ଧରୁ ଓଡ଼ିଶାରେ ପତ୍ରପତ୍ରିକା ପ୍ରକାଶନ କ୍ରମେ ବୃଦ୍ଧି ପାଉଛି । ଏଥିମଧ୍ୟରୁ ଅଧିକାଂଶ ସାହିତ୍ୟ ସଂପର୍କୀୟ ଓ ଆଲୋଚନା ଆଧାରିତ । ଏପରିକି ସାହିତ୍ୟର ବିଭିନ୍ନ ବିଭାଗ ଯଥା—ଗଳ୍ପ, କବିତା, ନାଟକ, ଇତ୍ୟାଦି ସମ୍ପର୍କରେ ମଧ୍ୟ ସ୍ଵତନ୍ତ୍ର ପତ୍ରିକା ପ୍ରକାଶ ପାଇଛି । କିନ୍ତୁ ବହୁ ପତ୍ରିକା ସାମୟିକ, ନିୟମିତ ନୁହନ୍ତି; କେତକଙ୍କର ହଠାତ୍‍ ଉତ୍ସାହ ଓ ଉଚ୍ଛ୍ଵାସର ପରିପ୍ରକାଶ ମାତ୍ର ।

 

ଏହି ପତ୍ରିକାଗୁଡ଼ିକର ନାମ, ତାହାର ସଂପାଦକ ଓ ପ୍ରକାଶନର ସ୍ଥାନ ଏଠାରେ ଉପସ୍ଥାପିତ କରୁଛି ।

 

ବ୍ରହ୍ମପୁରରୁ ଜନତାରାଜ—ସମ୍ପାଦକ ଶ୍ରୀନିବାସ କବିରତ୍ନ, ଚଡ଼ୁକାଠି—ସମ୍ପାଦକ ଶ୍ୟାମସୁନ୍ଦର ପାଣିଗ୍ରାହୀ, ତରୁଣ—ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଧର୍ମପତ୍ରିକା ସିଦ୍ଧାନ୍ତ—ସମ୍ପାଦକ ନିତ୍ୟାନନ୍ଦ ବ୍ରହ୍ମଚାରୀ, ସେବକ—ସମ୍ପାଦକ ମୋହନ ନାୟକ, ଅନୁପମା—ସମ୍ପାଦକ ଗୋବିନ୍ଦଚନ୍ଦ୍ର ଦାସ, ବୈଦ୍ୟଜୀବନ—ସମ୍ପାଦକ ରଘୁନାଥ ଶାସ୍ତ୍ରୀ, ପ୍ରହାର—ସମ୍ପାଦକ ହୃଷୀକେଶ ବେବର୍ତ୍ତା, ଅବୁଝା—ସମ୍ପାଦକ ସୁବୋଧ ପଟ୍ଟନାୟକ, ଆମକହାଣୀ—ସମ୍ପାଦକ ହୃଷୀକେଶ ପଟ୍ଟନାୟକ, ସଂବିତ—ସମ୍ପାଦକ ପ୍ରଦୀପ ମହାପାତ୍ର, ସ୍ଵପ୍ନ—ସମ୍ପାଦକ ଶରତ ସାହୁ, ଅଳକା—ସମ୍ପାଦକ ଗୌର ପ୍ରସାଦ ମହାପାତ୍ର, ଉତ୍କଳବାହିକା—ସମ୍ପାଦକ ଦାମୋଦର ପାତ୍ର, ଚନ୍ଦ୍ରକଳା(ଗଞ୍ଜାମ)—ସମ୍ପାଦକ କପିଳେନ୍ଦ୍ର ଦାସ, ଆଲୋକ (ଆସ୍କ), ପାରଳାଖେମୁଣ୍ଡିରୁ ସମାଲୋଚନା ପକ୍ଷିକ ବାରୁଦ—ସମ୍ପାଦକ ନବୀନଚନ୍ଦ୍ର ପଟ୍ଟନାୟକ, ବାଲୁଗାଁ ଓ ବାଣପୁରରୁ ସମାଲୋଚନା ମାସିକ ‘ଜବାବ’—ବୈଦ୍ୟନାଥ ରାମ, ସାହିତ୍ୟ ପତ୍ର ବେଳା—ପ୍ରସନ୍ନ କୁମାର ପାଟଶାଣୀ, ଜ୍ଵାଳା—କେ. ପଦ୍ମଚରଣ ଦାସ, ମୈତ୍ରୀ–(ସାମୟିକ ସଂକଳନ) ଡାକ୍ତର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଧ୍ଵନି—ସମ୍ପାଦକ ବିଜୟକୁମାର ଅଗ୍ରଓ୍ୱାଲ, କଥା ସାହିତ୍ୟ—ସମ୍ପାଦକ ପଦ୍ମଚରଣ ପଟ୍ଟନାୟକ, ଆଗ୍ନେୟ—ସମ୍ପାଦକ ଶିବ ପ୍ରସାଦ ମିଶ୍ର, ମୟୁରଭଞ୍ଜର ଯୁବଲେଖକ ପରିଷଦ ପକ୍ଷରୁ ‘ଯୁବଶ୍ରୀ’, କୋରାପୁଟ ଓ ଜୟପୁରରୁ ଧର୍ମପତ୍ରିକା ଖ୍ରୀଷ୍ଟିଆନ ମିତ୍ର, ସାହିତ୍ୟପତ୍ର ଉଦୟରଗ—ସମ୍ପାଦକ ଶୁଭେନ୍ଦୁ ମୁଣ୍ଡା, ଜନସଖା—ସମ୍ପାଦକ ଲକ୍ଷ୍ମୀଚନ୍ଦ୍ର ଦାସ, ଓଡ଼ିଆ ଦେଶ (ଜାତୀୟବାଦୀ ପାକ୍ଷିକ)—ସମ୍ପାଦକ ଶରତଚନ୍ଦ୍ର ଭୁକ୍ତା, ସମାଲୋଚନା ପତ୍ରିକା ‘ହୁତାଶନ’—ସମ୍ପାଦକ ବାଞ୍ଛାନିଧି ବିଷୋଇ, ସମ୍ବଲପୁରରୁ ‘ଚେତାବନୀ’—ଅଶ୍ଵୀନୀକୁମାର ମିଶ୍ର, ‘ଶାଶ୍ଵତୀ’—ହାଡ଼ିବନ୍ଧୁ ମିର୍ଦ୍ଧା, ‘ପଞ୍ଚମୁଖୀ’—ସମ୍ପାଦକ ବିକ୍ରମ ତ୍ରିପାଠୀ, ସ୍ଫୁଲିଙ୍ଗ—ସମ୍ପାଦକ ହୁସେନ ରବି ଗାନ୍ଧୀ, ଭୁବନଶ୍ରୀ—ସମ୍ପାଦକ ସୁରେନ୍ଦ୍ରନାଥ ମିଶ୍ର, ସତ କହିଲେ ଛାତି ଫାଟେ, କଟୁସତ୍ୟ, ବୁର୍ଲା କଳିଙ୍ଗ ସାହିତ୍ୟ ସଂସଦ ପକ୍ଷରୁ ‘ଆବାହନୀ—ଡକ୍ଟର କୃପାସିନ୍ଧୁ ନାୟକ, ବାଲେଶ୍ଵରରୁ ‘ଏବଂ’—ସମ୍ପାଦକ ଶୁଭେନ୍ଦୁ ମୋହନ ଦାସ, ଯୁଗଭେରୀ—ସମ୍ପାଦକ ରାୟ ଉପେନ୍ଦ୍ର ପ୍ରସାଦ ନାୟକ, କାବ୍ୟ—ସମ୍ପାଦକ ବ୍ରଜନାଥ ରଥ, ଭଦ୍ରକରୁ ନବରାଗ—ସମ୍ପାଦକ ଅଚ୍ୟୁତାନନ୍ଦ ନାୟକ, ସଳିତା—ସମ୍ପାଦକ ମୁକୁନ୍ଦ ପ୍ରସାଦ ମହାନ୍ତି, ପୁରୀରୁ ଅନାମ ଗୋଷ୍ଠୀ ପକ୍ଷରୁ ‘ଅନାମ’ ଜଟଣୀରୁ ‘ପତ୍ରିକା—ସମ୍ପାଦକ ଅଶୋକ ଦାସ, ଖୋର୍ଦ୍ଧାରୁ ‘ସନ୍ତକ’, ଖୋର୍ଦ୍ଧା ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦ ପକ୍ଷରୁ ‘ଧୂଳିମୁଠାଏ’, ବାରିପଦାରୁ ‘ନିର୍ଯ୍ୟାସ’, ଯାଜପୁରରୁ ସମାଲୋଚନା ପତ୍ରିକା ‘ଛାରପୋକ’—ସମ୍ପାଦକ ଚନ୍ଦ୍ରମଣି ପଣ୍ଡା, ସାହିତ୍ୟପତ୍ର ‘ତଥାପି’—ସମ୍ପାଦକ କଳ୍ପତରୁ ସାହୁ, ସୁସାହିତ୍ୟ—ସମ୍ପାଦକ କୁମାର ଭାଇ, କଟକରୁ ଦିଗ୍‍ବଳୟ–ଇନ୍ଦ୍ରଚନ୍ଦନ ମହାପାତ୍ର, ଲୋକଦୂତ—ସମ୍ପାଦକ ଧ୍ରୁବଚରଣସାହୁ, ଆଇନଷ୍ଟାଇନ ବିଜ୍ଞାନ କ୍ଳବର ‘କରବୀ’, ଗଳ୍ପ (କେବଳ କ୍ଷୁଦ୍ର ଗଳ୍ପ)—ବିଭୂତି ପଟ୍ଟନାୟକ, ସାମୟିକ ଗଳ୍ପ ସଙ୍କଳନ—ଶିଶିର ମହାପାତ୍ର, ଆକାଶଦୀପ ଓଚୈତକ—ଭଗବାନ ନାୟକ ବର୍ମା ଙ-ଞ-ଲୁ—ଗୁରୁ ମହାନ୍ତି । ବିଜ୍ଞାନ ସାରଥି—ବିଜ୍ଞାନ ସମ୍ବନ୍ଧରେ ଏକ ସ୍ଵତନ୍ତ୍ର ପତ୍ରିକା । ଏଭଳି ପତ୍ରିକା ଏହା ପ୍ରଥମ ମନେହୁଏ । ‘ଲୋକପ୍ରିୟ ବିଜ୍ଞାନ’ ବାର୍ତ୍ତାବହ ରୂପେ ଅଧ୍ୟାପକ ଯତୀନ୍ଦ୍ରନାଥ ପ୍ରହରାଜଙ୍କ ସଂପାଦନରେ କଟକରୁ ପ୍ରକାଶ ପାଇଛି । ଜବାବ—ସମ୍ବାଦ, ଅଭିମତ ଆଲୋଚନା ସାପ୍ତାହିକ ପତ୍ରିକା ମଧ୍ୟରେ ଶ୍ରୀ ରଘୁବୀର ଯାଦବଙ୍କର ‘ଜବାବ’ ଉଲ୍ଲେଖଯୋଗ୍ୟ । ନିର୍ଭୀକ ମତାମତ ଏହାର ବିଶେଷତ୍ଵ ।

 

ବଙ୍ଗଳା ଓ ଇଂରାଜୀ ପତ୍ରିକା

 

ଉତ୍ତର ପ୍ରଦେଶ—ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ବଙ୍ଗଳା ସାହିତ୍ୟ ପତ୍ରିକା । ୧୯୭୧ ମାର୍ଚ୍ଚରେ ପ୍ରଥମ ସଂସ୍କରଣ କଟକରୁ ପ୍ରକାଶ ପାଇଛି । ସଂପାଦକ—ଶ୍ରୀ ପ୍ରେମମୟ ଦାସଗୁପ୍ତ ।

 

Orissa Times (ଓଡ଼ିଶା ଟାଇମସ୍‍)—ବିଶିଷ୍ଟ ସାମ୍ବାଦିକ ଶ୍ରୀ ଆର. ପି. ଶାସ୍ତ୍ରୀଙ୍କ ସଂପାଦନାରେ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ କଟକରୁ ପ୍ରକାଶିତ ସମ୍ବାଦ ଓ ଅଭିମତପୂର୍ଣ୍ଣ ପତ୍ରିକା ।

 

Chariot (ଚାରିଅଟ)—ଯୁବଲେଖକ ଶ୍ରୀ ସୁଶୀଳକୁମାର ପଟ୍ଟନାୟକଙ୍କ ସଂପାଦନରେ ତ୍ରୈମାସିକ ଇଂରାଜୀ ସାହିତ୍ୟ ପତ୍ରିକା । କେତେକ ଉପାଦେୟ ଲେଖା ପ୍ରକାଶ ପାଉଛି ।

 

Bhubaneswar Review (ଭୁବନେଶ୍ଵର ରିଭ୍ୟୁ)—ଅଧ୍ୟାପକ ଯତୀନ୍ଦ୍ରକୁମାର ମହାନ୍ତି ପ୍ରମୁଖଙ୍କ ସଂପାଦନରେ ଏହି ଇଂରାଜୀ ସାହିତ୍ୟ ଆଲୋଚନା ପତ୍ରିକାଟି ପ୍ରକାଶିତ । ଓଡ଼ିଆ ଗଳ୍ପ, କବିତା ଇତ୍ୟାଦିର ଇଂରାଜୀ ଅନୁବାଦ ଏହି ପତ୍ରିକାର ବୈଶିଷ୍ଟ୍ୟ । ଓଡ଼ିଆ ସାହିତ୍ୟ କଳା ଓ ସଂସ୍କୃତିକୁ ବାହାରେ ପରିଚିତ କରାଇବା ପାଇଁ ଏବଂ ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ଏ ଧରଣର ଇଂରାଜୀ ପତ୍ରିକାମାନଙ୍କର ଉଦ୍ୟମ ଅବଶ୍ୟ ଅଭିନନ୍ଦନୀୟ ।

 

ଏ ପ୍ରବନ୍ଧ ପାଇଁ ସହାୟକ ଗ୍ରନ୍ଥ—

 

୧—Press commission Report.

 

୨—A History of the Press in India—by S. Natarajan.

 

୩—ଉତ୍କଳର ପତ୍ରପତ୍ରିକା—ମୃତ୍ୟୁଞ୍ଜୟ ରଥ

 

୪—ଓଡ଼ିଶାର ପତ୍ରପତ୍ରିକା—ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର

 

୫—ଅନ୍ୟାନ୍ୟ ପତ୍ରପତ୍ରିକା

Image

 

ଆମ ପତ୍ରପତ୍ରିକାର ଅକାଳ-ମୃତ୍ୟୁ

 

ଆମର ତ ଗୁଡ଼ିଏ ପତ୍ରପତ୍ରିକା ପ୍ରକାଶପାଉଛି । ସେତେବେଳେ ଓଡ଼ିଶାରେ ପ୍ରଥମ ପତ୍ରିକା ପ୍ରକାଶ ପାଇଥିଲା, ସେଇ ସମୟରୁ ଆଜି ପର୍ଯ୍ୟନ୍ତ କେତେ ଯେ ପତ୍ରପତ୍ରିକା ପ୍ରକାଶ ପାଇଛି ଓ ବିଲୁପ୍ତ ହୋଇଛି, ତାହା ଓଡ଼ିଆ ପତ୍ରପତ୍ରିକାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାବେଳେ ଜଣାପଡ଼ିବ । ଛତୁ ଫୁଟିଲାଭଳି ପତ୍ରପତ୍ରିକାର ଆବିର୍ଭାବ ଓ ଜଳ ବୁଦ୍‍ବୁଦ୍‍ ଭଳି ବିଲୟ । ଅତୀତରେ ସୁଖ୍ୟାତ ଓ ପ୍ରତିଷ୍ଠାପ୍ରାପ୍ତ ବହୁ ପତ୍ରପତ୍ରିକା ଏବେ ସତ୍ତାହୀନ । ଏକାଦିକ୍ରମେ ଦୀର୍ଘ ୨୦ ବର୍ଷ ୩୦ ବର୍ଷକାଳ ଚାଲିବା ପରେ ମଧ୍ୟ ଅନେକ-ପତ୍ରିକା ପ୍ରାଣ ହରାଇଛି । କେତେକ ଗଳ୍ପ କେତେବର୍ଷର ଜୀବନକାଳପରେ ମୃତ୍ୟୁ ଲଭିଛନ୍ତି, ପୁଣି କେତେକ ମାତ୍ର କେତୋଟି ମାସ ବା ସଂଖ୍ୟାପରେ ଆଉ ଲୋକଲୋଚନକୁ ଆସିପାରିନାହାନ୍ତି । କେହି ମଧ୍ୟ ଏକକ ସଂଖ୍ୟାରୁ ବା ଜନ୍ମରୁହିଁ ମୃତ୍ୟୁ ଲଭିଛନ୍ତି ।

 

ପତ୍ରିକାର ଏହି କ୍ଷଣସ୍ଥାୟିତ୍ଵ ଓ ଦୁର୍ଦ୍ଦଶା ଦେଖି ସୁଦ୍ଧା ଗୋଟିଏ ପରେ ଗୋଟିଏ ପତ୍ରିକା ପ୍ରକାଶପାଉଛି । ଅବଶ୍ୟ ଅନ୍ୟଭାଷାରେ ପ୍ରକାଶିତ ପତ୍ରପତ୍ରିକା ତୁଳନାରେ ଓଡ଼ିଆ ପତ୍ରପତ୍ରିକାର ସଂଖ୍ୟା ଆଦୌ ଅଧିକ ନୁହେଁ, ବରଂ କମ । ତଥାପି ଯେତିକି ଓଡ଼ିଆ ପତ୍ରପତ୍ରିକା ଏବେ ପ୍ରକାଶ ପାଉଛି, ସେ ସବୁର ଅବସ୍ଥା ସ୍ୱଚ୍ଛଳ ନୁହେଁ, ପ୍ରସାର ବା ବିକ୍ରି ଆଶାପ୍ରଦ ନୁହେଁ ।ଏସବୁ ପତ୍ରପତ୍ରିକା ଓଡ଼ିଶାର ବିଭିନ୍ନ ସହରରୁ ଏପରିକି ପଲ୍ଲୀଗ୍ରାମରୁ ମଧ୍ୟ ପ୍ରକାଶ ପାଉଛି । ତା ଛଡ଼ା ଓଡ଼ିଶା ବାହାରେ, କଲିକତା ଇତ୍ୟାଦି ସ୍ଥାନରୁ ବି ବାହାରୁଛି । ଏସବୁ ପତ୍ରପତ୍ରିକା କେବଳ ସାହିତ୍ୟ ବା ରାଜନୀତି ଭିତ୍ତିକ ନୁହେଁ । ସାହିତ୍ୟ ଓ ରାଜନୀତି ବିଷୟକ ପତ୍ରିକା ଯଦିଓ ବେଶୀ, ତଥାପି ଧର୍ମ, ଶିକ୍ଷା, ବିଜ୍ଞାନ, ଆଇନ, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ, ଶ୍ରମ, ସମବାୟ, ଜଙ୍ଗଲ, ନୃତ୍ୟସଂଗୀତ, ରଙ୍ଗମଞ୍ଚ ଓ ଛାୟାଚିତ୍ର ଇତ୍ୟାଦି ନିଭିନ୍ନ ଓ ବହୁବିଷୟକ ପତ୍ରପତ୍ରିକା ପ୍ରକାଶ ପାଉଛି । ତା ସାଙ୍ଗକୁ ପିଲାଙ୍କ ପାଇଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପତ୍ରପତ୍ରିକା ମଧ୍ୟ ରହିଛି । ତା ଛଡ଼ା ମାସିକ ଉପନ୍ୟାସ ଓ ଡିଟେକଟିଭ ପତ୍ରିକା ବି ଅଛି ।

 

ଆଗେ ଜଣେ ଡାକ୍ତର ସବୁ ରୋଗର ଚିକିତ୍ସା କରୁଥିଲା । ଏବେ କିନ୍ତୁ ତାହା ନାହିଁ । ଏବେ ଜଣେ ଜଣେ ଡାକ୍ତର କେବଳ ଗୋଟିଏ ଗୋଟିଏ ରୋଗ-ଚିକିତ୍ସାରେ ବିଶେଷଜ୍ଞ ହେଉଛନ୍ତି । ଫଳରେ ଆଜି ପେଟମରା ରୋଗୀ ଚକ୍ଷୁଚିକିତ୍ସକଙ୍କ ପାଖକୁ ଯାଉନାହିଁ । ଏଇ ହେଲା ବିଶେଷଜ୍ଞଙ୍କର ଯୁଗ । ପତ୍ରିକା କ୍ଷେତ୍ରରେ ମଧ୍ୟ ତାହାହିଁ ହୋଇଛି । ଖଣ୍ଡିଏ ପତ୍ରିକାରେ କିଛି ସାହିତ୍ୟ, କିଛି ଧର୍ମ, କିଛି ସ୍ୱାସ୍ଥ୍ୟ, କିଛି କୃଷି ଶିଳ୍ପ, କିଛି ସମାଜ ଓ ରାଜନୀତି, କିଛି ସଂସ୍କୃତି ଇତ୍ୟାଦି ବିଭିନ୍ନ ବିଷୟ ସାଧାରଣତଃ ରହୁଥିଲା । ଏବେ ତାହା ଥିଲେବି, ସେ ପ୍ରକାର ଧାରା କମିଯାଇଛି । ସେ ପୁରୁଣା ଢଙ୍ଗ କ୍ରମେ ବଦଳୁଛି । ଏବେ ଭିନ୍ନ ଭିନ୍ନ ବିଷୟରେ ଭିନ୍ନ ଭିନ୍ନ ପତ୍ରିକା ପ୍ରକାଶ ପାଉଛି-। ଶିଳ୍ପ ସମ୍ବନ୍ଧରେ ବଡ଼ ବଡ଼ ଶିଳ୍ପବିଷୟକ ପତ୍ରିକା ସାଙ୍ଗକୁ କେବଳ ମୋଟରଗାଡ଼ି ବା ଟ୍ରାକଟର ସମ୍ବନ୍ଧୀୟ ପତ୍ରିକା ସ୍ଵତନ୍ତ୍ର ପ୍ରକାଶପାଉଛି । ସେଇଭଳି ସାହିତ୍ୟ ପତ୍ରିକା ଖଣ୍ଡକରୁ କେତୋଟି ପ୍ରବନ୍ଧ, କିଛି ଗଳ୍ପ, କିଛି କବିତା, ଗୋଟିଏ ଅଧେ ସମାଲୋଚନା ପାଠକ ହୁଏତ ପଢ଼ିବାକୁ ପାଉଥିଲା । ଏବେ ତାହା ବି ବଦଳିଗଲାଣି । ସାହିତ୍ୟର ଏସବୁ ବିଭାଗ ପାଇଁ ସ୍ଵତନ୍ତ୍ର ସ୍ଵତନ୍ତ୍ର ପତ୍ରିକା ପ୍ରକାଶପାଇଲାଣି ।

 

କେବଳ ଗଳ୍ପପତ୍ରିକା ବା କେବଳ କବିତାପତ୍ରିକା ବାହାରିଲାଣି । କବିତାପତ୍ରିକାର ଗତି ରକେଟ ଭଳି ବେଗଗାମୀ ହେଲାଣି । ଏପରିକି କବିତା ଦୈନିକୀ କିମ୍ବା ବାରଘଣ୍ଟିଆ କବିତାପତ୍ରିକା ପ୍ରକାଶନର ପରୀକ୍ଷା ମଧ୍ୟ ସରିଲାଣି ।

 

ପତ୍ରପତ୍ରିକାର ପ୍ରକାଶନ କାଳ—

 

(୧) ବାର୍ଷିକ, (୨) ଅର୍ଦ୍ଧାବର୍ଷିକ, (୩) ତ୍ରୈମାସିକ, (୪) ଦ୍ଵିମାସିକ, (୫) ମାସିକ, (୬) ପାକ୍ଷିକ, (୭) ସାପ୍ତାହିକ, (୮) ଅର୍ଦ୍ଧସାପ୍ତାହିକ, (୯) ଦୈନିକ, (୧୦) ଅର୍ଦ୍ଧଦୈନିକ ।

 

ଏଥିମଧ୍ୟରୁ ଆମ ଓଡ଼ିଶାରେ ଅର୍ଦ୍ଧଦୈନିକ ପତ୍ରିକା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଓଡ଼ିଶାରେ ଦୈନିକପତ୍ରିକା ସଂଖ୍ୟା ମାତ୍ର ପାଞ୍ଚ ! ଅର୍ଦ୍ଧସାପ୍ତାହିକ ପତ୍ରିକା ବର୍ତ୍ତମାନ ପ୍ରାୟ ନାହିଁ । ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକା ସଂଖ୍ୟା ବେଶି ।

 

ତ୍ରୈମାସିକ, ଅର୍ଦ୍ଦବାର୍ଷିକ ଓ ବାର୍ଷିକପତ୍ରିକା ବେଶି ନ ହେଲେବି କମ୍‍ ନୁହେଁ । ତା ଛଡ଼ା ବିଭିନ୍ନ ସ୍କୁଲ-କଲେଜ; ଛାତ୍ରାବାସ ଓ ବିଭିନ୍ନ ସଂସ୍ଥା, ସମିତି, ସଂଗଠନର ମୁଖପତ୍ର ରୂପେ ବାର୍ଷିକ ବା ସାମୟିକ ପତ୍ରିକା ମଧ୍ୟ ପ୍ରକାଶ ପାଉଛି ।

 

ଓଡ଼ିଶାରେ ପତ୍ରପତ୍ରିକା ପ୍ରକାଶ ପାଇବା ଶହେବର୍ଷରୁ ଅଧିକ ହେଲାଣି । କିନ୍ତୁ କୌଣସି ଓଡ଼ିଆ ପତ୍ରିକା ଭାଗ୍ୟରେ ଶତବାର୍ଷିକୀ ପାଳନ ତ ଦୂରର କଥା, ଅର୍ଦ୍ଧ ଶତବାର୍ଷିକୀ ଉତ୍ସବ ପାଳନ କରିବାର ସୁଯୋଗ ସୁଦ୍ଧା ଏପର୍ଯ୍ୟନ୍ତ ଘଟିନାହିଁ । ଅଥଚ ଓଡ଼ିଶା ବାହାରେ କେତେକ ପତ୍ରିକା ସଗୌରବ ସ୍ଵନକ୍ଷତ୍ର ଶତବାର୍ଷିକୀ ଉତ୍ସବ ପାଳନ କରିସାରିଲେଣି ।

 

ଆମ ପତ୍ରପତ୍ରିକାଗୁଡ଼ିକ ରାତ୍ରିର ଗଙ୍ଗଶିଉଳି ଫୁଲପରି ଅକାଳରେ ଝରି ପଡ଼ୁଛନ୍ତି । କିନ୍ତୁ କାହିଁକି ?

 

କାରଣ କ’ଣ ?

 

୧—ଆମର ଶିକ୍ଷିତ ସଂଖ୍ୟା କମ୍‍ ।

 

୨—ପାଠକ ସଂଖ୍ୟା ଆହୁରି କମ୍‍ ।

 

୩—ଉପଯୁକ୍ତ ଓ ଉତ୍କୃଷ୍ଟ ଲେଖା ଅଭାବ ।

 

୪—ଭଲ ଲେଖାପାଇଁ ଲେଖକଙ୍କୁ ପାରିଶ୍ରମିକ ଦେବାକୁ ଅର୍ଥ ଅଭାବ ।

 

୫—ଉନ୍ନତ ରୁଚିର ଦାରିଦ୍ର୍ୟ ।

 

୬—ପତ୍ରିକାଟିକୁ ମନୋଜ୍ଞ କରିବା ପାଇଁ ସମ୍ବଳ ଅଭାବ ।

 

୭—ଆର୍ଥିକ ସ୍ୱଚ୍ଛଳତା ପାଇଁ ବିଜ୍ଞାପନ ଅଭାବ ।

 

୮—ପରିଚାଳନାଗତ ଅନଭିଜ୍ଞତା ଓ ତ୍ରୁଟି ।

 

୯—ଗ୍ରାହକ ଓ ଏଜେଣ୍ଟମାନଙ୍କ ଦାୟିତ୍ଵହୀନତା ।

 

୧୦—ପ୍ରକାଶନର ଅନିୟମିତତା ।

 

ଓଡ଼ିଆ ପତ୍ରିକାଗୁଡ଼ିକର କ୍ଷଣଭଙ୍ଗୁରତା ଓ ସ୍ୱଳ୍ପଜୀବନପାଇଁ ଏଇ ଦଶୋଟି କାରଣ ମୁତ୍ୟତଃ ଦାୟୀ । କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ । ଦଶା ଆମ ପତ୍ରପତ୍ରିକାମାନଙ୍କର । ବହୁ ଶ୍ରମ ଓ ସମ୍ବଳ ଖଟାଇ ରୁଚିସମ୍ପନ୍ନ ମନୋଜ୍ଞ ପତ୍ରିକାଟିଏ ପ୍ରକାଶ କଲେ ପାଠକ ଓ ଗ୍ରାହକ ନାହାନ୍ତି ।

 

ଏବେତ ଆମ ରାଜ୍ୟ ଶିକ୍ଷାରେ ଅନଗ୍ରସର । ଏଠାରେ ଶିକ୍ଷକଙ୍କ ସଂଖ୍ୟା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଢେର କମ୍ । ଯେତିକି ଶିକ୍ଷିତ ଅଛନ୍ତି, ସେଥିମଧ୍ୟରୁ ପତ୍ରପତ୍ରିକାର ପାଠକ ସଂଖ୍ୟା ଆହୁରି ସୀମିତ । ଯେତିକି ବା ପଢ଼ନ୍ତି, ସେମାନଙ୍କ ମଧ୍ୟରୁ ପତ୍ରିକା କିଣି ବା ଗ୍ରାହକ ହୋଇ ପଢ଼ିବା ଲୋକଙ୍କ ସଂଖ୍ୟା ଆହୁରି କମ୍ । ଏଥିରେ ପତ୍ରିକା ଚଳିବ କିପରି ? ବ୍ୟଙ୍ଗ, ବିଦ୍ରୁପାତ୍ମକ ସମାଲୋଚନାମୂଳକ ପତ୍ରିକା କିମ୍ବା ଅତି ନିମ୍ନ ଧରଣର ଶସ୍ତା ପତ୍ରିକାକୁ ଛାଡ଼ିଦେଲେ ଓଡ଼ିଶାରେ କୌଣସି ରୁଚିସମ୍ପନ୍ନ ମାସିକ, ବାର୍ଷିକ, ସାପ୍ତାହିକ, ବା ପାକ୍ଷିକ ପତ୍ରିକାର ପ୍ରସାର ବା କାଟତି କାହାରି ପାଞ୍ଚହଜାରଖଣ୍ଡ ବି ନୁହେଁ । “ନିଆଁ ଖୁଣ୍ଟା” କିମ୍ବା “ଆସନ୍ତାକାଲି” ଭଳି ବହୁଳ ପ୍ରସାରିତ ପତ୍ରିକା କଥା ଅଲଗା “ଆସନ୍ତାକାଲି”ର ପ୍ରସାର ଯଥେଷ୍ଟ ଥାଇ ସୁଦ୍ଧା ତାହା ଆଜି ବନ୍ଦ । ଡଗର, ଝଙ୍କାର, ଆଜିକୁ ପଚିଶ ବର୍ଷ କୋଡ଼ିଏ ବର୍ଷକାଳ ପ୍ରକାଶ ପାଇଆସୁଛି । କିନ୍ତୁ ଏ ପତ୍ରିକାର ପ୍ରସାର କେତେ ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, ଅନ୍ୟାନ୍ୟ ରାଜ୍ୟରେ ଗୋଟିଏ ଗୋଟିଏ ମାସିକ ବା ସାପ୍ତାହିକ ସାହିତ୍ୟ ପତ୍ରିକାର ପ୍ରସାର ୫୦ ହଜାର, ୬୦ ହଜାର, ୭୦ ହଜାର ଖଣ୍ଡ । ବିଦେଶରେ ଏଭଳି ଖଣ୍ଡିଏ ଖଣ୍ଡିଏ ପତ୍ରିକାର ପ୍ରସାର ବା କାଟତି କେତେ ଲକ୍ଷ ।

 

ଆମର ଏଠି ଦୈନିକପତ୍ରିକାର ଦଶା ମଧ୍ୟ ସେଇଆ । ଓଡ଼ିଶାରୁ ପ୍ରକାଶିତ ସମସ୍ତ ଦୈନିକ ପତ୍ରିକାର ସମୁଦାୟ ପ୍ରସାର ସଂଖ୍ୟା ଏକଲକ୍ଷ ବି ନୁହେଁ; ଅଥଚ କେରଳ ଇତ୍ୟାଦି ରାଜ୍ୟରେ କେବଳ ଗୋଟିଏ ଗୋଟିଏ ପତ୍ରିକାର ବିକ୍ରି ଲକ୍ଷାଧିକ । ବଙ୍ଗଳାରେ ମଧ୍ୟ ଗୋଟିଏ ଗୋଟିଏ ଦୈନିକ ପତ୍ରିକାର ପ୍ରସାର ୬୦ ହଜାରରୁ କମ୍‍ ନୁହେଁ ।

 

ପତ୍ରିକା ପାଇଁ ଭଲ ଲେଖାଟିଏ ପାଇବା ବଡ଼ ସମସ୍ୟା । ଗଳ୍ପ କବିତା ଇତ୍ୟାଦି ମେଞ୍ଚାଏ ମିଳିବ । କିନ୍ତୁ ଭଲ ପ୍ରବନ୍ଧ ବା ଆଲୋଚନାଟିଏ ମିଳିବା ସହଜ ନୁହେଁ । ଫଳରେ ପତ୍ରିକାର ମାନ ରହୁନାହିଁ । ଲେଖକଙ୍କୁ କିଛି ପାରିଶ୍ରମିକ ଦେଲେ ହୁଏତ ଭଲଲେଖା ମିଳନ୍ତା । ଲେଖକ ଉପକୃତ ହେବା ସଙ୍ଗେ ସଙ୍ଗେ ଭଲ ଲେଖାଟିଏ ଲେଖିବାପାଇଁ ପରିଶ୍ରମ କରନ୍ତି; କିନ୍ତୁ ଏ ଭଳି ପାରିଶ୍ରମିକ ପାଇଁ ସମ୍ବଳ କାହିଁ ? ପତ୍ରିକା ପାଇଁ ଲେଖା ସଂଗ୍ରହ କରିବା, ଛାପିବା ପାଇଁ କାଗଜ କିଣିବା; ଛାପାଖର୍ଚ୍ଚ ଦେବା, ଆର୍ଟିଷ୍ଟ ପାଖରୁ ଭଲ ଡିଜାଇନଟିଏ ଆଣି ତାକୁ ବ୍ଲକ କରାଇ ଛପାଇ ପତ୍ରିକାର ପ୍ରଚ୍ଛଦପଟକୁ ଯଥା ସମ୍ଭବ ମନୋଜ୍ଞ କରିବା ପୁଣି ଡାକଖର୍ଚ୍ଚ କରି ପଠାଇବା, ଏଜେଣ୍ଟ ଓ ହକରକୁ କମିଶନ ଦେବା ଓ ସମସ୍ତ କାର୍ଯ୍ୟ ପାଇଁ ଧା ଧଉଡ଼ ହେବାରେ ପତ୍ରିକା ସମ୍ପାଦକ ବା ପ୍ରକାଶନ ବେଦମ । ତା ପକେଟ ଖାଲି, ପାଣ୍ଠି ଖତମ । ଏସବୁ ସତ୍ତ୍ୱେ ବି ପତ୍ରିକାଟି ପ୍ରକାଶ ପାଇଲା ପରେ ତାହା ଯଦି ସଙ୍ଗେ ସଙ୍ଗେ ବା ଅଳ୍ପ ଦିନ ଭିତରେ ବିକ୍ରିହୋଇ ଯାଉଥାନ୍ତା, ଏଜେଣ୍ଟମାନେ ଯଦି ରୀତିମତ ଟଙ୍କା ପଠାଇଦେଇଥାନ୍ତେ ତେବେ ହୁଏତ ଆଶ୍ଵସ୍ତି ମିଳନ୍ତା, ମନ ଖୁସି ହୁଅନ୍ତା, ଆଗ୍ରହ ଉତ୍ସାହ ବଢ଼ନ୍ତା । ତା ବି ନୁହେଁ । ପତ୍ରିକା ପରିଚାଳନାରେ ତ ଅଭିଜ୍ଞତା ନ ଥାଏ, କେତେକ କେବଳ କ୍ଷଣିକ ଉନ୍ମାଦନା ବା ସମ୍ପାଦକ ହେବାର ପ୍ରବଳ ଲାଳସା ନେଇ ପତ୍ରିକା ପ୍ରକାଶ କରିଥାନ୍ତି । କେବଳ ସାହିତ୍ୟ, କଳା ବା ସଂସ୍କୃତିର ସେବା ଉଦ୍ଦେଶ୍ୟରେ ପତ୍ରିକା ଚଳିବା ସହଜ ନୁହେଁ । ତେଣୁ ବ୍ୟବସାୟ ଦୃଷ୍ଟି ମଧ୍ୟ ରହିବା ଦରକାର । କିଛି ବିଜ୍ଞାପନ ମିଳିଲେ ଅର୍ଥାଗମ ସୁଗମ ହୁଅନ୍ତା ଓ ପତ୍ରିକାଟି ରହିଯାଇ ପାରନ୍ତା ତା’ ମଧ୍ୟ ସବୁ କ୍ଷେତ୍ରରେ ସବୁ ସମୟରେ ସମ୍ଭବ ହୁଏ ନାହିଁ ।

 

ହେଲା ଏବେ, ସବୁ ଖର୍ଚ୍ଚ ଅଣ୍ଟାରୁ ସାରି ପତ୍ରିକା କାଢ଼ିବା ପାଇଁ ଜଣେ ବଦ୍ଧପରିକର; କିନ୍ତୁ ଛାପିବ କେଉଁଠି ? ସମସ୍ତଙ୍କ ପକ୍ଷରେ ନିଜର ପ୍ରେସ ସମ୍ଭବ ନୁହେଁ । ଅନ୍ୟ ପ୍ରେସରେ ଛପାଇଲେ ଠିକ୍‍ ସମୟରେ ମିଳିବା ମୁସ୍କିଲ । ଏଥିପାଇଁ ପ୍ରେସରେ ନାନା ଅସୁବିଧା ବି ଥାଇପାରେ-। ପତ୍ରିକାଟି ଠିକ୍‍ ସମୟରେ ପ୍ରକାଶନ ପାଇଥିଲେ, ପାଠକ, ଗ୍ରାହକ, ଏଜେଣ୍ଟ ବିରକ୍ତି ହୁଅନ୍ତି । କ୍ରମେ ଏ ଭଳି ଅନିୟମତା ଯୋଗୁ ପତ୍ରିକା ଉପରୁ ଆସ୍ଥା ତୁଟେ । ପତ୍ରିକା ବଦନାମ ହୁଏ ଓ ବନ୍ଦ ହୁଏ । ଏ ସବୁ ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତି ଭିତରେ ପତ୍ରିକା ବଞ୍ଚିବ କିପରି ? ଫଳରେ ମନ ମରିଯାଏ । ଉତ୍ସାହ ମଉଳି ଯାଏ ଉନ୍ମାଦନାର ସ୍ରୋତ ଶୁଖିଯାଏ, ପତ୍ରିକାର ଅକାଳମୃତ୍ୟୁ ଘଟେ ।

 

ତାହାଲେ କ’ଣ ଆଉ ଅଧିକ ପତ୍ରିକା ପ୍ରକାଶର ଆବଶ୍ୟକତା ନାହିଁ ? ନିଶ୍ଚୟ ଅଛି । ଉନ୍ନତ ରୁଚିସମ୍ପନ୍ନ ପତ୍ରିକାର ଆବଶ୍ୟକତା ସବୁବେଳେ ରହିଛି । ଇଏ ହେଲା ପ୍ରତିଯୋଗିତାର ଯୁଗ-। ପ୍ରତିଯୋଗୀ ହେବାର ଅଧିକାର ସମସ୍ତଙ୍କର ଅଛି । ଯିଏ ପ୍ରତିଯୋଗିତାରେ । ପ୍ରତିଯୋଗୀ ହେବାର ଅଧିକାର ସମସ୍ତଙ୍କର ଅଛି । ଯିଏ ପ୍ରତିଯୋଗିତାରେ ପ୍ରତିପକ୍ଷଠାରୁ ଯେତିକି ଆଗକୁ ବା ଉପରକୁ ଯାଇପାରିଲା, ତା’ର ରହିବାର ଦାବୀ ସେତିକି ବେଶି । ଏଥିପାଇଁ ନିଜର ସେଭଳି ଯୋଗ୍ୟତା ଥିବା ଦରକାର ଓ ପ୍ରତିକୂଳ ପରିସ୍ଥିତିକୁ ହଟାଇବାର ସାହସ ଓ ଶକ୍ତି ଥିବା ଦରକାର-। ସବୁଠାରୁ ପ୍ରଥମ ଓ ପ୍ରଧାନ କଥା, ଓଡ଼ିଆପାଠକ ସଂଖ୍ୟା ବଢ଼ାଇବା ଓ ସେମାନଙ୍କ ମନରେ ପତ୍ରିକା ପଢ଼ାଇବାର ନିଶା ଧରାଇବା ।

 

ଏତକ ସମ୍ଭବ ହୋଇପାରିଲେ, ଓଡ଼ିଆ ପତ୍ରପତ୍ରିକା ନିଶ୍ଚୟ ବଞ୍ଚିବ ଓ ଭଲ ଭାବରେ ବଞ୍ଚିବ । ତା’ ହେଲେ ଅଧିକ ପତ୍ରପତ୍ରିକାର ଆବଶ୍ୟକତା ଅପରିହାର୍ଯ୍ୟ ହେବ ।

 

ଓଡ଼ିଶାରେ ଏଇ ପାଠକ ବୃଦ୍ଧି କରାଇବା ସମ୍ପର୍କରେ ଓଡ଼ିଆ ଯୁବଲେଖକ ସମ୍ମିଳନୀ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଥିଲା, କିନ୍ତୁ ଏହା କେତେ ଦୂର କାର୍ଯ୍ୟକାରୀ ହେଲା ତାହା ଜଣା ନାହିଁ । ଓଡ଼ିଶାର ସମସ୍ତ ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟପ୍ରେମୀ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସମିଚୀନ ହେବ ।

Image

 

ଆମ ପତ୍ରପତ୍ରିକାର ଆଭିମୁଖ୍ୟ ବଦଳୁ

 

‘ସମ୍ବାଦ ବାହିକା’ ପୁଣି ଆତ୍ମପ୍ରକାଶ କରିଛି—ତା’ର ସ୍ଵସ୍ଥାନ ବାଲେଶ୍ଵରରୁ । ଦୀର୍ଘ ବ୍ୟବଧାନ ପରେ ‘ସମ୍ବାଦବାହିକା’ ପୁଣି ସମାଧିରୂ ଉଠିଛି ପୁନର୍ଜୀବନ ପାଇ । ଶତାଧିକ ବର୍ଷ ତଳେ ୧୮୬୮ ମସିହାରେ ସମ୍ବାଦବାହିକା’ ପ୍ରଥମେ ପ୍ରକାଶ ପାଇଥିଲା ବାଲେଶ୍ଵରରୁ ବ୍ୟାସକବି ଫକୀରମୋହନଙ୍କ ସେନାପତିତ୍ଵରେ । ଫକୀରମୋହନ ଓ ସ୍ଵର୍ଗତ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ଏହାର ସଂପାଦନା ଦାୟିତ୍ଵରେ ଥିଲେ । ପ୍ରଥମେ ଥିଲା ତାହା ମାସିକ । ତା’ପରେ ପାକ୍ଷିକ ଓ ସାପ୍ତାହିକ ରୂପ ନେଇଥିଲା । ପତ୍ରିକାଟି ଦୀର୍ଘ ୩୦ ବର୍ଷରୁ ଅଧିକାକାଳ ଚଳିଥିଲା ଏବଂ ବେଶ ଜନପ୍ରିୟ ହୋଇପାରିଥିଲା । ଓଡ଼ିଆ ଭାଷାକୁ ସରଳ ଓ ଜନପ୍ରିୟ କରିବା ଲକ୍ଷ୍ୟ ଥିଲା ଏଇ ପତ୍ରିକାର ।

 

“ଓଡ଼ିଆ ଏକଟା ସ୍ଵତନ୍ତ୍ର ଭାଷା ନୟେ” ବୋଲି ଯେତେବେଳେ ସେଇ ବାଲେଶ୍ଵର ସମୀପରୁ ସ୍ଵର ଉଠିଥିଲା, ତାହାର ଜବାବ ଦେବାପାଇଁ କମର କସିଥିଲେ ଫକୀରମୋହନ, ରାଧାନାଥ ଓ ମଧୁସୂଦନ । କେବଳ କାବ୍ୟକବିତା ବା ଗଳ୍ପଉପନ୍ୟାସ ବହି ଲେଖି ଛାପି ନୁହେଁ, ପତ୍ରପତ୍ରିକା ମାଧ୍ୟମରେ ମଧ୍ୟ ଓଡ଼ିଆ ଭାଷାର ପ୍ରାଧାନ୍ୟ ପ୍ରତିପାଦନ କରିବା ଥିଲା ସେତେବେଳେ ଉଦ୍ଦେଶ୍ୟ । ଏ ଉଦ୍ଦେଶ୍ୟ ଚରିତାର୍ଥ କରିବାରେ ‘ସମ୍ବାଦ-ବାହିକା’ର ଦାନ କେତେ ଥିଲା, ତାର ସାକ୍ଷୀ ଇତିହାସ ।

 

‘ସମ୍ବାଦ-ବାହିକା’ ପ୍ରକାଶ ପାଇବାର ଦୁଇବର୍ଷ ପୂର୍ବରୁ ଅର୍ଥାତ ୧୮୬୬ରୁ ପ୍ରକାଶ ପାଉଥାଏ ସାପ୍ତାହିକ ‘ଉତ୍କଳ ଦୀପିକା’ କଟକରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ସୁଦକ୍ଷ ସଂପାଦନାରେ । ତହିଁ ପୂର୍ବରୁ ଜଣାଶୁଣା ଦୁଇଟି ଓଡ଼ିଆ ପତ୍ରିକା ‘ଜ୍ଞାନରୁଣ’ ଓ ‘ଅରୁଣୋଦୟ’ ଓଡ଼ିଆରେ ପ୍ରକାଶ ପାଇଥିଲା ‘ଜ୍ଞାନରୁଣ’ ଓଡ଼ିଆ ଭାଷାରେ ପ୍ରଥମ ଛପା ପତ୍ରିକା ବୋଲି କୁହାଯାଉଛି । ଏହା ଥିଲା ମାସିକ । ୧୮୪୯ ମସିହାରେ ଏହା ପ୍ରକାଶ ପାଇଥିଲା ।

 

‘ସମ୍ବାଦବାହିକା’ର ସମସାମୟିକ ଥିଲା ସାପ୍ତାହିକ ‘ଉତ୍କଳହିତୈଷିଣୀ’ । ତାହା ପ୍ରକାଶ ପାଉଥିଲା କଟକରୁ । ଉନବିଂଶ ଶତାବ୍ଦୀର ଶେଷଭାଗ ଓଡ଼ିଶାରେ ପତ୍ରପତ୍ରିକାର ଆଦ୍ୟଯୁଗ ହେଲେ ମଧ୍ୟ, ଏହି ସମୟରେ ବହୁ ପତ୍ରପତ୍ରିକା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆତ୍ମପ୍ରକାଶ କରିଥିଲା । ଓଡ଼ିଶାର କଳା, ସଂସ୍କୃତି,ଭାଷା ଓ ସାହିତ୍ୟ ପ୍ରତି କାହାର ଦୃଷ୍ଟି ନଥିଲା । ଏ ଦିଗରୁ ଓଡ଼ିଆ ଥିଲା ଅବହେଳିତ । ଏହି ସମୟରେ ଓଡ଼ିଶାର ପତ୍ରପତ୍ରିକାମାନଙ୍କର କଠୋର ସାଧନା ଓ ନେତୃତ୍ଵ ନଥିଲେ, ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ହୁଏତ ଲୋପପାଇ ଯାଇଥାନ୍ତା ଅନ୍ୟମାନଙ୍କ ହୀନ ଚକ୍ରାନ୍ତରେ-। ଏଇ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ପ୍ରକାଶ ପାଇଥିଲା ବାଲେଶ୍ଵରରୁ ରାଜା ବୈକୁଣ୍ଠନାଥ ଦେବଙ୍କ ଉତ୍ସାହ ଓ ସାହାଯ୍ୟରେ ‘ଉତ୍କଳଦର୍ପଣ’, ତାପରେ ପ୍ରଜାବନ୍ଧୁ, ଧୂମକେତୁ, ତାରକା, ମଧୁସୁଦନ ରାଓଙ୍କ ସଂପାଦନାରେ ‘ଶିକ୍ଷକ’ ଓ ‘ଧର୍ମବୋଧିନୀ’, କଟକରୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମ୍ପାଦନାରେ ‘ଉତ୍କଳ ପୁତ୍ର’ ଏବଂ ତାପରେ ଉତ୍କଳ ମଧୁପ, ଇନ୍ଦ୍ରଧନୁ, ବିଜୁଳି, ବିଶ୍ଵନାଥଙ୍କର ସଂପାଦନାରେ ‘ଉତ୍କଳ ସାହିତ୍ୟ’, ବାରିପଦାର ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେବଙ୍କ ପୂର୍ଣ୍ଣ ପୃଷ୍ଟପୋଷକତାରେ ‘ଉତ୍କଳପ୍ରଭା’, ବ୍ରହ୍ମପୁରରୁ ସ୍ଵଦେଶୀ, ସମ୍ବଲପୁରରୁ ଉତ୍କଳସେବକ, ବାମଣ୍ଡାରୁ ରାଜା ସୁଢ଼ଳଦେବଙ୍କ ଉତ୍ସାହରେ ଓ ସ୍ଵର୍ଗତ ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ‘ସମ୍ବଲପୁର ହିତୈଷିଣୀ’, ପୁରୀରୁ ‘ପୁରୁଶୋତ୍ତମ ପତ୍ରିକା’, ତାଳଚେରରୁ ‘ଉତ୍କଳବନ୍ଧୁ’ ଇତ୍ୟାଦି ।

 

ଏଥିମଧ୍ୟରୁ କେତେକ ହୁଏତ ‘ପାଣି ଫୋଟକା’ର ଆୟୁଷ ଲଭିଥିଲେ । କିନ୍ତୁ ଆଉ କେତୋଟି କିଛିକାଳ ବଞ୍ଚିରହି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଏବଂ ଓଡ଼ିଆ ଜାତୀୟତାର ବିକାଶ ଓ ପରିପ୍ରକାଶ ପାଇଁ ସଚେଷ୍ଟା ଥିଲେ ।

 

ଯେଉଁ ସମୟରେ ସମ୍ବାଦବାହିକା ବା ସମସାମୟିକ ଅନ୍ୟାନ୍ୟ ପତ୍ରିକାମାନ ପ୍ରକାଶ ପାଉଥିଲା, ସେ ସମୟ ଥିଲା ଆଜିଠାରୁ ଭିନ୍ନ । ଇତିମଧ୍ୟରେ ପାଖାପାଖି ଗୋଟିଏ ଶତାବ୍ଦୀ ବିତିଯାଇଛି, ରୁଚି ମଧ୍ୟ ବଦଳି ଯାଇଛି । ପତ୍ରିକା ପ୍ରକାଶନରେ ଟେକନିକ, ଆଭିମୁଖ୍ୟ, ଦୃଷ୍ଟିଭଙ୍ଗୀ ଅତୀତରେ ଯାହା ଥିଲା ଏବେ ତାହା ପୁରୁଣା । ଆଜିର ନୂଆ କାଲି ହେବ ପୂରୁଣା ।

 

ଏବେ ନୂତନ ଆଭିମୁଖ୍ୟ, ପ୍ରସାରିତ ଦୃଷ୍ଟିଭଙ୍ଗୀ ପ୍ରଗତିବାଦୀ ଚିନ୍ତାଧାରା ନେଇ ପତ୍ରିକା ପ୍ରକାଶ ନ କଲେ, ତାହା ପାଠକ ମହଲରେ ଆଦୃତ ନହେବାର ଆଶଙ୍କା ରହିଛି । ଏଥିପାଇଁ ସଂପାଦକଙ୍କୁ ସତର୍କ ରହିବାକୁ ହେବ । ମସୀକୁ ଧରି ଅସୀ ଧାରରେ ଚାଲିବାକୁ ହେବ । ତା’ ବୋଲି ପ୍ରସାର ବୃଦ୍ଧି ପାଇଁ ପତ୍ରିକାକୁ ନଗ୍ନ ଓ ଅଶ୍ଳୀଳଭାବରେ ରୂପାୟିତ କରି ବଜାରକୁ ଛାଡ଼ିବା ଦାୟିତ୍ଵପୂର୍ଣ୍ଣ ସଂପାଦକଙ୍କ ପକ୍ଷେ ସମୀଚୀନ ନୁହେଁ ।

 

ଏ ଯୁଗ ଦୈନିକ ସମ୍ବାଦପତ୍ରରୁ ଯାଇ ଘଣ୍ଟିକିଆ ସମ୍ବାଦପତ୍ର ଚାହିଁ ଲାଣି । ଏ କ୍ଷେତ୍ରରେ ସାପ୍ତାହିକ ବା ପାକ୍ଷିକ ପତ୍ରିକା ତାଳ ମିଳାଇ ଚାଲିବା ଆଦୌ ସମ୍ଭବ ନୁହେଁ । ଆଜି ସାହିତ୍ୟ, ସଂସ୍କୃତି, କୃଷି, ଶିଳ୍ପ, ବାଣିଜ୍ୟ, ସମାଜ, ରାଜନୀତି, ଅର୍ଥନୀତି ଇତ୍ୟାଦି ପ୍ରତ୍ୟେକ ବିଷୟରେ ସମ୍ବାଦ, ସମୀକ୍ଷା, ସମାଲୋଚନା, ସଂକେତ, ଟିପ୍ପଣୀ ଓ ଟାହୁଲି ଇତ୍ୟାଦି ଦୈନିକ ସମ୍ବାଦପତ୍ରର ପରିସରଭୁକ୍ତ ହୋଇଥିଲା ବେଳେ ସମ୍ବାଦ ଓ ସମୀକ୍ଷାମୂଳକ ସାପ୍ତାହିକ ବା ପାକ୍ଷିକ ପତ୍ରିକା ସଂକୋଚ ଅନୁଭବ କରିବା ସ୍ଵଭାବିକ । ଅବଶ୍ୟ ଦଳୀୟ ପତ୍ରିକା କଥା ଭିନ୍ନ । କିନ୍ତୁ ଏବେ ମଧ୍ୟ, ଓଡ଼ିଶାରେ ଓଡ଼ିଆ ଭାଷାରେ ‘ବ୍ଳିଜ୍‌’ ‘କରେଣ୍ଟ’, ‘ଶଙ୍କରସ୍‌ ଉଇକ୍ଲି’ ଭଳି ଦାମ୍ଭିକ ସାପ୍ତାହିକ ପତ୍ରିକାର ଏକାନ୍ତ ଆବଶ୍ୟକତା ରହିଯାଉଛି ।

 

ଗଣତନ୍ତ୍ର ଶାସନରେ ପତ୍ରପତ୍ରିକାର ଦାୟିତ୍ଵ ଅଧିକ । ଜନମତ ପ୍ରକାଶ କରିବା ଓ ଜନମତକୁ ନିୟନ୍ତ୍ରିତ କରିବା ପତ୍ରପତ୍ରିକାର ଗୁରୁଦାୟିତ୍ଵ । ତା’ ନହେଲେ ଗଣତନ୍ତ୍ର ଶାସନ ବା ଲୋକଶାସନ ନିରଙ୍କୁଶ ହୋଇ ସ୍ଵେଚ୍ଛାଚାରୀ ହୋଇଯିବାର ଭୟ ରହିଛି । ତେଣୁ ଗଣତନ୍ତ୍ର ଶାସନର ସଫଳତା ପାଇଁ ପତ୍ରପତ୍ରିକାର ଆବଶ୍ୟକତା ଖୁବ ବେଶୀ ।

 

“ସମୟ ଦିନକୁ ଦିନ କଠିନତର ହୋଇ ଆସୁଅଛି । ଚତୁର୍ଦ୍ଦିଗରେ ଜଳକଷ୍ଟ, ଅନ୍ନକଷ୍ଟ, ଅଗ୍ନିଭୟ ଓ ସ୍ଥାନେ ସ୍ଥାନେ ମାରୀଭୟର ଭୟଙ୍କର ଉତ୍ପାତ କର୍ଣ୍ଣକୁ ଶ୍ରୁତ ହେଉଅଛି । ଅନାବୃଷ୍ଟି ପ୍ରଯୁକ୍ତ ଭାରତମୟ ଦୁର୍ଭିକ୍ଷ ଉପସ୍ଥିତ । × × × × ଆଜିକାଲି ଖଳାମାନଙ୍କରେ ଧାନ ଚାଉଳ ଅନବରତ ଜମା ହେଉଅଛି ଓ ଜାହାଜରେ ବିଦେଶକୁ ଚାଲିଯାଉଛି ।’’

 

୧୮୯୭ ମସିହା ୧୩୦୪ ସାଲ ଜାନୁଆରୀ ତା ୭ ରିଖ ସାପ୍ତାହିକ ‘ସମ୍ବାଦ-ବାହିକା’ର ୩୦ଶ ଭାଗ ୧ମ ସଂଖ୍ୟାର ପ୍ରଥମ ପୃଷ୍ଠାରେ ଏ ଯେଉଁ ଟିପ୍ପଣୀ ପ୍ରକାଶ ପାଇଥିଲା, ଆଜିପାଇଁ ମଧ୍ୟ ତାହା ଅପ୍ରଯୁଜ୍ୟ ନୁହେଁ । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଘୁଞ୍ଚାଇବାକୁ ହେବ । ସମାଜରୁ ଦୋଷ ଦୁର୍ନୀତି ହଟାଇବାକୁ ପଡ଼ିବ ।

 

ଏଇ ପରିପ୍ରେକ୍ଷୀରେ, ବାଲେଶ୍ଵରର ବିଶିଷ୍ଟ ସାମ୍ବାଦିକ ଶ୍ରୀ ମିହିର କୁମାର ଆଚାର୍ଯ୍ୟଙ୍କ ସଂପାଦନରେ ‘ସମ୍ବାଦ-ବାହିକା’ର ପୁନଃ ପ୍ରକାଶନ ଆଶା ଓ ଆନନ୍ଦର କଥା । ହୁଏତ କିଛିଦନ ପରେ ଏହା ପୁଣି ମଉଳିଯିବ ବୋଲି କେହି କେହି ଆଶଙ୍କା କରୁଛନ୍ତି । ତା’ ହେଲେବି କ୍ଷତି କଣ ? ଗୋଟିଏ ଉଦ୍ୟମ ତ ହେଲା ଏବଂ ତାହାହିଁ ଅଭିନନ୍ଦନୀୟ ।

 

ନୂତନର ଆଗମନୀରେ କୁଳପୁରୋହିତଙ୍କ ଭଳି ମୁଁ ଆଶୀର୍ବାଦ କରୁନାହିଁ—ପତ୍ରିକାଟି ଦୀର୍ଘଜୀବୀ ହେଉ’, କିମ୍ବା ପୋଖତ ବ୍ୟକ୍ତିଙ୍କ ଭଳି ମୁଁ ଉପଦେଶ ଦେଉ ନାହିଁ—ଏମିତି କଲେ ଭଲ ହେବ କି ସେମିତି ସୁନ୍ଦର ହେବ । ଏଭଳି ଆନ୍ତରିକତାହୀନ ଆଶୀର୍ବାଦ ଓ ଉପଦେଶ ବଦଳରେ ମୁଁ ଚାହେଁ, ପତ୍ରିକାଟି ଓଡ଼ିଶାର ପାଠକ ସମାଜକୁ ଆନୁପ୍ରାଣିତ କରୁ—ନୂତନ ଚେତନାରେ, ନୂତନ ସ୍ପନ୍ଦନରେ । ଆମ ପତ୍ର ପତ୍ରିକାର ଆଭିମୁଖ୍ୟ ବଦଳୁ । କ୍ଷମତାଧର ବା ପୁଞ୍ଜିପତି, ଶିଳ୍ପପତିଙ୍କ ଭାଷାରେ ଓ ଫଟୋ ଛାପିବାପାଇଁ ବ୍ୟାକୁଳ ନହୋଇ, ଦେଶ ଓ ଜାତିର ପ୍ରଗତି ଓ ସମୃଦ୍ଧି ପାଇଁ କୃଷି, ଶିଳ୍ପ, କଳା, ସାହିତ୍ୟ, ସ୍ଥପତି, ଶିକ୍ଷା, ସଂସ୍କୃତି, ଚିକିତ୍ସା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ପ୍ରକୃତ କର୍ମୀ ଓ ସଫଳ ସାଧକ; ସେମାନଙ୍କୁ ଓ ସେମାନଙ୍କର କୃତିକୁ ଲୋକଲୋଚନକୁ ଆଣନ୍ତୁ ଆମର ପତ୍ରପତ୍ରିକାମାନେ । (ସମ୍ବାଦ-ବାହିକା ୧୪-୧-୭୦)

Image

 

ଭାରତର ଜାତୀୟପାଠାଗାର

 

୧୯୫୩ ଫେବୃୟାରୀ ପହିଲାଦିନ କଲିକତାଠାରେ ଭାରତ ଜାତୀୟ ପାଠାଗାରର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ଭାରତର ବୃହତ୍ତମ ପାଠାଗାର–ଏଠାରେ ଥିବା ମୁଦ୍ରିତ ପୁସ୍ତକ ଓ ପାଣ୍ଡୁଲିପିର ସଂଖ୍ୟା ସାଢ଼େସାତଲକ୍ଷରୁ ବେଶି ହେବ । ଏହାକୁ ଲଣ୍ଡନର ବ୍ରିଟିଶ ମିଉଜିୟମ ସଙ୍ଗେ ତୁଳନା କରାଯାଇପାରେ ।

 

ଏହି ବିରାଟ ପାଠାଗାରର ଇତିହାସ ବଡ଼ କୌତୁହଳୋଦ୍ଦୀପକ । ୧୮୩୫ ମସିହା ଅଗଷ୍ଟ ୩୧ତାରିଖ ଦିନ କଲିକତାରେ କେତେ ଜଣ ବିଶିଷ୍ଟ ନାଗରିକ ଟାଉନ ହଲରେ ଗୋଟିଏ ସଭା କରି କଲିକତାରେ ଗୋଟିଏ ସାଧାରଣ ପାଠାଗାର ସ୍ଥାପନ କରିବା ପ୍ରସ୍ତାବ ଗ୍ରହଣ କଲେ । ଏହା ଜାତିବର୍ଣ୍ଣ ନିର୍ବିଶେଷରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲା ରହିବା ମଧ୍ୟ ସ୍ଥିରହେଲା-। ଏହାରି ଫଳରେ କଲିକତା ସାଧାରଣ ପାଠାଗାର ୧୮୩୬ ମସିହା ମାର୍ଚ୍ଚ ୮ ତାରିଖରେ ଏସପ୍ଲାନେଡ ରୋଡରେ ଡାକ୍ତର ଗ୍ରାଣ୍ଡଙ୍କ ବାସଭବନରେ ଖୋଲାଗଲା । ରାଜକୁମାର ଦ୍ଵାରକାନାଥ ଠାକୁର ଏହାର ସର୍ବପ୍ରଥମ ସ୍ଵତ୍ତ୍ଵାଧିକାରୀ ହେଲେ । ବଙ୍ଗଳାର ଜଣେ ବିଖ୍ୟାତ ଔପନ୍ୟାସିକ ପ୍ୟାରୀଚାନ୍ଦ ମିତ୍ର ଏହାର ଲାଇବ୍ରେରୀଆନ ନିଯୁକ୍ତି ହୋଇଥିଲେ ।

 

ଏହି ସାଧାରଣ ପାଠାଗାରଟି ଲୋକ ସାଧାରଣଙ୍କର ପ୍ରଭୂତ ଉପକାର ସାଧନା କରିବା ସଙ୍ଗେ ସଙ୍ଗେ ଦିନକୁ ଦିନ ଏତେ ଲୋକପ୍ରିୟ ହୋଇ ଉଠିଲା ଯେ ଜନସାଧାରଣଙ୍କ ଆଶା ଆକାଙ୍‌କ୍ଷା ପୂରଣ କରିବା ଦିଗରେ ଉଦ୍ୟୋକ୍ତା ଓ ପୃଷ୍ଠପୋଷକମାନଙ୍କର ପ୍ରଚେଷ୍ଟା ଯେତେ ମହାନ ହେଲେହେଁ ଯଥେଷ୍ଟ ହୋଇ ପାରି ନ ଥିଲା । ଏହି ମହାନ ଅନୁଷ୍ଠାନର ଏହି ଘଡ଼ିସନ୍ଧି ବେଳେ ଭାରତର ତତ୍କାଳୀନ ବଡ଼ ଲାଟ ଲର୍ଡ କର୍ଜନ ଏହାପ୍ରତି ଆକୃଷ୍ଟ ହୋଇଥିଲେ । ସେ ସରକାରୀ ସୂତ୍ରରେ ଗୋଟିଏ ସାଧାରଣ ବିରାଟ ପାଠାଗାର ସ୍ଥାପନ କରିବାର ପକ୍ଷପାତୀ ଥିଲେ । କଲିକତା ସାଧାରଣ ପାଠାଗାରର ଭିତ୍ତିଉପରେ ଏହି ପାଠଗାର ସ୍ଥାପନ କରିବାପାଇଁ ସେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ଏହି ପାଠଗାରଟି ନୂତନ ରୂପରେ ସରକାରୀ ଅନୁଷ୍ଠାନ ରୂପେ ୧୯୦୩ ମସିହା ଜାନୁୟାରୀ ୩୦ ତାରିଖ ଦିନ ଆତ୍ମପ୍ରକାଶ କଲା ଓ ଏହାର ନାମ ହେଲା ‘ଇମ୍ପିରିଆଲ ଲାଇବ୍ରେରୀ’ । ଏହି ନୂତନ ପାଠାଗାର ଉଦ୍‌ଘାଟନ କରି ଲର୍ଡ ଜର୍ଜନ କହିଥିଲେ ଯେ କଲିକତାରେ ଥିବା ସରକାରୀ ଲାଇବ୍ରେରୀ ଓ କଲିକତା ସାଧାରଣ ପାଠାଗାର ଦୁଇଟି ମିଶି ଈମ୍ପିରିଆଲ ଲାଇବ୍ରେରୀ ଗଠିତ ହେଲା । ଏହା ଫଳରେ ଉକ୍ତ ଦୁଇଟିଯାକ ପାଠାଗାର ଏକତ୍ରିତ ହୋଇ ଜନସାଧାରଣଙ୍କ ସେବାରେ ଲାଗିଲେ । ନୂତନ ପାଠାଗାରଟି ମେଟକାଫ ହଲରେ ସ୍ଥାପିତ ହେଲା ।

 

ଲର୍ଡ ଜର୍ଜନ ଏହି ପାଠାଗାରକୁ ବ୍ରିଟିଶ ମିଉଜିୟମ ଆଦର୍ଶର ଗଢ଼ିବାକୁ ଚାହିଁଥିଲେ । ଏହା ଲୋକଙ୍କର ଜ୍ଞାନପିପାସା ଚରିତାର୍ଥ କରିବା ସଙ୍ଗେ ସଙ୍ଗେ ଯେପରି ଛାତ୍ରମାନଙ୍କ ଅଧ୍ୟୟନରେ ସାହାଯ୍ୟ କରିପାରିବ ଓ ଭବିଷ୍ୟତ ଐତିହାସିକମାନଙ୍କର ଅଭାବ ମୋଚନ କରି ପାରିବ; ସେହି ଦୃଷ୍ଟିରୁ ଏହାର ପୁନର୍ଗଠନ କରିବାକୁ ଚାହୁଁଥିଲେ । ସେହି ଦୃଷ୍ଟିରୁ ଏହା ବ୍ରିଟିଶ ମିଉଜିୟମର ଆଇନକାନୁନ ଅବଲମ୍ବନ କରିଥିଲା ଓ ଉକ୍ତ ଅନୁଷ୍ଠାନର ଜଣେ କର୍ମଚାରୀ ମିଷ୍ଟର ମାକଫରଲେନ ଏହାର ପ୍ରଥମ ଲାଇବ୍ରେରୀଆନ ହୋଇ ଆସିଥିଲେ । ସରକାରୀ ଭାବରେ ଏହାର ପୁନର୍ଗଠନ ହେବା ପରେ ପରେ ସମଗ୍ର ଭାରତବର୍ଷରେ ଯେତେ ଯାହା ସରକାରୀ ବହିପତ୍ର ଛାପା ହେଉଥିଲା ସେ ସବୁ ଏଠାକୁ ଯୋଗାଇ ଦିଆଯାଉଥିଲା । ଫଳରେ ଭାରତରେ ବ୍ରିଟିଶ ରାଜତ୍ଵର ସବୁ ଇତିହାସ ଏହି ପାଠାଗାରରେ ଦେଖିବାକୁ ମିଳିଥାଏ । ଏହାଛଡ଼ା ବଙ୍ଗଳା ଭାଷାରେ ଲିଖିତ ସବୁ ବହି ମଧ୍ୟ ଏଠାକୁ ଆସୁଥିଲା ।

 

କ୍ରମେ ଏହି ପାଠାଗାରର ପରିସର ଏତେ ବୃଦ୍ଧି ପାଇଥିଲା ଯେ ମେଟକାଫ ହାଉସରେ ଏହାପାଇଁ ସ୍ଥାନାଭାବ ହେଲା । ଆଉ ମଧ୍ୟ ମେଟକାଫ ହାଉସ ଗୋଟିଏ ଜନଗହଳ ସ୍ଥାନରେ ଅବସ୍ଥିତ ଥିବାରୁ ଏହା ପାଠାଗାର ପାଇଁ ଶାନ୍ତିପୂର୍ଣ୍ଣ ବାଯୁମଣ୍ଡଳ ଯୋଗାଇ ପାରୁ ନ ଥିଲା । ତେଣୁ ଏହାକୁ ସେଠାରୁ ୧୯୨୩ ମସିହାରେ ରାଇଟର କୋଠାକୁ ସ୍ଥାନାନ୍ତରିତ କରାଗଲା । ଗତ ମହାଯୁଦ୍ଧ ସମୟରେ ଅର୍ଥାତ ୧୯୪୨ ମସିହାରେ ବୋମାମାଡ଼ ଭୟରେ ଏହାକୁ ଆଉ ଥରେ ସ୍ଥାନାନ୍ତରିତ କରାଯାଇଥିଲା ଓ ୧୯୪୮ ମସିହା ପର୍ଯ୍ୟନ୍ତ ଏହା ଚିତ୍ତରଞ୍ଜନ ଏଭିନ୍ୟୁଉର ଗୋଟିଏ ଘରେ ରଖାଯାଇଥିଲା । ୧୯୪୮ ମସିହାରେ ଏହା ପୁଣି ରାଇଟର କୋଠାକୁ ଅଣାଯାଇଥିଲା ।

 

ଦେଶର ସ୍ଵାଧୀନତା ଲାଭପରେ ଏହି ପାଠାଗାରକୁ ଦେଶର ଜାତୀୟ ସଂସ୍କୃତି ଓ ଶିକ୍ଷା ବିସ୍ତାର ଦିଗରେ ବିନିଯୋଗ କରିବାକୁ ଜାତୀୟ ସରକାର ଏକ ଉପାଦେୟ ଅନୁଷ୍ଠାନ ବୋଲି ମନେ କରିଥିଲେ । ବ୍ରିଟିଶ ଅମଳରେ ଇଂରାଜୀ ଭାଷାର ପୃଷ୍ଠପୋଷକତା ଫଳରେ ଆମ ଦେଶର ପ୍ରାଦେଶିକ ଭାଷାଗୁଡ଼ିକ ବଡ଼ ଅନୁନ୍ନତ ଅବସ୍ଥାରେ ରହିଥିଲେ । ଫଳରେ ଆମର ଜାତୀୟ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ପ୍ରାଦେଶିକ ଭାଷାରେ ସାହିତ୍ୟର ଘୋର ଅଭାବ ପରିଲକ୍ଷିତ ହେଉଥିଲା । ଜାତୀୟ ସରକାର ଏହି ସମସ୍ୟାର ସମାଧାନ ଦିଗରେ ଏହି ପାଠାଗାରର ପୁନର୍ଗଠନ କରିବା ଉଚିତ ମନେକରି ୧୯୪୮ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଏହାର ନାମ ବଦଳାଇ ଜାତୀୟ ପାଠାଗାର ନାମରେ ନୂତନ କଳେବର ଗଠନର ଭିତ୍ତି ସ୍ଥାପନ କଲେ । ସେହି ଦିନଠାରୁ ଏହା କଲିକତାରେ ଥିବା ବଡ଼ଲାଟ ଭବନ ‘ବେଲଭେଡର’ କୋଠାରେ ସ୍ଥାପିତ ହେଲା । ପକଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଏହି କୋଠାକୁ ପାଠାଗାର ଉପଯୋଗୀ କରାଗଲା । ଯେଉଁ ଗୃହରେ ଏକ ସମୟରେ ପରାଧୀନ ଭାରତର ସର୍ବୋଚ୍ଚ କର୍ତ୍ତାମାନେ ବସି ଭାରତୀୟ ସଂସ୍କୃତି ଓ ଶିକ୍ଷା ମୂଳରେ କୁଠାରାଘାତ କରିବାର ପରିକଳ୍ପନା କରୁଥିଲେ ତାହା ଯେ ଦିନେ ସେହି ଭାରତୀୟ ଜାତୀୟ ସଂସ୍କୃତିର ଶ୍ରେଷ୍ଠ ସାଧନା କ୍ଷେତ୍ର ହେବ ତାହା ବୋଧହୁଏ ଲର୍ଡ କ୍ଲାଇବ ବା ଲର୍ଡ ୱାରେନ ହେଷ୍ଟିଙ୍ଗିସ ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲେ ।

 

ଏହି ନୂତନ ଗୃହରେ ପୁସ୍ତକଗୁଡ଼ିକ ଯେପରି ପରିଷ୍କାର ପରିଚ୍ଛନ୍ନ ରହିବ ଓ ଯେପରି କୀଟଦମନ ହେବ; ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି । ଏହି ପାଠାଗାର ବର୍ଷ ସାରା ପ୍ରତ୍ୟହ ସକାଳ ୭ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବାର ବ୍ୟବସ୍ଥା କରାଯାଇଛି । ପାଠକମାନଙ୍କର ପଢ଼ାପଢ଼ି ପାଇଁ ଯଥେଷ୍ଟ ସୁବିଧା କରାଯାଇଛି । ବିଶେଷତଃ ଗବେଷଣାକାରୀ ଛାତ୍ରମାନଙ୍କ ପାଇଁ ବିଶେଷ ସୁବିଧା କରାଯାଉଛି । ଏହାଛଡ଼ା ଲୋକସାଧାରଣଙ୍କ ସୁବିଧା ସକାଶେ ଏସପ୍ଲାନେଡଠାରେ ଏହି ପାଠାଗାରର ଶାଖା ରୂପେ ଗୋଟିଏ ପଢ଼ାଘର ଖୋଲାଯାଇଛି । ବେଲଭେଡରକୁ ଲୋକମାନଙ୍କ ଯିବା ଆସିବା ସୁବିଧା ପାଇଁ ଗୋଟିଏ ସରକାରୀ ବସ ଯିବା ଆସିବା କରିବାର ସୁବିଧା କରାଯାଇଛି ।

 

ଜାତୀୟ ପାଠାଗାରର ଉନ୍ନତି ପାଈଁ ୧୯୫୧-୫୨ ମସିହା ବଜେଟରେ ୩ ଲକ୍ଷ ୭୮ ହଜାର ୧୧୦ ତାଙ୍କ ମଞ୍ଜୁର କରାଯାଇଥିଲା । ଏହା ୧୯୪୫-୪୬ ମସିହାର ଟଙ୍କାଠାରୁ ଦୁଇଲକ୍ଷ ଚାଳିଶି ହଜାର ଟଙ୍କା ବେଶି । ଏହାଛଡ଼ା ଭାରତୀୟ ପ୍ରାଦେଶିକ ଭାଷାମାନଙ୍କରେ ପ୍ରକାଶିତ ପୁସ୍ତିକାମାନ କିଣିବା ପାଇଁ ଅତିରିକ୍ତ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଥାଏ । ଏହାଛଡ଼ା ଭାରତୀୟ ପ୍ରାଦେଶିକ ଭାଷାମାନଙ୍କର ପ୍ରକାଶିତ ପୁସ୍ତିକାମାନ କିଣିବା ପାଇଁ ଅତିରିକ୍ତ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଥାଏ । ଏହାଛଡ଼ା ଭାରତୀୟ କପିରାଇଟ ଆଇନ ସଂଶୋଧନ କରି ପ୍ରତ୍ୟେକ ପ୍ରକାଶିତ ପୁସ୍ତକ ଯେପରି ଏହି ପାଠାଗାରକୁ ଆସିବ, ତାହାର ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଜଣାଯାଇଛି । ପାଠାଗାର ଲୋକ ସାଧାରଣଙ୍କର ଯେପରି ଅଧିକରୁ ଅଧିକ ସେବା କରିପାରିବ ସେଥିପାଇଁ ଦକ୍ଷ କର୍ମଚାରୀମାନଙ୍କୁ ନିଯୁକ୍ତି କରାଯାଇଛି । ଆଉ ମଧ୍ୟ ବହିପତ୍ର ବାନ୍ଧିବା ପାଇଁ ପାଠାଗାର ମଧ୍ୟରେ ବ୍ୟବସ୍ଥା କରାଯାଇଛି ।

 

ଜାତୀୟ ପାଠାଗାରାର ପୁସ୍ତକ ସଂଖ୍ୟା ବୃଦ୍ଧି ଦିଗରେ ସରକାର ଯେତିକି ସାହାଯ୍ୟ କରିଛନ୍ତି, ବଦାନ୍ୟ ଜନସାଧାରଣଙ୍କ ଅବଦାନ ମଧ୍ୟ ତାଠାରୁ ଊଣା ନୁହେଁ । ବିହାରର ଜମିଦାର ବହୁ ସଂଖ୍ୟକ ଆରବୀ ଫାର୍ଶୀ ଓ ଉର୍ଦ୍ଦୁ ପୁସ୍ତକ ଓ ପାଣ୍ଡୁଲିପି ଦାନ କରିଛନ୍ତି । ଏହାଛଡ଼ା ସ୍ଵର୍ଗୀୟ ଆଶୁତୋଷ ମୁଖାର୍ଜୀଙ୍କ ଉତ୍ତରାଧିକାରୀମାନେ ପ୍ରାୟ ୮୦ ହଜାର ପୁସ୍ତକ ଏହି ପାଠାଗାରରକୁ ଦାନ କରିଛନ୍ତି । ବରହମପୁରର ସ୍ଵର୍ଗୀୟ ଡାକ୍ତର ରାମଦାସ ସେନଙ୍କ ଗୃହରୁ ମଧ୍ୟ ୩୫ ଶହ ବଙ୍ଗଳା ଓ ସଂସ୍କୃତ ଗ୍ରନ୍ଥ ଓ ହାଇଦରାବାଦରୁ ୪ ହଜାର ଗ୍ରନ୍ଥ ଏହି ପାଠାଗାରକୁ ଦାନ କରାଯାଇଛି-। ଏତଦ୍‌ବ୍ୟତୀତ ଡାକ୍ତର ଥିବୁଟଙ୍କ ସଂଗୃହୀତ ସଂସ୍କୃତ ପାଣ୍ଡୁଲିପି ଓ ଚୀନା ଭାଷାରେ ଗୋଟିଏ ପାଠାଗାର ନିକଟରେ କିଣାଯାଇଛି । ସ୍ଵାଧୀନତାପରେ ଗତ ୨୫ ବର୍ଷ ମଧ୍ୟରେ ଏହି ପାଠାଗାରର ପୁସ୍ତକ ସଂଖ୍ୟା ଦୁଇ ଲକ୍ଷ ବୃଦ୍ଧି ପାଇଛି । ୧୯୦୦ ମସିହାରେ ଏହି ପାଠାଗାରର ପୁସ୍ତକ ସଂଖ୍ୟା ଜମା ଲକ୍ଷେଠାରୁ ସାମାନ୍ୟ ବେଶିଥିଲା । ବର୍ତ୍ତମାନ ଏହି ପାଠାଗାରରେ ଥିବା ପାଣ୍ଡୁଲିପି ସଂଖ୍ୟା କେତେ ହଜାର ହେବ । ଏହାଛଡ଼ା ଏଠାରେ ଶହ ଶହ ପତ୍ରପତ୍ରିକା ପଢ଼ିବାପାଇଁ ମିଳେ । ଭାରତ ସରକାର, ବିଭିନ୍ନ ପ୍ରାଦେଶିକ ସରକାର ଓ ମିଳିତ ଜାତି ସଂଘର ଅର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପ୍ରକାଶିତ ପୁସ୍ତକମାନ ମଧ୍ୟ ଏଠାରେ ମିଳେ ।

 

ଆରମ୍ଭ ବେଳେ ଏହି ଅନୁଷ୍ଠାନ ଉଦ୍‌ଘାଟନ କରି ଲର୍ଡ କର୍ଜନ ଆଶା ପ୍ରକାଶ କରିଥିଲେ ଯେ ଶିକ୍ଷିତ ଜନସାଧାରଣଙ୍କର ଜ୍ଞାନ ପିପାସା ମେଣ୍ଟାଇବା ଦିଗରେ ଏ ଅନୁଷ୍ଠାନଟି କୃତକାର୍ଯ୍ୟ ହେବ । ଆଜି ଏତେ ପରେ ଏହି ଅନୁଷ୍ଠାନର ଅବସ୍ଥା ଦେଖିଲେ ମନେହୁଏ ଏହା ଲର୍ଡ କର୍ଜନଙ୍କ ସ୍ଵପ୍ନ ସାର୍ଥକ କରିବାରେ ସମର୍ଥ ହୋଇପାରିଛି ।

Image

 

ଭାରତରେ ଗ୍ରନ୍ଥାଗାର ଆନ୍ଦୋଳନ

 

ପ୍ରାଚୀନ କାଳରୁ ଭାରତରେ ଜ୍ଞାନକର୍ଷଣର ପରମ୍ପରା ରହିଆସିଛି । ଯେଉଁଠାରେ ଜ୍ଞାନ ପ୍ରତି ଆସକ୍ତି ରହିଛି, ସେଠାରେ ଗ୍ରନ୍ଥାଗାର ରହିବା ସ୍ଵାଭାବିକ; ମାତ୍ର ଅତୀତର ଏହି ଗ୍ରନ୍ଥାଗାରଗୁଡ଼ିକ ଯେଡ଼େ ମୂଲ୍ୟବାନ ହେଲେ ମଧ୍ୟ ଗଣଶିକ୍ଷାର ପ୍ରୟୋଜନରେ ଆସୁ ନଥିଲା । କାରଣ ସେଗୁଡ଼ିକ ସାଧାରଣ ଗ୍ରନ୍ଥାଗାର ଭଳି ନଥିଲା ।

 

ବ୍ରିଟିଶ ଲୋକମାନଙ୍କ ପ୍ରେରଣାରେ ୧୮୦୮ ମସିହାରେ ଭାରତରେ ସାଧାରଣ ଗ୍ରନ୍ଥାଗାରର ପର୍ଯ୍ୟାୟ ଆରମ୍ଭ ହେଲା । ଗ୍ରନ୍ଥାଗାର ସବୁ ରେଜିଷ୍ଟ୍ରି କରିବା କାମ ବମ୍ବେ ସରକାର ସେ ବର୍ଷ ପ୍ରଥମେ ଆରମ୍ଭ କଲେ । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ବମ୍ବେ, କଲିକତା ଓ ମାନ୍ଦ୍ରାଜ ଏହି ତିନୋଟି ବଡ଼ ସହରରେ ୟୁରୋପୀୟ ବାସିନ୍ଦାମାନଙ୍କ ସହଯୋଗ ଓ ପ୍ରେରଣାକ୍ରମେ ସାଧାରଣ ଗ୍ରନ୍ଥାଗାରମାନ ସ୍ଥାପିତ ହୋଇଯାଇଥିଲା । ଅବଶ୍ୟ ଏଗୁଡ଼ିକ ପୂର୍ଣ୍ଣ ସାଧାରଣ ଗ୍ରନ୍ଥାଗାର ଭଳି ନଥିଲା । ସମାଜର ମୃଷ୍ଟିମେୟ ଉଚ୍ଚସ୍ତରର ଲୋକେହି ଏହାର ବ୍ୟବହାର କରୁଥିଲେ । ଉନବିଂଶ ଶତାବ୍ଦୀର ଶେଷ ୨୦ ବର୍ଷ ମଧ୍ୟରେ ଆନ୍ଦୋଳନ ଘନେଇ ଉଠିଲା ଏବଂ ଶତାବ୍ଦୀର ଶେଷବେଳକୁ ସକଳ ପ୍ରାଦେଶିକ ରାଜଧାନୀ ଓ କେତେକ ଜିଲ୍ଲା ରାଜଧାନୀ ସାଧାରଣ ଗ୍ରନ୍ଥାଗାରମାନ ସ୍ଥାପିତ ହୋଇସାରିଥିଲା ।

 

ବିଂଶ ଶତାବ୍ଦୀର ଆରମ୍ଭରୁ ଭାରତରେ ଗ୍ରନ୍ଥାଗାର ଆନ୍ଦୋଳନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ୧୯୩୬ ମସିହା ଯାଏଁ ଚାଲିଲା । ପ୍ରଥମ ପର୍ଯ୍ୟାୟରେ ଏଥିରେ ସରକାରୀ ପୃଷ୍ଠପୋଷକତା ହ୍ରାସ ପାଇଲା । ଭାରତୀୟ ବୁଦ୍ଧିଜୀବୀମାନେ ଆଗକୁ ଆସିଲେ । ୧୯୦୦ ମସିହାରେ କଲିକତା ଗ୍ରନ୍ଥାଗାର ଖୋଲିବା ସଙ୍ଗେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ପରେ ଏହା ଇମ୍ପିରିଆଲ ଲାଇବ୍ରେରୀ ଓ ବର୍ତ୍ତମାନ ଜାତୀୟ ଗ୍ରନ୍ଥାଗାର ନାମରେ ପରିଚିତ ।

 

୧୯୦୬ ରୁ ୧୯୧୧ ମସିହା ଯାଏଁ ବରୋଦାରେ ଗ୍ରନ୍ଥାଗାର ଆନ୍ଦୋଳନ ତେଜି ଉଠିଲା । ତତ୍ରସ୍ଥ ଶାସକ-କେନ୍ଦ୍ର ଗ୍ରନ୍ଥାଗାର, ଗ୍ରାମ୍ୟ ଗ୍ରନ୍ଥାଗାର ଓ ଭ୍ରାମ୍ୟମାଣ ଗ୍ରନ୍ଥାଗାରମାନ ସ୍ଥାପନ କଲେ । ବହୁକାଳ ଧରି ଏହା ଭାରତୀୟ ଗ୍ରନ୍ଥାଗାରମାନଙ୍କର କଳ୍ପନାର ବସ୍ତୁ ଏବଂ ସମଗ୍ର ଭାରତର ସକଳ ଗ୍ରନ୍ଥାଗାରପ୍ରେମୀଙ୍କ ଆଗରେ ଆକାଶ ବିହୁଡ଼ି ହୋଇ ରହିଥିଲା ।

 

ମାତ୍ର ଏହି ପର୍ଯ୍ୟାୟର ପ୍ରକୃତ ପ୍ରତିନିଧି ଥିଲେ ଅନ୍ୟମାନେ । ବରୋଦାର ଅମୀନ ସାହେବ ଗ୍ରନ୍ଥାଗାର ସବୁ ଲୋକପ୍ରିୟ କରିବା ପାଇଁ ଏବଂ ଗୁଜରାଟୀ ଭାଷାଭାଷୀ ଅଞ୍ଚଳରେ ‘ମୈତ୍ରୀ-ମଣ୍ଡଳ’ ଗ୍ରନ୍ଥାଗାରମାନ ସ୍ଥାପନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ୧୯୧୪ରେ କେତେକ କର୍ମୀ ଆନ୍ଧ୍ରପ୍ରାଦେଶିକ ଗ୍ରନ୍ଥାଗାର ସଂଘ ସ୍ଥାପନ କାଲେ । ଏଣେ ବଙ୍ଗଳାରେ ୧୯୨୭ ମନୀନ୍ଦ୍ରଦେବ ରାୟ ମହାଶୟ ବଙ୍ଗ ଗ୍ରନ୍ଥାଗାର ସଂଘ ସ୍ଥାପନକଲେ ।

 

ଏହି ସମୟ ମଧ୍ୟରେ ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ୧୯୩୩ରେ ଭାରତ ଗ୍ରନ୍ଥାଗାର ସଂଘ ସ୍ଥାପନ ହେଲା । ଏହା ଭାରତର ଗ୍ରନ୍ଥାଗାର କର୍ମୀମାନଙ୍କ କଣ୍ଠରେ ପ୍ରଥମ କରି ଭାଷା ଦେଲା ଯାହାକି ପରିବର୍ତ୍ତୀ କାଳରେ କ୍ରମେ ରାଜନୈତିକ ନେତା ଓ ସରକାରଙ୍କ କାନରେ ବାଜିଲା ।

 

୧୯୩୭ ମସିହାରେ କେତେକ ପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ଗ୍ରନ୍ଥାଗାର ଆନ୍ଦୋଳନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ଏହି ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟଭଳି ଗ୍ରନ୍ଥାଗାର ସ୍ଥାପନ କାର୍ଯ୍ୟରେ ସରକାର ପୁଣି ଗୁରୁତ୍ଵପୂର୍ଣ୍ଣ ଅଂଶ ଗ୍ରହଣ କଲେ । ୧୯୩୭ ରୁ ୧୯୪୨ ମଧ୍ୟରେ ଏହି ଆନ୍ଦୋଳନ ଅତି ତେଜି ଉଠିଲା । ଆସାମ, ବିହାର, ବମ୍ବେ, ଓଡ଼ିଶା, ପଞ୍ଜାବ, କୋଚିନ ଏବଂ ଅନ୍ୟ କେତେକ ପ୍ରଦେଶ ଓ ରାଜ୍ୟମାନଙ୍କରେ ଗ୍ରମାଗ୍ରନ୍ଥାଗାରମାନ ସ୍ଥାପନ ହେଲା । ୧୯୪୨ରେ ଭାରତରେ ୧୩,୦୦୦ ଗ୍ରାମଗ୍ରନ୍ଥାଗାର ଥିଲା-

 

ଏହି ଆନ୍ଦୋଳନର ଚତୁର୍ଥ ପର୍ଯ୍ୟାୟ ୧୯୪୮ରେ ମାନ୍ଦ୍ରଜ ଗ୍ରନ୍ଥାଗାର ଆଇନ ପ୍ରଣୟନଯୋଗୁ ଆରମ୍ଭ ହୋଇଥିଲା । ଭାରତରେ ଏପରି ଆଇନ ହେବା ଏହା ସର୍ବପ୍ରଥମ । ଉକ୍ତ ପର୍ଯ୍ୟାୟର ଦ୍ଵିତୀୟ ନିଦର୍ଶନ ଗେଉଛି ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଦେଶର ଗ୍ରନ୍ଥାଗାର ବ୍ୟବସ୍ଥା ଉନ୍ନୟନ ପ୍ରସ୍ତାବର ଅନ୍ତର୍ଭୁକ୍ତ ।

 

ସମଗ୍ର ଦେଶରେ କେନ୍ଦ୍ର ଓ ଜିଲ୍ଲା ଗ୍ରନ୍ଥାଗାରମାନ ସ୍ଥାପନା ହିଁ ଆନ୍ଦୋଳନର ପ୍ରଥମ ପ୍ରଧାନ ଲକ୍ଷ୍ୟ । ତାପରେ ଆଉ ଦୁଇଟି ଲକ୍ଷ୍ୟ ସାଧିତ ହେବ । ଗୋଟିଏ ହେଉଛି ଏକ ସୁଚିନ୍ତିତ ଆଇନ ଉପରେ ଉକ୍ତ ବ୍ୟବସ୍ଥା ତିଷ୍ଠିବା ଏବଂ ଅନ୍ୟଟି ହେଉଛି ପ୍ରତ୍ୟେକ ଜିଲ୍ଲା ଗ୍ରନ୍ଥଗାର ତଳେ ପ୍ରତ୍ୟେକ ଗ୍ରାମକୁ ନିଜ ନିଜ ପରିସର ସଂପ୍ରସାରଣ କରିବା ଓ ଉପରେ ଜାତୀୟ କେନ୍ଦ୍ର ଗ୍ରନ୍ଥାଗାର ଓ ତା ମାଧ୍ୟମରେ ସମଗ୍ର ବିଶ୍ଵର ଗ୍ରନ୍ଥାଗାର ବ୍ୟବସ୍ଥା ସହିତ ସମ୍ପର୍କ ସ୍ଥାପନ କରିବା ।

Image

 

ପାଠକ ଓ ପାଠାଗାର

 

ପ୍ରାୟ ପ୍ରତ୍ୟେକ ପାଠକ ପାଇଁ କୌଣସି ନା କୌଣସି ପ୍ରକାର ଗ୍ରନ୍ଥାଗାର ଆବଶ୍ୟକ । ତଥାକଥିତ ‘ସାଧାରଣ ପାଠକ’ ସାଧାରଣ ଗ୍ରନ୍ଥାଗାର ଉପରେ ବରାବର ନିର୍ଭର କରିଥାଏ । ଦୁନିଆର ହାଲଚାଲ ଜାଣିବାକୁ, ବିଭିନ୍ନ ବିଷୟରେ ଶିକ୍ଷା କରିବାକୁ ଏବଂ ଅବସର ସମୟରେ ପଢ଼ାପଢ଼ି କରିବାକୁ ସେ ଗ୍ରନ୍ଥାଗାରର ସାହାଯ୍ୟ ନିଏ । ଛାତ୍ରୀମାନେ ପାଠ୍ୟ ପୁସ୍ତକରେ ଯାହା ପଢ଼ନ୍ତି, ସେ ସମ୍ପର୍କରେ ଅତିରିକ୍ତ ଜ୍ଞାନ ହାସଲ କରିବାକୁ ଆନୁସଙ୍ଗିକ ବହିପତ୍ର ପଢ଼ିବା ଉଚିତ । ସ୍କୁଲ ବା କଲେଜ ଗ୍ରନ୍ଥାଗାର ସହିତ ସମ୍ପର୍କ ସ୍ଥାପନ କରି ସେମାନେ ଏ ଦିଗରେ ଆଗେଇ ପାରିବେ-। ବୈଜ୍ଞାନିକମାନେ ଯେଉଁ ବିଷୟରେ ସଂପୃକ୍ତ, ସେ ସମ୍ପର୍କରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଘଟଣାବଳୀ ସହିତ ସେମାନଙ୍କୁ ସଚେତ ରହିବାକୁ ପଡ଼ିବ । ତେଣୁ ଗ୍ରନ୍ଥାଗାରର ସାହାଯ୍ୟ ନେବା ସେମାନଙ୍କ ପକ୍ଷେ ବିଶେଷ ଆବଶ୍ୟକ । ଏହି ଶ୍ରେଣୀର ଲୋକଙ୍କ ଛଡ଼ା ବ୍ୟବସାୟୀ, ସରକାରୀ କର୍ମଚାରୀ, ଶିକ୍ଷକ ଆଦି ବିଭିନ୍ନ ଶ୍ରେଣୀର ଲୋକ ପ୍ରତିଦିନ ଗ୍ରନ୍ଥାଗାର ଉପରେ ନିର୍ଭର କରନ୍ତି ।

 

ଦୁଃଖର କଥା ଯେ, ଗ୍ରନ୍ଥାଗାର ଓ ସଂପୃକ୍ତ ଗ୍ରନ୍ଥ ବିବରଣୀ ଓ ପୁସ୍ତକ ବିନିମୟ ବ୍ୟବସ୍ଥା ଯଥାର୍ଥ ଭାବେ ଉନ୍ନତି ଲାଭ କରି ନାହିଁ । ଅନେକ ସ୍ଥାନରେ ଲୋକେ ଗ୍ରନ୍ଥାଗାରଠାରୁ ଯଥେଷ୍ଟ ସୁବିଧା ପାଆନ୍ତି ନାହିଁ ଏବଂ ଅନେକ ସ୍ଥାନରେ ଗ୍ରନ୍ଥାଗାର ଆଦୌ ନାହିଁ । ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଅଞ୍ଚଳରେ ଗ୍ରନ୍ଥାଗାରମାନ ରହିଛି, କିନ୍ତୁ ଏହା ଯଥେଷ୍ଟ ନୁହେଁ । ଏ ଅଞ୍ଚଳରେ ଆହୁରି ଅନେକ ଗ୍ରନ୍ଥାଗାର ସ୍ଥାପନ କରିବା ଦରକାର । ସହର ଓ ଗ୍ରାମାଞ୍ଚଳର ନରନାରୀ ଓ ଶିଶୁମାନଙ୍କ ପାଇଁ ସ୍କୁଲ ଓ ସାଧାରଣ ଗ୍ରନ୍ଥାଗାରମାନଙ୍କର ବିଶେଷ ଆବଶ୍ୟକତା ରହିଛି । ବିଶେଷଜ୍ଞମାନଙ୍କ ସୁବିଧା ପାଇଁ ଗ୍ରନ୍ଥ ବିବରଣୀ ଓ ପୁସ୍ତକ ବିନିମୟ ବ୍ୟବସ୍ଥା ଚାଲୁ କରିବାର ମଧ୍ୟ ଆବଶ୍ୟକତା ରହିଛି ।

 

ଦିଲ୍ଲୀ ସାଧାରଣ ଗ୍ରନ୍ଥାଗାରର କାର୍ଯ୍ୟ

 

ଗତ କେତେ ବର୍ଷ ତଳେ ଦକ୍ଷିଣପୂର୍ବ ଏସିଆରେ ଓ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ଜାତିସଂଘର ଶିକ୍ଷା-ବିଜ୍ଞାନ-ସଂସ୍କୃତି-ଅନୁଷ୍ଠାନ(ୟୁନେସ୍କୋ) ସ୍ଥାନୀୟ ସରକାରମାନଙ୍କ ସହଯୋଗରେ ଉନ୍ନତ ଗ୍ରନ୍ଥାଗାର ସ୍ଥାପନ କରି ଜନସାଧାରଣଙ୍କ ପୁସ୍ତକପାଠର ସୁବ୍ୟବସ୍ଥା କରୁଥିଲେ । ଦିଲ୍ଲୀର ସାଧାରଣ ଗ୍ରନ୍ଥାଗାର ସେଗୁଡ଼ିକ ମଧ୍ୟରେ ଅନ୍ୟତମ । ୧୯୫୧ ମସିହାରେ ୟୁନେସ୍ଥୋ ଓ ଭାରତ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏହି ଗ୍ରନ୍ଥାଗାର ସ୍ଥାପିତ ହୋଇଛି । ଭାରତର ବିଭିନ୍ନ ଅଞ୍ଚଳ ଏବଂ ଇରାକ ଓ ଆଫଗାନିସ୍ଥାନରୁ ଗ୍ରନ୍ଥାଗାରିକଗଣ (ଲାଇବ୍ରେରିଆନ୍‌) ଉକ୍ତ ଗ୍ରନ୍ଥାଗାରର ଆଧୁନିକ ପଦ୍ଧତିରେ ପରିଚାଳନା ଓ ସଂଗଠନ ସମ୍ପର୍କରେ ଶିକ୍ଷା ଲାଭ କରିବାକୁ ଆସିଛନ୍ତି । ଏହାଛଡ଼ା ସାଧାରଣ ଗ୍ରନ୍ଥାଗାର ଓ ସାମାଜିକ ଶିକ୍ଷା ସମ୍ପର୍କରେ ୟୁନୋସ୍କୋ ଯେଉଁ ଚଳଚିତ୍ର ପ୍ରସ୍ତୁତ କରିଛନ୍ତି, ସେଥିରେ ମଧ୍ୟ ଦିଲ୍ଲୀ ସାଧାରଣ ଗ୍ରନ୍ଥାଗାର ବିଷୟ ସ୍ଥାନ ପାଇଛି । ଏହି ଚଳଚିତ୍ରଟି ଇଂରାଜୀ, ଫରାସୀ ଓ ସ୍ପେନୀୟ ଭାଷାରେ ପରିବେଷଣ କରାଯାଇଛି । ପର୍ତ୍ତୁଗୀଜ ଭାଷାରେ ଏହି ଚିତ୍ରଟି ମଧ୍ୟ ବ୍ରାଜିଲଠାରେ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିଲା । ଏସିଆରେ ସାଧାରଣ ଗ୍ରନ୍ଥାଗାରର ବିକାଶ ସମ୍ପର୍କରେ ଆଲୋଚନାର ବ୍ୟବସ୍ଥା କରି ୟୁନେସ୍କୋ ଏ ଦିଗରେ ଏକ ମହତ ଉଦ୍ୟମ କରିଛନ୍ତି । ଏସିଆର ପ୍ରାୟ ୧୫ ଟି ଦେଶର ଗ୍ରନ୍ଥାଗାରକ (ଲାଇବ୍ରେରିଆନ୍‌) ଓ ଶିକ୍ଷାବିତ୍‌ ଏହି ଆଲୋଚନାରେ ଯୋଗ ଦେଇଥିଲେ । ଏ ଅଞ୍ଚଳରେ ସାଧାରଣ ଗ୍ରନ୍ଥାଗାର ବ୍ୟବସ୍ଥା ଉନ୍ନତି ଦିଗରେ ସମସ୍ୟାର କିପରି ସମାଧାନ କରାଯିବ, ସେମାନେ ସେ ସମ୍ପର୍କରେ ଆଲୋଚନା ଓ ପନ୍ଥା ନିର୍ଣ୍ଣୟ କରିଥିଲେ ।

 

ରାଷ୍ଟ୍ରସଙ୍ଘର ଶିକ୍ଷା-ବିଜ୍ଞାନ-ସଂସ୍କୃତି-ଅନୁଷ୍ଠାନ (ୟୁନେସ୍କୋ) ଭାରତରେ ଜାତୀୟ ବୈଜ୍ଞାନିକ ଦଲିଲ କେନ୍ଦ୍ର ସ୍ଥାପନ କରିଛନ୍ତି । ମେକସିକୋ, ଯୁଗୋସ୍ଳୋଭିଆ ଓ ଉରୁଗୁଏରେ ଏହି ପ୍ରକାର କେନ୍ଦ୍ର ସ୍ଥାପିତ ହୋଇଛି । ଦେଶ ବିଦେଶର ବୈଜ୍ଞାନିକଗଣ ଗବେଷଣା କାର୍ଯ୍ୟରେ କିପରି ଅଗ୍ରସର ହେଉଛନ୍ତି ତାହା ଅନ୍ୟାନ୍ୟ ବୈଜ୍ଞାନିକଗଣ ଯେପରି ଜାଣି ପାରନ୍ତି, ସେଥିପାଇଁ ଏହିପ୍ରକାର ଜାତୀୟ ବୈଜ୍ଞାନିକ ଦଲିଲ କେନ୍ଦ୍ରସମୂହ ସ୍ଥାପନ କରାଯାଇଛି ।

 

ଭାରତ ବର୍ତ୍ତମାନ ଅଦ୍ଭୁତପୂର୍ବ ଉନ୍ନତି ପଥରେ ଚାଲିଛି । ଯେଉଁ କାର୍ଯ୍ୟସବୁ ଇତି ପୂର୍ବରୁ ବାକୀ ପଡ଼ିଥିଲା ବା ଅବହେଳିତ ହୋଇଥିଲା, ତାହା ବର୍ତ୍ତମାନ ଚାଲୁ କରାଯାଉଛି । ସାଧାରଣ ଗ୍ରନ୍ଥାଗାର ବ୍ୟବସ୍ଥା ଏହିସବୁ କାର୍ଯ୍ୟକ୍ରମର ଅନ୍ତର୍ଗତ । ଗତ କେତେକ ବର୍ଷ ମଧ୍ୟରେ ସାଧାରଣ ଗ୍ରନ୍ଥାଗାର କ୍ଷେତ୍ରରେ ଦିଲ୍ଲୀର ସାଧାରଣ ଗ୍ରନ୍ଥାଗାର ଓ କଲିକତାର ‘ନେସନାଲ ଲାଇବ୍ରେରୀ’ ଦୁଇଟି ଉଲ୍ଲେଖଯୋଗ୍ୟ ସାଫଲ୍ୟ ।

 

ସମଗ୍ର ଦକ୍ଷିଣପୂର୍ବ ଏସିଆରେ ସାଧାରଣ ଗ୍ରନ୍ଥାଗାର ଆନ୍ଦୋଳନରେ ଏକ ଆଦର୍ଶ ପ୍ରତିଷ୍ଠାନ ରୂପେ ଦିଲ୍ଲୀ ସାଧାରଣ ଗ୍ରନ୍ଥାଗାର କାର୍ଯ୍ୟ କରିବ—ଏହାର ଉଦ୍ଦେଶ୍ୟ ସାଧାରଣ ଗ୍ରନ୍ଥାଗାର ବ୍ୟବସ୍ଥା ପରିଚାଳନାରେ ଆଧୁନିକ ପ୍ରଣାଳୀ ପ୍ରବର୍ତ୍ତନ କରିବା ଏବଂ ଗ୍ରନ୍ଥାଗାରିକମାନଙ୍କୁ(ଲାଇବ୍ରେରିଆନ୍‌) ଟ୍ରେନିଂ ଦେବା । ୧୯୫୧ ଅକ୍ଟୋବର ୨୭ ତାରିଖରେ ଏହି ଗ୍ରନ୍ଥାଗାର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ଏହି ଗ୍ରନ୍ଥାଗାରର ବିଶେଷତ୍ଵ ହେଉଛି—ବର୍ଷସାରା ସବୁଦିନ ଏହା ଖୋଲାଯାଏ ଏବଂ ଦିନରେ ୧୨ ଘଣ୍ଟା ପାଠକମାନଙ୍କ ପାଇଁ ଉନ୍ମୁକ୍ତ ରହେ । କେବଳ ବହି ଯୋଗାଇବା ଏହାର କାର୍ଯ୍ୟ ନୁହେଁ, ଏହା ଏକ ସାମାଜିକ ସଂସ୍କୃତିକ କେନ୍ଦ୍ରରେ ପରିଣତ ହୋଇଛି । ପ୍ରଥମ ଚାରି ବର୍ଷ ମଧ୍ୟରେ ଏହି ଗ୍ରନ୍ଥାଗାରରେ ୬୫ ହଜାର ବହି ମହଜୁଦ ଥିଲା । ପ୍ରତିବର୍ଷ ପ୍ରାୟ ୨ ହଜାର ଲେଖାଏ ବହି ଆସେ-। ପାଠକ ଯଦି କୌଣସି ଦାୟିତ୍ଵସମ୍ପନ୍ନ ବ୍ୟକ୍ତିଙ୍କ ସାର୍ଟିଫିକେଟ ଦେଖାନ୍ତି, ତେବେ ବିନା ଖର୍ଚ୍ଚରେ ପଢ଼ିବାକୁ ବହି ଆଣିପାରିବେ । ଏଠାରେ ବହିଗୁଡ଼ିକ ଖୋଲା ଆଲମାରିରେ ରଖାଯାଇଥାଏ ଏବଂ ସହଜରେ ପାଠକମାନେ ତାହା ଆଣି ପାରନ୍ତି । ଘରକୁ ବହି ଆଣିବାକୁ ହେଲେ କୌଣସି ଦସ୍ତଖତ କରିବା ମଧ୍ୟ ଆବଶ୍ୟକ ହୁଏନାହିଁ । ଏହାଛଡ଼ା ପାଠକମାନଙ୍କପାଇଁ ବିଭିନ୍ନ ସୁବିଧାଜନକ ବ୍ୟବସ୍ଥା କରାଯାଇଛି ।

 

ଗ୍ରନ୍ଥାଗାରରେ ବିଭିନ୍ନ ବିଷୟରେ ଜ୍ଞାତବ୍ୟ ବିଷୟର ଏକ ବିଭାଗ ଖୋଲାଯାଇଛି । ଏହି ବିଭାଗର ନାମ ‘ରେଫରେନସ ସେକସନ ।’ ଏଠାରେ ବହୁ ପତ୍ରପତ୍ରିକା, ବିଶ୍ଵକୋଷ, ଅଭିଧାନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବହି ରହିଛି ।

 

ଶିଶୁମାନଙ୍କ ପାଇଁ ବିଭାଗ ଖୋଲାଯାଇଛି । ଶିଶୁପାଠକମାନଙ୍କ ସୁବିଧା ପାଇଁ ବିଶେଷ ଦୃଷ୍ଟି ଦିଆଯାଇଥାଏ । ୫ ବର୍ଷରୁ ୧୫ ବର୍ଷ ବୟସ୍କ ବାଳକ ବାଳିକାଙ୍କ ପାଇଁ ଏକ ପଠନକକ୍ଷ ନିର୍ଦ୍ଦିଷ୍ଟ କରାଯାଇଛି । ଏହି କକ୍ଷଟି ଶିଶୁମାନଙ୍କ ଦ୍ଵାରା ଆଙ୍କିତ ଚିତ୍ରାବଳୀରେ ସଜ୍ଜିତ ହୋଇଛି ଏବଂ ଉପାଦେୟ ବହୁ ପୁସ୍ତକ ଏଠାରେ ଗଚ୍ଛିତ ଅଛି ।

 

ସାବାଳକ ପାଠକମାନଙ୍କପାଇଁ ସ୍ଵତନ୍ତ୍ର ସାମାଜିକ ଶିକ୍ଷାବିଭାଗ ଗଠିତ ହୋଇଛି । ଏହି ବିଭାଗ ଆନୁକୂଲ୍ୟରେ ଚଳଚ୍ଚିତ୍ର ପ୍ରଦର୍ଶନ, ନାଟକ ଅଭିନୟ, ଆଲୋଚନା ତର୍କସଭା ଆଦି ଅନୁଷ୍ଠିତ ହୁଏ । ଦିଲ୍ଲୀ ସାଧାରଣ ଗ୍ରନ୍ଥାଗାର ସଂସ୍କୃତିକ କେନ୍ଦ୍ର ହିସାବରେ ଖୁବ ଲୋକପ୍ରିୟ ହୋଇଛି ।

 

ଯେଉଁମାନେ ଗ୍ରନ୍ଥାଗାରଠାରୁ ଦୂରରେ ବାସ କରନ୍ତି, ସେମାନଙ୍କ ପାଇଁ ମିଟରଭ୍ୟାନ ଯୋଗେ ଏକ ଭ୍ରାମ୍ୟମାଣ ଗ୍ରନ୍ଥାଗାର କାର୍ଯ୍ୟ କରୁଛି । ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଅନୁସାରେ ଏହି ଭ୍ରାମ୍ୟମାଣ ଗ୍ରନ୍ଥାଗାର ବିଭିନ୍ନ ସହର ଓ ମଫସଲ ଅଞ୍ଚଳକୁ ଯାଇଥାଏ ।

 

ସାଧାରଣ ଗ୍ରନ୍ଥାଗାରଗୁଡ଼ିକର ପରିଚାଳନା ପାଇଁ ସାଧାରଣଙ୍କ ଆର୍ଥିକ ସାହାଯ୍ୟ ଆବଶ୍ୟକ ବୋଲି ନିଃସନ୍ଦେହ ଭାବରେ ପ୍ରମାଣିତ । ସାଧାରଣ ଗ୍ରନ୍ଥାଗାର ସବୁ ଶ୍ରେଣୀର ପାଠକପାଠିକାଙ୍କ ଆବଶ୍ୟକତା ପୂରଣକରି ଏକ ସାଂସ୍କୃତିକ କେନ୍ଦ୍ର ରୂପେ ପରିଚାଳିତ ହେବା ଉଚିତ ।

Image

 

Unknown

‘ଓଡ଼ିଆ ବହି ମୁଁ କାହିଁକି କିଣିବି ?’

 

ସେଦିନ ଷ୍ଟେସନ ପ୍ଲାଟଫର୍ମରେ ଠିଆ ହୋଇଥାଏ । ମୋର ଜଣେ ବନ୍ଧୁ (ନିଶ୍ଚୟ ଓଡ଼ିଆ ଓ ଉଚ୍ଚ ଶିକ୍ଷିତ) ସେଇ ଷ୍ଟେସନଠାରେ ଥିବା ‘ହୁଇଲର’ରୁ ଖଣ୍ଡିଏ ଇଂରାଜୀ ନଭେଲ, ଖଣ୍ଡିଏ ହିନ୍ଦୀ ଡିଟେକଟିଭ୍‌ ଓ ଆଉ ଖଣ୍ଡିଏ ବଙ୍ଗଳା କବିତା ବହି କିଣିଲେ । ମୁଁ ଭାବିଲି, ସେ ନିଶ୍ଚୟ ଓଡ଼ିଆ ବହି ଖଣ୍ଡିଏ କିଣିବେ । ମାତ୍ର ସେ କେବଳ ସେଇ ୩ ଖଣ୍ଡି ବହିର ଦାମ ଚୁକ୍ତି କରି ଦେଇ ଫେରିଲେ । ମୁଁ ଆଉ ସମ୍ଭାଳି ନପାରି ବନ୍ଧୁଙ୍କୁ ପଚାରିଲି—ଓଡ଼ିଆ ବହି ଖଣ୍ଡିଏ କିଣିଲେନି ? ବନ୍ଧୁ ପ୍ରଶ୍ନ ଛଳରେ ଉତ୍ତର ଦେଲେ—“ଓଡ଼ିଆ ବହି କିଣିବି କାହିଁକି ? ଏକେତ ‘ହୁଇଲର’ରେ ଭଲ ଓଡ଼ିଆ ବହି ନାହିଁ; ଯାହା ବା ଅଛି, ନିଜ ମନ ମୁତାବକ ବାଛି ନେଲା ଭଳି ଯଥେଷ୍ଟ ସଂଖ୍ୟାରେ ଓଡ଼ିଆ ବହି ଏଠାରେ ନାହିଁ ।’’ ମୁଁ ତାଙ୍କୁ କହିଲି—“ଯେତିକି ଅଛି, ସେଥିମଧ୍ୟରୁ କଣ ଖଣ୍ଡିଏ ହେଲେ ଆପଣଙ୍କର ମନୋନୀତ ହେଲା ନାହିଁ ?”

 

ବନ୍ଧୁ ଅତି ଗୁରୁତ୍ଵର ସହିତ ଉତ୍ତର ଦେଲେ—ଦୁର୍ଲଭ ନ ହେଲେ ବି ଓଡ଼ିଆ ବହି ଦୁର୍ମୂଲ୍ୟ । ଅନ୍ୟ ଭାଷାର ବହି ତୁଳନାରେ ଓଡ଼ିଆ ବହିର ମୂଲ୍ୟ ଏତେ ଅଧିକ ଯେ, କିଣିବାକୁ ଗଲାବେଳେ ହାତ ଅଟକି ଯାଏ ।

 

ବନ୍ଧୁ ଜଣକ ତାଙ୍କର ଯୁକ୍ତି ସପକ୍ଷରେ ପ୍ରମାଣ ମଧ୍ୟ ଥୋଇଲେ । ସେ କହିଲେ, ଦେଖନ୍ତୁ ପ୍ରାୟ ୨୦୦ ପୃଷ୍ଠାର ଖଣ୍ଡିଏ ସୁଦୃଶ୍ୟ ସୁରୁଚିସମ୍ପନ୍ନ ଇଂରାଜୀ ନଭେଲର ମୂଲ୍ୟ ମାତ୍ର ଦୁଇଟଙ୍କା ବା ଅଢ଼େଇ ଟଙ୍କା, ସେହିଭଳି ସେହି ଆକାରର ଖଣ୍ଡିଏ ହିନ୍ଦୀ ବା ବଙ୍ଗଳା ବହିର ମୂଲ୍ୟ ପ୍ରାୟ ସେଇଆ-। କିନ୍ତୁ ଓଡ଼ିଆରେ ସେହିପରି ଖଣ୍ଡିଏ ବହିର ମୂଲ୍ୟ ଚାରି ପାଞ୍ଚ ଟଙ୍କା ଓ ସ୍ଥଳ ବିଶେଷରେ ସାତ ଆଠ ଟଙ୍କାରୁ କମ୍‌ ନୁହେଁ ।

 

ବନ୍ଧୁ କହିଲେ “ଛଅ ସାତ ଟଙ୍କା ଖର୍ଚ୍ଚ କଲେ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ବହି ୩ ଖଣ୍ଡ କିଣି ହେବ । ତେଣୁ ସେତିକି ପଇସା ଦେଇ ଖଣ୍ଡିଏ ଓଡ଼ିଆ ବହି କିଣିବି, କାହିଁକି ?

 

ବନ୍ଧୁଙ୍କର ଉତ୍ତର ଶୁଣି ମୁଁ ଟିକିଏ ଗୁମ୍‌ ମାରିଲି ।ଭାବିଲି, ବନ୍ଧୁ ନିହାତି ଭୁଲ କହି ନାହାନ୍ତି; ତାଙ୍କର ମତ ବା ଯୁକ୍ତି ଅସଙ୍ଗତ ବା ଅସମୀଚୀନ ନୁହେଁ ।

 

ଆମେ ପାଟି କରୁଛୁ, ପ୍ରକାଶକମାନେ ପାଠକମାନଙ୍କ ପ୍ରତି ଅଭିଯୋଗ ଆଣି ଦୁଃଖ ପ୍ରକାଶ କରୁଛନ୍ତି—ଆମ ଲୋକେ ବହି କିଣୁ ନାହାନ୍ତି, ଓଡ଼ିଆ ବହିର ବହୁଳ ପ୍ରସାର ହେଉନାହିଁ, ଯେପରି ହେଉଛି ଅନ୍ୟାନ୍ୟ ଅଞ୍ଚଳରେ ବା ଅନ୍ୟ ଦେଶରେ ।

 

ଏ ଅଭିଯୋଗ ସତ୍ୟ । ମାତ୍ର ଅଭିଯୋଗ ଆଣିଲାବେଳେ ଆମ ଲୋକଙ୍କର ଆର୍ଥିକ ସମ୍ବଳ ପ୍ରତି ଧ୍ୟାନ ଦେବାକୁ ହେବ ଏବଂ ବହିର ମୂଲ୍ୟ ପ୍ରତି ବିଚାର କରିବାକୁ ହେବ । ବଞ୍ଚିରହିବାକୁ ହେଲେ ପ୍ରଥମେ ଖାଦ୍ୟ, ତା’ପରେ ବସ୍ତ୍ର ଓ ବାସ ଦରକାର । ବିବାହିତ ହୋଇଥିଲେ ଓ ସନ୍ତାନସନ୍ତତିର ଜନକ ବା ଜନନୀ ହୋଇଥିଲେ, ସେମାନଙ୍କର ଚାହିଦା ଓ ଅଳି ଆଗେ ତୁଲାଇବାକୁ ହେବ । ତା’ପରେ ପଇସା ବଳିଲେ ତେଣିକି ବିଚାର୍ଯ୍ୟ—ଗୃହର ସାଜସଜ୍ଜା ଓ ସୁଖସ୍ଵାଚ୍ଛନ୍ଦ୍ୟ ପାଇଁ କିଛି ଖର୍ଚ୍ଚ କରିବା ଅଥବା ଜ୍ଞାନ ଆହରଣ କିମ୍ବା ଅବସର ବିନୋଦନ ପାଇଁ କିଛି ବହି କିଣିବା ନଚେତ ଅନ୍ୟ କୌଣସି ଦିଗରେ ବା ସୌଖିନ ପାଇଁ ଖର୍ଚ୍ଚ କରିବା । ଯେଉଁଥିରେ ଖର୍ଚ୍ଚ କଲେ ତା’ର ଅଧିକ ସନ୍ତୋଷ ହେବ ଓ ସେ ଯେତିକି ସର୍ବାଧିକ ଉପଯୋଗିତା ଲାଭ କରିବ, ସେଇଥିରେ ସେ ସେଇ ଅନୁପାତରେ ଖର୍ଚ୍ଚ କରିବ । ଅର୍ଥଶାସ୍ତ୍ରରେ ଏହାକୁ marginal utility କୁହାଯାଏ ।

 

ଆମର ସାଧାରଣଲୋକଙ୍କର ଆୟ ଯାହା, ସେଥିରେ ଖର୍ଚ୍ଚ କରିବାର ସମ୍ବଳ କେତେ, ତାହା ସହଜେ ଅନୁମେୟ । ଆଗେ ଅତ୍ୟାବଶ୍ୟକ ଖର୍ଚ୍ଚ ତୁଲାଇବା ପରେ ଅନ୍ୟ ଦିଗରେ ଖର୍ଚ୍ଚ କଥା ବିଚାର୍ଯ୍ୟ । ଏହି ବିଶ୍ଳେଷଣରୁ ସ୍ପଷ୍ଟ ହୁଏ ଯେ, ବହି କିଣିବା ଖର୍ଚ୍ଚ ବ୍ୟବସ୍ଥା କେତେ ପଛରେ । ଅବଶ୍ୟ ଇଚ୍ଛାକଲେ ଏବଂ ସେହିପରି ଭାବରେ ନିଜର ବଜେଟ ପ୍ରସ୍ତୁତ କଲେ, ଆମେ କିଛି କିଛି ବହି ରୀତିମତ କିଣି ପାରନ୍ତୁ । ମାତ୍ର ସେଭଳି ଇଚ୍ଛା ବା ଅଭିଳାଷ କେତେଙ୍କର ଅଛି ? ଶିକ୍ଷିତ, ଏପରିକି, ଉଚ୍ଚଶିକ୍ଷିତ ଓ ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପକ୍ଷରେ ସୁଦ୍ଧା ଏହି ସମ୍ଭବ ହେଉନାହିଁ । ସାଧାରଣଙ୍କ କଥା ପଚାରେ କିଏ ?

 

ଫଳରେ ବହି ପତ୍ରପତ୍ରିକାରେ ପ୍ରସାର ତଥା ବିକ୍ରି, ଅନ୍ୟଦେଶଭଳି ଆମ ଦେଶରେ ହେଉନାହିଁ । ଓଡ଼ିଶାରେ ଓଡ଼ିଆ ବହି ଓ ପତ୍ରପତ୍ରିକା ଏହି ଦୃଷ୍ଟିରୁ ଦୁର୍ଦ୍ଦଶାଗ୍ରସ୍ତ ବୋଲି କହିବାକୁ ହେବ ।

 

କିନ୍ତୁ ଆଉ ଗୋଟିଏ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ତାହା ହେଉଛି, ବହି ବା ପତ୍ରପତ୍ରିକାର ମୂଲ୍ୟ । ଓଡ଼ିଆ ଭାଷାରେ ପ୍ରକାଶିତ ପତ୍ରପତ୍ରିକାର ମୂଲ୍ୟ ସେତେ ଅଧିକ ନୁହେଁ-। ମାତ୍ର ଓଡ଼ିଆ ବହିର ମୂଲ୍ୟ ଅଧିକ ଓ ସ୍ଥଳବିଶେଷରେ ଏହା ଅତ୍ୟଧିକ ବୋଲି ନିଶ୍ଚୟ ସ୍ଵୀକାର କରିବାକୁ ହେବ । ଏ ସମ୍ପର୍କରେ କୌଣସି କୌଣସି ପ୍ରକାଶକ ଯୁକ୍ତି କରନ୍ତି ଯେ, ଆମ ଲୋକେ ତ ବହି କିଣୁ ନାହାନ୍ତି, ବିକ୍ରି ଖୁବ୍‌ କମ । ବହି ଛାପି ଟଙ୍କା ଉଠିବ କୁଆଡ଼ୁ ? ହଜାରେ ଖଣ୍ଡ ବହି ଛାପିଲେ ତାହା ସରିବାକୁ ବର୍ଷାଧିକ ସମୟ ଲାଗୁଛି । ଫଳରେ ଖଟାଯାଇଥିବା ଟଙ୍କା ବା ପୁଞ୍ଜି ଅକାମୀ ହୋଇପଡ଼ିରହୁଛି । ତେଣୁ ଦାମ ଅଧିକ କରିଦେଲେ, ଯଦି ଚାରିସହ ପାଞ୍ଚଶହ ବହି କୌଣସି ମତେ ବିକ୍ରି ହୋଇ ଯାଏ ତେବେ ଖର୍ଚ୍ଚ ଉଠିଯିବ । ଆଉ କେତେକ ଯୁକ୍ତି କରନ୍ତି ଯେ, କାଗଜର ମୂଲ୍ୟ, ଛାପାଖର୍ଚ୍ଚ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବଢ଼ିଯାଉଥିବାରୁ ବହିର ମୂଲ୍ୟ ଅଧିକ ହେବାକୁ ବାଧ୍ୟ । ମାତ୍ର ଏ ଯୁକ୍ତି ସେତେ ବଳିଷ୍ଠ ନୁହେଁ । ତେଣୁ ଏହା ଏକମାତ୍ର ଯୁକ୍ତି ରୂପେ ଗ୍ରହଣଯୋଗ୍ୟ ନୁହେଁ । ଅବଶ୍ୟ କାଗଜର ମୂଲ୍ୟ ଓ ଛାପାଖର୍ଚ୍ଚ ଇତ୍ୟାଦି ଯେ ନ ବଢ଼ିଛି, ତାହା ନୁହେଁ; ମାତ୍ର ଏ ବୃଦ୍ଧି କେବଳ ଓଡ଼ିଶା ପାଇଁ ନୁହେଁ, ଅନ୍ୟାନ୍ୟ ଅଞ୍ଚଳ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ । ଏହା ସତ୍ତ୍ୱେ ଅନ୍ୟ ଭାଷାର ବହିର ମୂଲ୍ୟ ସୁଲଭ ହେଉଥିଲାବେଳେ ଓଡ଼ିଆ ବହି ନ ହୋଇ ପାରୁଛି କାହିଁକି ?

 

କେତେକ ମଧ୍ୟ ଯୁକ୍ତି କରିଥାନ୍ତି ଯେ, ବହିକୁ ସୁନ୍ଦର ଭାବେ ଛାପି ସୁଦୃଶ୍ୟ ଓ ମନୋଜ୍ଞ କେରିବାକୁ ହେଲେ ଅଧିକ ଖର୍ଚ୍ଚ ହେଉଥିବା ଦୃଷ୍ଟିରୁ ମୂଲ୍ୟ ବୃଦ୍ଧି ହେବା ସ୍ଵାଭାବିକ । କିନ୍ତୁ ଏପ୍ରକାର ମତବାଦୀଙ୍କୁ ପଚାରିବାର କଥା ଯେ ଇଂରାଜୀ, ହିନ୍ଦୀ ବଙ୍ଗଳା ଇତ୍ୟାଦି ଭାଷାର ବହିଗୁଡ଼ାକ ସୁଦୃଶ୍ୟ ଓ ମନୋଜ୍ଞ ହୋଇ ସୁଦ୍ଧା ମୂଲ୍ୟରେ ଆମ ଓଡ଼ିଆ ବହିଠାରୁ ଅପେକ୍ଷାକୃତ ଊଣା ହେଉଛି କିପରି ? ତେଣୁ ଅତ୍ୟଧିକ ଲାଭ ନବାର ମନୋଭାବ ରହିଲେ ଏବଂ ବିଶେଷତଃ ସରକାରୀ ସଂସ୍ଥାମାନେ ବହି କିଣିଲାବେଳେ ବେଶୀ ପଣି ବା କମିଶନ ନେବାର ପ୍ରବୃତ୍ତ ରହିଲେ ବହିର ମୂଲ୍ୟ ଅଧିକ ହୋଇଯାଏ ଫଳରେ କିଛି ବହି ବିକ୍ରି ହୋଇଯାଏ ସତ; କିନ୍ତୁ ସାଧାରଣରେ ତାହାର ପ୍ରସାର ବ୍ୟାହତ ହୁଏ ।

 

ଓଡ଼ିଆରେ ଭଲ ବହି ନାହିଁ ବୋଲି କହିବା ହୁଏତ ଗୋଟାଏ ବାହାନା ହୋଇପାରେ; କିନ୍ତୁ ବାସ୍ତବ ଅବସ୍ଥା ତାହା ନୁହେଁ । ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାରେ ମଧ୍ୟ ଭଲ ବହିର ଅଭାବ ନାହିଁ । କିନ୍ତୁ ନଗ୍ନ, ଅଶ୍ଳୀଳ ଓ କାମୋଦ୍ଦୀପକ ବହି ଯୋଗୁ ଭଲ ବହିର ଚାହିଦା ବଜାରରୁ କମିଯାଉଛି । ତେଣୁ ଓଡ଼ିଆ ବହି ପ୍ରସାରରେ ପ୍ରତିବନ୍ଧକ ପାଇଁ ଏହି କାରଣଗୁଡ଼ିକ ବିଚାର୍ଯ୍ୟ ।

 

ସେଦିନ ଓଡ଼ିଶାର ମୁଖ୍ୟ ପୁସ୍ତକବିକ୍ରେତା ଓ ପ୍ରକାଶକମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଓଡ଼ିଶାରେ ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ବହି ଉପରେ ରାଜ୍ୟ ସରକାରଙ୍କ ବିକ୍ରିକର ଓ କେନ୍ଦ୍ର ସରକାରଙ୍କ ବିକ୍ରିକର ଧାର୍ଯ୍ୟ ଥିବାରୁ ଏଠାରେ ବହିର ମୂଲ୍ୟ ଅଧିକ ହେଉଛି । ତେଣୁ ଏଠାରେ ବହିର ପ୍ରସାର ବ୍ୟାହତ ହେଉଛି । ସୁତରାଂ ବିକ୍ରିକର ଉଠାଇ ଦେବା ଲାଗି ସେମାନେ ସରକାରଙ୍କଠାରେ ଦୃଢ଼ ଦାବୀ କରିଛନ୍ତି ।

 

ଅବଶ୍ୟ ସେମାନଙ୍କର ଏ ଦାବୀ ଯଥାର୍ଥ । ଭାରତର ଅନ୍ୟାନ୍ୟ ରାଜ୍ୟରେ ବହି ଉପରେ ବିକ୍ରିକର ନ ଥିଲା ବେଳେ ଓଡ଼ିଶାରେ ଏହା ନ ରହିବା ଯୁକ୍ତିସଙ୍ଗତ । କିନ୍ତୁ କେବଳ ବିକ୍ରିକର କଣ ଓଡ଼ିଆ ବହିର ବହୁଳ ପ୍ରସାରରେ ଏକମାତ୍ର ପ୍ରତିବନ୍ଧକ ? ବୋଧହୁଏ ନୁହେଁ ଓଡ଼ିଶାରେ ଶିକ୍ଷାର ଅନଗ୍ରସରତା ଜ୍ଞାନ ଆହରଣ ଓ ଏହି ଉଦ୍ଦେଶ୍ୟରେ ବହି କିଣିବାରେ ଅନାଗ୍ରହ ଏବଂ ବହିର ଅଧିକ ମୂଲ୍ୟ ବହି ପ୍ରସାରରେ ପ୍ରଧାନ ପ୍ରତିବନ୍ଧକ । ଶିକ୍ଷାର ପ୍ରସାର ସହ ବହିର ପ୍ରସାର ଆପେକ୍ଷିକ । ଶିକ୍ଷାର ବ୍ୟାପକ ପ୍ରସାରହେଲେ ବହିରପ୍ରସାର ହେବ ଏବଂ ବହିର ପ୍ରସାରରେ ଶିକ୍ଷାର ପ୍ରସାର ହେବ । କିଣିବା ପ୍ରତି ଆଗ୍ରହ ଉପରେ ବହିର ବିକ୍ରି ମଧ୍ୟ ନିର୍ଭରଶୀଳ । କିନ୍ତୁ ବହିର ମୂଲ୍ୟ ଯଦି ଅକାରଣ ଅଧିକ ବା ଅତ୍ୟଧିକ ହୁଏ, ତେବେ ଆଗ୍ରହ ଥାଇ ସୁଦ୍ଧା ସମ୍ବଳ ଅଭାବରୁ ବହି କିଣିବାରେ ସ୍ଵତଃ କୁଣ୍ଠା ପ୍ରକାଶ ପାଏ । ତେଣୁ ବହିର ମୂଲ୍ୟ କମାଇବା ନିହାତି ଦରକାର । ବହି ବେଶୀ ବିକ୍ରି ହେଉନାହିଁ, ଟଙ୍କା କିପରି ଉଠିବ ବୋଲି ଭାବି ବହିର ମୂଲ୍ୟ ବଢ଼ାଇବା ମନୋଭାବ ପରିବର୍ତ୍ତରେ ରହିବ ମୂଲ୍ୟ କମାଇବା ଦ୍ଵାରା ଅଧିକ ବିକ୍ରି ହେବା ଆଶା ରଖିବା ଉଚିତ । ତା’ ନ ହେଲେ ଓଡ଼ିଆ ବହିର ପ୍ରସାର ହୋଇ ପାରିବ ନାହିଁ କିମ୍ବା “ମୁଁ କାହିଁକି ଓଡ଼ିଆ ବହି କିଣିବି’’ର ସମାଧାନ ସମୟ ହେବ ନାହିଁ ବୋଲି ମୋର ମନେହୁଏ । ଏହା ଅବଶ୍ୟ ମୋର ବ୍ୟକ୍ତିଗତ ମତ; ଏ ବିଷୟରେ ଅନ୍ୟମାନଙ୍କର ଯୁକ୍ତିଯୁକ୍ତ ମତକୁ ମୁଁ ସ୍ଵାଗତ କରୁଛି ।

Image

 

 

 

 

 

 

 

 

 

 

 

 

ଚଳନ୍ତିକା

 

ଅବଧାନକୁ ଆସୁ

 

୧୯୬୮ ନଭେମ୍ବର ଶେଷର ଶୀତ ରାତି । କଟକରେ ଯାହା ଘଟିଗଲା, ଏମିତି କେବେ ଘଟି ନ ଥିଲା । ଏମିତି ଘଟିବ ବୋଲି ହଠାତ କେହି ଭାବି ନ ଥିଲେ । ଐତିହାସିକ ନଗରି କଟକ ଇତିହାସରେ ଏଭଳି ଘଟଣା (ଦୁର୍ଘଟଣା) ପ୍ରଥମ । ଓଡ଼ିଶାରେ ଏ ଘଟଣା ଅବଶ୍ୟ ପ୍ରଥମ ନୁହେଁ । ଇତିପୂର୍ବରୁ ୧୯୬୪ରେ ରାଉରକେଲାଠାରେ ଏକ ଆକସ୍ମିକ ବିସ୍ଫୋରଣ ଘଟିଯାଇଥିଲା । ତା’ପରେ ମନେ ହେଉଥିଲା ଯେ ଏ ପ୍ରକାର ଦୁର୍ଭାଗ୍ୟଜଣକ ଘଟଣାର ବୋଧହୁଏ ସେଇଠି ଇତି ହେଲା । ଆଉ ଏହାର ପୁନରାବୃତ୍ତି ହେବ ନାହିଁ । କିନ୍ତୁ ଚାରିବର୍ଷପରେ କଟକରେ ଘଟିଲା । ଅବଶ୍ୟ ରାଉରକେଲା ଘଟଣା ଓ କଟକର ଘଟଣା ସମାନ ନୁହେଁ । ସେଠାରେ ଯେଭଳି ଅମାନୁଷିକ, ମର୍ମାନ୍ତକ ଓ ନିର୍ମମ ନିଷ୍ଠୁର ହତ୍ୟାକାଣ୍ଡ ତଥା ହଣାକଟା ଘଟିଥିଲା, କଟକରେ ସୌଭାଗ୍ୟକୁ ସେପରି ଘଟି ନାହିଁ । ତଥାପି ଯେପରି ଭାବରେ ଗୃହଦାହ, ଲୁଟତରାଜ ଓ ସ୍ଥାନେ ସ୍ଥାନେ ପ୍ରହାରପାଲା ଘଟିଗଲା, ତାହା କିନ୍ତୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏକ ସମାଜ ପକ୍ଷରେ ଆଦୌ ସୁନ୍ଦର ବା ଶୋଭନୀୟ ନୁହେଁ ।

 

ଯଦି କେତେଜଣଙ୍କର କେତେକ କାର୍ଯ୍ୟକଳାପ ଆପତ୍ତିଜନକ ମନେ ହେଲା ଓ ତାହା କେତେକଙ୍କ ମନକୁ ବିରକ୍ତ, ବିକୃତି ବା ବିଷାକ୍ତ କଲା; ସେଥିପାଇଁ ଆଇନର ବାଟ ରହିଛି ଏବଂ ଜନମତ ଭଳି ପ୍ରଧାନ ଚାବୁକ ରହିଛି । କିନ୍ତୁ ଲୋକେ ଯଦି ଆଇନକୁ ନିଜ ହାତକୁ ନେଇଯିବେ ଓ ତାହାର ନିର୍ବିଚାର ପ୍ରୟୋଗ କରିବେ, ତେବେ ଆଇନର ଶାସନର ମୂଲ୍ୟ ରହିଲା କେଉଁଠି ? ଗଣତାନ୍ତ୍ରିକ ସମ୍ବିଧାନର ସମ୍ମାନ ରହିଲା କେଉଁଠି ?

 

ଏ ଘଟଣା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ବହୁ ସଂସ୍ଥାର କର୍ତ୍ତା ବିବୃତ ଦେଇ ସାରିଛନ୍ତି । ଲେଖା ଲେଖିଛନ୍ତି, ଆଲୋଚନା ଓ ସମୀକ୍ଷା କରିଛନ୍ତି । ‘ଟିକିଏ ଶୁଣନ୍ତୁ, ଟିକିଏ ଭାବନ୍ତୁ’ ବୋଲି କେହି ଲେଖିଲା ବେଳେ “କି ଥିଲା ଏ ରାଜ୍ୟ, କି ହେଲା ଆଜି” ବୋଲି ଆଉ କେହି ମଧ୍ୟ ଖେଦୋକ୍ତି ପ୍ରକାଶ କରିଛନ୍ତି ।

 

ଭାରତବର୍ଷକୁ ହିନ୍ଦୁରାଷ୍ଟ୍ର ବୋଲି ଆମର ଜଣେ ବିଶିଷ୍ଟ ନେତା ଓ ଐତିହାସିକ ଡକ୍ଟର ହରେକୃଷ୍ଣ ମହତାବ ସ୍ଵସ୍ଵକ୍ଷରସମ୍ବଳିତ ସମ୍ପାଦକୀୟ ଲେଖି ସ୍ଵସମ୍ବାଦପତ୍ରରେ ଯୁକ୍ତି ବାଢ଼ିଛନ୍ତି । ତାଙ୍କ ଯୁକ୍ତିର ସମର୍ଥନ ପାଇଁ ସେ ପ୍ରମାଣ ଓ ନଜିର ଦେଇଛନ୍ତ । ଭାରତବର୍ଷ ଯେ ହିନ୍ଦୁ ରାଷ୍ଟ୍ର ନ ଥିଲା, ତାହା କେହି ଅସ୍ଵୀକାର କରୁନାହିଁ । ଏଥିପାଇଁ ପ୍ରମାଣ ଓ ନଜିରର ଆବଶ୍ୟକତା ମଧ୍ୟ ନାହିଁ । କିନ୍ତୁ ସ୍ଵାଧୀନତା ପରେ ଏବେ ଭାରତବର୍ଷକୁ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଆମେ ସ୍ଵୀକାର କରି ନେଇଛୁ । ଆମ ସମ୍ବିଧାନରେ ହିନ୍ଦୁ, ଖ୍ରୀଷ୍ଟାନ, ମୁସଲମାନ, ଶିଖ ଇତ୍ୟାଦି ଧର୍ମ ସଂପ୍ରଦାୟ ନିର୍ବିଶେଷରେ ଆମେ ସମାନ୍ନଅଧିକାର ଓ ସ୍ଵାଧିନତା ଲାଭ କରିଛୁ । ଜାତି, ଧର୍ମ, ବର୍ଣ୍ଣ, ଓ ପୁରୁଷ ,ସ୍ତ୍ରୀ ନିର୍ବିଶେଷରେ କାହାରି ପ୍ରତି ରାଷ୍ଟ୍ରର ବାଛବିଚାର ହେବ ନାହିଁ ବୋଲି ଆମ ସମ୍ବିଧାନରେ ସ୍ପଷ୍ଟ ଉଲ୍ଲେଖ ଅଛି । ଭାରତରେ ବାସ କରୁଥିବା ସମସ୍ତ ସଂପ୍ରଦାୟ ଭାରତର ନାଗରିକ ଓ ସେମାନେ ସମସ୍ତେ ଭାରତୀୟ, ଏଇ ଦେଶର ସନ୍ତାନ । ସେମାନେ ଅନ୍ୟ କିଛି ହୋଇ ନ ପାରନ୍ତି । ତେବେ ଗୋଟିଏ କଥା । ଭାରତର ସଂବିଧାନ ଯେପରି ସବୁ ସଂପ୍ରଦାୟର ଲୋକଙ୍କୁ ଭାରତୀୟ ବୋଲି ସ୍ଵୀକାର କରୁଛି, ସବୁ ସଂପ୍ରଦାୟ ମଧ୍ୟ ସେହିପରି ନିଜକୁ ଭାରତୀୟ ବୋଲି ମନେ କରିବା ଉଚିତ ଏବଂ ଜନ୍ମଭୂମି ଭାରତପ୍ରତି ସେଭଳି ମମତା ଓ ଅନୁରକ୍ତି ରଖିବା ବିଧେୟ ।

 

ସଂବିଧାନରେ ସମସ୍ତଙ୍କର ସମାନ ଅଧିକାର ଥିଲାବେଳେ, ମୁସଲମାନ ସଂପ୍ରଦାୟର ଉପାସନାପୀଠ ମସଜିଦ୍‌ ଆଗରେ ବାଜା ବାଜିବା ନେଇ କଟକରେ ବିବାଦମାନ ପ୍ରଶ୍ନ ଉଠିଲା । ମୁସଲମାନ ରାଜତ୍ଵ ସମୟରୁ ମସଜିଦ୍‌ ଆଗରେ ବାଜା ବାଜୁ ନ ଥିଲା । କାରଣ, ସମ୍ମାନ ପ୍ରଦର୍ଶନ ଦୃଷ୍ଟିରୁ । ବ୍ରିଟିଶ ରାଜତ୍ଵରେ ମଧ୍ୟ ସେଇ ପରମ୍ପରାକୁ ବଜାୟ ରଖାଗଲା । ଏପରିକି ସ୍ଵାଧିନତା ପରେ ୨୦ ବର୍ଷ କାଳ ମଧ୍ୟ ସେଇ ପରମ୍ପରାକୁ ସମସ୍ତେ ମାନି ଆସିଲେ । ଏଥିପାଇଁ ମଝିରେ ମଝିରେ କେବେ କେମିତି ଆପତ୍ତି ଯେ ନ ହୋଇଛି, ତା ନୁହେଁ । ମାତ୍ର ପ୍ରଚଳିତ ପରମ୍ପରାର ବ୍ୟତିକ୍ରମ ଘଟି ନ ଥିଲା ।

 

ଏବେ କିନ୍ତୁ ଏ ସମ୍ପର୍କରେ ଆଇନ ଓ ଅଦାଲତର ମତ ପ୍ରକାଶ ପାଇଲା । ମସଜିଦ୍‌ ଆଗରେ ବାଜା ବଜାଇବା ଅପରାଧ ନୁହେଁ ବୋଲି ସୁପ୍ରୀମ କୋଟ ରାୟ ଦେଲା ପରେ, କଟକରେ ଏ ବିବାଦର ସୂତ୍ରପାତ ହେଲା । ପରମ୍ପରାର ପରିବର୍ତ୍ତନ ପ୍ରଶ୍ନ ଉଠିଲା ଏବଂ ସେଥିପାଇଁ ଅନ୍ୟ ପକ୍ଷରୁ ମଧ୍ୟ ବିରୋଧ ହେଲା । କିନ୍ତୁ ଦେଶରେ ଆଇନ ଓ ଗଣତନ୍ତ୍ରର ଶାସନ ଚାଲିଥିଲାବେଳେ ଆମ ସମସ୍ତଙ୍କୁ ଆଇନ ମାନି ଚାଲିବାକୁ ହେବ । ତା’ ନ ହେଲେ, ସବୁ ବେଆଇନ ଓ ବ୍ୟତିକ୍ରମ ହୋଇଯିବ । ଦେଶରେ, ସମାଜରେ ଓ ଶାସନ ପରିଚାଳନାରେ ବିଭ୍ରାଟ ଓ ଗଣ୍ଡଗୋଳ ହୋଇଯିବ-। ଶାସନକାଳ ଓ ସମାଜ-ରଥର ଚକ ଯେପରି ଚାଲିବାର କଥା, ସେପରି ଚାଲିପାରିବ ନାହିଁ-। ସବୁକିଛି ଓଲଟପାଲଟ ଓ ଗୋଳମାଳିଆ ହୋଇଯିବ ।

 

ପରମ୍ପରା ପରିବର୍ତ୍ତନଶୀଳ; ଚିରସ୍ଥାୟୀ ବା ନିତ୍ୟ ନୁହେଁ । ଦେଶ, କାଳ ଓ ପାତ୍ର ବିବେଚନାରେ ଏହାର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ । ସ୍ଵାଧୀନତା ପରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରମ୍ପରାର ଅଭୂତପୂର୍ବ ପରିବର୍ତ୍ତନ ଘଟିଲା ଏବଂ ଲୋକେ ତାହାକୁ ମାନି ନେଇଛନ୍ତି ।

 

ସୁପ୍ରୀମକୋର୍ଟ ଭାରତର ସର୍ବୋଚ୍ଚ ସମ୍ମାନାସ୍ପଦ ନ୍ୟାୟାଳୟ । ବିଜ୍ଞ ଅଭିଜ୍ଞ, ପ୍ରବୀଣ ଆଇନଜ୍ଞ ଓ ବିଚାରବନ୍ତ ବ୍ୟକ୍ତିମାନେ ବିଚାରପତି ଆସନରେ ଆସୀନ । ସେମାନଙ୍କର ଯୁକ୍ତିଯୁକ୍ତ ନିଷ୍ପତ୍ତିକୁ ଆମେ ଜନସାଧାରଣ ଯଦି ମାନି ନ ନେଉ ଓ ସେହି ଅନୁସାରେ ନ ଚଳୁ ଏବଂ ଆମର ମନୋଭାବକୁ ତଦନୁଯାୟୀ ନ ବଦଳାଉ, ତେବେ ଆମେ ସମସ୍ତେ ଚଳିବା କିପରି ? ମସଜିଦ୍‌ ଆଗରେ ବାଜା ବଜାଇବାକୁ ମୁସଲମାନ ଧର୍ମରେ ତ ନିଷିଦ୍ଧ କରାଯାଇ ନାହିଁ ? ତା’ ହୋଇଥିଲେ, କଟକ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମସଜିଦ୍‌ ଆଗରେ ମଧ୍ୟ ବାଜା ବାଜୁଛି କିପରି ? ମନ୍ଦିର, ଗୀର୍ଜା ଆଗରେ ବାଜା ବଜାଇବାରେ ତ ଆଦୌ ବାଧା ନାହିଁ ତା ଛଡ଼ା ଉପାସନା ପାଇଁ ବାଜା ଓ ପାଟି ତୁଣ୍ଡ ପ୍ରତିବନ୍ଧକ ନୁହେଁ । ତା’ ଯଦି ହୋଇଥାନ୍ତା, ତେବେ ଉପାସନା ପୀଠ ଭିତରେ ବାଜା, ଘଣ୍ଟି ଓ ଯନ୍ତ୍ରସଙ୍ଗୀତ ବଜାଇ କିମ୍ବା ବିଭିନ୍ନ ଧର୍ମର ମନ୍ତ୍ର ସମୁଚ୍ଚ ସ୍ଵରରେ ଉଚ୍ଚାରଣ କରି ପ୍ରାର୍ଥନା କରିବା, ନୈବେଦ୍ୟ ବାଢ଼ିବାର ବିଧାନ ନ ଥାନ୍ତା । ତା’ ଛଡ଼ା, ରାସ୍ତାରେ ତ ପୁଣି ଏକାଧିକ ମୋଟର ଗାଡ଼ିର ଉଚ୍ଚସ୍ଵରରେ ହର୍ଣ୍ଣ ବାଜୁଛି, ଡାକବାଜି ଯନ୍ତ୍ରରେ ପ୍ରଚାର ହେଉଛି, ବହୁଲୋକ ମିଳି ଧ୍ଵନି ଦେଉଛନ୍ତି, ପାଟିତୁଣ୍ଡ କରୁଛନ୍ତି ଏବଂ ମସଜିଦ୍‌ ପାଖରେ କବାଲି ହେଉଛି । କାହିଁ ଉପାସନାରେ ତ ବାଧା ପଡ଼ୁନାହିଁ ? କେବଳ ବାଜା ବାଜିବାଟା ଏଡ଼େ ବଡ଼ ଅପରାଧ କାହିଁକି ? ସେଥିପାଇଁ ଏତେ ଅସହିଷ୍ଣୁତା ମଧ୍ୟ ଉଚିତ ନୁହେଁ । ଏ ସତ୍ୟକୁ ବୁଝିବାକୁ ହେବ । କେବଳ ଖିଆଲି ହୋଇ ଜିଦ ଧରିବା ବିଜ୍ଞତାର ପରିଚାୟକ ନୁହେଁ । ଆପଣମାନଙ୍କର ବୁଦ୍ଧିଅଛି, ବିବେକ ଅଛି, ଚିନ୍ତା ଓ ବିଚାର କରିବାର ଶକ୍ତି ଅଛି । ଆପଣମାନଙ୍କୁ ବିନୀତ ଅନୁରୋଧ, ଆପଣମାନେ ଏଥିପ୍ରତି ଟିକିଏ ଧ୍ୟାନ ଦିଅନ୍ତୁ ।

 

ଏଇ କଥାଟିର ସ୍ଥାୟୀ ସମାଧାନ ହୋଇ ଗଲେ, କଟକରେ ତଥା ଓଡ଼ିଶାରେ ଏ ପ୍ରକାର ବାଦବିବାଦ ଓ ଗଣ୍ଡଗୋଳର ଅବକାଶ ରହିବ ନାହିଁ ।

 

କଟକର ଗଣ୍ଡଗୋଳ ପରେ ଶାନ୍ତି ପ୍ରତିଷ୍ଠାପାଇଁ ବିଭିନ୍ନ ମହଲରୁ ଉଦ୍ୟମ ଚାଲିଥିଲାବେଳେ, ଆମ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କୁଆଡ଼େ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଯେ, କଂଗ୍ରେସ ଲୋକେ ଛାତ୍ରୀମାନଙ୍କୁ ମତାଇ ଏଭଳି କାଣ୍ଡ କରାଇ ଦେଲେ । ଏଣେ ପୁଣି, ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଖ୍ରୀଷ୍ଟ କଲେଜର ଛାତ୍ରମାନେ ଏକ ବେଆଇନ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ ।

 

ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇଟି ବିବରଣୀ କଂଗ୍ରେସ ମହଲରେ ଓ ଛାତ୍ର ସମାଜରେ ଅଶାନ୍ତି ଓ ବିରକ୍ତିଭାବ ସୃଷ୍ଟି କରାଇବା ସ୍ୱଭାବିକ ।

 

କଂଗ୍ରେସ ଲୋକେ ଯଦି ଏହା କରାଇଦେଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ ଧରି ନିଆଯାଏ (ଯେହେତୁ ଓଡ଼ିଶାରେ ସେତେବେଳେ କ୍ଷମତାଚ୍ୟୁତ,ତେଣୁ ସରକାରଙ୍କୁ ବଦନାମ କରିବା ମତଲବ ଥିବା ଯୁକ୍ତିରେ) ତେବେ ୧୯୬୪ରେ ରାଉରକେଲାର ଅମାନୁଷିକ ଓ ବର୍ବରୋଚିତ ହିଂସାକାଣ୍ଡ ପଛରେ କେଉଁ ବିରୋଧୀ ଦଳର ଚକ୍ରାନ୍ତ ଥିଲା (ଯେହେତୁ କଂଗ୍ରେସ କ୍ଷମତାରେ ଥିଲା) ?

 

କଂଗ୍ରେସ ଲୋକେ କଟକରେ ଗଣ୍ଡଗୋଳ ଭିଆଇବା ପାଇଁ ଚକ୍ରାନ୍ତ କରୁଥିଲେ ବୋଲି ଯଦି ଶାସନମୁଖ୍ୟ ଜାଣିପାରିଥିଲେ ଓ ତାଙ୍କ ପାଖରେ ଯଦି କିଛି ପ୍ରମାଣ ଥିଲା, ତେବେ ପୂର୍ବରୁ ସମୁଚିତ ପ୍ରତିକାର ବ୍ୟବସ୍ଥା ଗ୍ରହଣ ନ କଲେ କାହିଁକି ? ସେ ତ ନିଜେ ଘରୋଇ ବିଭାଗ ଦାୟିତ୍ଵରେ ଥିଲେ । ତେଣୁ ସେ ପୋଲିସ ଓ ଗୁଇନ୍ଦା ବିଭାଗରୁ ଆଗତୁରା ଖବର ପାଇଥିବେ ।

 

ଚକ୍ରାନ୍ତକାରୀମାନଙ୍କୁ ଅଟକ ଆଇନ ବଳରେ ଆଗରୁ ଅଟକ ରଖାଯାଇ ପାରିଥାନ୍ତ କିମ୍ବା ମୁଖ୍ୟମନ୍ତ୍ରୀ ଏବେ ଯାହା କହୁଛନ୍ତି, ଆଗରୁ ତାହା ଜନସାଧାରଣଙ୍କୁ ସୂଚାଇ ଦେଇ ସତର୍କ କରାଇ ଦେଇ ପାରିଥାନ୍ତେ । ତା’ ନକରି ଏଭଳି ଏକ ଦୁର୍ଘଟଣା ଘଟିବାକୁ ଅବକାଶ ଦିଆଗଲା କାହିଁକି ? ଏହା କଣ ଉଦ୍ଦେଶ୍ୟ ମୂଳକ ନା, “ଅପେକ୍ଷା କର—କଣ ହେଉଛି ଦେଖିବା” ନୀତି” ?

 

କଟକରେ ଯେଉଁ ଛାତ୍ର ଶୋଭାଯାତ୍ରାରୁ ଗଣ୍ଡଗୋଳ ଆରମ୍ଭ ହେଲା, ତାହା ଏକ ବେଆଇନ ଶୋଭାଯାତ୍ରା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଥଚ ଏ ବେଆଇନ ଶୋଭାଯାତ୍ରା ସହର ପରିକ୍ରମା କଲା ଅବାଧରେ । ଏହି ଶୋଭାଯାତ୍ରାବେଳେ ଜଣେ ଡି. ଏସ, ପି., କେତେଜଣ ପୋଲିସ ଅଫିସର ଓ ପୋଲିସ ମଧ୍ୟ ଥିବାର ଦେଖାଯାଇଥିଲା ତାହାହେଲେ କଣ ବୁଝିବାକୁ ହେବ ଯେ, ପୋଲିସର ଜ୍ଞାତସାରରେ ଏପରି ଏକ ବେଆଇନ କାର୍ଯ୍ୟକୁ ପ୍ରଶୟ ଦିଆଯାଇଥିଲା ?

 

ଶୋଭାଯାତ୍ରା ଯଦି ବେଆଇନ, ତେବେ ପ୍ରଥମରୁ ତାହାକୁ ଅଟକାଯାଇ ପାରିଥାନ୍ତା । ଶାସନ-ମୁଖ୍ୟ କହନ୍ତି ଯେ, ଶୋଭାଯାତ୍ରାକୁ ଅଟକାଇଥିଲେ ଛାତ୍ରମାନଙ୍କ ଆଡ଼ୁ ଗଣ୍ଡଗୋଳ ହୋଇଥାନ୍ତା । କିନ୍ତୁ ଛାତ୍ରଙ୍କ ଗଣ୍ଡଗୋଳକୁ ଡରି ଏକ ବେଆଇନ କାମ କରିବାକୁ ସରକାର ପ୍ରଶୟ ଦେବା ଓ ଶାସନମୁଖ୍ୟ ତାହା କହିବା ବିଜ୍ଞତାର ପରିଚୟକ ନୁହେଁ । ଶୋଭାଯାତ୍ରାକୁ ଛାଡ଼ି ନ ଥିଲେ, ଛାତ୍ର ଗଣ୍ଡଗୋଳ ହୁଏତ ହୋଇଥାନ୍ତା (ନ ହୋଇଥାନ୍ତା ବି), କିନ୍ତୁ କଟକରେ ଏ ପ୍ରକାର ଦଙ୍ଗାଗୋଳ ହୁଏତ ଘଟି ନ ଥାନ୍ତା ଓ ଗୋଟିଏ ବଡ଼ ବିପଦରୁ ରକ୍ଷା ମିଳିଥାନ୍ତା ।

 

ଛାତ୍ରମାନେ କିନ୍ତୁ ଶୋଭାଯାତ୍ରା ପାଇଁ ଅନୁମତି ମାଗିଥିଲେ, ମାତ୍ର ସେମାନଙ୍କୁ ଅନୁମତି ଦିଆଯାଇନଥିଲା । କାରଣ, ଜିଲା ମ୍ୟାଜିଷ୍ଟ୍ରେଟ ଜାଣିଥିବେ । କିନ୍ତୁ ମସଜିଦ୍‍ ରାସ୍ତାରେ ବାଜା ବଜାଇ ଯିବା ସମ୍ବନ୍ଧରେ ସୁପ୍ରିମକୋଟଙ୍କ ରାୟ ସେତେବେଳକୁ ଜଣାପଡ଼ି ସାରିଥିଲା ତେଣୁ ଛାତ୍ରମାନଙ୍କୁ ଶୋଭାଯାତ୍ରାରେ ଯିବା ପାଇଁ କଟକର ଜିଲା ମ୍ୟାଜିଷ୍ଟ୍ରେଟ ଅନୁମତି ଦେଇପାରିଥାନ୍ତେ-। ସେ କିନ୍ତୁ ତା କଲେ ନାହିଁ । ଛାତ୍ରମାନେ କିନ୍ତୁ ଶୋଭାଯାତ୍ରା ବାହାର କାଲେ । ସେଇ ଶୋଭାଯାତ୍ରା କଟକର ରାସ୍ତାରେ କେତୋଟି ମନ୍ଦିର ମସଜିଦ୍‍ ପାର ହୋଇ ସ୍ଵଚ୍ଛନ୍ଦରେ ବିନା ବାଧାରେ ଗଲା ପରେ ହଠାତ ସୂତାହାଟ ଗଳିର ମସଜିଦ୍‍ ପାଖରେ ବାଧା ଦିଆଗଲା କାହିଁକି ? ସେଇଠାରୁ ତ ଗଣ୍ଡଗୋଳର ଉକୁ । ଏହାକୁ ‘ଟିକିଏ ଶୁଣନ୍ତୁ’ କହି, ଏହା ଅଧ୍ୟାପକଙ୍କ ମତାଣ ଓ ନେତାମାନଙ୍କ ତିତାଣ ବୋଲି ଆକ୍ଷେପ କରିବାର କୌଣସି ଅର୍ଥ ନାହିଁ ।

 

ଲୋକେ କିନ୍ତୁ କହୁଛନ୍ତି ଯେ, ମସଜିଦ୍‍ ଆଗରେ ବାଜା ବାଜିବ କି ନାହିଁ, ଏହାହିଁ କଟକ ଦଙ୍ଗାଗୋଳର ମୂଳ କାରଣ । ଏହାରି ପଛରେ ହୁଏତ କେତେକଙ୍କର ଉସକାଣ, ମତାଣ ଥାଇପାରେ; ସେ ପଛ କଥା ।

 

ଲୋକଙ୍କ ମତ ଯେ ସୁପ୍ରୀମ କୋଟ ରାୟର ପ୍ରାମାଣିକ ନକଲ ପାଇଲା ପରେ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ସ୍ପଷ୍ଟ ଜଣାଇ ଦେଇଥାନ୍ତେ ଯେ, ସେ ଆଇନସମ୍ମତ ନିଷ୍ପତ୍ତିକୁ ମାନି କାର୍ଯ୍ୟ କରିବେ, ଯେହେତୁ ସେ ଆଇନରକ୍ଷକ । ସୁପ୍ରୀମକୋଟର ନିଷ୍ପତ୍ତିକୁ ମାନିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥାନ୍ତେ । ଧର୍ମ ନାମରେ ଧର୍ମାନ୍ଧିତା ଉଚିତ ନୁହେଁ ବୋଲି ସେ ବୁଝାଇଥାନ୍ତେ ଏବଂ ଆଇନସମ୍ମତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ ଯଦି କେହି ଏହାର ବିରୋଧ କରନ୍ତି ବା ବାଧା ଦିଅନ୍ତି, ତେବେ ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ ଶୁଣାଇଥାନ୍ତେ । ତା’ ହେଲେ କଥାଟା ତୁଟିଯାଇଥାନ୍ତା ଏବଂ ଆଉ ଗଣ୍ଡଗୋଳର ଅବକାଶ ନ ଥାନ୍ତା-

 

ମନେ କରନ୍ତୁ, ସୁପ୍ରୀମକୋର୍ଟ ରାୟ ଦେଇଥାନ୍ତେ ଯେ, ମସଜିଦ୍‍ ଥିବା ରାସ୍ତାର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ସମଗ୍ର ରାସ୍ତାରେ କିମ୍ବା ମସଜିଦ୍‍ ଥିବା ସମଗ୍ର ଅଞ୍ଚଳରେ ବାଜା ବଜାଇବା ଅପରାଧ ତା’ ହେଲେ ଲୋକେ ଏ ନିଷ୍ପତ୍ତିକୁ ତ ନିଶ୍ଚୟ ମାନିଥାନ୍ତେ । ନ ହେଲେ, ମାନିବାକୁ ବାଧ୍ୟ କରାଯାଇଥାନ୍ତା । ସେହିପରି ବର୍ତ୍ତମାନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ହେବ ।

 

ଆଇନ ପାଖରେ ସମସ୍ତେ ସମାନ । ଆଇନ କାହାକୁ ସୁହାଇବ, କାହାକୁ ନ ସୁହାଇବ କିମ୍ବା କାହା ସପକ୍ଷରେ ଯିବ ବା ବିପକ୍ଷରେ ଯିବ, ସେଭଳି ବିଚାର ଠିକ୍‍ ନୁହେଁ । ଆମ ସମସ୍ତଙ୍କୁ ଆଇନ ମାନି ଚଳିବାକୁ ହେବ ।

 

କେତେଜଣ ବୁଦ୍ଧିଜୀବୀ ତଥା ବିଚାରଶୀଳ ମୁସଲମାନଙ୍କ ମତ ଯେ, ମସଜିଦ୍‍ ଆଗରେ ବାଜା ବାଜିବାରେ ଆପତ୍ତି ନାହିଁ । କିନ୍ତୁ ଅନ୍ୟକୁ ଉତ୍ତେଜିତ କଲାଭଳି ବ୍ୟଙ୍ଗବିଦ୍ରୂପ କରିବା କିମ୍ବା ସେଇଭଳି କିଛି କାର୍ଯ୍ୟ କରିବା ଉଚିତ ନୁହେଁ । ଏଇଭଳି ବିଚାରଶୀଳ ଲୋକେ ବିବୃତି ଦେଇ ସର୍ବସାଧାରଣଙ୍କୁ ଏକଥା ଜଣାଇ ଦେବା ଉଚିତ; କିନ୍ତୁ ଛକାପଞ୍ଜା ଖେଳ ନ ଚାଲୁ । କାହାରି ମନରେ କୌଣସି ସନ୍ଦେହ ଜାଗିଲା ଭଳି କୌଣସି ସଂପ୍ରଦାୟ କିଛି ନ କରନ୍ତୁ ।

 

ଯାହା ହେବାର ହୋଇଯାଇଛି । ଗତସ୍ୟ ଶୋଚନା ନାସ୍ତି । ଯାହା ଘଟିଗଲା, ତାହାକୁ ଏକ ଆକସ୍ମିକ ଦୁର୍ଘଟଣା ଓ ହିତାହିତ ଜ୍ଞାନଶୂନ୍ୟ କେତେଜଣଙ୍କର ଅପକର୍ମ ବୋଲି ଧରି ନେଇ ଉଭୟ ସଂପ୍ରଦାୟ ପୁଣି ହାତକୁହାତ ମିଳାନ୍ତୁ । ପରସ୍ପର ମଧ୍ୟରେ ହଠାତ୍‍ ଯେଉଁ ସନ୍ଦେହ ଓ ଅବିଶ୍ଵାସ ସୃଷ୍ଟି ହୋଇଛି, ତାହା ଦୂର କରି ଯେପରି ପୂର୍ବର ସ୍ନେହ ସୌହାର୍ଦ୍ଦ୍ୟ ଫେରି ଆସିବ, ସେ ଦିଗରେ ଉଭୟ ସଂପ୍ରଦାୟ ଉଦ୍ୟମ କରନ୍ତୁ ନିଷ୍ଠାର ସହ । ଏଥିପାଇଁ ପ୍ରତ୍ୟେକ ସାହିରେ, ବସ୍ତିରେ ଉଭୟ ସଂପ୍ରଦାୟର ଲୋକେ ମିଳିମିଶି ଶାନ୍ତି ଓ ସଦ୍‍ଭାବ ପ୍ରତିଷ୍ଠା ପାଇଁ ଯତ୍ନ କରନ୍ତୁ ।

 

ଅନ୍ୟ କାହାରି ମୁଣ୍ଡରେ ଅଠା ବୋଳିବାର ବେଳ ଏ ନୁହେଁ । ବିଭିନ୍ନ ସଂସ୍ଥା, ବିଶିଷ୍ଟ ବ୍ୟକ୍ତି, ଛାତ୍ର ତଥା ଉଭୟ ସଂପ୍ରଦାୟର ଜନ ସାଧାରଣଙ୍କ ସହଯୋଗ ନେଇ ଶାସନମୁଖ୍ୟ ତଥା ସରକାର ଏକ ଦୃଢ଼ ପଦକ୍ଷେପ ନେବା ଦରକାର, ଯେପରିକି ଭବିଷ୍ୟତରେ କୌଣସି ପକ୍ଷରୁ ଏପ୍ରକାର ଘଟଣାର ପୁନରାବୃତ୍ତି ନ ହେବ ।

 

କଟକ ଗଣ୍ଡଗୋଳ ସମ୍ପର୍କରେ ବହୁତ କଥା କୁହାଗଲାଣି । ନାନା ପରାମର୍ଶ, ପ୍ରସ୍ତାବ ଓ ସର୍ତ୍ତମାନ ଦିଆଗଲାଣି । କିନ୍ତୁ ନାନା ପ୍ରକାର କଥା କହି ବିଷୟଟିକୁ ଗୋଳମାଳିଆ କରିବାକୁ ଅନେକେ ପସନ୍ଦ କରନ୍ତି ନାହିଁ । କାହାକୁ ସୁହାଉ ବା ନ ସୁହାଉ, ଗୋଟାଏ କଥାର କିନ୍ତୁ ଫଏସଲା ତୁରନ୍ତ ହୋଇଯିବା ଦରକାର । ଗଣ୍ଡଗୋଳ ପାଇଁ ତଦନ୍ତ କମିଶନ ବସୁ କିମ୍ବା ବିଚାର ବିଭାଗୀୟ ତଦନ୍ତ ହେଉ ଏବଂ ଯାହାର କ୍ଷତି ହେଇଛି, ତାଙ୍କୁ କ୍ଷତି ପୂରଣ ଦିଆଯାଉ ଇତ୍ୟାଦି ପ୍ରସ୍ତାବ ଅବଶ୍ୟ ସ୍ଵାଗତଯୋଗ୍ୟ । ତଦନ୍ତ ହେଲେ ଅସଲ ଦୋଷଟା ବି ଜଣାପଡ଼ିବ । କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ନିଶ୍ଚୟ ଦେବାକୁ ହେବ ଏବଂ ଗଣ୍ଡଗୋଳକାରୀ ଓ ଷଡ଼ଯନ୍ତ୍ରକାରୀମାନଙ୍କୁ କଠୋର ଦଣ୍ଡ ଦେବାକୁ ହେବ । ସେ ଯାହାହେଲେ ବି, ମସଜିଦ୍‍ ଆଗରେ ବାଜା ବାଜିବା କଥାଟାର ନିଷ୍ପତ୍ତି ହୋଇଗଲେ, ଅଡ଼ୁଆଟା ତୁଟି ଯାଆନ୍ତା । ଏ ନିଷ୍ପତ୍ତିକୁ ଗଡ଼େଇବା ମାନେ ତିକ୍ତତାକୁ ଅଯଥା ଘୋଡ଼େଇବା ଓ ଦାଢ଼େଇବା ଭଳି ହେବ । ଏଭଳି ବାଜା ବଜାଇବା ଯଦି ବାସ୍ତବରେ ଆପତ୍ତିଜନକ, ଧର୍ମବିରୁଦ୍ଧ ଓ ଅପରାଧଜନିତ, ତେବେ ତାହା ସଂପୂର୍ଣ୍ଣ ବନ୍ଦ କରିଦିଆଯାଉ । ଯଦି ନୁହେଁ, ତେବେ ଆଉ ସେ ବିଷୟରେ ଅଯଥା ବାଦବିବାଦ, ଯୁକ୍ତିତର୍କ ନ କରି କଥାଟିକୁ ପରିଷ୍କାର ଭାବରେ ଛିଣ୍ଡେଇ ଦିଆଯାଉ । ପରସ୍ପର ମଧ୍ୟରେ ଶାନ୍ତି ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ସମସ୍ତଙ୍କର କାମନା । ଏଥିରେ ମାନ ଅଭିମାନ ବା ଜିଦ ଖିଆଲର ପ୍ରଶ୍ନ ନାହିଁ । ଉଭୟ ସଂପ୍ରଦାୟର ନେତୃସ୍ଥାନୀୟ ଲୋକେ ଓ ଯୁବ ପ୍ରତିନିଧିମାନେ ଏକାଠି ବସି ଏଇ କଥାଟିର ନିଷ୍ପତ୍ତି କରିଦେବା ଭଲ । ତା’ ନ ହେଲେ, ଭିତରେ ଭିତରେ ଗୋଟାଏ ‘କିନ୍ତୁ’ ରହିଯିବ । ଉପରେ ଯେତେ ଯାହା କଲେ ଓ କହିଲେ ବି ତା ‘ଚିନିବୋଳା କୁଇନାଇନ’ ବଟିକା ଭଳି ହେବାର ସମ୍ଭାବନା । ତେଣୁ ଏପ୍ରକାର ନିଷ୍ପତ୍ତି ଯେତେ ଶୀଘ୍ର ହେବ, ପରସ୍ପର ମଧ୍ୟରେ ସଦ୍‍ଭାବ ଓ ସୌହାର୍ଦ୍ଦ୍ୟ ସେତେ ଶୀଘ୍ର ଫେରି ଆସିବ ।

 

ମୁଁ ଆଉ ଥରେ କହୁଛି, ପରମ୍ପରା ଯାହା ଚଳିଆସୁଥାଏ, ସୁବିଧା ବା ଅସୁବିଧା ଦୃଷ୍ଟିରୁ, ସେଇ ପରମ୍ପରା ବଦଳେ ଓ ଏମିତି କେତେ ବଦଳିଛି ମଧ୍ୟ ! ଏଥିପାଇଁ ଅଯଥା ଜିଦ୍ ଧରିବା ଉଚିତ ନୁହେଁ । ପରିସ୍ଥିତିକୁ ଚାହିଁ ପରମ୍ପରା ପରିବର୍ତ୍ତନ ଆମକୁ ମାନି ନେବାକୁ ହେବ । ମସଜିଦ୍‍ ଆଗରେ ଆଗରୁ ବାଜା ବାଜୁ ନ ଥିଲା । ସମସ୍ତେ ତାକୁ ମାନିନେଇଥିଲେ । ଏବେ ବାଜା ବାଜିବା କଥା ଉଠୁଛି । ପରମ୍ପରା ବଦଳିବ, ବଦଳୁ । ଏଥିରେ ଆପତ୍ତି କରିବା କଣ ଦରକାର ?

 

କଟକ ଗଣ୍ଡଗୋଳର କ୍ଷତିପୂରଣ ପାଇଁ ସରକାର ପିଟୁଣୀ ଟିକସ ବସାଇବା ସମ୍ପର୍କରେ ଶାସନମୁଖ୍ୟ ସୂଚନା ଦେଇଛନ୍ତି । କିନ୍ତୁ କେତେଜଣଙ୍କ କାର୍ଯ୍ୟ ପାଇଁ ସମସ୍ତେ କାହିଁକି ଦଣ୍ଡିତ ହେବେ ? ଏଥିପାଇଁ ସମସ୍ତେ ତ ଦାୟୀ ନୁହନ୍ତି । ବରଂ ଶାସନଦଳ ଦାୟୀ ଓ ଜିଲ୍ଲାପାଳ ଅନେକାଂଶରେ ଦାୟୀ । ଗଣ୍ଡୋଗୋଳିଆ ପରିସ୍ଥିତିକୁ ସମ୍ଭାଳିବାର ଅଭିଜ୍ଞତା ତାଙ୍କର ନାହିଁ । ଓଡ଼ିଶାରେ ଛାତ୍ର ଆନ୍ଦୋଳନ ବେଳେ କଟକର ପରିସ୍ଥିତିକୁ ତତ୍କାଳୀନ ଜିଲ୍ଲାପାଳ କିଭଳି ସମ୍ଭାଳି ନେଇଥିଲେ ତାହାର ଦୃଷ୍ଟାନ୍ତ ରହିଛି । ଏ ସବୁ ବ୍ୟାପାରରେ ଯଥାସମ୍ଭବ ସମସ୍ତ ପତ୍ରପତ୍ରିକା ଏବଂ ପ୍ରତ୍ୟେକ ସାହିର ବିଭିନ୍ନ ମୁଖିଆ ତଥା ବିଶିଷ୍ଟ ବ୍ୟକ୍ତି ଓ ଛାତ୍ର ପ୍ରତିନିଧିମାନଙ୍କ ସହଯୋଗ ନେବାର ଆବଶ୍ୟକତା ଅପରିହାର୍ଯ୍ୟ ।

 

ପୋଲିସର ଲାଠି ବନ୍ଧୁକ କିମ୍ବା କାହାର ଖଣ୍ଡା ତରୱାର ଲୋକଙ୍କୁ ଭୟଭୀତ କରାଇବ ସିନା; କିନ୍ତୁ ମନକୁ ଜୟ କରି ପାରିବ ନାହିଁ । ସେଥିପାଇଁ ତ ଦିନେ ଏଇ ପବିତ୍ର ଉତ୍କଳ ଭୂମିରେ ରଣ ବିଜୟୀ ଅଶୋକ ଉପଲବ୍ଧି କରିଥିଲେ ଯେ “ତରବାରୀର ଜୟ, ଜୟ ନୁହେଁ’’ ମହମ୍ମଦ ଘୋରୀ ବାରମ୍ବାର ଭାରତ ଆକ୍ରମଣ କରି ମଧ୍ୟ ନିଜେ ସନ୍ତୁଷ୍ଟ ହୋଇ ପାରି ନଥିଲେ କିମ୍ବା ଭାରତବାସୀଙ୍କ ମନକୁ ଜୟ କରି ପାରି ନ ଥିଲେ । ଇତିହାସର ଏ ସତ୍ୟକୁ ଆଜି ଭୁଲିଯିବା ଉଚିତ ନୁହେଁ ।

 

ଅନ୍ୟ ଦେଶର ଉନ୍ନତି ଓ ଅଗ୍ରଗତି ଦେଖି ମଧ୍ୟ ଆମେ ଯଦି ପ୍ରତିଯୋଗିତା ନ କରୁ, ଆମେ ଯଦି ପ୍ରଗତିବାଦୀ ନ ହେଉଁ, ନୂତନ ଚିନ୍ତାଧାରାରେ ପ୍ରଭାବିତ ନ ହେଉଁ, କେବଳ ଧର୍ମ ନାମରେ ଧର୍ମାନ୍ଧତା ଓ ମତାନ୍ଧତାରେ ଉନ୍ନତ୍ତ ହେଉ, ତାହାହେଲେ ଆମର ସ୍ଥାନ ଓ ମାନ କେଉଁଠି ଓ ଦେଶର ମର୍ଯ୍ୟାଦା ବା କାହିଁ ?

 

କୌଣସି ପ୍ରଗତିବାଦୀ ଓ ଧର୍ମନିରପେକ୍ଷ ସରକାର ମଧ୍ୟ ଏପ୍ରକାର ଧର୍ମାନ୍ଧତା ଓ ମତାନ୍ଧତାକୁ ପ୍ରଶୟ ଦେବା ଉଚିତ ନୁହେଁ । କେତେଜଣଙ୍କ ସେଣ୍ଟିମେଣ୍ଟ ବା ଖିଆଲକୁ ଧରି ବସିଲେ, ଦେଶ ଚଳେ ନାହିଁ । ସେଥିରେ ରାଷ୍ଟ୍ରର ଶକ୍ତି ଅଯଥା ଅପଚୟ ହୁଏ । ଜନମଙ୍ଗଳ ଲକ୍ଷ୍ୟ ରଖିଥିବା ରାଷ୍ଟ୍ରର ଉନ୍ନୟନ ଯୋଜନା ଓ ପ୍ରଗତି ଅକାରଣ ବାଧାପ୍ରାପ୍ତ ହୁଏ ।

 

ମସଜିଦ୍‍ ଆଗରେ ବାଜା ବାଜିବ କି ନାହିଁ, ମେଢ଼ ବିସର୍ଜନ ଶୋଭାଯାତ୍ରା ବେଳେ କେଉଁ ମେଢ଼ ଆଗରେ ଯିବ କିମ୍ବା କେଉଁ ରାସ୍ତାବାଟେ ମେଢ଼ ଯିବ, ଠାକୁର ଅମୁକ ଲୋକ ଘରେ ଭୋଗ ଖାଇବେ କି ନାହିଁ ଏବଂ ଯଦି ଖାଇବେ, ବସି ଖାଇବେ କିମ୍ବା ଠିଆହୋଇ ରହିବେ ଏବଂ ଯେହେତୁ ଏକ ଶିକ୍ଷାନୁଷ୍ଠାନ ଏକ ସମ୍ପ୍ରଦାୟ ଦ୍ଵାରା ପରିଚାଳିତ ତେଣୁ ସେଠାରେ ଗଣେଶ ପୂଜା ଓ ସରସ୍ଵତୀ ପୂଜା ଇତ୍ୟାଦି ଅନୁଷ୍ଠିତ ହେବ କି ନାହିଁ, ଇତ୍ୟାଦି ଛୋଟ ଛୋଟ କଥାରେ ଆମେ ବ୍ୟସ୍ତ ବିବ୍ରତ ହୋଇ ଆମର ଓ ଦେଶର ଶକ୍ତି ନଷ୍ଟ କରିବା ନା ବିଶ୍ଵ ଦରବାରରେ ଆମ ଦେଶର ବିଜୟ-ବାଜା ଯେପରି ବାଜିବ, ସେଥିପାଇଁ ସମସ୍ତେ ସତତ ସଚେଷ୍ଟା ହେବା, ତାହା ହିଁ ଆଜି ବିଚାରର ବିଷୟ ।

Image

 

ବାଳ ଓ ବାଳା ଉପାଖ୍ୟାନ

 

ଭାରତର ଭୂସ୍ଵର୍ଗ—କାଶ୍ମୀର । ଶୋଭା ଓ ସୌନ୍ଦର୍ଯ୍ୟର ସୁସଂଯତ ସୃଷ୍ଟି—ଲାବଣ୍ୟର ଲୀଳାଭୂମି । ପ୍ରାକୃତିକ ପ୍ରାଣପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ, ଭାରତର କିରୀଟ ଏଇ କାଶ୍ମୀରରେ ବାଳ ଓ ବାଳା ଉପାଖ୍ୟାନ ବାସ୍ତବିକ ବିସ୍ମୟକର ।

 

ବାଳ ଓ ବାଳା—ଏଇ ଉଭୟ ଶବ୍ଦ ମଧ୍ୟରେ ଭେଦ କେବଳ ଆକାର ହେଲେ ବି ସ୍ଵାତନ୍ତ୍ର୍ୟ ସ୍ଵୀକୃତ । ଗୋଟାଏ ବଡ଼ ନିଷ୍ପ୍ରାଣ ଓ ବୈଶିଷ୍ଟ୍ୟହୀନ ଅନ୍ୟଟି ପ୍ରାଣବନ୍ତ, ମୂର୍ତ୍ତିମତୀ ଓ ଚୈତନ୍ୟମୟୀ । ଗୋଟାଏ ହେଲା ସ୍ଵୟଂ ସଂପୂର୍ଣ୍ଣ । ଅନ୍ୟଟି ତାହାର ଶୋଭାବର୍ଦ୍ଧକ ଉପାଦାନ ମାତ୍ର-

 

ଅତୀତରେ ଏକ ବାଳା ବା ଅବଳାର ଅପହରଣ ସମଗ୍ର ଜାମୁ ଓ କାଶ୍ମୀରରେ ଚହଳ ଓ ଚମକ ସୃଷ୍ଟି କରିଥିଲା । କାଶ୍ମୀରୀ ପଣ୍ଡିତକୁଳର କନ୍ୟା ଅନ୍ୟ ଧର୍ମାବଲମ୍ବୀ ଦ୍ଵାରା ଅପହୃତା ଓ ଧର୍ମପତ୍ନୀ ପ୍ରାୟ ରହିଥିବା ସମ୍ବାଦ ପ୍ରଚାରିତ ହେବା ଫଳରେ ନିଆଁ ଜଳି ଉଠିଥିଲା । ପଣ୍ଡିତକୁଳ କ୍ରୋଧାନ୍ଵିତ, ଉତ୍ତ୍ୟକ୍ତ ଓ ଉତ୍ତେଜିତ ତେଣୁ ଉଗ୍ର ବିକ୍ଷୋଭ, ଚଢ଼ାଉ ଓ ଅଗ୍ନିକାଣ୍ଡ, ପୋଲିସର ଘଉଡ଼ାଇବା ଉଦ୍ୟମ, ଲାଠି ଓ ଲୁହାବୁହା ବାଷ୍ପ ପ୍ରୟୋଗ, ଉତ୍ତ୍ୟକ୍ତ ଜନତାର ଢେଲାମାଡ଼ । ଶ୍ରୀନଗର ଠାରେ ସାନ୍ଧ୍ୟଆଇନ ଜାରି, ଗିରଫଦାରୀ ସଭା ଶୋଭାଯାତ୍ରା, ଦିଲ୍ଲୀଠାରେ ଉପପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ସତ୍ୟାଗ୍ରହର ଧମକ, କାଶ୍ମୀର ପଣ୍ଡିତ ତଥା ହିନ୍ଦୁ ଧର୍ମାବଲମ୍ବୀଙ୍କ ବିକ୍ଷୋଭର ପ୍ରତିବାଦରେ ମୁସଲମାନ ସମ୍ପ୍ରଦାୟର ଶୋଭାଯାତ୍ରା ତଥା ପାଲଟା ବିକ୍ଷୋଭ ଇତ୍ୟାଦିରେ କାଶ୍ମୀର ହେଲା ହୁଲୁସ୍ତୁଲ । ଏପରିକି ଏଇ ଘଟଣାରେ ଭାରତର ରାଜଧାନୀ ଦିଲ୍ଲୀ ମଧ୍ୟ ଦୁଲୁକି ଉଠିଲା । କାଶ୍ମୀର ପରିସ୍ଥିତି ସମ୍ଭାଳିବା ପାଇଁ ସୈନ୍ୟ ସାହାଜ୍ୟ ଆବଶ୍ୟକ ପଡ଼ିଲା ।

 

ଏଇ ହିନ୍ଦୁବାଳା ହରଣ କାହାରି ବ୍ୟକ୍ତିଗତ ଉଦ୍ୟମରୁ, କିମ୍ବା ଏହି ପଛରେ ତାହାରି ମତାଣ ଉସକାଣ ରହିଛି, ତାହା ସନ୍ଦେହଜନକ ।

 

ଇତିପୂର୍ବରୁ ଥରେ, ‘ବାଳ’ ବ୍ୟାପାରରେ ସମଗ୍ର କାଶ୍ମୀରରେ କମ୍ପନ ଘଟଣା ଏବେବି ବିସ୍ମରଣ ହୋଇ ନ ଥିବ । ଇସଲାମ ଧର୍ମ ପ୍ରତିଷ୍ଠାତା ହଜରତୁ ମହମ୍ମଦଙ୍କ ‘କେଶ’ ହଟାତ ଦିନେ କୁଆଡ଼େ ଅନ୍ତର୍ଦ୍ଦାନ ହୋଇଗଲା ବୋଲି ଗୋଟାଏ ଚହଳ ଓ ଚମକ ପଡ଼ିଗଲା । ଏଥିପାଇଁ ବିକ୍ଷୋଭ, ଆନ୍ଦୋଳନ, ଗଣ୍ଡଗୋଳ, ହରତାଳ, ଲୁଟତରାଜ ଇତ୍ୟାଦି ହୋଇ ଏକ ଅସ୍ଵାଭାବିକ ଓ ଅପ୍ରୀତିକର ପରିସ୍ଥିତି କାଶ୍ମୀରରେ ଘଟିଥିଲା । ଅବସ୍ଥା ସମ୍ଭାଳିବା ପାଇଁ ସୈନ୍ୟ ଧାଇଁଥିଲେ, ଦିଲ୍ଲୀ ଦରବାରରୁ ନେତାଙ୍କୁ ଧାଇଁବାକୁ ପଡ଼ିଥିଲା । ଜୋରସୋରରେ ଖୋଜାଖୋଜି, ଅନୁସନ୍ଧାନ ଚାଲିଲା-। ଶେଷରେ ‘କେଶ’ ମିଳିଲା ଓ ଅବସ୍ଥା ଶାନ୍ତ ପଡ଼ିଲା । ଏଇ ‘ବାଳ’ ବ୍ୟାପାରରେ ପାକିସ୍ଥାନୀ ନେତାଙ୍କ ହୁଙ୍କାର ମଧ୍ୟ ସେତେବେଳେ ଶୁଣାଯାଇଥିଲା । ସେଇ ବ୍ୟାପାରରେ ପାକିସ୍ଥାନୀ ହାତ ଥିବାର ସନ୍ଧେହ କରାଯାଉ ଥିଲା ।

 

ମହମ୍ମଦଙ୍କ କେଶ ଥିଲାବୋଲି କୁହାଯାଉଥିବା ରୂପାର ଫରୁଆଟି ହରଣଚାଳ ହୋଇଯାଇଥିଲା । ସେଇ ଫରୁଆ ଭିତରେ, ମହମ୍ମଦଙ୍କ ‘କେଶ’ର ସ୍ଥିତି ମଧ୍ୟ ସନ୍ଦିହାନ, କାରଣ କେଶ ପ୍ରକୃତରେ ଥିଲା କି ନାହିଁ, କେହି ଦେଖି ନାହାନ୍ତି ଏବଂ ଯଦି ବା ଥିଲା, ତେବେ ତାହା ଧର୍ମଗୁରୁଙ୍କର କି ନୁହେଁ, ସେ ବିଷୟରେ କେହି ନିଃସନ୍ଦେହ ନୁହେଁ । ଅଥଚ ସେଥିପାଇଁ ଏତେ ବଡ଼ ପାଲାଟାଏ ହୋଇଗଲା । ଅତ୍ୟନ୍ତ ଲଜ୍ଜାକର ଘଟଣା ଘଟିଗଲା । ସାରା ବିଶ୍ଵ ଜାଣିଲା —ବିଂଶ ଶତାବ୍ଦୀର ଏଇ ଚନ୍ଦ୍ରାଭିଯାନ ଯୁଗରେ ମଧ୍ୟ ବାଳ ପାଇଁ ପାଗଳ ହେବାକୁ ଲୋକବି ଅଛନ୍ତି ।

 

‘ବାଳ’ ବ୍ୟାପାର ପରେ, ଏଇ ‘ବାଳା’ ବ୍ୟାପାର । ଏଥିରେ ପାକିସ୍ଥାନୀ ‘କାଉଁରୀକାଠି’ର ସ୍ପର୍ଶ ନାହିଁ ବୋଲି କିଏ କହିବ ? କାରଣ ପାକିସ୍ଥାନ ମଉକା ଉଣ୍ଡୁଛି ଏବଂ ମଉକା ମିଳିଲେ ମାଡ଼ି ବସିବାକୁ ଟାକି ରହିଛି ।

 

ଭାରତର ଏହି ଭୂଖଣ୍ଡ କାଶ୍ମୀର ଉପରେ ପାକିସ୍ଥାନର ଲୋଲୁପ ଦୃଷ୍ଟି । କାଶ୍ମୀରକୁ କାବୁ କରିବା ପାଇଁ ପାକିସ୍ଥାନର ପ୍ରାଣାନ୍ତକ ପ୍ରେଚେଷ୍ଟା । ଏଥିପାଇଁ ଭାରତ ସହ ପାକିସ୍ଥାନର ଚିର ବିବାଦ, ଭାରତ ଉପରେ ଆକ୍ରମଣ ଏବଂ ଆହୁରି ଆକ୍ରମଣର ଘନଘନ ଧମକ, ବିଶ୍ଵ-ପଞ୍ଚାୟତ ଅର୍ଥାତ ଜାତିସଂଘରେ କାଶ୍ମୀର ପାଇଁ ପାକିସ୍ଥାନର ପାଟିତୁଣ୍ଡ ଏବଂ ତାର ମିତ୍ରପକ୍ଷଙ୍କ ସାହାଯ୍ୟ ସହାନୁଭୂତି ଓ ସମର୍ଥନ ।

 

କାଶ୍ମୀର ଦଖଲ ପାଇଁ ପାକିସ୍ଥାନର ଚକ୍ରାନ୍ତ-ବୋମାର ବିସ୍ଫୋରଣ ଘଟିଲା ୧୯୬୫ରେ ସେପ୍ଟେମ୍ବର ମାସରେ—କାଶ୍ମୀର ଉପରେ ପାକିସ୍ଥାନର ଅଚାନକ ଆକ୍ରମଣ ଓ ଭାରତ ବିରୁଦ୍ଧରେ ଯୁଦ୍ଧ । ରଣ-ଭାଷଣତାରେ ଅନୁରଣିତ ହୋଇ ଉଠିଲା କାଶ୍ମୀର ରଣାଙ୍ଗନ । ଶେଷରେ ପାକିସ୍ଥାନର ଚରମ ଆସ୍ପର୍ଦ୍ଧା ଭୂଲୁଣ୍ଠିତ ହେଲା—ଭୂସ୍ଵର୍ଗ କାଶ୍ମୀରରେ । ସେତିକିବେଳେ ଶାନ୍ତିପ୍ରିୟ ଶାସ୍ତ୍ରୀ ଓ ସମରବିଳାସୀ ଆୟୁବଙ୍କ ମଧ୍ୟରେ ସ୍ଵାକ୍ଷରିତ ହେଲା ତାସକେଣ୍ଟ ଚୁକ୍ତି, ଋଷ ପ୍ରଧାନମନ୍ତ୍ରୀ କୋଶିଚୀନଙ୍କ ମଧ୍ୟସ୍ଥତାରେ ଓ ଉପସ୍ଥିତିରେ । ଦୁଇ ରାଷ୍ଟ୍ର ମଧ୍ୟରେ ଯାହାକିଛି ବିବାଦ, ତାହାର ନିଷ୍ପତ୍ତି, ସଂଘର୍ଷ ବା ସଂଗ୍ରାମରେ ନୁହେଁ, ଶାନ୍ତିପୂର୍ଣ୍ଣ ଭାବରେ ଆପୋଷ ଆଲୋଚନାରେ ହିଁ ହେବ–ଏଇ ଥିଲା ଐତିହାସିକ ତାସକେଣ୍ଟ ଚୁକ୍ତିର ମର୍ମ ।

 

“ତୋ ବାକ୍ୟ ତୁହି ରକ୍ଷାକର, ଅସତ୍ୟ ନୁହଁ ସୌଦାଗର” । ଲୋକୋକ୍ତିର ଏ ସତ୍ୟ-ସଙ୍କେତ, ଏକଛତ୍ରାଧିପତି ଆୟୁବଙ୍କୁ ହୁଏତ ଅଜଣା ଥାଇପାରେ; କିନ୍ତୁ “ମରଦକା ବାତ୍‍ ହାତୀକା ଦାନ୍ତ”ର ମାର୍ମିକତା ଆୟୁବଙ୍କୁ ଅଜ୍ଞାତ ନ ଥିବ ନିଶ୍ଚୟ । ସେ ମରଦ ହେଲେ ବି ଜବାବଭ୍ରଷ୍ଟ ହେଲେ, ଚୁକ୍ତିଚ୍ୟୁତ ହେଲେ । ସେ ଦେଖୁଛନ୍ତି, ତାଙ୍କର ଯୁକ୍ତି ଓ ଦାବୀ ଦୁର୍ବଳ । ତେଣୁ ଆପଷ ଆଲୋଚନାରେ କାଶ୍ମୀର-ପ୍ରାପ୍ତି ଦିବାସ୍ୱପ୍ନ । ସାର୍ଥକତା ଓ ସଫଳତାର ସମ୍ଭାବନାର ବାଟ ଇୟେ ନୁହଁ । ଅତଏବ ପନ୍ଥା ପ୍ରଭେଦ, ଉପାୟ ଭଳି । ଗଣ୍ଡଗୋଳ ଓ ସଂଘର୍ଷ ଭିଆଇ ରଖିବାକୁ ହେବ । ଏଥିପାଇଁ ମତାଇବାକୁ ତତାଇବାକୁ ପଡ଼ିବ ।

 

ଛିଦ୍ର ଖୋଜି, ଶୁଚିମନ୍ତ ନଳରାଜଙ୍କ ଶରୀରରେ କଳିର ପ୍ରବେଶ ଭଳି, ଅପରାଜେୟ କାଶ୍ମୀରରେ ବାହୁପ୍ରବେଶ ପାଇଁ ପାକିସ୍ଥାନ ଅହରହ ଚିନ୍ତିତ ବ୍ୟାକୁଳ ଏବଂ ଉପାୟ ଉଦଭାବନରେ ବ୍ୟସ୍ତ ।

 

ସେଥିପାଇଁ କାଶ୍ମୀରରେ ଅନୁପ୍ରବେଶ, ଗୁପ୍ତଚର ପ୍ରେରଣ, ସୀମାନ୍ତରେ ସତର୍କତା ଓ ସୈନ୍ୟସାମନ୍ତ ମାରଣ ଅପହରଣ, ଭାରତର ଶତ୍ରୁ ଚୀନଠାରେ ଶରଣ ଅନ୍ୟ ପକ୍ଷରେ ବିଦ୍ରୋହୀ ନାଗା ଓ ମିଜୋମାନଙ୍କୁ ସାହାଯ୍ୟ ପ୍ରଦାନ, ଭାରତ ବିରୁଦ୍ଧରେ ବିଷୋଦ୍‍ଗୀରଣ ଓ ମଝିରେ ମଝିରେ ରଣ ହୁଙ୍କାର ପାକିସ୍ଥାନର ମୁଖ୍ୟ କାର୍ଯ୍ୟ ହୋଇଛି । ଏପରିକି, ଭାରତକୁ ଜବତ କରିବାଲାଗି ଓ ଡରାଇ ଥରାଇ ରଖିବା ଲାଗି ଆମେରିକା ଇତ୍ୟାଦିଙ୍କ ଠାରୁ ମାରଣାସ୍ତ୍ରାଦି ଆଣିବାକୁ ମଧ୍ୟ ପାକିସ୍ଥାନ କୁଣ୍ଠାବୋଧ କରିନାହିଁ । ଦୁନିଆ ଦରବାରରେ ଭାରତକୁ ନିନ୍ଦିତ କରାଇବା ଲାଗି ପାକିସ୍ଥାନ ସବୁମତେ କଳକଉଶଳ କରିଆସୁଛି । କିନ୍ତୁ ଫଳ ହେଉଛି ବିପରୀତ । ଭାରତ ହେଉଛି ଅଭିନନ୍ଦିତ ଏବଂ ପାକିସ୍ଥାନର ହେଉଛି ନିନ୍ଦା ।

 

ତେଣୁ କାଶ୍ମୀରର ବାଳ ଓ ବାଳା ହରଣରେ ପାକିସ୍ଥାନୀ ଷଡ଼ଯନ୍ତ୍ରର ସମ୍ଭାବନା ଓ ସଙ୍କେତକୁ ସଂପୂର୍ଣ୍ଣ ଏଡ଼ି ଦିଆଯାଇ ନପାରେ । ଏଇ ପୃଷ୍ଠଭୂମିରେ ତାହା ବିଚାରସାପେକ୍ଷ ।

Image

 

ଆପଣା ହସ୍ତେ ଜିହ୍ଵା ଛେଦି

 

ବ୍ରହ୍ମପୁରରେ ଛାତ୍ର ଆନ୍ଦୋଳନ ହେଲା । ଛାତ୍ରମାନେ ଧର୍ମଘଟ, ପିକେଟିଂ ବିକ୍ଷୋଭ ପ୍ରଦର୍ଶନ ପନ୍ଥା ଧରିଥିଲେ । ମହାଜନଃ ଯେନ ଗତଃସ ପନ୍ଥା । ସରକାର ମଧ୍ୟ ତାଙ୍କ ପନ୍ଥା ଧରିଛନ୍ତି-। ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାର ବ୍ୟସ୍ତ । ତେଣୁ ବିଭିନ୍ନ କଟକଣା, ୧୪୪ ଧାରା ଜାରି ଓ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଗଲା । ଆଇନ ଅମାନ୍ୟ ଅଭିଯୋଗରେ ଓ ଅନ୍ୟାନ୍ୟ କାରଣରେ କେତେକ ଛାତ୍ରନେତା, ଛାତ୍ର ଓ ସାଧାରଣ ଲୋକଙ୍କୁ ଗିରଫ କରାଗଲା । ଏପରିକି କଟକର ବିଶିଷ୍ଟ ଆଇନଜ୍ଞ ଶ୍ରୀ ମଧୁସୂଦନ ମହାନ୍ତି ମଧ୍ୟ ଆନ୍ଦୋଳୋନକୁ ସମର୍ଥନ ଜଣାଇ ୧୪୪ ଧାରା ଭଙ୍ଗ କରି ଗିରଫ ହେଲେ । ଜୀବନ-ସନ୍ଧ୍ୟାରେ, ତାଙ୍କର, ଭାଷା ଓ ସଂସ୍କୃତିର ସ୍ଵାଭିମାନ ପାଇଁ ଇୟେ ଏକ ପୁରସ୍କାର ।

 

୧୯୬୨ ମସିହା ଅଗଷ୍ଟ ମାସର ଘଟଣା ଇୟେ । ଏ ଆନ୍ଦୋଳନ ଯୋଗୁ ବ୍ରହ୍ମପୁରରେ, ଅନେକ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଗଲା । ଉଦ୍ଦେଶ୍ୟ, ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବାକୁ ନ ଦେବା ଏବଂ ଏକାଠି ହୋଇ ଗଣ୍ଡଗୋଳ ଭିଆଇବା ପାଇଁ ଛାତ୍ରମାନଙ୍କୁ ସୁଯୋଗ ନ ଦେବା ।

 

ଏହି ଆନ୍ଦୋଳନ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକାଧିକ ପ୍ରେସନୋଟ ପ୍ରକାଶ ପାଇଥିଲା । ପ୍ରେସନୋଟ ପ୍ରକାଶରେ ତତ୍ପରତା ଅବଶ୍ୟ ଉଲ୍ଲେଖଯୋଗ୍ୟ । ଛାତ୍ରମାନଙ୍କ ପକ୍ଷରୁ ଆଠୋଟି ଦାବୀ ଉପସ୍ଥାପିତ କରାଯାଇଥିଲା । ଛାତ୍ର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ସାରିଥିଲେ ।

 

ଜାରି ହୋଇଥିବା ୧୪୪ ଧାରା କିଛିଦିନ ପରେ ଉଠାଇ ନିଆଗଲା । ୧୪୪ ଧାରା ଭଙ୍ଗ କରି ଯେଉଁମାନେ ଗିରଫ ହୋଇଥିଲେ, ସେମାନେ ଖଲାସ ହେଲେ, ତଥାପି ଆନ୍ଦୋଳନର ଇତି ହୋଇନଥିଲା । ଆନ୍ଦୋଳନ ଚାଲିଥିଲା, ଆଉ କେତେକ ଛାତ୍ରନେତା ତଥାପି ଅଟକ ରହିଥିଲେ ।

 

ଖଲିକୋଟଠାରେ ପୋଲିସ ପକ୍ଷରୁ ଲାଠି ଚାଳନା ଓ ଫାଙ୍କା ଗୁଳି ଫାଏରର ‘ଷ୍ଟେଜ ରିହରସଲ’ ହୋଇ ସାରିଥିଲା ଅବଶ୍ୟ, ଗୁଳିରେ କେହି ଘାଇଲା ହୋଇ ନ ଥିଲେବି ଲାଠିମାଡ଼ର ଆଘାତ ଲୁଚିଯାଇ ନଥିଲା । ଏହି ଘଟଣା ଛାତ୍ର ମହଲରେ ଆଉ ଟିକିଏ ଉତ୍ତେଜନା ସୃଷ୍ଟି କରିଥିଲା-

 

କେବଳ ବ୍ରହ୍ମପୁରରେ ନୁହେଁ, ସେତିକିବେଳେ କଟକରେ ମଧ୍ୟ ଦିନେ ଦୁଇଦିନ ପାଇଁ ଧର୍ମଘଟ ହୋଇଯାଇଥିଲା । କଟକରେ ରେଳ ଅଟକ କାର୍ଯ୍ୟକ୍ରମ କାର୍ଯ୍ୟକରି ହୋଇଥିଲା । ଓଡ଼ିଆ ଓ ସଂସ୍କୃତି ଭାଷାରେ ପୃଥକକରଣ ଦାବୀ କରି ପ୍ରତୀକ ଅନଶନ ହୋଇଥିଲା । ବିଭିନ୍ନ ପ୍ରତିବାଦ ସଭା ସମିତି ହୋଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପବିତ୍ର ସ୍ଵାଧୀନତା ଦିବସ ଉତ୍ସବରେ ମଧ୍ୟ କଟକରେ ଛାତ୍ର ବିକ୍ଷୋଭ ହୋଇଥିଲା (ଏହା କ୍ଷୀଣ ଓ ଅପ୍ରୀତିକର ହେଲେ ବି) । କଲେଜରେ ସ୍ଥାନ ସଂଖ୍ୟା ବୃଦ୍ଧି ପାଇଁ ପୁରୀ, ସମ୍ବଲପୁର, ବାଲେଶ୍ଵର ଇତ୍ୟାଦି ବିଭିନ୍ନ ଅଞ୍ଚଳରେ ଛାତ୍ରମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଥିଲା ।

 

ବ୍ରହ୍ମପୁରରେ ଏ ଆନ୍ଦୋଳନ କଣ କେବଳ ଛାତ୍ରଙ୍କର ଥିଲା ? ଏଥିସହ ଜଣେ ଆଇନଜ୍ଞ ଓ କେତେକ ସାଧାରଣ ବ୍ୟକ୍ତିଙ୍କ ସଂପୃକ୍ତି, ଏହାକୁ ବରଂ ଜନଆନ୍ଦୋଳନର ଆଖ୍ୟା ଦେଇ ନ ଥିଲା କି ? ଏ ଆନ୍ଦୋଳନ ଯେ ଆଦୌ ହେୟ ନୁହେଁ ଏବଂ ଏଥିରେ ଗୁରୁତ୍ଵ ରହିଥିଲା, ଏକଥା କଣ ସରକାରଙ୍କ ଘନଘନ ପ୍ରେସନୋଟ ପ୍ରକାଶନରୁ ଜଣାପଡ଼ୁ ନଥିଲା ? ପ୍ରଶ୍ନ ହେଉଛି—ଏ ଆନ୍ଦୋଳନ କଣ ପାଇଁ ? ଏହା କଣ କେବଳ ତେଲଗୁ ସିନେମା ପ୍ରଦର୍ଶନ ବିରୁଦ୍ଧରେ ? ଏଥିରେ କଣ ଭାଷା, ସଂସ୍କୃତି ଓ ଜାତିପ୍ରାଣତାର ସଙ୍କେତ ନାହିଁ ? ଏ ଆନ୍ଦୋଳନ, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ, ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଯାହା କୁହାଯାଉଛି, ସତ୍ୟତାର ସୂଚନା କଣ ସେଥିରେ ନାହିଁ ।

 

ବ୍ରହ୍ମପୁରରେ ତେଲଗୁସିନେମା ପ୍ରଦର୍ଶନ ହେଉ, ଆପତ୍ତି ନାହିଁ । କଟକରେ ଓ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ତ ପୁଣି ତେଲଗୁ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ସିନେମା ପ୍ରଦର୍ଶନ ଚାଲିଛି । ତେଣୁ ବ୍ରହ୍ମପୁରରେ ତେଲଗୁ ସିନେମା ପ୍ରଦର୍ଶନ ହେବାରେ ଆପତ୍ତି ଉଠୁଛି କାହିଁକି ? କଥାଟା କିନ୍ତୁ ତା’ ନୁହେଁ, କଥାଟା ହେଉଛି, ବ୍ରହ୍ମପୁରରେ ସିନେମା ମାଲିକମାନଙ୍କର ତାଚ୍ଛଲ୍ୟମନୋଭାବ । ଓଡ଼ିଆ ପ୍ରତି ଆନ୍ଧ୍ରର ରୁଚିହୀନ ମନୋଭାବ । ବ୍ରହ୍ମପୁରତ ତେଲଗୁ ଅଞ୍ଚଳ ନୁହେଁ, ଅଥଚ ଓଡ଼ିଆ ସିନେମା କିମ୍ବା ହିନ୍ଦୀ ଓ ବଙ୍ଗଳା ସିନେମା ପ୍ରଦର୍ଶନ ସଂଖ୍ୟାର ତୁଳନା ଓ ଅନୁପାତରେ ତେଲଗୁ ସିନେମା ବେଶି କାହିଁକି ? ଯେହେତୁ, ସିନେମା ମାଲିକାମାନେ ତେଲଗୁଭାଷୀ, ସେମାନେ ଚାହାନ୍ତି, ତାଙ୍କ ଭାଷାର ସିନେମାଗୁଡ଼ିକୁ ବିଶେଷ ପୃଷ୍ଠପୋଷକତା କରିବା ପାଇଁ, ତେଣୁ ଅଧିକ ତେଲଗୁ ସିନେମା ପ୍ରଦର୍ଶନ ଦ୍ଵାରା ଲୋକଙ୍କୁ ଏଇ ଭାଷାର ସିନେମା ଓ ଏଇ ଭାଷା ପ୍ରତି ଆକୃଷ୍ଟ ହେବାପାଇଁ ବାଧ୍ୟ କରିବା ଏବଂ ପ୍ରକାରାନ୍ତରରେ ଅନ୍ୟ ଭାଷାର ସିନେମା ତଥା ଅନ୍ୟ ଭାଷା ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଇବା । ଏହା ସେମାନଙ୍କର ଉଦ୍ଦେଶ୍ୟ ବୋଲି ଅନ୍ୟମାନଙ୍କ ମନରେ ଧାରଣା ହେବା ସ୍ଵାଭାବିକ । ଏପରି ମନୋଭାବ ବ୍ରହ୍ମପୁରର ସିନେମା ମାଲିକମାନେ ବଦଳାଇବା ଉଚିତ ।

 

ଛାତ୍ରମାନେ ତେଲଗୁ ସିନେମା ପ୍ରଦର୍ଶନରେ ବାଧା ଦେଉଛନ୍ତି ବନ୍ଦ କରୁଛନ୍ତି; ଗଣ୍ଡଗୋଳ ଓ ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଅଛି ବୋଲି ସରକାର ସଫେଇ ଦେଉଛନ୍ତି । କିନ୍ତୁ ୧୯୬୭ ମଇ ମାସରେ ବ୍ରହ୍ମପୁରର ଛାତ୍ରପ୍ରତିନିଧି ଓ ବିଶିଷ୍ଟ ନାଗରିକଙ୍କସହ ଓଡ଼ିଶାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାପୂର୍ଣ୍ଣ ଆଲୋଚନାବେଳେ ସ୍ଥିର ହୋଇଥିଲା ଯେ, ବ୍ରହ୍ମପୁରରେ ମ୍ୟାଟିନି ଶୋ’ରେ ତେଲୁଗୁ ସିନେମା ପ୍ରଦର୍ଶିତ ହେବା । ସେଥିରେ ତ କେହି ହାଧା ଦେଇନାହାନ୍ତି-? ତା’ପରେ କଣ ହେଲା ଯେ ପୁଣି ନିଷ୍ପତ୍ତି ବଦଳିବା ଦରକାର ପଡ଼ିଲା ? ଏବଂ ତେଲଗୁ ସିନେମା ପ୍ରଦର୍ଶନ ଯେପରି ସୁରୁଖୁରୁରେ ହୋଇପାରିବ, ତାହା ଦେଖିଯିବା ପାଇଁ ଗସ୍ତଖର୍ଚ୍ଚା ଓ ଭତ୍ତା ନେଇ ଜଣେ ମନ୍ତ୍ରୀ ବ୍ରହ୍ମପୁରକୁ ଧାଇଁ ଗଲେ ? ମନ୍ତ୍ରୀ କଣ ପାଇ ଯାଇଥିଲେ ? ଗଣ୍ଡଗୋଳ ଶାନ୍ତି କରିବାକୁ ନା କଟା ଘାରେ ଚୂନ ଛିଟା ଦେଇ, ଅଥବା ଚଳନ୍ତା ନିଆଁରେ ଇନ୍ଧନ ଯୋଗାଇ ଗଣ୍ଡଗୋଳକୁ ଆହୁରି ତେଜିବାକୁ ?

 

ଆମର ମିଳିତ ମନ୍ତ୍ରୀମଣ୍ଡଳରେ ଜଣେ ତେଲଗୁ ମନ୍ତ୍ରୀ ଥିଲେ । ସତେ ଯେପରି, ଓଡ଼ିଆ ଲୋକ ଆଉ କେହି ମନ୍ତ୍ରୀ ହେବାକୁ ମିଳିଲେ ନାହିଁ । ସୁରେନ୍ଦ୍ର ବୀରେନ୍ଦ୍ର ଯେତେବେଳେ ମନ୍ତ୍ରୀ ହେବାକୁ ଯୋଗ୍ୟ ହୋଇପାରିଲେ, ଆଉ କାହାର ଯୋଗ୍ୟତା କଣ ଅଭାବ ଥିଲା ଯେ, ଜଣେ ଅଣଓଡ଼ିଆଙ୍କୁ ମନ୍ତ୍ରୀ କରିବା ଦରକାର ପଡ଼ିଲା ? ଯେତେ ଆପତ୍ତି ହେଲେ ବି ଶୁଣାଗଲା ନାହିଁ । କାହିଁକି ? କେଇଜଣ ଓଡ଼ିଆ, ଆନ୍ଧ୍ରରେ, ମାନ୍ଦ୍ରାଜରେ ବା ବଙ୍ଗଳାରେ ମନ୍ତ୍ରୀ ହୋଇଛନ୍ତି ? ଆମର ଏ ଏକ ପାଖିକ ନିଲଠା ପ୍ରୀତି କାହିଁକି ? ତାହାହେଲେ କ’ଣ ବୁଝିବାକୁ ହେବ ଯେ, ସେଇ ତେଲଗୁ ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାପାଇଁ ବ୍ରହ୍ମପୁରରେ ତେଲଗୁ ସିନେମା ଅଲବତ ଶୋ’ହେବ ବୋଲି ଓଡ଼ିଆ ମନ୍ତ୍ରୀ ସେଠାକୁ ଧାଇଁ ଯାଇଥିଲେ ?

 

ଗୋଟିଏ ଜାତିର ଭାଷା, ସାହିତ୍ୟ, ସଂସ୍କୃତି ଓ ଜାତୀୟତା ଉପରେ ବାରମ୍ବାର ଆକ୍ରମଣ ହେଉଥିବ, ଆପମାନ ଓ ଲାଞ୍ଛନାର ବୋଝ ଲଦି ଦିଆଯାଉଥିବ, କେତେକାଳ ତାହା ବରଦାସ୍ତ କରିହେବ ?

 

ଗୋଡ଼ଟା ଅଜାଣତରେ ବାଜିଯିବା ଅଲଗା କଥା, କିନ୍ତୁ ଜାଣତରେ ଗୋଇଠା ମାରି ଆପଣା ଛାଏଁ ‘ବିଷ୍ଣୁ’ ନକରି ବା ଦୁଃଖିତ ନ ହୋଇ ପ୍ରତିବାଦ ପରେ ବିଷ୍ଣୁ କରିବା କଉଶଳକୁ କେତେଦିନ ସହିହେବ ?

 

ତେଣୁ ଛାତ୍ରମାନେ ବା ଅନ୍ୟ ଯେଉଁମାନେ, ଏଥିଲାଗି ପ୍ରତିବାଦ କଲେ, କିମ୍ବା ଆନ୍ଦୋଳନ କଲେ, ସେମାନଙ୍କୁ ‘ବିପଥଗାମୀ’ ‘ଦୁର୍ବୃତ୍ତ’ ଆଖ୍ୟା ଦେବାର ଯଥାର୍ଥତା କେଉଁଠି ?

 

ଛାତ୍ରମାନଙ୍କର ଉଚ୍ଛୃଙ୍ଖଳତା ସର୍ବଦା ଓ ସର୍ବଥା ଅବାଞ୍ଛନୀୟ ଓ ନିନ୍ଦନୀୟ ନିଶ୍ଚୟ । ସେମାନଙ୍କର ଚଳଣି ଓ କରଣି ସଂଯତ ଶୃଙ୍ଖଳ ହେବା ଶ୍ରେୟ ଓ କାମ୍ୟ । କିନ୍ତୁ ସେମାନଙ୍କର ଏ ଉଚ୍ଛୃଙ୍ଖଳତା ପାଇଁ ଆମ ନେତାମାନେହିଁ ମୁଖ୍ୟତଃ ଦାୟୀ । ନେତାଏ ନିଜ ସ୍ଵାର୍ଥା ସାଧନ ପାଇଁ ଛାତ୍ରମାନଙ୍କୁ ଅସ୍ତ୍ରରୂପେ ବ୍ୟବହାର କରୁଥିବାରୁ ଆଜି ଏ ଅବସ୍ଥା ଉପୁଜିଛି ।

 

ସେଇ ଅସ୍ତ୍ର ଯେତେବେଳେ ‘ବୁମରାଙ୍ଗ’ ହୋଇ ନିକ୍ଷେପକାରୀଙ୍କ ନିକଟକୁ ଫେରିଆସୁଛି, ସେତେବେଳେ ଆମର ନେତାଏ ଚିହିଁକି ଉଠୁଛନ୍ତି । ଟୋକାଏ ଉଚ୍ଛୃଙ୍ଖଳ ହୋଇପଡ଼ିଲେ ବୋଲି ନେତାଏ ତିଆରୁଛନ୍ତି । କିନ୍ତୁ ଟୋକାଙ୍କୁ ଉଚ୍ଛୃଙ୍ଖଳତା ଶିଖାଇଲା, ବତାଇଲା କିଏ ? ‘ଆପଣା ହସ୍ତେ ଜିହ୍ଵାଚ୍ଛେଦି, କେ ଅଛି ତାର ପ୍ରତିବାଦୀ ?’

 

ଯା’ହେଉ, ନେତାଏ ଚେତନ୍ତୁ ଏବଂ ପିଲାଏ ଠିକଣା ବାଟକୁ ଫେରନ୍ତୁ ।

Image

 

ନାୟମାତ୍ମା ବଳହୀନେନ ଲଭ୍ୟଃ

 

କଠୋପନିଷଦ ସ୍ପଷ୍ଟ କହେ—“ନାୟମାତ୍ମା ବଳହୀନେନ ଲଭ୍ୟଃ ।’’ ଅର୍ଥାତ ଏହି ଆତ୍ମା ବଳହୀନ ବ୍ୟକ୍ତିଙ୍କୁ ଲଭ୍ୟ ନୁହେଁ । କଠୋପନିଷଦ ଯେଉଁ ଅର୍ଥରେ, ଯେଉଁ ଉଦ୍ଦେଶ୍ୟରେ ଏହା କହିଥାଉ ନା କାହିଁକି; ସାଧାରଣ ଭାବରେ ଏହା ସତ୍ୟ । ଯିଏ ବଳହୀନ, ଦୁର୍ବଳ ଏବଂ ବିଶେଷତଃ ଶାରୀରିକ ନ ହେଲେ ବି, ମାନସିକ ଭାବରେ ଯିଏ ଦୁର୍ବଳ, ସିଏ ସବୁଥିରେ ପଛୁଆ । ମାନସିକ ଦୁର୍ବଳ ବ୍ୟକ୍ତି ଦାବୀକରି ଜାଣେନାହିଁ, ଦାବୀ କଲେ ବି, ତାହା ହାସଲ କରିପାରେନାହିଁ । ସେ ପ୍ରତିରୋଧକ୍ଷମ ନୁହେଁ । ଅନ୍ୟାୟ ଅବିଚାରରେ ସେ ସଢ଼ିଯିବ ପଛକେ, ଶୋଷଣରେ ସେ ସନ୍ତୁଳିହେବ ପଛକେ, ସତ୍ୟ ଓ ନ୍ୟାୟ ପ୍ରାପ୍ତି ପାଇଁ ସେ ସଂଗ୍ରାମୀ ହୋଇପାରେ ନାହିଁ । କିନ୍ତୁ ଆମକୁ ଶକ୍ତିଶାଳୀ ହେବାକୁ ପଡ଼ିବ ।

 

ଚାଉଳ, ତେଲ, ଲୁଣ, କାଠ, ପରିବା, ଚିନି, ଅଟା, ସୁଜି, ମଇଦା, ଦୁଧ, ଘିଅ, ମାଛ, ମାଂସ, ଅଣ୍ଡା, ଫଳ, ଶିଶୁଖାଦ୍ୟ, ଲୁଗାପଟା କିଣିବାକୁ ଗଲାବେଳେ, ଦୋକାନୀ କାହିଁକି ଚଢ଼ାଦର ନେବ ? ତା’ର କି ଅଧିକାର ଅଛି ? ନ୍ୟାଯ୍ୟ ମୂଲ୍ୟରେ ସେ କାହିଁକି ଜିନିଷ ନ ବିକିବ ? ଜିନିଷ ଥାଇ ମଧ୍ୟ ସେ କାହିଁକି ନାହିଁ କରିବ ଏବଂ ପରେ ପୁଣି ସେହି ଜିନିଷକୁ କଳାବଜାରରେ ବିକିବ ? ଅତ୍ୟାବଶ୍ୟକ ଜିନିଷ ଲୁଚାଇ ରଖିବା ଏବଂ ନାଯ୍ୟ ମୂଲ୍ୟଠାରୁ ଅଧିକା ନେବା ଆଇନସଙ୍ଗତ ନ ହେଲେ ମଧ୍ୟ ଦୋକାନୀ କାହିଁକି ଏଭଳି ବେଆଇନ କାର୍ଯ୍ୟ କରିବ ? ଖାଣ୍ଟି ଜିନିଷ ନାମରେ ଚାଉଳରେ, ଅଟାରେ ବାଲିଗୋଡ଼ି ମିଶାଇ, ଦୁଧରେ ଅତ୍ୟଧିକ ପାଣି ଓ ପାଉଡ଼ର ମିଶାଇ, ଖାଦ୍ୟକୁ ଅଖାଦ୍ୟ ଭାବରେ ସେ କାହିଁକି ବିକିବ ?

 

କୁହାଯାଉଛି ଯେ, ପୋଷାଉ ନ ଥିବାରୁ ବ୍ୟବସାୟୀ ଏପରି ଅସାଧୁ ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହେଉଛି । ଏହା କିନ୍ତୁ ଯୁକ୍ତି ନୁହେଁ । ଯାହାକୁ ଯେଉଁ ବ୍ୟବସାୟ ନ ପୋଷେଇଲା, ସେ ତାହା ଛାଡ଼ି ଅନ୍ୟ ଧନ୍ଦା ଧରୁ । କିନ୍ତୁ ଲୋକଙ୍କ ଅମୂଲ୍ୟ ଜୀବନକୁ ନେଇ ଖେଳ ଖେଳିବାର ଅଧିକାର ତା’ର ନାହିଁ । ଲୋକଙ୍କୁ କଲବଲ ଓ ହନ୍ତସନ୍ତ କରିବାର କ୍ଷମତା ତା’ର ନାହିଁ । ଯେକୌଣସି ରାଷ୍ଟ୍ରର ସରକାର ଏଥିପ୍ରତି ସଚେତନ ରହି ଲୋକଙ୍କ ସୁଖସୁବିଧା ଦୃଷ୍ଟିରୁ ଏଇ ଲାଭଖୋର କଳାବଜାରୀମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବାର କଥା । କାରଣ ସରକାର, ବ୍ୟବସାୟୀମାନଙ୍କର ନୁହେଁ ବା ପୁଞ୍ଜିପତିଙ୍କର ନୁହେଁ । ଏହା “ଲୋକଙ୍କ ପାଇଁ ଲୋକଙ୍କ ଦ୍ଵାରା ପ୍ରତିଷ୍ଠିତ ଲୋକ ସରକାର ।’’ ତେଣୁ ଲୋକଙ୍କର ମଙ୍ଗଳବିଧାନ ହିଁ ସରକାରଙ୍କର ଚରମ କାମ୍ୟ ଓ ପରମ ଦାୟିତ୍ଵ । ଏହି ଦାୟିତ୍ଵ ଯଥାର୍ଥ ଭାବରେ ନ ତୁଲାଇଲେ, ଅବସ୍ଥାକୁ ଯଥାଯଥ ଭାବରେ ନ ସମ୍ଭାଳିଲେ, ସରକାରଙ୍କ ଅପାରଗତା ହିଁ ପ୍ରମାଣିତ ହୋଇଥାଏ । ତେଣୁ ଏଭଳି ଅପାରଗ ସରକାର ବିରୁଦ୍ଧରେ ଆନ୍ଦୋଳନ, ବିକ୍ଷୋଭ ଓ ବିପ୍ଲବ ହେବା ସ୍ଵାଭାବିକ ।

 

ଅପାରଗ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହେବା ସଙ୍ଗେ ସଙ୍ଗେ ଦରଦାମ ବୃଦ୍ଧି ଓ ଦୁର୍ନୀତି ବିରୁଦ୍ଧରେ ମଧ୍ୟ ଶକ୍ତିଶାଳୀ ଆନ୍ଦୋଳନ ଦରକାର । କେବଳ ଆନ୍ଦୋଳନ ନୁହେଁ, ପ୍ରତିରୋଧ ଅଭିଯାନ ଚଳାଇବାକୁ ହେବ ଏବଂ ଏହା କଥାରେ ନୁହେଁ, କାର୍ଯ୍ୟରେ । ସମସ୍ତଙ୍କ ଦ୍ଵାରା ଏ କାର୍ଯ୍ୟ ଅବଶ୍ୟ ସମ୍ଭବ ନୁହେଁ । କାରଣ ସାଧାରଣ ଜନତା ବଳହୀନ, ଦୁର୍ବଳ । ତେଣୁ ଅମିତ ଶକ୍ତିମାନ୍‍ ଯୁବ-ସମାଜ ଓ ଛାତ୍ରସମାଜକୁ ପ୍ରଥମେ ଆଗଭର ହେବାକୁ ପଡ଼ିବ । ଅନ୍ୟାୟ, ଅବିଚାର, ଦୁର୍ନୀତି ଓ ସମାଜବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ ଓ ଅଭିଯାନର ନେତୃତ୍ଵ ନେବ ଦେଶର ଯୁବସମାଜ ।

 

ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ଅନ୍ୟାୟ ନୁହେଁ, ବେଆଇନ ନୁହେଁ । ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ଅର୍ଥ ଅମାନବିକତା ଓ ଅନୈତିକତା ବିରୁଦ୍ଧରେ ଲଢ଼ିବା ଏବଂ ସତ୍ୟ ଓ ନ୍ୟାୟ ପାଇଁ ଲଢ଼ିବା । ଏଥିଲାଗି ନିର୍ଭୀକ ଓ ନିର୍ମମ ଭାବରେ ଲଢ଼ିବାକୁ ହେବ ।

 

ପ୍ରଧାନମନ୍ତ୍ରୀ କହୁଛନ୍ତି ଏବଂ ଆଇନମନ୍ତ୍ରୀ କହୁଛନ୍ତି, ଦରଦାମ ବୃଦ୍ଧି ବିରୁଦ୍ଧରେ ଲୋକେ ପ୍ରତିରୋଧ କରନ୍ତୁ । ଏଥିରୁ ସ୍ପଷ୍ଟ ଯେ, ଦରଦାମ ବୃଦ୍ଧି ରୋକିବାକୁ ସରକାର ଅକ୍ଷମ । ତେଣୁ ଲୋକେ ପ୍ରତିରୋଧ କରିବା ହିଁ ଏକମାତ୍ର ପ୍ରତିକାର । ପ୍ରଧାନମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଉକ୍ତିରୁ ଆଉ ମଧ୍ୟ ସ୍ପଷ୍ଟ ଯେ, ପ୍ରତିରୋଧ ପାଇଁ ନୈତିକ ସମର୍ଥନ ରହିଛି । କିନ୍ତୁ କେବଳ ନୈତିକ ସମର୍ଥନ ଯଥେଷ୍ଟ ନୁହେଁ, ଏଥିପାଇଁ ରୀତିମତ ଅଭୟ ଦେବାକୁ ହବ । କାରଣ ପ୍ରତିରୋଧ କରିବାକୁ ଯାଇ ପ୍ରତିରୋଧକାରୀଙ୍କୁ କଳାବଜାରୀଙ୍କ ଶିକାର ହେବାକୁ ପଡ଼ୁଛି । ଗୁଣ୍ଡାମାନଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ୁଛି ।

 

ଦୃଷ୍ଟାନ୍ତ ସ୍ୱରୂପ କୁହାଯାଇପାରେ, କୌଣସି ଜଣେ ବ୍ୟବସାୟୀ ବା କେତେକ ବ୍ୟବସାୟୀ ଅତ୍ୟାବଶ୍ୟକ ଦ୍ରବ୍ୟ ଲୁଚାଇ ରଖି କଳାବଜାରରେ ତାହା ଚଢ଼ାଦରରେ ବିକିବାର ଖବର ପାଇ କେତେକ ଛାତ୍ର ବା ଯୁବକ ବା ଜନସାଧାରଣ ପ୍ରତିରୋଧ ଉଦ୍ଦେଶ୍ୟରେ ଘଟଣାସ୍ଥଳକୁ ଗଲେ । କଳାବଜାରୀ ବ୍ୟବସାୟୀ କେତେକ ଗୁଣ୍ଡାଶ୍ରେଣୀର ଲୋକଙ୍କୁ ହାତରେ ରଖି ଏହି ପ୍ରତିରୋଧକାରୀଙ୍କୁ ମାଡ଼ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତାହାହେଲେ ପ୍ରତିରୋଧକାରୀ ମଧ୍ୟ ଆତ୍ମରକ୍ଷା ପାଇଁ ନିଶ୍ଚୟ ଚେଷ୍ଟା କରିବେ । ଫଳରେ ଗଣ୍ଡଗୋଳ ହେବା ସ୍ଵାଭାବିକ । ତେଣୁ ଏ କ୍ଷେତ୍ରରେ ପୋଲିସ ପ୍ରତିରୋଧକାରୀଙ୍କ ପାଇଁ ରକ୍ଷାକବଚ ହେବା ଉଚିତ ଏବଂ ଜନସାଧାରଣ ମଧ୍ୟ ପ୍ରତିରୋଧକାରୀଙ୍କୁ ସାହାଯ୍ୟ କରିବା ଉଚିତ ।

 

ପଳାଇ ଯାଉଥିବା ଚୋରକୁ କେହି ଯଦି ଧରି ବାନ୍ଧିପକାଏ କିମ୍ବା ଚୋରର ଆକ୍ରମଣରୁ ଆତ୍ମରକ୍ଷା ପାଇଁ କେହି ଯଦି ଚୋର ଉପରେ ଓଲଟା ଆକ୍ରମଣ କରେ ଏବଂ ତା’ପରେ ଚୋରକୁ ବାନ୍ଧିବା କିମ୍ବା ମାରିବା କାରଣରୁ ଯଦି ସେହି ଲୋକକୁ ପୋଲିସ ଓଲଟା ଧରିନିଏ, ତେବେ ଚୋର ଓ ଚୋରିକୁ ପ୍ରଶ୍ରୟ ଦିଆଗଲା ବୋଲି କୁହାଯିବ । ତାହାହେଲେ, ଚୋର ଧରିବା ପାଇଁ କେହି ବାହାରିବେ ନାହି । କେବଳ ‘ଚୋର ଚୋର’ ବୋଲି ପାଟି କରିବା ହିଁ ସାର ହେବ । ତେଣୁ ଚୋର ଧରିବାରେ, କଳାବଜାରୀଙ୍କୁ ଜବତ କରିବାରେ ସରକାର ତଥା ପୋଲିସ ପୂର୍ଣ୍ଣ ଭରସା ଦେବା ଉଚିତ । ଆଇନଶୃଙ୍ଖଳା ରକ୍ଷାକାରୀ ବିଚାରକମାନେ କଳାବଜାରୀଙ୍କୁ କଠୋର ଦଣ୍ଡ ଦେବା ଉଚିତ-। କାରଣ ସେମାନେ ସମାଜର ଓ ଦେଶର ବଡ଼ଶତ୍ରୁ । କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ସେମାନେ ଅସନ୍ତୁଷ୍ଟ ହେବା ନିଶ୍ଚତ ହେଲେ ମଧ୍ୟ, ଦେଶର ସମୂହ ସ୍ଵାର୍ଥ ଓ ଜନସାଧାରଣଙ୍କର ବ୍ୟାପକ ହିତଦୃଷ୍ଟିରୁ ମୁଷ୍ଟିମେୟଙ୍କ ଅସନ୍ତୋଷକୁ ହେୟଜ୍ଞାନ କରାଯାଇପାରେ ।

 

ଦରଦାମ ବୃଦ୍ଧି ବିରୁଦ୍ଧରେ ପ୍ରତିରୋଧ ହେଲା ବୋଲି କଳାବଜାରୀମାନେ ଏକଜୁଟ ହୋଇ ଧର୍ମଘଟ କରିବା ଓ ଦୋକାନ ବଜାର ବନ୍ଦ କରିଦେବା କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯାଇନପାରେ । ଚୋରି ଉପରେ ହେମାଜୋରି ଯେଉଁମାନେ ଦେଖନ୍ତି, ସେମାନଙ୍କୁ ନିର୍ମମ ଭାବରେ ଜବତ କରିବାକୁ ହେବ । କଳାବଜାରୀଙ୍କ ଧର୍ମଘଟର ଧମକକୁ ବେଖାତିର କରିବାକୁ ହେବ । ଏମାନଙ୍କ ପାଖରେ ନିବେଦନର ମୂଲ୍ୟ କିଛି ନାହିଁ; ଯେହେତୁ ଏମାନଙ୍କଠାରେ ମାନବିକତା ନାହିଁ, ବିବେକ ନାହିଁ, ନୈତିକତା ନାହିଁ । ଧନ ପାଇଁ ଏମାନେ ପାଗଳ । ଏମାନଙ୍କର ସେଇ ଧନନିଶା ଛଡ଼ାଇବାକୁ ହେବ ।

 

ବ୍ରହ୍ମପୁରରେ ଦରବୃଦ୍ଧି ବିରୋଧୀ ଆନ୍ଦୋଳନ ହେଲା । ବାରିପଦାରେ ଓ କଟକରେ ମଧ୍ୟ ହେଲା । ଯେକୌଣସି ଅନ୍ୟାୟ, ଦୁର୍ନୀତି ଓ କଳାବଜାର ବିରୁଦ୍ଧରେ ଦୃଢ଼ ପ୍ରତିରୋଧ ଓ ଅଭିଯାନ ଚଳାଇବା ପାଇଁ ଛାତ୍ରସମାଜ, ଯୁବସମାଜ ଓ ଜନସାଧାରଣ ପ୍ରସ୍ତୁତ ହୁଅନ୍ତୁ । କିନ୍ତୁ ଏ ଆନ୍ଦୋଳନ ଯଥାସମ୍ଭବ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ହେବା ଉଚିତ ।

Image

 

ଦରବୃଦ୍ଧି ଓ ଜନଆନ୍ଦୋଳନ

 

ଜିନିଷପତ୍ର ବିଶେଷତଃ ନିତ୍ୟବ୍ୟବହାର୍ଯ୍ୟ ଜିନିଷ—ଚଉଳ, ତେଲ, ପନିପରିବା ଦର ଖୁବ୍‍ ଉଚ୍ଚା ହୋଇଗଲା ବୋଲି ବରମ୍ବାର ଅଭିଯୋଗ ହେଉଛି, ଖୁବ୍‍ ପାଟିତୁଣ୍ଡ ହେଉଛି । ସରକାର ଆଳୁ, ପିଆଜ, ସୋରିଷତେଲ ଇତ୍ୟାଦି ଛ’ ଗୋଟି ଜିନିଷର ଦର ଧାର୍ଯ୍ୟ କରିଦେଲେ । ସରକାରୀ ଧାର୍ଯ୍ୟ ଦରରେ ଏସବୁ ଜିନିଷ ତ ସମସ୍ତେ ପାଇପାରିଲେ ନାହିଁ; ଅଧିକନ୍ତୁ ଏସବୁ ଜିନିଷ ହଠାତ ପ୍ରକାଶ୍ୟ ବଜାରରୁ କୁଆଡ଼େ ଉଭାନ ହୋଇଗଲା ଭଳି ମନେ ହେଲା । ବ୍ୟବସାୟୀମାନେ କହିଲେ, ଜିନିଷ ନାହିଁ ।

 

ଜଣେ ସାମ୍ବାଦିକ ବନ୍ଧୁ ଦୁଃଖ ଓ କ୍ଷୋଭ ପ୍ରକାଶ କରି ଲେଖାଟିଏ ଲେଖିଥିଲେ—କଟକରେ ଦରଦାମ କଣ କମିବ ନାହିଁ ? ସାଧାରଣ ଲୋକେ କଣ ସୁବିଧାରେ ଜିନିଷପତ୍ର ପାଇବେ ନାହିଁ ? କଟକର ଲୋକେ ଶାନ୍ତିପ୍ରିୟ ବୋଲି ସେମାନେ କଣ ଏମିତି ହଟହଟା ହେବେ ? ସରକାର କଣ କିଛି କରିବେ ନାହିଁ ? ଅନ୍ୟ ଜଣେ ଲବ୍ଧପ୍ରତିଷ୍ଠ ସାମ୍ବାଦିକ ଓ ପୂର୍ବତନ ମନ୍ତ୍ରୀ ଏକ ଅଗ୍ରଲେଖାରେ ଲେଖିଥିଲେ—ସରକାରଙ୍କ ଆଡ଼ୁ କେବଳ ପ୍ରତିଶ୍ରୁତି ନୁହେଁ, ଜିନିଷପତ୍ରର ମୂଲ୍ୟବୃଦ୍ଧି ରୋକିବାରେ ପ୍ରତିକାର ଆବଶ୍ୟକ ।

 

ଏସବୁ ବୃଥା-ଅରଣ୍ୟରୋଦନ । ଯାହା ଦେଖାଯାଉଛି, ଏ ପ୍ରକାର ରୋଦନ ବା କ୍ଷୋଭ ଓ ଅଭିମାନ ଦ୍ଵାରା କାର୍ଯ୍ୟ ହାସଲ ହେବ ନାହିଁ । କାରଣ ଅଭିଯୋଗ ଅଭିମାନ ଯଥେଷ୍ଟ ହୋଇଗଲାଣି ।

 

ସରକାର ମନେ କରନ୍ତି, କେତୋଟି ଜିନିଷର ଦର ଧାର୍ଯ୍ୟ କରିଦେଲେ ଏବଂ ସେହି ଧାର୍ଯ୍ୟ ଦରଠାରୁ ଅଧିକା ଦରରେ ବିକୁଥିବା କେତେ ଜଣ ଛୋଟ ଛୋଟ ବେପାରୀଙ୍କୁ ଧରିନେଲେ, ସରକାରଙ୍କର କର୍ତ୍ତବ୍ୟ ଶେଷ ହେଲା । ଛୋଟ ବେପାରୀ ତ ଚୁଙ୍ଗୁଡ଼ି ଭଳି; ବଡ଼ ବଡ଼ ରୋହି ଭାକୁଡ଼ ଭଳି ଯେଉଁ ବ୍ୟବସାୟୀମାନେ ଅଛନ୍ତି ଓ ବଜାରକୁ ଏସବୁ ଜିନିଷ ଆଣୁଛନ୍ତି, ଯୋଗାଉଛନ୍ତି, ସେମାନଙ୍କ ଭିତରୁ କାହାରିକୁ ଧରି ଦଣ୍ଡଦେଲେ ସିନା ଯାହା କିଛି ହୁଅନ୍ତା । ମାତ୍ର ତାହା ଏଡ଼େ ସହଜ ଓ ସମ୍ଭବ ନୁହେଁ । ତେଣୁ ଏ କଥା ହୋଇ ପାରିବନାହିଁ; ଆମ ସରକାରଙ୍କର ଏତେ ଦୃଢ଼ତା ଅଛି ବୋଲି ମନେହୁଏ ନାହିଁ; ଯେହେତୁ ଶାସନମୁଖ୍ୟ ଏଇ ରାଜ୍ୟର ଲୋକ-ପ୍ରତିନିଧି ଏବଂ ବଡ଼ବଡ଼ ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କଲେ ଭୋଟ ପାଇବାରେ ଓ ଅନ୍ୟାନ୍ୟ ସୁବିଧା ପାଇବାରେ ଅସୁବିଧା ହେବାର ଆଶଙ୍କା ଅଛି । ଯଦିଓ ଅଧିକାଂଶ ଜନସାଧାରଣଙ୍କ ଭୋଟ ବେଶୀ ଦରକାର, ତଥାପି ଆମର ଲୋକପ୍ରିୟ ନେତାମାନଙ୍କ ଧାରଣା ଯେ, ଟଙ୍କାଏ ଦୁଇଟଙ୍କା ବା ପାଞ୍ଚ ଟଙ୍କା ଦେଇ ଜନତା-ଜନାର୍ଦ୍ଦନର ସେବା ନାମରେ ଭୋଟ ପାଇବା ଖୁବ୍‍ ସହଜ । ତେଣୁ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ଅଭାବ, ଅଭିଯୋଗ ବା ଅସୁବିଧା ପ୍ରତି ଶାସକଗୋଷ୍ଠୀ ତଥା ସରକାରଙ୍କର ଖାତିର ରହିବ କାହିଁକି ?

 

ବଜାରରେ ଚାଉଳ, ଡାଲି, ତେଲ, ମସଲା, ଆଳୁ, ପିଆଜ, ବାଇଗଣ, ଶାଗ, ଛୁଇଁ, ମାଛ, ମାଂସ, ଅଣ୍ଡା, ଦୁଧ, ଇତ୍ୟାଦି ସବୁ ଜିନିଷର ଦର କ୍ରମେକ୍ରମେ ବଢ଼ିଚାଲିଛି । ଏପରିକି ପାନ ଖଣ୍ଡକର ମୂଲ୍ୟ ପାଞ୍ଚପଇସା ହେଲାଣି । ପୁନିଅଁ ପର୍ବ ଓ ଉତ୍ସବ ଇତ୍ୟାଦି ବେଳଉଣ୍ଡି ଜିନିଷପତ୍ରର ଦର ହଠାତ ବଢ଼ିଯାଇଛି । ଯାହା ଥରେ ବଢ଼ୁଛି, ତାହା ଆଉ କମୁନାହିଁ । ମନ୍ତ୍ରୀମାନଙ୍କୁ ବା ମୋଟା ଦରମାଧାରୀ ବଡ଼ ବଡ଼ିଆମାନଙ୍କୁ ଦରବୃଦ୍ଧି ହୁଏତ ବାଧୁ ନ ଥିବ, ତେଣୁ ସେମାନେ ପ୍ରକୃତ ଅବସ୍ଥାକୁ ଉପଲବ୍ଧି କରିବା ସହଜ ହେଉ ନ ଥିବ । କୌଣସି ଦଳ ଶାସନ ଦାୟିତ୍ଵରେ ଥିବାରୁ ଏ ଦଳର ଲୋକେ ବା ଅନୁସରଣିଆମାନେ ସରକାର ବିରୁଦ୍ଧରେ ପାଟିତୁଣ୍ଡ କରୁନାହାନ୍ତି । କିନ୍ତୁ ଅନ୍ୟାନ୍ୟ ରାଜନୀତିକ ଦଳ ଓ ନଗର କମିଟି ଖାଉଟୀ କମିଟି ଇତ୍ୟାଦି ତ ଅଛନ୍ତି । ସେମାନେ କଣ କରୁଛନ୍ତି ? କାହାରି ଚେତନା କାହିଁ ? ଭୋଟକୁ ସମସ୍ତେ ଖାଲି ଧରାପରା । ଏବେ ଅବଶ୍ୟ ବିଭିନ୍ନ ଶ୍ରମ ଅନୁଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ଦରଦାମ ବୃଦ୍ଧି ବିରୁଦ୍ଧରେ ସାଧାରଣ ସଭା ହେଉଛି । ଦରବୃଦ୍ଧି ନିରୋଧ ନିମନ୍ତେ ଅଡିନାନ୍‍ସ ଜାରି କରିବା ଲାଗି ସରକାରଙ୍କ ଠାରେ ଦାବୀ ହେଉଛି । କିନ୍ତୁ କଣ ଫଳ ?

 

ଥରେ ମାଂସ ଦର ହଠାତ୍‍ ଚଢ଼ା ହୋଇଯିବାରୁ ଖୁବ୍‍ ପାଟିତୁଣ୍ଡ ହେବାରେ ମ୍ୟୁନିସିପାଲଟି ପକ୍ଷରୁ ଗୋଟାଏ ଦର ଧାର୍ଯ୍ୟ ହେଲା । ବ୍ୟବସାୟୀମାନେ ମାଂସ ଯୋଗାଣ ବନ୍ଦ କରିଦେଲେ । କିଛିଦିନ ଟଣା ଓଟରା ମଧ୍ୟରେ ଚାଲିଲା । ତା’ପରେ ବେପାରୀମାନେ ଦର ବଢ଼ାଇ ଦେଲେ, ମାଂସ କିଲୋ ପାଞ୍ଚଟଙ୍କା ହେଲା । କିନ୍ତୁ କୌଣସି ପ୍ରତିକାର ନାହିଁ । ସରକାରଙ୍କ ପକ୍ଷରୁ ଦର ଧାର୍ଯ୍ୟ ପରେ ଆଳୁ ଓ ପିଆଜ ଇତ୍ୟାଦି ଲୋକେ ପାଇପାରିଲେ ନାହିଁ । ଏହା କଣ ସତରେ ମିଳିଲା ନାହିଁ ? ଗୋଦାମର ସାମନା ପଟେ ଲୋକେ ଧାର୍ଯ୍ୟ ଦରରେ କିଣିବା ଲାଗି ଧାଡ଼ି ବାନ୍ଧିଥିଲାବେଳେ ତେଣେ ପଛପଟେ ଅଧିକ ଦରରେ ଆଳୁ, ପିଆଜ, ଚିନି ଓ ସୋରିଷ ତେଲ ଇତ୍ୟାଦି ବସ୍ତା ବସ୍ତା ଓ ଟିଣ ଟିଣ ଚାଲିଯାଉଥିଲା ।

 

ସରକାର ଯେତେବେଳେ ଦର ଧାର୍ଯ୍ୟ କଲେ, ଏହି ବ୍ୟବସାୟୀମାନଙ୍କୁ ତ ଡକାଇଥିଲେ-। ସେତେବେଳେ ସେମାନେ କହିପାରିଥାନ୍ତେ—ଏ ଦର ପୋଷେଇବ ନାହିଁ । କିନ୍ତୁ ସେତେବେଳେ କିଛି ନ କହି, ପରେ ଏଭଳି ଖେଳ ଖେଳିବାର ମତଲବ କଣ ? ଏହା ଏକ କାରସାଦି ।

 

ଦରଦାମ ହ୍ରାସର ଦୁଇଟି ଉପାୟ ଅଛି । ଗୋଟିଏ ହେଲା—ଆଦୌ ଜିନିଷପତ୍ର ନ କିଣିବା ଏବଂ ଅନ୍ୟଟି ହେଉଛି—ଦୃଢ଼ ଆନ୍ଦୋଳନ । ପ୍ରଥମ ଉପାୟଟି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପକ୍ଷରେ ଆଦୌ ସମ୍ଭବ ନୁହେଁ, ଯେହେତୁ ଜୀବନ ଧାରଣ ପାଇଁ ଲୋକେ ଯେ କୌଣସିମତେ ଜିନିଷ କିଣିବେ । ତେଣୁ ଦ୍ଵିତୀୟଟି ହିଁ ଏକମାତ୍ର ବଳିଷ୍ଠ ଉପାୟ । ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଆନ୍ଦୋଳନ ଆବଶ୍ୟକ । ଲୋକେ ଶାନ୍ତିପ୍ରିୟ ହୋଇ ଚୁପ୍‍ଚାପ୍‍ ରହିବେ—ଏପରିକି ଦରବୃଦ୍ଧି ବିରୁଦ୍ଧରେ ବା ସରକାର ବିରୁଦ୍ଧରେ ସଭାଟିଏ ବି କରିବେ ନାହିଁ, କି ସଭା ହେଲେ ଆସିବେ ନାହିଁ, ଅଥଚ ଖବରକାଗଜରେ କେଇଜଣ ବିବୃତି ଝାଡ଼ିବେ ତାହାହେଲେ କିଛି ହୋଇପାରିବ ନାହିଁ । ଲୋକଙ୍କୁ ପାଟିତୁଣ୍ଡ କରିବାକୁ ହେବ ଏବଂ ଆନ୍ଦୋଳନ ଚଳାଇବାକୁ ହେବ ।

 

କଟକ ନଗରୀ କଥା ବିଚାରକୁ ନିଆଯାଉ । ଏଠାରେ ଜନସଂଖ୍ୟା ପ୍ରାୟ ଦୁଇଲକ୍ଷ । କଟକର ଦରଦାମ ବୃଦ୍ଧି ଊଣା ଅଧିକେ ସମସ୍ତଙ୍କୁ ତ ବାଧୁଛି । ଏତେ ଲୋକସଂଖ୍ୟା ମଧ୍ୟରୁ ଅନ୍ତତଃ ଖୁବ୍‍ କମରେ ଦଶହଜାର ଲୋକ ଏକାଥରକେ ବାହାରିପଡ଼ି ପାଟିତୁଣ୍ଡ ଓ ଆନ୍ଦୋଳନ କରନ୍ତୁ, ଦେଖିବେ ଏକାଦିନକେ ସବୁ ଠିକ୍‍ ହୋଇଯିବ । ଲୋକଙ୍କଠାରୁ ଭୋଟ ପାଇ ଶାସନ ଦାୟିତ୍ଵରେ ଥିବା ବ୍ୟକ୍ତି ତଥା ସରକାରଙ୍କ ଏତେ ସାହସ ଯେ ଲୋକଙ୍କ କଥା ଶୁଣିବେ ନାହିଁ ? ବ୍ୟବସାୟୀଙ୍କର ଏତେ ହେମତ ଯେ ଦର କମାଇବେ ନାହିଁ ? ଓ ନିଧାର୍ଯ୍ୟ ଦରରେ ବିକିବେ ନାହିଁ-? ଲୋକେ ଆନ୍ଦୋଳନ କଲେ ସରକାର ନିଶ୍ଚୟ ଶୁଣିବେ ଓ ବ୍ୟବସାୟୀମାନେ ଅଲବତ ଦର କମାଇବେ । ଲୋକେ ଯଦି ଆନ୍ଦୋଳନ ନ କରି ଚୁପ୍‍ ରହିବେ, ତାହାହେଲେ ଜିନିଷପତ୍ରର ଦର ବୃଦ୍ଧି ନ ଘଟିବ କାହିଁକି ?

Image